Advertisment

ଟି-୨୦ ଆନ୍ତର୍ଜାତିକ ପାଇଁ କ’ଣ ଫିଟ୍ ନୁହନ୍ତି ପନ୍ତ?

ଟି-୨୦ ଆନ୍ତର୍ଜାତିକରେ ରିଷଭ ପନ୍ତଙ୍କ ବ୍ୟାଟିଂ ବିଫଳତା ଏକ ପୁରୁଣା ସମସ୍ୟା । ଏହି ଯୁବ ଖେଳାଳି କ୍ରିକେଟର କ୍ଷୁଦ୍ରତମ ଫର୍ମାଟ୍ ପାଇଁ କ’ଣ ଫିଟ୍ ନୁହନ୍ତି? ଏ ପ୍ରଶ୍ନ ଏବେ ଟିମ୍ ମ୍ୟାନେଜ୍‌ମେଣ୍ଟ ପାଇଁ ଚିନ୍ତାର ବିଷୟ; ଆଗକୁ ଗଢ଼ା ହେବାକୁ ଥିବା ନୂଆ ଚୟନ କମିଟିକୁ ମଧ୍ୟ ଏହା ଆନ୍ଦୋଳିତ କରିବ।

ଅଦ୍ୟତନ ହୋଇଛି
Is not Pant fit for T20 Internationals

Is not Pant fit for T20 Internationals

Advertisment

ମହେନ୍ଦ୍ର ସିଂ ଧୋନିଙ୍କ ପରେ ରିଷଭ ପନ୍ତଙ୍କୁ ଟିମ୍ ଇଣ୍ଡିଆର ସବୁଠାରୁ ଦକ୍ଷ ଓ ପ୍ରତିଭାଶାଳୀ ୱିକେଟ୍‌କିପର୍-ବ୍ୟାଟର୍ ବିବେଚନା କରାଯାଏ । ଯଦିଓ ସଞ୍ଜୁ ସାମ୍‌ସନ୍ ଓ ଈଶାନ କିଶନଙ୍କ ପାଖରେ ବି ପ୍ରତିଭା ରହିଛି, ତଥାପି ପନ୍ତଙ୍କୁ ସେମାନଙ୍କ ଠାରୁ ଅଗ୍ରାଧିକାର ଦିଆଯାଇଆସୁଛି।

Advertisment

ପନ୍ତ ସବୁ ଫର୍ମାଟ୍‌ରେ ଭାରତୀୟ ଟିମ୍‌ର ଅଂଶବିଶେଷ ରହିଆସିଛନ୍ତି; କିନ୍ତୁ ସବୁଥିରେ ତାଙ୍କ ଯୋଗଦାନ ସମାନ ନୁହେଁ । ରେଡ୍-ବଲ୍‌ରେ ଅଷ୍ଟ୍ରେଲିଆ ମାଟିରେ ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନକୁ ସେ ଟି-୨୦ ଆନ୍ତର୍ଜାତିକରେ ଦୋହରାଇପାରି ନାହାନ୍ତି।

ଟି-୨୦ ଆନ୍ତର୍ଜାତିକରେ ପନ୍ତଙ୍କ ବ୍ୟାଟିଂ ବିଫଳତା ଏକ ପୁରୁଣା ସମସ୍ୟା । ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ବି ଏହାର ସମାଧାନ ହେଲା ନାହିଁ । ଟି-୨୦ ଟିମ୍‌କୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନୂଆ ରୂପରେଖ ଦେବା ପାଇଁ ଯୋଜନା କରୁଛି, ଯେଉଁଠି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲ୍‌ରାଉଣ୍ଡରଙ୍କ ପାଖରେ ନେତୃତ୍ୱ ରହିପାରେ, ପୂର୍ବତନ ଅଧିନାୟକ ଧୋନି କୋଚ୍ ଦାୟିତ୍ୱ ତୁଲାଇପାରନ୍ତି ଏବଂ ବରିଷ୍ଠଙ୍କୁ ବାଦ୍ ଦିଆଯାଇ ପ୍ରତିଭାଶାଳୀ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦିଆଯାଇପାରେ।

