Advertisment

Sports: ଭାରତୀୟ ହକିର ହିରୋ ଡ୍ରାଗ୍‌-ଫ୍ଲିକର୍ ହରମନପ୍ରୀତ ସିଂହ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌କୁ ରେକର୍ଡ ଚତୁର୍ଥ ଥର ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଅଧିନାୟକ ହରମନପ୍ରୀତ ସିଂହ। କେବଳ ଜଣେ ବିଶେଷଜ୍ଞ ଡ୍ରାଗ୍‌-ଫ୍ଲିକର୍ ଭାବେ ନୁହନ୍ତି, ଭାରତୀୟ ହକିକୁ ଉଚ୍ଚତର ସୋପାନରେ ପହଞ୍ଚାଇଥିବା ଯୋଗୁଁ ଆଜି ସେ ବେଶ୍ ଚର୍ଚ୍ଚିତ।

ଅଦ୍ୟତନ ହୋଇଛି
Who is Harmanpreet Singh

Indian hockey hero drag-flicker Harmanpreet Singh

Advertisment

ଚେନ୍ନାଇରେ ଆୟୋଜିତ ହୋଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି (ପୁରୁଷ) ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ର ରେକର୍ଡ ଚତୁର୍ଥ ମୁକୁଟ ହାସଲ ପରେ କେତେକ ସମ୍ଭାବନାର ଉନ୍ମେଷ ହୋଇଛି। ଏହି ବିଜୟ ପରେ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ହାଙ୍ଗ୍‌ଝୁ ଏସୀୟ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବାର ଆଶା ବଢ଼ିଯାଇଛି। ଏସିଆଡ୍‌ରେ ମଧ୍ୟ ଭାରତ ସେହି ଟିମ୍‌ଗୁଡ଼ିକୁ ଭେଟିବ, ଯେଉଁମାନଙ୍କ ସହ ଚେନ୍ନାଇରେ ମୁହାଁମୁହିଁ ହୋଇଥିଲା। କେବଳ ଆୟୋଜନସ୍ଥଳ ଭିନ୍ନ ହେବ।

Advertisment

ଟିମ୍‌ର ଏହି ସଫଳତା ପଛରେ ଯେଉଁ ଖେଳାଳିଙ୍କ ବଡ଼ ଯୋଗଦାନ ରହିଥିଲା, ସେ ହେଲେ ଅଧିନାୟକ ହରମନପ୍ରୀତ ସିଂହ। ଏହି ଡ୍ରାଗ୍‌-ଫ୍ଲିକ୍ ବିଶେଷଜ୍ଞ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ନଅ ଗୋଲ୍ ସ୍କୋର୍ କରିଥିଲେ। ସେ ସେମିଫାଇନାଲ୍ ଓ ଫାଇନାଲ୍‌ରେ ବି ଗୋଲ୍ ଦେଇଥିଲେ। ମାଲେସିଆ ବିପକ୍ଷ ଫାଇନାଲ୍‌ରେ ସେ ପେନାଲ୍ଟି ଷ୍ଟ୍ରୋକ୍‌ରୁ ଗୋଲ୍ ଦେଇ ଦୁର୍ବଳ ସ୍ଥିତିରେ ଥିବା ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଶେଷରେ ଭାରତୀୟ ଟିମ୍ ୪-୩ରେ ମ୍ୟାଚ୍ ଜିତିଥିଲା।

ଅଧିକ ପଢ଼ନ୍ତୁ: ଭାରତୀୟ କ୍ରିକେଟ୍‌ରେ ଯଶସ୍ୱୀ ଜୟସ୍ୱାଲଙ୍କ ଚର୍ଚ୍ଚା; ଦିନେ କ୍ୟାରିଅର୍‌ ପାଇଁ ବିକୁଥିଲେ ଗୁପ୍‌ଚୁପ୍

Advertisment

ହରମନପ୍ରୀତଙ୍କ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି। କେବଳ ଜଣେ ବିଶେଷଜ୍ଞ ଡ୍ରାଗ୍‌-ଫ୍ଲିକର୍ ଭାବେ ନୁହନ୍ତି, ଭାରତୀୟ ହକିକୁ ଉଚ୍ଚତର ସୋପାନରେ ପହଞ୍ଚାଇଥିବା ଯୋଗୁଁ ଆଜି ସେ ବେଶ୍ ଚର୍ଚ୍ଚିତ।

