ଯୋଜନା ବିଗାଡିବ ବିଜେପି ଓ କଂଗ୍ରେସର ଗଣିତ

- ଆଗୁଆ ରଣନୀତିରେ ଆଗରେ ବିଜେଡି - ଦଳୀୟ କନ୍ଦଳ ପାଇଁ ଦଳୀୟ ନେତାଙ୍କୁ ବାନ୍ଧି ରଖିପାରୁନି ବିଜେପି - ଦଳୀୟ ସଙ୍ଗଠନ ସୁଦୃଢ଼ କରିବାରେ ପଛରେ କଂଗ୍ରେସ

ଯୋଜନା ବିଗାଡିବ ବିଜେପି ଓ କଂଗ୍ରେସର ଗଣିତ

ପଞ୍ଚାୟତ ନିର୍ବାଚନର ଅନେକ ଆଗରୁ ବିଜେଡି ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛି। ଲୋକଙ୍କୁ ବାନ୍ଧି ରଖିବାର କୌଶଳ ବିଜେଡିକୁ ବେଶ ଭଲଭାବେ ଜଣା। ସେଥିପାଇଁ ବିଜେଡି ପଞ୍ଚାୟତ ନିର୍ବାଚନ ପାଇଁ ଅନେକ ଆଗରୁ ଯୋଜନା ପ୍ରସ୍ତୁତ କରିସାରିଛି। ବିଗତ ଦିନରେ ହୋଇଥିବା ଉପନିର୍ବାଚନ ବେଳକୁ ବି ବିଜେଡି ଏକପ୍ରକାର ରଣନୀତି ପ୍ରାକ୍‌-ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଆଉ ଖାସ୍‌ ସେଥିପାଇଁ ଉପନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଥିଲା।

୨୦୨୧ ଅକ୍ଟୋବର ୩ ତାରିଖରେ ଘୋଷଣା ହେଲା ପିପିଲି ଉପନିର୍ବାଚନର ଫଳାଫଳ। ଜିତିଲେ ବିଜେଡିର ରୁଦ୍ର ମହାରଥୀ, ହାରିଲେ ବିଜେପିର ଆଶ୍ରିତ ପଟ୍ଟନାୟକ। କେବଳ ପିପିଲିରେ ନୁହେଁ, ୨୦୧୯ ପରେ ରାଜ୍ୟରେ ଆଉ ତିନୋଟି ବିଧାନସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ସବୁ ଆସନରେ ବିଜେଡି ହିଁ ବିଜୟ ଲାଭ କରିଛି। ତେବେ କଥା ହେଉଛି, ଏତେ ବିକ୍ଷୋଭ, ହରତାଳ ସତ୍ତ୍ୱେ କାହିଁକି ବିଜେଡିକୁ କୌଣସି ଦଳ ପରାଜିତ କରିପାରୁ ନାହାନ୍ତି। କ’ଣ କରୁଛି ରଣନୀତି। କେମିତି ସାଧାରଣ ଲୋକଙ୍କୁ ଏତେ ବର୍ଷ ମନାଇରଖିଛି ଦଳ।

ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଯାଇ ଅନେକ ଲାଭଦାୟକ ପ୍ରସ୍ତାବ ଘୋଷଣା କରିଛି। ଆବାଳ ବୃଦ୍ଧ ବନୀତା ସମସ୍ତଙ୍କ ପାଇଁ ମାଳ ମାଳ ଯୋଜନା ଘୋଷଣା କରିଛି। ସେଥିରୁ କିଛି କାର୍ଯ୍ୟକାରୀ ହୋଇଛି ଆଉ କିଛି କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। କରୋନା ପରି ସଙ୍କଟ କାଳରେ ବି ସରକାର ଲୋକଙ୍କୁ ଭୁଲି ନାହାନ୍ତି। ମାଗଣା ରାସନ ଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକଙ୍କ କଥା ଚିନ୍ତା କରିଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଆରମ୍ଭ କରି ବୟସାଧିକ କାରଣରୁ ନିଯୁକ୍ତିରୁ ବଞ୍ଚିତ ହେଉଥିବା ଯୁବପିଢ଼ିଙ୍କ ପାଇଁ ସରକାର ହିଁ ଏବେ ଦେଖାଇଛନ୍ତି ଜୀଇଁବାର ରାହା। ଏସବୁ ନିର୍ବାଚନ ଥୋପ ହୋଇପାରେ। କିନ୍ତୁ ସାଧାରଣ ଲୋକଟିଏ ଏତେ ଫନ୍ଦି ଫିକର ଭିତରେ ନ ପଶି କେବଳ ସରକାରଙ୍କୁ ଭୋଟ ଦିଅନ୍ତି।