Advertisment

ଏପରିସ୍ଥଳେ, ଟି-୨୦ ଆନ୍ତର୍ଜାତିକରେ ପନ୍ତଙ୍କ ସ୍ଥାନ କେତେ ସୁରକ୍ଷିତ? ପୁରୁଣା ସମସ୍ୟାକୁ ଆବୋରି ବସିଥିବା ଏହି ଯୁବ ଖେଳାଳି କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍ ପାଇଁ କ’ଣ ଫିଟ୍ ନୁହନ୍ତି? ଏ ପ୍ରଶ୍ନ ଏବେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ପାଇଁ ଚିନ୍ତାର ବିଷୟ; ଆଗକୁ ଗଢ଼ା ହେବାକୁ ଥିବା ନୂଆ ଚୟନ କମିଟିକୁ ମଧ୍ୟ ଏହା ଆନ୍ଦୋଳିତ କରିବ।

ପନ୍ତ ଏ ଯାବତ ୬୬ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରୁ ୫୬ ଇନିଂସ୍ ଖେଳିଥିବା ବେଳେ ୧୦୦୦ ରନ୍ ବି ପୂରଣ କରିପାରି ନାହାନ୍ତି। ତାଙ୍କ ବ୍ୟାଟିଂ ଆଭରେଜ୍ ୨୨.୪୩ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୨୬.୫୪ । ଏଥିରେ ଶତକ ନାହିଁ ଏବଂ ମାତ୍ର ତିନି ଅର୍ଦ୍ଧଶତକ ରହିଛି । ଏଭଳି ଦୁର୍ବଳ ପ୍ରଦର୍ଶନ ସତ୍ତ୍ୱେ ଟିମ୍ ମ୍ୟାନେଜ୍‌ମେଣ୍ଟ ତାଙ୍କୁ ବାରମ୍ବାର ସୁଯୋଗ ଦେଇଆସିଛି । ଟି-୨୦ ଆନ୍ତର୍ଜାତିକରେ ୱିକେଟ୍‌କିପର୍-ବ୍ୟାଟର୍ କାର୍ତ୍ତିକଙ୍କ ଅବସର ସମୟ ଆସନ୍ନ, ଅନ୍ୟପଟେ ପନ୍ତଙ୍କ ପ୍ରଦର୍ଶନ ଆଶାଜନକ ନୁହେଁ ।

Advertisment

ଅଷ୍ଟ୍ରେଲିଆ ଠାରେ ୨୦୨୦-୨୧ରେ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବିଶେଷକରି ଗାବା ଟେଷ୍ଟରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନ ନୂଆ ସମ୍ଭାବନା ସୃଷ୍ଟି କରିଥିଲା । ତାଙ୍କୁ ଟିମ୍ ଇଣ୍ଡିଆର ଭବିଷ୍ୟତର ଅଧିନାୟକ ଦୃଷ୍ଟିରୁ ବିଚାର କରାଗଲା । ୨୦୨୧ରେ ତାଙ୍କୁ ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ଦାୟିତ୍ୱ ମିଳିଥିଲା । ଟେଷ୍ଟରେ ସେ ନିଜ ସ୍ଥାନ ସୁରକ୍ଷିତ କରିପାରିଲେ । ତାଙ୍କ ବ୍ୟାଟିଂରେ ଆକ୍ରମଣାତ୍ମକ ମନୋଭାବ ତାଙ୍କୁ ସବୁ ଫର୍ମାଟ୍‌ରେ ସୁଯୋଗ ଦେଇଥିଲା।

