Health Tips: ବିଭିନ୍ନ ଫୁଲରୁ ବି ହୋଇପାରେ ଚା', ଦେହକୁ ରଖେ ସୁସ୍ଥ

ଫୁଲ, ଖାଲି ସୌନ୍ଦର୍ଯ୍ୟ ପ୍ରଦାନ କରେନି, ଏହା ଦେହକୁ ସୁସ୍ଥ ମଧ୍ୟ ରଖେ। ଆମ ଚାରିପାଖରେ ଏମିତି କିଛି ଫୁଲ ଅଛି ଯାହାକୁ ବ୍ୟବହାର କରି ଚା’ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ। ଏହାକୁ ପାନ କଲେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳେ। ଆସନ୍ତୁ ଏମିତି ୫ଟି ଫୁଲ ଓ ଚା’ର ପ୍ରସ୍ତୁତି ଜାଣିବା।

ବିଭିନ୍ନ ଫୁଲରୁ ବି ହୋଇପାରେ ଚା', ଦେହକୁ ରଖେ ସୁସ୍ଥ

ପ୍ରେମିକାକୁ ପ୍ରପୋଜ୍ କରିବା ପାଇଁ ହେଉ କି ଅଭିମାନ କରିଥିଲେ ମନେଇବାକୁ ହେଉ; ଜନ୍ମଦିନ, ବାହାଘର, ବନ୍ଧୁମିଳନର ଶୁଭେଚ୍ଛା ପାଇଁ ହେଉ କି ଠାକୁର ପୂଜା ହେଉ; ତୋରଣ, ଷ୍ଟେଜ୍ ଠାରୁ ଟେବଲ୍‌ ଉପରେ ସଜାଇ ଆକର୍ଷଣୀୟ ଲାଗିବା ପାଇଁ, ସବୁଠି ଦରକାର ପଡେ ଫୁଲ।

ଅଫିସ୍‌ର ଦିନସାରାର କାମ ଚାପ ଆଉ ବ୍ୟସ୍ତତା ପରେ ଘରକୁ ଫେରିଲେ ନିଜ ବଗିଚା କି କୁଣ୍ଡରେ ଫୁଟିଥିବା ଫୁଲ ଦେଖିଦେଲେ ମନ ସତରେ ହାଲୁକା ହୋଇଯାଏ। ହେଲେ ଫୁଲ ଯେ ଖାଲି ନିଜ ରଙ୍ଗ ଆଉ ବାସନା ପାଇଁ ଆମ ଇନ୍ଦ୍ରିୟମାନଙ୍କୁ ତୃପ୍ତକରେ ତା’ ନୁହେଁ। ଅନେକ ଫୁଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକରୀ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଓଜନ ବଢ଼ିଯାଉଛି କି...ଖାଦ୍ୟରେ ସାମିଲ୍ କରନ୍ତୁ କଖାରୁ ମଞ୍ଜି ଆଉ ରେଜଲ୍ଟ ଦେଖନ୍ତୁ

ଶହଶହ ବର୍ଷ ଧରି କୋରିଆନ୍, ଚାଇନିଜ୍ ସ°ସ୍କୃତିରେ ଏହି ଫୁଲମାନଙ୍କରୁ ପ୍ରସ୍ତୁତ ଖାଦ୍ୟ ଏବଂ ଚା' ଖୁବ୍ ଲୋକପ୍ରିୟ। ସେମାନଙ୍କ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଏହି ଫୁଲରୁ ପ୍ରସ୍ତୁତ ଚା'ର ଖୁବ ମହତ୍ତ୍ଵ। ଚାଲନ୍ତୁ ଜାଣିବା ଆମ ବଗିଚାରେ ସବୁବେଳେ ଫୁଟୁଥିବା କେତୋଟି ନିହାତି ସାଧାରଣ ଫୁଲର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ:

ନୀଳ ଅପରାଜିତା ଫୁଲ ଚା':

ଏହାକୁ ବଟରଫ୍ଲାଏ ଫ୍ଲାୱାର୍‌ ଟି ମଧ୍ୟ କୁହନ୍ତି। ଅପରାଜିତାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆନ୍ଥୋସିୟାନାଇନ୍ ଏହାର ସୁନ୍ଦର ନୀଳ ରଙ୍ଗ ପାଇଁ ଦାୟୀ। ଏହି ନୀଳ ରଙ୍ଗ ପାଇଁ ହିଁ ଅନେକ ସୌନ୍ଦର୍ଯ୍ୟ ପ୍ରସାଧନ, ଖାଦ୍ୟ, କକ୍‌ଟେଲ୍, କପଡା ରଙ୍ଗ ପାଇଁ ଅପରାଜିତାକୁ ବ୍ୟବହାର କରାଯାଏ।

