Advertisment

ଜାଣନ୍ତୁ ବର୍ଷାଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ

ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।

ଅଦ୍ୟତନ ହୋଇଛି
How to take care Skin and hair in rainy season

How to take care Skin and hair in rainy season

Advertisment

ଋତୁ ପରିବର୍ତ୍ତନ ହେଲେ ଯେ କେବଳ ତାପମାତ୍ରା, ପବନ, ଗଛପତ୍ର, ଫୁଲ କିମ୍ବା ସୂର୍ଯୋଦୟ-ସୂର୍ଯ୍ୟାସ୍ତ ସମୟରେ ପରିବର୍ତ୍ତନ ଆସେ ତା' ନୁହେଁ। ଋତୁ ପରିବର୍ତ୍ତନରେ ଖାଲି ଜଳବାୟୁ ଉପରେ ପ୍ରଭାବ ପଡେନି, ଆମ ଶରୀର, କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପଡେ। ତେଣୁ ସବୁ ଋତୁରେ ଚର୍ମ ଓ କେଶର ଯତ୍ନର ଉପାୟ ମଧ୍ୟ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।

Advertisment

ବର୍ଷାଋତୁରେ ଚର୍ମର ଯତ୍ନ:

  • ବର୍ଷାଦିନେ ଆପେକ୍ଷିକ ଆର୍ଦ୍ରତା ଅଧିକ ରହୁଥିବା କାରଣରୁ ସ୍କିନ୍ ପୋର୍ସଗୁଡିକ ବନ୍ଦ ହୋଇଯାଆନ୍ତି। ଏହା ଅତ୍ୟଧିକ ମୁଖବ୍ରଣର କାରଣ ହୋଇଥାଏ। ତେଣୁ ବର୍ଷାଋତୁରେ ଦିନକୁ ଥରେ - ଦୁଇଥର ଗୋଟିଏ ମାଇଲ୍ଡ ଫେସିଆଲ୍ କ୍ଲିଞ୍ଜରରେ ମୁହଁ ଧୋଇନେବା ଭଲ।
  • ବର୍ଷାଦିନେ ଯଦିଓ ଚର୍ମ ସାମାନ୍ୟ ଅଧିକ ସେନ୍ସିଟିଭ୍‌ ଥାଏ ତଥାପି ଏକ୍ସଫୋଲିଏସନ୍ ଓ ସ୍କ୍ରବି°କୁ ଭୁଲନ୍ତୁ ନାହିଁ। ସପ୍ତାହରେ ଅତିକମରେ ଥରେ ହାଲୁକା ଏକ୍ସଫୋଲିଏସନ୍ ଭଲ। ମାଇଲ୍ଡ ଏକ୍ସଫୋଲିଏସନ୍ ପାଇଁ ଆକ୍ଟିଭେଟେଡ୍ ଚାର୍‌କୋଲ୍ ବ୍ୟବହାର କରିପାରନ୍ତି।