ଚଳିତ ବର୍ଷ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳାରେ ସେ ଟିମ୍‌ର ନେତୃତ୍ୱ ନେଇଥିଲେ । କିନ୍ତୁ ବ୍ୟାଟିଂରେ ସେ ବିଫଳ ହେଲେ। ଏହି ବିଫଳତା ଅଦ୍ୟାବଧି ଜାରି ରହିଛି। ଏହା ଭିତରେ ଏସିଆ କପ୍, ଟି-୨୦ ବିଶ୍ୱକପ୍ ଓ ଅନେକ ଦ୍ୱିପାକ୍ଷିକ ଟି-୨୦ ଶୃଙ୍ଖଳା ସରିଲାଣି । ବିଶେଷକରି ଦ୍ୱିପାକ୍ଷିକ ଶୃଙ୍ଖଳାଗୁଡ଼ିକରେ ଭାରତୀୟ ଟିମ୍‌ର ସଫଳତାରେ ପନ୍ତଙ୍କ ବିଶେଷ ଯୋଗଦାନ ନାହିଁ।

ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ପନ୍ତ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛନ୍ତି । ସେଠାରେ ବି ତାଙ୍କ ବ୍ୟାଟିଂ ସମସ୍ୟା ବଳବତ୍ତର ରହିଥିଲା । ଭାରତ ୧-୦ରେ ଟି-୨୦ ଶୃଙ୍ଖଳା ଜିତିଥିଲା । କିନ୍ତୁ ପନ୍ତ ଓପନର୍ ଭାବେ ବ୍ୟାଟିଂ କରି ଦୁଇଟି ମ୍ୟାଚ୍‌ରେ ମାତ୍ର ୧୭ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଯୁବ ଖେଳାଳିମାନଙ୍କ ଟିମ୍‌ର ନେତୃତ୍ୱ ନେଇଥିଲେ ଏବଂ ପନ୍ତ ଥିଲେ ଉପ-ଅଧିନାୟକ ।

ଟି-୨୦ରେ କୌଣସି ଭୂମିକା ପାଇଁ ପ୍ରଯୁଜ୍ୟ ନୁହନ୍ତି:

ମଧ୍ୟକ୍ରମରେ ଲଗାତାର ବିଫଳତା ପରେ ପନ୍ତଙ୍କୁ ଓପନର୍ ଭାବେ ମଧ୍ୟ ସୁଯୋଗ ମିଳିଥିଲା। କିନ୍ତୁ ଏହି ଭୂମିକାରେ ବି ସେ ବିଫଳ ହୋଇଛନ୍ତି । ସେ ଏ ଯାବତ ପାଞ୍ଚ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ଓପନିଂ କରିଛନ୍ତି ଏବଂ ୧୪.୨୦ ଆଭରେଜ୍‌ରେ ମାତ୍ର ୭୧ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ସଦ୍ୟ ସମାପ୍ତ କିୱି ଶୃଙ୍ଖଳା ବି ରହିଛି। ସେହିପରି ତିନି ନମ୍ବରରେ ତାଙ୍କୁ ଛଅ ଥର ବ୍ୟାଟିଂ ପାଇଁ ପଠାଯାଇଛି; ହେଲେ ସେ ୨୯.୨୫ ଆଭରେଜ୍‌ରେ ମାତ୍ର ୧୧୭ ରନ୍ କରିପାରିଛନ୍ତି।

ଏତଦଭିନ୍ନ, ପନ୍ତ ଚାରି ନମ୍ବର ସ୍ଥାନରେ ୨୭ ମ୍ୟାଚ୍ ଖେଳି ୪୭୪, ପାଞ୍ଚ ନମ୍ବରରେ ୧୫ ମ୍ୟାଚ୍ ଖେଳି ୨୯୭ ଏବଂ ଛଅ ନମ୍ବରରେ ୩ ମ୍ୟାଚ୍ ଖେଳି ୨୮ ରନ୍ କରିଛନ୍ତି ।

ପନ୍ତ ଏ ଯାବତ ଆଠ ଦେଶରେ ଟି-୨୦ ଆନ୍ତର୍ଜାତିକ ଖେଳିଛନ୍ତି। ସେଥିମଧ୍ୟରେ କେବଳ ୱେଷ୍ଟଇଣ୍ଡିଜ୍କୁ ଛାଡ଼ିଦେଲେ, ତାଙ୍କ ଆଭରେଜ୍ ପ୍ରଭାବଶାଳୀ ନାହିଁ ।

