Advertisment

ପଖାଳ ଭଲ କରିଦିଏ ପାକସ୍ଥଳୀ ଓ କ୍ଷୁଦାନ୍ତ୍ରର କ୍ଷତ

ଆମେ ଓଡ଼ିଆମାନେ ବାପ ଅଜା ଅମଳରୁ ପଖଆଳଭାତକୁ ନିତିଦିନିଆ ଖାଦ୍ୟ ଭାବେ ଖାଉଛେ ।

ଅଦ୍ୟତନ ହୋଇଛି
Pakhal Divas

Pakhal Divas

Advertisment

ଖରାଦିନ ଆସିଗଲେ ଆମ ଓଡ଼ିଆମାନଙ୍କ ମନକୁ ଆସୁଥିବା ପ୍ରଥମ ଖାଦ୍ୟ ହେଲା ପଖାଳ । ସାଧାରଣ ଶ୍ରମିକଟିଏ ହେଉ କି କୋଟିପତି ବ୍ୟବସାୟୀ, କି କୌଣସି ସରକାରୀ ଅଫିସର, କାମକୁ ଗଲାବେଳେ ପଖାଳ କଂସାଏ ଖାଇଦେଇ ଗଲେ ଦିନସାରା ଶାନ୍ତି। ଆପଣ ବି ନିଶ୍ଚୟ ପଖାଳର ଜଣେ ପ୍ରଶଂସକ ହୋଇଥିବେ। ଏବେ ସାମାଜିକ ଗଣମାଧ୍ୟମର ପ୍ରସାର ଓ ପ୍ରଚାର ଫଳରେ ପଖାଳର ଚାହିଦା ଧିରେ ଧିରେ ସାରା ଭାରତକୁ ବ୍ୟାପିଛି। ଆମ ଓଡ଼ିଶାର ଆରାଧ୍ୟ ପ୍ରଭୁ ଜଗନ୍ନାଥ ମଧ୍ୟ ନିତି ଷାଠିଏ ପଉଟି ସହ ପଖାଳ ନଖାଇଲେ ତାଙ୍କର ପେଟ ପୂରେନି।

Advertisment

ଏହି ବିଷୟରେ ଏକ ଧାଡ଼ି ଆପଣ ଜାଣିଥିବେ- ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା । ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଲୋକମାନେ ପଖାଳକୁ ନିତିଦିନିଆ ଖାଦ୍ୟ ରୂପେ ଖାଆନ୍ତି । ତେବେ ଆପଣ ଜାଣନ୍ତି କି ପଖାଳର କେବଳ ଯେ ସ୍ୱାଦ ଭଲ ତାହା ନୁହେଁ, ଏହାର ଅନେକ ପୁଷ୍ଟିକର ଗୁଣ ମଧ୍ୟ ରହିଛି । ଏବେ ଆସନ୍ତୁ ଆଜି ସେହି ବିଷୟରେ କଥାହେବା ।

ପଖାଳ ବିଭିନ୍ନ ପ୍ରକାରର ହୋଇଥାଏ । ବାସି ପଖାଳ, ସଜ ପଖାଳ, ଚାଇଁ ପଖାଳ, ଦହି ପଖାଳ ଇତ୍ୟାଦି । ଏହା ଏପରି ଏକ ଖାଦ୍ୟ କମ୍ ଖର୍ଚ୍ଚରେ ଯେତେ ପ୍ରକାର ଇଛା ସେତେ ପ୍ରକାରର ଫ୍ଲେଭର ଦେଇ ଏହାକୁ ପ୍ରସ୍ତୁତ କରିପାରିବେ । ସାଧାରଣତଃ ନିତି ଖାଇବା ପାଇଁ ଆମେ ଲେମ୍ୱୁ, ଦହି, ଅଦା, ଭୃସୁଙ୍ଗା ପତ୍ର, ଲଙ୍କା ଆଦି ପଖାଳରେ ବ୍ୟବହାର କରିଥାଉ । ଏସବୁ ପଖାଳର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏବେ ଜାଣିବା ଏହି ଅତି ସାଧାରଣ ଭାବେ ପ୍ରସ୍ତୁତ ପାଣି ମିଶା ଭାତରେ ପୁଣି କି ପୋଷଣ ରହିଛି ।

Advertisment

ଭାତକୁ ରାତିସାରା ପାଣିରେ ପକାଇ ସକାଳୁ ପଖାଳ କରି ଖିଆଯାଏ । ରାତିସାରା ଏହା ଫରମେଣ୍ଟ ବାକିଣ୍ୱନ ହୋଇ ଏଥିରେ ବ୍ୟାକ୍ଟେରିଆ ବଢ଼ିଥାଆନ୍ତି ଯେଉଁଗୁଡ଼ିକ କି ଆମ ଶରୀର ପାଇଁ ଲାଭଦାୟୀ ଅଟନ୍ତି । ଏହି ବ୍ୟାକ୍ଟେରିଆଗୁଡ଼ିକ ଆମ ପାକସ୍ଥଳୀକୁ ସଫା ରଖି ହଜମ ଶକ୍ତି ନିୟନ୍ତ୍ରିତ କରିଥାଆନ୍ତି । ପଖାଳରେ ଗରମ ଭାତ ଅପେକ୍ଷା 50-60 ପ୍ରତିଶତ କମ୍ କ୍ୟାଲେରୀ ଥାଏ। ତେଣୁ ଏହା ଶରୀରର ଓଜନ ନିୟନ୍ତ୍ରଣରେ ରଖେ। ଏହା ଆମ ପାଚନ ତନ୍ତ୍ରକୁ ଥଣ୍ଡା ରଖିବା ସହ ଏସିଡିଟି ଓ ଗ୍ୟାଷ୍ଟ୍ରିକ୍ ପରି ରୋଗରୁ ମୁକ୍ତି ଦେଇଥାଏ। ଆପଣ ପେଟ ଠିକ୍ ରଖିବା ପାଇଁ ପ୍ରୋବାୟୋଟିକ୍ ଖାଇବା କଥା ଜାଣିଥିବେ ।