ଯାଜପୁର ରାଜନୀତିର କ୍ଷମତା କେନ୍ଦ୍ର କୁହାଯାଏ। ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁରର ସ୍ଥିତି ମଧ୍ୟ ଅନ୍ୟ ଜିଲ୍ଲା ଠାରୁ ନିଆରା। ଯଦି ଯାଜପୁର ଜିଲ୍ଲା କଥା ଦେଖିବା, ତେବେ ଜିଲ୍ଲାରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଭୋଟ୍‌ହାର ମାତ୍ର ୧୬ ପ୍ରତିଶତ ରହିଥିଲା। ଏଥିଯୋଗୁଁ ଜିଲ୍ଲାରେ ବିଜେପି ତୃତୀୟ ଦଳର ମାନ୍ୟତା ପାଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ଭୋଟ୍‌ବ୍ୟାଙ୍କ୍‌ ୨୨.୭୭ ପ୍ରତିଶତ ରହିଥିଲାବେଳେ ବିଜେଡିର ୫୫.୭୮ ଏବଂ ବିଜେପିର ୧୫.୫୩ ପ୍ରତିଶତ ରହିଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଭୋଟ୍‌ ବ୍ୟାଙ୍କ୍‌ ପୁଣି ଖସି ୧୬.୫୪ ପ୍ରତିଶତକୁ ହ୍ରାସ ପାଇଥିଲା।

ଏହି ବର୍ଷ ଜିଲ୍ଲା ପରିଷଦ ଆସନ ଅକ୍ତିୟାର କରିବାରେ କଂଗ୍ରେସ ଖାତା ଖୋଲି ନ ଥିଲା। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ବର୍ଷ କଂଗ୍ରେସର ଭୋଟ୍‌ବ୍ୟାଙ୍କ୍‌ ୭.୬୦ ପ୍ରତିଶତରେ ସୀମିତ ଥିଲା। ପୂର୍ବରୁ କଂଗ୍ରେସରେ ଦଳୀୟ କନ୍ଦଳ ଯୋଗୁଁ ବର୍ତ୍ତମାନ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ଆଲୋଚନା ହେଉଛି। ଗତ ଦୁଇ ଦଶନ୍ଧି ହେଲା କଂଗ୍ରେସ ଜିଲ୍ଲା ପରିଷଦ ଗଠନ କରିବାକୁ ଅସଫଳ ହୋଇଛି। ଏପରି କି ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନରେ ଖାତା ଖୋଲି ପାରି ନ ଥିଲା। ଏପରିଭାବେ ଗତ ୩ଟା ନିର୍ବାଚନରେ କଂଗ୍ରେସର ଭୋଟ୍‌ ଥଳି ଖସିବାରେ ଲାଗିଛି।

ବିଜେଡି-ବିଜେପିର ଗଠବନ୍ଧନ ୨୦୦୯ ପର୍ଯ୍ୟନ୍ତ ଚାଲିଥିଲା। ୨୦୦୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ସ୍ୱତନ୍ତ୍ର ଦଳ ଭାବେ ନିର୍ବାଚନ ଲଢିଥିଲା। ସେହିବର୍ଷ ବିଜେପି ଜିଲ୍ଲାରେ ଅମାନତ ହାରିଥିଲା। କୌଣସି ବି ବିଧାନସଭାରେ ବିଜେପି ପ୍ରାର୍ଥୀ ବିଜୟ ହେବା ତ ଦୂରର କଥା, ଭୋଟ୍‌ ବ୍ୟାଙ୍କ୍‌ ୬ ପ୍ରତିଶତକୁ ମଧ୍ୟ ପହଞ୍ଚି ପାରି ନ ଥିଲା। ଅନ୍ୟପକ୍ଷରେ ବିଜେଡି ୫୩.୦୩ ପ୍ରତିଶତରେ ରହିଥିଲା।

୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା। ଭୋଟ୍‌ବ୍ୟାଙ୍କ୍‌ ୧୫.୫୩ ପ୍ରତିଶତରେ ରଖିବାକୁ ସକ୍ଷମ ହୋଇଥିଲା। କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍‌ ହାର ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟାନିତ କରିଥିଲା, ତାହା ନୁହେଁ, ରାଜ୍ୟବାସୀଙ୍କୁ ମଧ୍ୟ ଚକିତ କରିଥିଲା। ସେତେବେଳେ ଦଳୀୟ ସଙ୍ଗଠନ ସେତେଟା ସୁଦୃଢ଼ ହୋଇ ନ ଥିଲେ ହେଁ ତା’ର ଭୋଟ୍‌ବ୍ୟାଙ୍କ୍‌କୁ ବୃଦ୍ଧି କରି ୩୧.୩୯ ପ୍ରତିଶତକୁ ପହଞ୍ଚାଇ ପାରିଥିଲା। ଏହା କେବଳ ମୋଦୀ ହାୱା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଏହି ଭୋଟ୍‌ହାର ବୃଦ୍ଧି ବିଜେଡି କର୍ମୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା।

ସେହିବର୍ଷ ବିଜେଡିର ଭୋଟ୍‌ବ୍ୟାଙ୍କ ୫ ପ୍ରତିଶତକୁ ଖସି ୫୦.୬୯ ପ୍ରତିଶତରେ ରହିଥିଲା। ତେବେ ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାରେ ବିଜେପି ପାଖାପାଖି ୩ଟି ଆସନ ଅକ୍ତିଆର କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବିଜେପି କଡ଼ା ଟକ୍କର ଦେବା ସହ ବିଜେଡିର ଭୋଟ୍‌ବ୍ୟାଙ୍କ୍‌କୁ ହ୍ରାସ କରିବାରେ ସଫଳ ହୋଇଥିଲା। ସବୁ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରାର୍ଥୀମାନେ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ। ପରାଜୟ ବ୍ୟବଧାନ ୫ ହଜାରରୁ ୨୦ ହଜାର ମଧ୍ୟରେ ସୀମିତ ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଲମ୍ପ ଡିଆଁ ମାରି ତା’ର ଭୋଟ୍‌ବ୍ୟାଙ୍କ୍‌କୁ ୫୦.୫୦ ପ୍ରତିଶତରେ ପହଞ୍ଚାଇଥିଲା।

ଏବେ ପରିସ୍ଥିତି ବଦଳିଯାଇଛି। ଦୁଇ ଜଣ ବିଜେପି ବିଧାୟକ ପ୍ରାର୍ଥୀ ବରୀର ବିଶ୍ୱ ରଞ୍ଜନ ମଲ୍ଲିକ ଏବଂ ଧର୍ମଶାଳାର ରମେଶ ଚନ୍ଦ୍ର ପରିଡ଼ା ଏବେ ବିଜେଡିର ଆଶ୍ରୟ ନେଇଛନ୍ତି। ତାଙ୍କ ସହିତ ୫ ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ବିଜେଡିରେ ମିଶିଛନ୍ତି। ଗ୍ରାମାଞ୍ଚଳରେ ଶତାଧିକ ବିଜେପି କର୍ମୀ ଏମାନଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଅନ୍ୟପକ୍ଷରେ ଅହେତୁକ ଦରଦାମ ବୃଦ୍ଧି ଭୋଟରଙ୍କୁ ବ୍ୟତିବ୍ୟସ୍ତ କରିଛି। ଏପରିକି ବିଜେପିର ସାଙ୍ଗଠନିକ ସ୍ଥିତି ମଧ୍ୟ ହ୍ରାସପାଇଛି।

ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ହେରାଫେରି ଉପରେ ବିଜେପି ସେତେଟା ପ୍ରଭାବୀ ଢଙ୍ଗରେ ବିରୋଧ କରିପାରି ନାହିଁ। ଏପରିକି କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ନେଇ ବେକାର ଯୁବକ/ଯୁବତୀ ଆଶା ବାନ୍ଧିଥିବାବେଳେ ବିଜେପି ପ୍ରାୟ ନିରବ ରହିଛି। ଯାହାକି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାରେ ବିଜେପିକୁ ଆହୁରି କସରତ କରିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି। ତେଣୁ ଏହି ନିର୍ବାଚନ ବିଜେପି ପାଇଁ ସାଇନ୍‌ବୋର୍ଡ ପାର୍ଟି ହେବ ବୋଲି କାନ କୁହାକୁହି ହେଉଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ ଲକ୍ଷ୍ୟରେ ‘ମିଶନ୍‌ ୧୨୦’ ଘୋଷଣା କରିଥିଲା। ଓଡ଼ିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୦ ଆସନ ଜିତିବା ଲକ୍ଷ୍ୟ ନେଇ ରାଜ୍ୟର ୩୭ ହଜାର ବୁଥ୍‌ରେ ଦଳକୁ ଶକ୍ତିଶାଳୀ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ତା’ର ରଣକୌଶଳ ଅନୁଯାୟୀ ଦଳୀୟ ଖର୍ଚ୍ଚରେ ପ୍ରବୀଣ ନେତାଙ୍କୁ ସବୁ ନିର୍ବାଚନ ମଣ୍ଡଳୀ, ବ୍ଲକ୍‌ ଓ ପଞ୍ଚାୟତର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହାର ସୁଫଳ ମଧ୍ୟ କିଛି ମାତ୍ରାରେ ଦଳକୁ ମିଳିଥିଲା।

୨୦୧୭ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟର ୮୫୬ ଜିଲ୍ଲା ପରିଷଦ ଆସନରୁ ପ୍ରାୟ ୩୦୦ ଆସନ ହାତେଇଥିଲା। ବିଜେଡି ଏକ ନମ୍ବର ଦଳର ମାନ୍ୟତା ବଜାୟ ରଖି ପାଇଥିଲା ପ୍ରାୟ ୪୭୫ ଆସନ। କଂଗ୍ରେସ ପାଇଥିଲା ମାତ୍ର ୬୦। ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ମାଳ ମାଳ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଆସି ଏକାଧିକ ସଭା, ସମାବେଶ ଓ ରୋଡ୍‌ ଶୋ କରିଥିଲେ। ନବୀନ ସରକାରଙ୍କ ବିରୋଧରେ ବର୍ଷିଥିଲେ। ଲାଗୁଥିଲା ଏମିତି, ଏଥର ଓଡ଼ିଶାରେ ବିଜେପି ସରକାର ଆସିବ। କିନ୍ତୁ ସେମିତି କିଛି ହେଲା ନାହିଁ, ଖାଲି ସଂଖ୍ୟାରେ ଆସିଲା ପରିବର୍ତ୍ତନ। ସରକାର କିନ୍ତୁ ବଦଳିଲା ନାହିଁ।

ଅନେକ ପରିଶ୍ରମ କରି ୨୦୧୯ରେ ବିଜେପିକୁ ମିଳିଥିଲା ମାତ୍ର ୨୩ଟି ବିଧାନସଭା ଆସନ। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଆଶାଜନକ ବିଜୟର ସ୍ୱାଦ ଚାଖି ନ ପାରେ ବିଜେପି, ପୁଣି ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ୨୦୧୯ ପରି ଦଶା ଭୋଗିବାକୁ ପଡ଼ିବ ବୋଲି ଜଳ ଜଳ ଦିଶିଲାଣି। ଦଳୀୟ କନ୍ଦଳ, ସାଙ୍ଗଠନିକ ଦୁର୍ବଳ, ଠିକ୍ ସମୟରେ ଠିକ୍‌ ରଣନୀତିର ଅଭାବ ଯୋଗୁଁ ବିଜେପିକୁ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିପାରେ। ଅବଶ୍ୟ ଖୁବ ବୁଦ୍ଧିମତ୍ତାର ସହିତ ୨୦୨୪ ପାଇଁ ବିଜେପି ଏବେ ଠାରୁ ରଣକୌଶଳ ଆପଣେଇଲାଣି। ଯଦି ବିଜେପି ଏବେଠାରୁ ଦଳକୁ ସଜାଡ଼ିକୁ ଚାହିଁବ, ଗାଁରୁ ହିଁ ସମୀକ୍ଷା କରିବା ଉଚିତ। ବିଜେଡି ପ୍ରତି ଗାଁରୁ ହିଁ ତା’ର ରଣନୀତି କରିଛି ବୋଲି ଏତେ ବର୍ଷ ପରାଜୟର ଶଦ୍ଦ ଠାରୁ ଦୂରରେ ରହିଛି।