ବିଶ୍ୱର ସର୍ବଶ୍ରେଷ୍ଠ ଡ୍ରାଗ୍‌-ଫ୍ଲିକର୍‌ଙ୍କ ମଧ୍ୟରେ ପରିଗଣିତ ହରମନପ୍ରୀତ ଭାରତୀୟ ହକି ଟିମ୍‌ର କୀର୍ତ୍ତିସ୍ତମ୍ଭ। ଏହି କାରଣରୁ ଟିମ୍‌ର ସବୁ ଆଶା ତାଙ୍କ ପ୍ରଦର୍ଶନ ଉପରେ ନିବଦ୍ଧ ଥାଏ। ଜଣେ ଖେଳାଳି ଭାବେ ସେ ସବୁବେଳେ ସକାରାତ୍ମକ ଜଣାପଡ଼ନ୍ତି, ଯାହାକି ତାଙ୍କର ଏକ ବିଶେଷତ୍ୱ।

Advertisment

ହରମନପ୍ରୀତ ଏକମାତ୍ର ଭାରତୀୟ, ଯିଏକି ଦୁଇ ଥର ଏଫ୍‌ଆଇଏଚ୍‌ର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ନେଦରଲାଣ୍ଡ୍‌ସର ତେଅନ୍ ଡି’ ନୁଇଅର୍‌, ଅଷ୍ଟ୍ରେଲିଆର ଜାମି ଡ୍ୱୟର ଓ ବେଲ୍‌ଜିୟମ୍‌ର ଆର୍ଥର ଭାନ୍ ଡୋରେନ୍‌ଙ୍କ କ୍ଲବ୍‌ରେ ସାମିଲ୍ ହୋଇଛନ୍ତି। ସେମାନେ ମଧ୍ୟ ଦୁଇ ଥର ଲେଖାଏଁ ଏହି ପୁରସ୍କାର ହାସଲ କରିଛନ୍ତି।

ହରମନପ୍ରୀତ ୨୦୨୧-୨୨ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଓ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦ୍ୱିତୀୟ ଥର ପୁରସ୍କୃତ ହୋଇଥିଲେ। ସେହି ପ୍ରୋ ଲିଗ୍ ସିଜନ୍‌ରେ ସେ ୧୬ ମ୍ୟାଚ୍‌ରୁ ୧୮ ଗୋଲ୍ କରିଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନଅ ଗୋଲ୍ ଦେଇ ଭାରତର ରୌପ୍ୟ ପଦକ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ଅଲିମ୍ପିକ୍ ଓ ଏଆଇଏଚ୍ ପ୍ରୋ ଲିଗ୍ ସଫଳତା:

୨୦୨୧ରେ ଆୟୋଜିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତ ୪୧ ବର୍ଷ ପରେ କାଂସ୍ୟ ରୂପରେ କୌଣସି ପଦକ ଜିତିବାରେ ସଫଳ ହୋଇଥିଲା। ହରମନପ୍ରୀତଙ୍କ କ୍ୟାରିଅର୍‌ର ଏହା ବଡ଼ ସଫଳତା ଥିଲା। ଭାରତକୁ ପଦକ ଜିତାଇବାରେ ତାଙ୍କ ଛଅ ଗୋଲ୍‌ର ବହୁତ ଗୁରୁତ୍ୱ ଥିଲା।

ଭାରତ ଯେତେବେଳେ କାଂସ୍ୟ ପଦକ ପ୍ଲେଅଫ୍ ମ୍ୟାଚ୍‌ରେ ଜର୍ମାନୀ ଠାରୁ ପଛରେ ଥିଲା, ସେତେବେଳେ ହରମନପ୍ରୀତଙ୍କ ବରାବର ଗୋଲ୍ ସବୁବେଳେ ସ୍ମରଣୀୟ ହୋଇରହିବ। ପରେ ଅବଶ୍ୟ ରୂପିନ୍ଦର ପାଲ୍ ସିଂହ ଓ ସିମରନଜିତ୍ ସିଂହଙ୍କ ଗୋଲ୍ ବଳରେ ଭାରତ ବିଜୟ ହାସଲ କରିଥିଲା। ସେମିଫାଇନାଲ୍‌ରେ ବି ହରମନପ୍ରୀତ ବେଲ୍‌ଜିୟମ୍ ବିପକ୍ଷରେ ପେନାଲ୍ଟି କର୍ଣ୍ଣର୍‌ରୁ ଗୋଲ୍ କରିଥିଲେ।