ଲାବୋରେଟୋରୀ ଟେଷ୍ଟ୍‌-ଟ୍ୟୁବ୍ ପରୀକ୍ଷଣରୁ ଦେଖାଯାଇଛି ଯେ ଏଥିରେ ଥିବା ଟରନାଟିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ କୋଷଗୁଡିକର ଫୁଲା ବା ଇନଫ୍ଲାମେସନକୁ କମାଏ, କେତେକ କ୍ୟାନ୍‌ସର୍‌ କୋଷର ଗ୍ରୋଥ୍‌ ବା ବଢିବାକୁ ରୋକେ ଏବଂ ଫ୍ୟାଟ୍‌ ସେଲ୍‌ ସିନ୍ଥେସିସ୍ ବା ତିଆରିକୁ ରୋକି ମେଦବହୁଳତାକୁ ନିୟନ୍ତ୍ରଣ କରେ।

ସେହିପରି ଦେଖାଯାଇଛି ଯେ ଏଥିରେ ଥିବା କିମ୍ଫୋରେଲ୍, ପି-କୋଉମାରିକ୍ ଏସିଡ୍‌ ଏବଂ ଡେଲ୍‌ଫିନିଡିନ୍-3, 5- ଗ୍ଲୁକୋସାଇଡ୍ ପରି ଆଣ୍ଟିଅକ୍ସିଡାଣ୍ଟ୍‌ର କ୍ୟାନ୍‌ସର୍‌ କୋଷର ବୃଦ୍ଧିକୁ ରୋକିବାର କ୍ଷମତା ରହିଛି। ଏଥିରେ ଥିବା ଅନେକ ଆଣ୍ଟିଅକ୍ସିଡାଣ୍ଟସ ଚର୍ମ ଏବଂ କେଶର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।

ଜୀବଙ୍କ ଉପରେ ପରୀକ୍ଷଣରୁ ଦେଖାଯାଇଛି ଯେ ଅପରାଜିତା ଫୁଲ ଏକ୍ସଟ୍ରାକ୍ଟ କେଶର ଗ୍ରୋଥ୍‌ ପାଇଁ ମିନୋକ୍ସିଡିଲ୍ ଅପେକ୍ଷା ମଧ୍ୟ ଅଧିକ ଉପଯୋଗୀ। ଏହାର ଏକ୍ସଟ୍ରାକ୍ଟକୁ ଚମଡାରେ ଲଗାଇଲେ ୭୦% ଅଧିକ ହାଇଡ୍ରେଟେଡ୍ ଏବଂ ନରମ ଲାଗେ। ଯଦିଓ ବିଶେଷଜ୍ଞଙ୍କ ମତରେ ଏହାର କୌଣସି ସାଇଡ୍‌-ଇଫେକ୍ଟ ନଥାଏ କିନ୍ତୁ କିଛି ଲୋକଙ୍କ ଠାରେ ବାନ୍ତି, ପେଟବ୍ୟଥା କିମ୍ବା ମୁଣ୍ଡବିନ୍ଧା ଦେଖାଯାଇପାରେ।

ଗେଣ୍ଡୁ ଫୁଲ ଚା':

ଏହାକୁ ମାରିଗୋଲ୍ଡ ଟି’ ମଧ୍ୟ କୁହନ୍ତି। କେବଳ ଆମ ବଗିଚାରେ ସହଜରେ ଅଳ୍ପ ଯତ୍ନରେ ବଢିଯାଏ ବୋଲି ଏହାର ଚାହିଦା ରହିଛି ତା’ ନୁହେଁ। ଆଜି ଦେଶର ପାଖାପାଖି ୧୦୦୦୦ ଏକର କ୍ଷତରେ ୪୫୦୦୦ ଟନ୍ ଗେଣ୍ଡୁ ଫୁଲ ଅମଳକରି ପାଖାପାଖି ୯୦୦୦ ଚାଷୀ ପରିବାର ବାର୍ଷିକ ଏକର ପିଛା ୨ -୩ ଲକ୍ଷ ଆୟ କରିପାରୁଛନ୍ତି।