କଂଗ୍ରେସରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସ ସ୍ଥିତି ମଜବୁତ ହେବାରେ ଲାଗିଥିଲା। କିନ୍ତୁ ଗତ ୨୦୧୯ ସାଧାରଣ ନିର୍ବାଚନ ଫଳ ଆଦୌ ଆଶାଜନକ ନ ଥିଲା। ପ୍ରାୟ ଅନେକ ନିର୍ବାଚନ ମଣ୍ଡଳୀରେ ବିଜେପି ହିଁ ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସ ରାଜ୍ୟ ନେତୃବୃନ୍ଦ ଏବେଠାରୁ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପୁଣି ପୂର୍ବଦଶା ଭୋଗିବାକୁ ପଡ଼ିପାରେ, ଏ କଥାକୁ ଏଡ଼ାଇ ଦିଆଯାଇ ନ ପାରେ। ପରାଜୟ କାରଣ ନ ଖୋଜି ନିର୍ବାଚନ ସମୟରେ ତତ୍ପରତା ପ୍ରକାଶ କଂଗ୍ରେସ ପାଇଁ ଅନେକ ସମୟରେ ଘାତକ ସାଜିଛି।

ବାରମ୍ବାର ନିର୍ବାଚନରେ ପରାଜୟ ହୋଇଥିବା ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ୍‍ ମିଳିବା, ସଂଗଠନ ସମ୍ଭାଳି ଥିବା ନେତାମାନଙ୍କୁ ଉପେକ୍ଷା କରାଯିବା, ନିର୍ବାଚନ ସମୟରେ ଗୋଷ୍ଠୀ କନ୍ଦଳ, ଲୋକଙ୍କ ସହିତ କର୍ମୀଙ୍କୁ ଏକଜୁଟ୍‌ କରିବାରେ ବିଫଳ ଆଦି କାରଣରୁ ଯାଜପୁର ଜିଲ୍ଲାରେ କଂଗ୍ରେସ ବହୁ ପଛରେ ରହିଛି। ପ୍ରଶିକ୍ଷଣ ଶିବିର, ସାଂଗଠିନକ ବୈଠକ ଏ ସବୁରେ ମଧ୍ୟ ଦୁର୍ବଳ ସ୍ଥିତିରେ ରହିଛି କଂଗ୍ରେସ। ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ନ ପାରିଲେ ପୁଣି ପରାଜୟର ସ୍ୱାଦ ଚାଖିପାରେ କଂଗ୍ରେସ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ସମସ୍ତ ବିଧାନସଭା ଓ ଲୋକସଭା ରାଜ୍ୟରେ ଅନେକ ଜିଲ୍ଲାରେ ବିଜେଡି ବିଜୟ ଲାଭ କରିଥିଲେ ମଧ୍ୟ ଭୋଟ୍‌ ବ୍ୟବଧାନ ବହୁତ କମ ଥିଲା। ଏହା ଭିତରେ ସମୟ ଅନେକ ବଦଳି ଯାଇଛି।