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୧-୨୨ ସିଜନ୍ ହରମନପ୍ରୀତଙ୍କ କ୍ୟାରିଅରକୁ ନୂଆ ସୋପାନରେ ପହଞ୍ଚାଇଥିଲା। ଏହି ସିଜନ୍‌ରେ ସେ ସର୍ବାଧିକ ୧୮ ଗୋଲ୍ ସ୍କୋର୍ କରିଥିଲେ, ଯାହାଫଳରେ ଭାରତୀୟ ଟିମ୍ ତୃତୀୟ ସ୍ଥାନ ହାସଲ କରିପାରିଥିଲା। ଲିଗ୍‌ର ୨୦୨୨-୨୩ ସିଜନ୍‌ରେ ମଧ୍ୟ ସେ ୧୮ ଗୋଲ୍ ଦେଇ ପ୍ରଥମ ସ୍ଥାନରେ ରହିଥିଲେ। ଏଥିରେ ଭାରତୀୟ ଟିମ୍ ଚତୁର୍ଥ ସ୍ଥାନରେ ରହିଥିଲା। ଭାରତ ତୃତୀୟ ସ୍ଥାନରେ ଥିବା ବେଲ୍‌ଜିୟମ୍ ସହ ସମାନ ୩୦ ପଏଣ୍ଟ ପାଇଥିଲା; କିନ୍ତୁ ଅଧିକ ଗୋଲ୍ ଖାଇଥିବା ଯୋଗୁଁ ତୃତୀୟ ସ୍ଥାନ ପାଇପାରି ନ ଥିଲା।

ବିଶ୍ୱକପ୍‌ରେ ନେତୃତ୍ୱ ଦାୟିତ୍ୱ:

ହରମନପ୍ରୀତ ସିଂହଙ୍କୁ ଚଳିତ ବର୍ଷ ଜାନୁଆରୀରେ ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ନେତୃତ୍ୱ ଦାୟିତ୍ୱ ଦିଆଯାଇଥିଲା। ଆୟୋଜକ ହୋଇଥିବା ଦୃଷ୍ଟିରୁ ଭାରତ ପୋଡିୟମ୍ ଫିନିଶ୍ କରିବ ବୋଲି ଆଶା ଥିଲା। କିନ୍ତୁ ହରମନପ୍ରୀତ ସିଂହ ଫର୍ମରେ ନ ଥିବାରୁ ଟିମ୍‌କୁ ତା’ର ପରିଣାମ ଭୋଗିବାକୁ ପଡ଼ିଲା ଏବଂ ଭାରତ ନବମ ସ୍ଥାନରେ ରହିଥିଲା।

ହରମନପ୍ରୀତ ଛଅ ମ୍ୟାଚ୍‌ରୁ ମାତ୍ର ଚାରି ଗୋଲ୍ ଦେଇଥିଲେ। ତାଙ୍କ ପ୍ରଦର୍ଶନ ଟିମ୍‌ର ମନୋବଳ ଉପରେ ମଧ୍ୟ ପ୍ରଭାବ ପକାଇଥିଲା।

ପ୍ରକୃତପକ୍ଷେ ଦେଖିବାକୁ ଗଲେ, ସେ ଭାରତୀୟ ଟିମ୍‌ର ଭରସା ପାଲଟି ଯାଇଛନ୍ତି। ଅନେକ ସମୟରେ ସେ ଆଗକୁ ଆସି ନିଜ ଫର୍‌ୱାର୍ଡମାନଙ୍କୁ ଏତେ ସଠିକ୍ ପାସ୍ ଦିଅନ୍ତି ଯେ ପ୍ରତିପକ୍ଷ ଟିମ୍ ପାଖରେ ଗୋଲ୍ ବଞ୍ଚାଇବାର କୌଣସି ସୁଯୋଗ ରହେ ନାହିଁ। ସେ ତ ଜଣେ ବିଶେଷଜ୍ଞ ଡ୍ରାଗ-ଫ୍ଲିକର୍‌, ହେଲେ ଗୋଲ୍ ବଞ୍ଚାଇବାରେ ମଧ୍ୟ ସେ ଯୋଗଦାନ ଦିଅନ୍ତି।