ହେଲେ ପଖାଳରେ ଥିବା ଉପକାରୀ ବ୍ୟାକ୍ଟେରିଆଗୁଡ଼ିକ ପ୍ରାକୃତିକ ପ୍ରୋବାୟୋଟିକ୍ ପରି କାମ କରନ୍ତି । ସୋଡ଼ିୟମ, ପୋଟାସିୟମ୍ ଓ କ୍ୟାଲସିୟମ୍ ପରି ନ୍ୟୁଟ୍ରିଏଣ୍ଟ୍ ସବୁରେ ସମୃଦ୍ଧ ପଖାଳ। ଆମ ଶରୀରର ମିନେରାଲ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ । ଡାଇରିଆ ପରି ପେଟ ରାଗ ପାଇଁ ପଖାଳ ଏକ ମହୌଷଧୀ। ନିୟମିତ ପଖାଳ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ମଧ୍ୟ ସୁସ୍ଥ ରୁହେ । ପଖାଳରେ ଶ୍ୱେତସାର ଥାଏ ଓ ଏହା ସାଙ୍ଗରେ ଖିଆଯାଉଥିବା ଶାଗଭଜା, ବାଇଗଣ ଭର୍ତ୍ତା, ବଡ଼ି, ମାଛ ଭଜା ଇତ୍ୟାଦିରେ ଭିଟାମିନ୍, ପ୍ରୋଟିନ୍, ସ୍ନେହସାର ଆଦି ଖାଦ୍ୟସାର ଥାଏ । ତେବେ ବିଚାର କରନ୍ତୁ ପଖାଳ ଖାଇଲେ ଆପଣ ଏକ ସଂପୂର୍ଣ୍ଣ ସନ୍ତୁଳିତ ଭୋଜନ କରୁଛନ୍ତି କି ନାହିଁ ।

Advertisment

ନିକଟରେ ଏମ୍ସ ଭୁବନେଶ୍ୱର ଦ୍ୱରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ପଖାଳରେ ଥିବା ଲାକ୍ଟୋବ୍ୟାସିଲସ୍ ବ୍ୟାକ୍ଟେରିଆ ପାକସ୍ଥଳୀ ଓ କ୍ଷୁଦାନ୍ତ୍ରର କ୍ଷତ ଭଲ କରିବାରେ ସକ୍ଷମ । ଏହା ମଧ୍ୟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଗର୍ଭବସ୍ଥାରେ ପଖାଳ ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶରେ ବୃଦ୍ଧି ହେବା ସହିତ ସହଜ ପ୍ରସବ ହୋଇଥାଏ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି ।

ଆମେ ଓଡ଼ିଆମାନେ ବାପ ଅଜା ଅମଳରୁ ପଖଆଳଭାତକୁ ନିତିଦିନିଆ ଖାଦ୍ୟ ଭାବେ ଖାଉଛେ । କିନ୍ତୁ ଏବେ ଫାଷ୍ଟଫୁଡ୍ ଓ ବାହାର ଖାଦ୍ୟର ଚାହିଦା ଭିତରେ ପଖାଳର ଏହି ଉପକାରୀ ଗୁଣଗୁଡ଼ିକ ଦୃଷ୍ଟିରେ ରଖି ଆମର ପାରମ୍ପାରିକ ଖାଦ୍ୟକୁ ଗୁରୁତ୍ୱ ଦେଲେ ବହୁ ରୋଗରୁ ରକ୍ଷା ମିଳିପାରନ୍ତା । ଆମେ ଜାଣିପାରୁନେ ଆମ ଖାଦ୍ୟରେ ଏପରି ସବୁ ଔଷଧୀୟ ଗୁଣ ରହିଛି । ଖରାଦିନେ ଲସି, କୋଲ୍ଡ ଡ୍ରିଙ୍କସ୍ ଆଦି ନ ପିଇ କାମରୁ ଘରକୁ ଫେରି ଗିନାଏ ପଖାଳ ତୋରାଣିରେ ଯେଉଁ ଆନନ୍ଦ, ଯିଏ ଖାଇଛି ସେ ଜାଣିଛି । କିନ୍ତୁ ଆୟୁର୍ବେଦ କହିଛି ଯେକୌଣସି ଖାଦ୍ୟ ବେଶୀ ଖାଇଲେ ଏହା ଆମ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଏଣୁ ନିୟମିତ ଥରେ ମିଲ୍ ଖାଇବା ପରି ଦରକାର ପରିମାଣର ପଖାଳ ଖାଆନ୍ତୁ । ଏହା ଦ୍ୱାରା ପେଟ ସୁସ୍ଥ ରହିବା ସାଙ୍ଗେ ମନ ବି ସୁସ୍ଥ ରହିବ ।

(ବି.ଦ୍ର: ଏ ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Pakhala Divas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