  • କେହିକେହି ଭାବନ୍ତି, ବର୍ଷାଋତୁରେ ଫେସ୍ ମାସ୍କର ଆବଶ୍ୟକତା ନ ଥାଏ, ଚର୍ମ ଏମିତି ସତେଜ ଲାଗେ। କିନ୍ତୁ ସପ୍ତାହକୁ ଅତିକମ୍‌ରେ ଦୁଇଥର ଏଲୋଭେରା, କ୍ୟାଲେଣ୍ଡୁଲା, ଲେମନ୍‌ଗ୍ରାସ୍ ଏକ୍ସଟ୍ରାକ୍ଟ ଯୁକ୍ତ ଫେସ୍‌ପ୍ୟାକ୍‌ ଲଗାଇଲେ ଚର୍ମ ଅଧିକ ନରମ, ସତେଜ ଓ ଉଜ୍ଜ୍ୱଳ ଦେଖାଯିବ। ଅତ୍ୟଧିକ ଆପେକ୍ଷିକ ଆର୍ଦ୍ରତା କାରଣରୁ ନଷ୍ଟ ହୋଇଥିବା ଜଳୀୟ ଅ°ଶକୁ ଏହା ଦ୍ୱାରା ଦୂର କରି ଚର୍ମକୁ ହାଇଡ୍ରେଟ୍ କରିହେବ।
  • ଅଧିକ ଗୁଳୁଗୁଳି, ଝାଳ, ବାରମ୍ବାର ଓଦା ହେବା, କାଦୁଅ ହେବା, ଲୁଗାପଟା ଭଲରେ ନ ଶୁଖିବା ଦ୍ୱାରା ବିଭିନ୍ନ ପ୍ରକାରର ବ୍ୟାକ୍ଟେରିୟାଲ୍ ଓ ଫଙ୍ଗାଲ୍ ସ୍କିନ୍ ଇନ୍‌ଫେକ୍‌ସନ୍ ହେବାର ଆଶଙ୍କା ଥାଏ। ତେଣୁ ଘରକୁ ଫେରିଲା ପରେ ଉଷୁମ ପାଣିରେ ଆଣ୍ଟିବ୍ୟାକ୍ଟେରିୟାଲ୍ କିମ୍ବା ଆଣ୍ଟିଫଙ୍ଗାଲ୍ ବଡି-ସ୍ୟାମ୍ପୁ ଦ୍ୱାରା ଗାଧୋଇବା ଭଲ। ଏହା ଦ୍ୱାରା ସ୍କିନ୍ ଇନ୍‌ଫେକ୍‌ସନ୍‌ର ଆଶଙ୍କା କମିଯାଏ।
  • ବାରମ୍ବାର ଗୋଡ଼ହାତ ଧୋଇବା, ଗାଧେଇବା, ହ୍ୟାଣ୍ଡୱାସ୍‌ କରିବା, ଝାଳ ହେବା ଦ୍ୱାରା ଚର୍ମ ଶୁଷ୍କ ବା ଡିହାଇଡ୍ରେଟେଡ୍ ହୋଇଯାଏ। ତେଣୁ ବର୍ଷାଋତୁରେ ହାଲୁକା ଅଏଲ ଫ୍ରି ମଏଶ୍ଚରାଇଜର ଦିନକୁ ୨-୩ ଥର ଲଗାଇବା ଆବଶ୍ୟକ।
  • ବର୍ଷାଋତୁରେ ମେଘ ଢାଙ୍କି ଅନ୍ଧାରୁଆ ଦେଖାଯିବା ଓ ଖରା କମ୍ ହେବା କାରଣରୁ, ଅନେକ ସନ୍‌ସ୍କ୍ରିନ୍‌ର ବ୍ୟବହାରକୁ ଅନାବଶ୍ୟକ ମନେକରନ୍ତି। କିନ୍ତୁ ବର୍ଷାଋତୁରେ ମଧ୍ୟ ଘରୁ ବାହାରିବା ପୂର୍ବରୁ ସନ୍‌ସ୍କ୍ରିନ୍ ଲଗାଇବା ଦ୍ୱାରା ଆମେ ଚର୍ମକୁ ଅନ୍‌ଇଭେନ୍ ଟୋନ୍ ଓ ଅନାବଶ୍ୟକ ଦାଗରୁ ବଞ୍ଚାଇ ପାରିବା।

ବର୍ଷାଋତୁରେ କେଶର ଯତ୍ନ:

  • ଅନେକ ଭାବନ୍ତି ବର୍ଷାଋତୁରେ ଧୂଳି ନ ଉଡୁଥିବା କାରଣରୁ ନିୟମିତ କେଶ ଧୋଇବା ବା ସଫା କରିବା ଅନାବଶ୍ୟକ। କିନ୍ତୁ ଝାଳ, ଗୁଳୁଗୁଳି କାରଣରୁ ଓ ବାରମ୍ବାର ବର୍ଷା ପାଣିରେ ଓଦା ହେବା ଦ୍ଵାରା ଖପୁରୀର ଚର୍ମରେ ଇନ୍‌ଫେକ୍‌ସନ୍, ଡାନଡ୍ରଫ୍ ହେବାର ସମ୍ଭାବନା ଥାଏ। ତେଣୁ ସପ୍ତାହକୁ ଅତିକମରେ ଦୁଇ ଥର ମାଇଲ୍ଡ ସାମ୍ପୁ କରିବା ଆବଶ୍ୟକ। ସେମିତି ପ୍ରତ୍ୟେକ ଥର ବର୍ଷା ପାଣିରେ ଓଦାହେଲା ପରେ ଘରେ ଆଉଥରେ ପାଣିରେ ଧୋଇନେବା ଜରୁରୀ, କାରଣ ବର୍ଷା ପାଣି ଯେ ସବୁବେଳେ ନିର୍ମଳ ଓ ସ୍ୱଚ୍ଛ ଏହା ଜରୁରୀ ନୁହେଁ।
  • ବାରମ୍ବାର ଓଦାହେବା ଓ ଧୋଇବା ଦ୍ଵାରା ବର୍ଷାଋତୁରେ କେଶ ଅନେକ ସମୟରେ ରୁକ୍ଷ ଓ ଭଙ୍ଗୁର ହୋଇଯାଏ। ତେଣୁ ସ୍ୟାମ୍ପୁ କରିବା ଆଗରୁ ନଡ଼ିଆ, ଆଲମଣ୍ଡ, ଅଲିଭ ତେଲ ଲଗାଇବା ଦ୍ୱାରା କେଶ ମୁଲାୟମ ଓ ଚିକ୍କଣ ରୁହେ।
  • ସପ୍ତାହକୁ ଥରେ-ଦୁଇଥର ଲାଭେଣ୍ଡର୍, ଟି ଟ୍ରି କିମ୍ବା ଲେମନ୍‌ଗ୍ରାସ୍ ଏସେନ୍‌ସିଆଲ୍ ଅଏଲର ୪-୫ ବୁନ୍ଦା ଗରମ ପାଣିରେ ପକାଇ କେଶକୁ ବାମ୍ଫ ଦେବା ଦ୍ୱାରା ଖପୁରୀର ଚର୍ମ ସତେଜ ରୁହେ, ଅତ୍ୟଧିକ ସେବମ୍ କ୍ଷରଣରୁ ମୁକ୍ତି ମିଳେ ଏବଂ କେଶକୁ ଭଲ ବାସନା ମଧ୍ୟ ଦିଏ।
  • ଯଦି ଆପଣଙ୍କର ଲମ୍ବା କେଶ ଥାଏ, ତା'ହେଲେ ବର୍ଷାଋତୁରେ ବାହାରକୁ ଯିବା ଓ ଶୋଇବା ସମୟରେ ବେଣୀ କରିନେବା ହିଁ ଭଲ। ଏହାଦ୍ୱାରା କେଶ ଅଡ଼ୁଆ ହୁଏନି, ଛିଣ୍ଡିଯାଏନି ଏବ° ହେୟାର ଫଲିକଲ୍ ମଧ୍ୟ ସୁଦୃଢ଼ ହୁଏ।
  • ବର୍ଷାଋତୁରେ ଅନେକ ସମୟରେ ଆମ ଦେହର ଜଳୀୟ ଅ°ଶ ନଷ୍ଟ ହେବା ଆମକୁ ଜଣାପଡେନି। ତେଣୁ ବର୍ଷାଋତୁରେ ମଧ୍ୟ ସଠିକ ପରିମାଣର ପାଣି ପିଇବା କେବଳ ଶରୀର ନୁହେଁ କେଶକୁ ମଧ୍ୟ ହାଇଡ୍ରେଟେଡ୍ ରଖେ ଓ ଭାଙ୍ଗିବାରୁ ବଞ୍ଚାଏ।
Advertisment

ଏସବୁ ଛଡା ବର୍ଷାଋତୁରେ ହାଲୁକା ବ୍ୟାୟାମ ଓ ସନ୍ତୁଳିତ ଆହାର ମଧ୍ୟ ଜରୁରୀ। ପାଗ ମେଘୁଆ କିମ୍ବା ମାନ୍ଦାଳିଆ ଅଛି ଭାବି ଅଧିକ ଥର ଚା’ ଓ କଫି ସେବନରୁ ନିଜକୁ ବଞ୍ଚିତ ରଖିବା ଉଚିତ। ଏହି ଅଭ୍ୟାସ ଅନେକ ସମୟରେ ଡିହାଇଡ୍ରେସନ୍‌ର କାରଣ ହୋଇଥାଏ।

Hair Care Skin Care
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