ବିଶ୍ୱକପ୍ ବିଫଳତା ସତ୍ତ୍ୱେ ତାଙ୍କ ନେତୃତ୍ୱ-ଦକ୍ଷତା ଉପରେ ଆସ୍ଥା ପ୍ରକଟ କରାଯାଇଥିଲା। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ପୁଣି ନେତୃତ୍ୱ ନେଲେ ଏବଂ ଟିମ୍‌କୁ ମୁକୁଟ ଜିତାଇଲେ।

ଏସିଆଡ୍‌ରେ ଗୁରୁ ଦାୟିତ୍ୱ:

ସେପ୍ଟେମ୍ବର ୨୩ରୁ ହାଙ୍ଗ୍‌ଝୁ ଏସୀୟ କ୍ରୀଡ଼ା ଆରମ୍ଭ ହେବ। ଏଥିରେ ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ଜିତିବା ନେଇ ବେଶ୍ ଆଶାବାଦୀ ଅଛନ୍ତି ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍‌ଟନ୍। ଏସିଆଡ୍‌ରେ ମଧ୍ୟ ହରମନପ୍ରୀତ ସିଂହ ଟିମ୍‌ର ନେତୃତ୍ୱ ନେଇପାରନ୍ତି।

ଏସିଆଡ୍ ଇତିହାସରେ ଭାରତୀୟ ପୁରୁଷ ହକି ଟିମ୍ ତିନି ସ୍ୱର୍ଣ୍ଣ ପଦକ (୧୯୬୬, ୧୯୯୮ ଓ ୨୦୧୪) ଜିତିଥିବା ବେଳେ ନଅ ରୌପ୍ୟ ଓ ତିନି କାଂସ୍ୟ ପଦକ ପାଇଛି।

ଏସିଆଡ୍‌ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ଟିମ୍‌ଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା ହେଲେହେଁ ଏହାର ଗୁରୁତ୍ୱ ବେଶୀ, କାରଣ ଏହାର ଚାମ୍ପିଅନ୍ ଟିମ୍ ୨୦୨୪ରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ସିଧା ଯୋଗ୍ୟତା ଅର୍ଜନ କରିବ।

ହରମନପ୍ରୀତ ଓ ତାଙ୍କ ଟିମ୍‌ର ଅନ୍ୟ ଖେଳାଳି ଏସିଆଡ୍‌ର ଗୁରୁତ୍ୱକୁ ବୁଝନ୍ତି। ସେମାନଙ୍କୁ ଏ କଥା ମନେ ରଖିବାକୁ ହେବ ଯେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଟିମ୍‌କୁ ମାଲେସିଆ ଓ ଜାପାନ ଠାରୁ ଚାଲେଞ୍ଜ୍ ମିଳିଥିଲା। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଛୁପାରୁସ୍ତମ୍ ସାବ୍ୟସ୍ତ ହୋଇପାରେ। ଏସିଆଡ୍‌ରେ ପୁଲ୍‌-ଏ’ରେ ଭାରତ ଛଡ଼ା ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନ, ପାକିସ୍ତାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜ୍‌ବେକିସ୍ତାନ ରହିଛି।

ଏହାଛଡ଼ା ସେଠାରେ ଘରୋଇ ଦର୍ଶକ ନ ଥିବେ, ଟିମ୍‌କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ। ଏସିଆଡ୍ ପୂର୍ବରୁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଭାରତୀୟ ଟିମ୍ ପାଇଁ ଏକ ଲିଟ୍‌ମସ୍ ଟେଷ୍ଟ ଥିଲା। ଭାରତ ସେଥିରେ ଉତ୍ତୀର୍ଣ୍ଣ ହୋଇଛି। କିନ୍ତୁ ଅଧିନାୟକ ହେବା ସ୍ଥଳେ ହରମନ୍‌ପ୍ରୀତଙ୍କ ନେତୃତ୍ୱ-ଦକ୍ଷତାର ଅସଲି ପରୀକ୍ଷା ହାଙ୍ଗ୍‌ଝୁରେ ହେବ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Hockey India Indian Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