ବିଜେପି ଓ କଂଗ୍ରେସରୁ କିଛି ତ୍ରୁଣମୂଳସ୍ତରୀୟ ନେତା ବିଜେଡିରେ ଯୋଗ ଦେଇଛନ୍ତି। ଏମାନେ ଦଳ ଛାଡ଼ିବା ପରେ ବିଶେଷଭାବେ ବିଜେପି ଶିବିରରେ ଛନକା ପଶିଛି। ଦଳରେ ଗୋଷ୍ଠୀ କନ୍ଦଳ ଥିବାରୁ ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଏକାଧିକ କର୍ମୀ ବିଜେପି ଛାଡ଼ି ବିଜେଡିରେ ମିଶୁଛନ୍ତି। ପଞ୍ଚାୟତ ନିର୍ବାଚନର ଅନେକ ଆଗରୁ ଯୋଜନା ପରେ ଯୋଜନାର ଶୁଭାରମ୍ଭ କରିଚାଲିଛନ୍ତି ଶାସକ ବିଜେଡି। ଏହା ନିଶ୍ଚିତ ଭାବେ ସରକାରଙ୍କୁ ନିର୍ବାଚନୀ ସୁଫଳ ଦେବ।

ଦଳୀୟ କର୍ମୀ ଓ ଆଗଧାଡ଼ିର ନେତା ବିଜେଡିରେ ସାମିଲ, ଦରଦାମ ବୃଦ୍ଧି, ସଙ୍ଗଠନ ଦୁର୍ବଳ, ପଞ୍ଚାୟତସ୍ତରରେ ନିଷ୍କ୍ରିୟତା, ଦଳୀୟ ଲୋକଙ୍କ ମଧ୍ୟରେ ମତଭେଦ ଆଦି ବିଜେପି ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ରାଜନୈତିକ ସମୀକ୍ଷକ ଆଶା ପ୍ରକଟ କରିଛନ୍ତି।

ରାଜ୍ୟର ଅନେକ ଜିଲ୍ଲାରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଭୋଟ୍‌ହାର ଖୁବ କମ ପ୍ରତିଶତ ଥିଲା। କିନ୍ତୁ ଏହି ହାର ୨୦୧୯ ମସିହା ସାଧାରଣ ନିର୍ବାଚନରେ ଆଶାତୀତଭାବେ ଭୋଟ୍‌ହାର ବୃଦ୍ଧି କରିବାରେ ସଫଳ ହୋଇପାରିଥିଲା। ବିଜେଡି-ବିଜେପିର ଗଠବନ୍ଧନ ୨୦୦୯ ପର୍ଯ୍ୟନ୍ତ ଚାଲିଥିଲା। ୨୦୦୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ସ୍ୱତନ୍ତ୍ର ଦଳଭାବେ ନିର୍ବାଚନ ଲଢ଼ିଥିଲା। ସେହିବର୍ଷ ବିଜେପି ଜିଲ୍ଲାରେ ଅମାନତ ହାରିଥିଲା। କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍‌ହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟାନିତ କରିଥିଲା। ସେତେବେଳେ ଦଳୀୟ ସଙ୍ଗଠନ ସେତେଟା ସୁଦୃଢ଼ ହୋଇ ନ ଥିଲେ ହେଁ ତା’ର ଭୋଟ୍‌ବ୍ୟାଙ୍କ୍‌କୁ ବୃଦ୍ଧି କରବାରେ ସଫଳ ହୋଇଥିଲା।

ଏହା ବିଜେଡି କର୍ମୀମାନଙ୍କୁ ଚିନ୍ତାରେ ପକେଇଥିଲା। ଏବେ ବି ସମୟ ରହିଛି, ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ସ୍ଥିତିକୁ ସୁଦୃଢ଼ କରିପାରିଲେ ୨୦୨୪ ସାଧାରଣ ନିର୍ବାଚନରେ ହୁଏତ କିଛି ସୁଫଳ ମିଳିପାରେ ବୋଲି ଆଶା କରାଯାଇପାରେ। ତେବେ, ଆଉ ଦିନ କେଇଟା ପରେ ସବୁ ଦଳର ସ୍ଥିତି ସ୍ପଷ୍ଟ ହୋଇଯିବ। ଏଥିରୁ ହିଁ ଜଣାପଡ଼ିଯିବ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ରେ କେଉଁ ଦଳର କେତେ ଦମ।