ୱେଷ୍ଟଇଣ୍ଡିଜ୍‌ରେ ସେ ୫୮ ଆଭରେଜ୍‌ରେ ୧୭୪ ରନ୍ କରିଛନ୍ତି । ସେ ଅଷ୍ଟ୍ରେଲିଆରେ ୭.୨୫, ଇଂଲଣ୍ଡରେ ୧୩.୫୦, ଶ୍ରୀଲଙ୍କାରେ ୧୫, ଆମେରିକାରେ ୧୬, ଭାରତରେ ୨୦, ନ୍ୟୁଜିଲାଣ୍ଡରେ ୨୨ ଓ ୟୁଏଇରେ ୩୨ ଆଭରେଜରେ ରନ୍ ସଂଗ୍ରହ କରିଛନ୍ତି।

ନିକଟ ଅତୀତରେ ପୂର୍ବତନ କ୍ରିକେଟର୍ ଅଜୟ ଜାଡ଼େଜା କହିଥିଲେ ଯେ ଟି-୨୦ ଆନ୍ତର୍ଜାତିକରେ ଭାରତୀୟ ଟିମ୍ ରୋଲ୍ ପ୍ଲେଇଙ୍ଗ୍ ଆକ୍ଟରେ ଆଗକୁ ବଢ଼ୁଛି । ପନ୍ତ କୌଣସି ଭୂମିକା ପାଇଁ ଫିଟ୍ ନୁହନ୍ତି ।

କିନ୍ତୁ ଆଇପିଏଲ୍ ଭଳି ଟି-୨୦ ଫର୍ମାଟ୍‌ରେ ସେ ବହୁ ସମୟରେ ଦମଦାର ପ୍ରଦର୍ଶନ କରିଆସିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏ ଯାବତ ୯୮ ମ୍ୟାଚ୍ ଖେଳି ୧୪୭.୯୭ ଷ୍ଟ୍ରାଇକ୍ ରେଟ୍ ଓ ୩୪.୬୧ ଆଭରେଜ୍‌ରେ ୨,୮୩୮ ରନ୍ କରିଛନ୍ତି।

ଟି-୨୦ରେ ପନ୍ତଙ୍କ ସ୍ଥାନ ନେବେ କି ସାମ୍‌ସନ୍:

ଟି-୨୦ ଆନ୍ତର୍ଜାତିକରେ କ୍ରମାଗତ ବିଫଳ ହେବା ସତ୍ତ୍ୱେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଆସୁଛି । କିନ୍ତୁ ଏମିତି କେତେ ଦିନ ସୁଯୋଗ ମିଳିବ? ନୂଆ ଚୟନ କମିଟି ଆସିଲେ, ଟି-୨୦ ଟିମ୍ରେ ସ୍ଥାନ ବଜାୟ ରଖିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । ଅନ୍ୟପଟେ, ପନ୍ତଙ୍କୁ ସୁଯୋଗ ମିଳୁଥିବାରୁ ସଞ୍ଜୁ ସାମ୍‌ସନ୍‌ଙ୍କୁ ବେଞ୍ଚରେ ବସିବାକୁ ପଡ଼ୁଛି । ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ମଧ୍ୟ ସାମ୍‌ସନ୍‌ଙ୍କୁ ଗୋଟିଏ ବି ମ୍ୟାଚ୍‌ରେ ସୁଯୋଗ ମିଳିଲାନି।

ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକ ଯାଏଁ ଠିକ୍ ଅଛି; ହେଲେ ଟି-୨୦ ଆନ୍ତର୍ଜାତିକ ପାଇଁ ପନ୍ତ ସେତେ ଫିଟ୍ ନୁହନ୍ତି। ଏହା ପ୍ରମାଣିତ ହୋଇସାରିଛି। ତାଙ୍କ ସ୍ଥାନରେ ସାମ୍‌ସନ୍‌ଙ୍କୁ ସୁଯୋଗ ମିଳିଲେ ଉତ୍ତମ ହେବ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Team India T20 Rishav Panth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