ଗେଣ୍ଡୁ ଫୁଲରେ ଥିବା କ୍ୟାରୋଟିନ୍ସ ଏବଂ କ୍ୟାରୋଟିନୋଏଡ୍ ଏହାର ସୁନ୍ଦର ହଳଦିଆ ରଙ୍ଗ ପାଇଁ ଦାୟୀ। ଏହି ପଦାର୍ଥ ଦୁଇଟି ଭିଟାମିନ୍‌-ଏ ତିଆରିରେ ସାହାଯ୍ୟ କରନ୍ତି, ଯାହା ଚର୍ମ ଏବଂ ଚକ୍ଷୁର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଏଥିରେ ଥିବା ଲ୍ୟୁଟେଇନ୍ ନାମକ କ୍ୟାରୋଟିନୋଏଡ୍, ଆଣ୍ଟିଇନଫ୍ଲାମେଣ୍ଟୋରି ଗୁଣ ଯୋଗୁଁ ଆଖିକୁ ସୂର୍ଯ୍ୟକିରଣରୁ ସୁରକ୍ଷା ଦିଏ ଏବଂ ବୟସାଧିକ କାରଣରୁ ଦେଖାଯାଉଥିବା ମ୍ୟାକୁଲାର୍ ଡିଜିଜ୍, ଦୃଷ୍ଟିଶକ୍ତି କ୍ଷୀଣହେବାରୁ ବଞ୍ଚାଏ।

ଏଥିରେ ଥିବା ଟ୍ରାଇଟର୍‌ପିନ୍ସ, ଫ୍ଲାଭୋନୋଏଡ୍, ପଲିଫେନୋଲ୍ସ ପରି ଆଣ୍ଟିଅକ୍ସିଡାଣ୍ଟ କୋଷର ଫୁଲା ବା ଆଣ୍ଟିଇନଫ୍ଲାମେଣ୍ଟୋରି କାମ କରେ। ଏଥିରୁ ପ୍ରସ୍ତୁତ ଚା'ରେ କୁଳି ଏବଂ ଗାର୍ଗଲି° କଲେ ତଣ୍ଟିଦରଜ ତଥା ପାଟି ଘା'ରେ ବିଶେଷ ଉପକାର ମିଳେ। ଗେଣ୍ଡୁ ଫୁଲରୁ ମିଳୁଥିବା ଲାଇକୋପେନ୍ ନାମକ ପଦାର୍ଥ ପ୍ରୋଷ୍ଟେଟ୍ କ୍ୟାନ୍‌ସର୍‌ର ଆଶଙ୍କା କମାଇ ଥାଏ। ଏଥିରୁ ଆୟୋଡିନ୍ ଏବଂ ମାଙ୍ଗାନିଜ୍ ମଧ୍ୟ ମିଳେ। ଏଥିରେ ଥିବା ଗ୍ରାଇକୋପ୍ରୋଟିନ୍ସ ଏବଂ ନ୍ୟୁକ୍ଲିଓପ୍ରୋଟିନ୍ସ ନୂତନ ଚର୍ମକୋଷ ତିଆରିରେ ସାହାଯ୍ୟ କରେ ଏବଂ କ୍ଷତ ହୋଇଥିବା ସ୍ଥାନକୁ ରକ୍ତ ସଞ୍ଚାଳନ ବଢାଇ ହିଲି° ପ୍ରୋସେସ୍‌ରେ ସାହାଯ୍ୟ କରେ।

ମଲ୍ଲି ଫୁଲ ଚା':

ନା'ରୁ ହିଁ ଜସ୍‌ମିନ୍ ଟି’ ନିଜ ସୁଗନ୍ଧ ପାଇଁ ବେଶ ଆଦୃତ ଥିବ ବୋଲି ଆପଣ ଅନୁମାନ କରି ପାରୁଥିବେ। ମଲ୍ଲି ଫୁଲ ଚା'ରେ ପଲିଫେନୋଲ ନାମକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରକୁ ଫ୍ରି-ରାଡିକଲ୍‌ରୁ ରକ୍ଷା କରି ହୃଦ୍‌ରୋଗ ଏବଂ କ୍ୟାନ୍‌ସର୍‌ରୁ ସୁରକ୍ଷା ଦିଏ। ଏଥିରେ ଥିବା ଇଜିସିଜି ନାମକ ପଲିଫେନୋଲ ଏଲ୍‌ଡିଏଲ୍ (ବ୍ୟାଡ୍ କୋଲେଷ୍ଟେରଲ)ର ଅକ୍ସିଡେସନ୍‌କୁ ରୋକିଥାଏ ଯାହା ହୃଦ୍‌ରୋଗର ଆଶଙ୍କା କମାଇଥାଏ।

ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ଗୁଡିକ ଆଣ୍ଟିଇନ୍‌ଫ୍ଲାମେଟୋରୀ କାରୀ ଏବଂ ଫ୍ୟାଟ୍‌ ବା ଲିପିଡ୍‌ର ମାତ୍ରା କମ କରିଥାନ୍ତି। ଶରୀରରେ ମେଟାବୋଲିଜିମ୍‌କୁ ତିବ୍ର କରି ମେଦବହୁଳତାକୁ ନିୟନ୍ତ୍ରଣ କରେ। ମୁଖଗହ୍ୱରକୁ ସଫା ରଖି ଦନ୍ତକ୍ଷୟରୁ ସୁରକ୍ଷା ଦିଏ। ମଲ୍ଲି ଫୁଲ ଚା' ମନକୁ ଶାନ୍ତକରେ, ଚିନ୍ତା ଦୂରକରେ ଏବଂ ସୁଖନିଦ୍ରା ପ୍ରଦାନ କରେ। କିନ୍ତୁ ଜସ୍‌ମିନ୍ ଗ୍ରୀନ୍ ଟିରେ କ୍ୟାଫେନ୍ ଥିବା କାରଣରୁ ଏହା ମସ୍ତିଷ୍କକୁ ସଜାଗ ରଖେ ଏବଂ ଡୋପାମାଇନ୍ ତଥା ସେରୋଟୋନିନ୍ ପରି ହରମୋନ କ୍ଷରଣ କରି ମୁଡ୍‌କୁ ଏଲିଭେଟ୍ କରେ। ଏହାର ଆଲ୍‌ଜିମର୍ସ ଏବଂ ପାର୍କିନ୍‌ସନ୍ସ ରୋଗର ଆଶଙ୍କା କମ କରିବାର କ୍ଷମତା ଉପରେ ଏବେ ରିସର୍ଚ୍ଚ ଚାଲିଛି।

ନାଲି ମନ୍ଦାର ଫୁଲ ଚା':

ଏହାକୁ ରୋଜମ୍ୟାଲୋ କିମ୍ବା ଚାଇନା-ରୋଜ୍ ଟି ମଧ୍ୟ କୁହନ୍ତି। ଏହି ଚା' ସାମାନ୍ୟ ଖଟା ହୋଇ କ୍ରାନ୍‌ବେରୀ ପରି ସ୍ୱାଦ ଦେଇଥାଏ। ଏଥିରେ ଥିବା ଫ୍ଲାଭୋନୋଏଡ୍ ଏବଂ ଆଲ୍କାଲୋଏଡ୍ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଏ। ମନ୍ଦାର ଫୁଲ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ହୋଇଥିବାରୁ ଶରୀରକୁ ଫ୍ରି-ରାଡିକଲ୍ସରୁ ସୁରକ୍ଷା ଦେଇ କ୍ୟାନ୍‌ସର୍‌ ଏବଂ ହୃଦ୍‌ରୋଗର ଆଶଙ୍କା କମାଏ।

କିଛି ଅଣ୍ଡର-ଷ୍ଟଡି ଲ୍ୟାବୋରେଟୋରି ପରିକ୍ଷଣରେ ମନ୍ଦାର ଏକ୍ସଟ୍ରାକ୍ଟ ପ୍ରୋଷ୍ଟେଟ୍ କ୍ୟାନସର ସେଲ୍‌ ଗ୍ରୋଥକୁ ରୋକିବା, ମୂଷାମାନଙ୍କ କ୍ଷେତ୍ରରେ ଡ୍ୟାମେଜ୍ କୋଷକୁ ସୁସ୍ଥ କରିବା ଏବଂ ଫ୍ୟାଟି ଲିଭର୍‌ରେ ଯକୃତ କୋଷକୁ ସୁସ୍ଥ କରିବା ଆଦି ଲକ୍ଷ୍ୟ କରାଯାଇଛି।

୨୦୦୯ ମସିହାରେ ହୋଇଥିବା ଏକ ଅନୁଧ୍ୟାନରେ ମନ୍ଦାର ଏକ୍ସଟ୍ରାକ୍ଟର ଏକମାସ ସେବନ ପରେ ଏହା ଏଚ୍‌ଡିଏଲ୍ (ଗୁଡ୍‌ କୋଲେଷ୍ଟେରଲ୍‌) ମାତ୍ରା ବଢାଇ ଏଲ୍‌ଡିଏଲ୍ (ବ୍ୟାଡ୍‌ କୋଲେଷ୍ଟେରଲ) ମାତ୍ରା କମ କରିଥିବା ଲକ୍ଷ୍ୟ କରାଯାଇଛି। ଏହା କେଶର ଗ୍ରୋଥ୍‌ ପାଇଁ ମଧ୍ୟ ଭଲ।

ଦେଶୀ ନାଲି ଗୋଲାପ ଚା':

ପାରମ୍ପରିକ ଚାଇନିଜ୍ ମେଡିସିନ୍‌ରେ ଶହଶହ ବର୍ଷ ଧରି ରୋଜ୍‌ ଟି କୁ ଋତୁସ୍ରାବ ସମୟର ଯନ୍ତ୍ରଣାକୁ କମ କରିବା ପାଇଁ, ଆଣ୍ଟିଡିପ୍ରେସାଣ୍ଟ୍‌ ଡ୍ରିଙ୍କ୍, ଷ୍ଟ୍ରେସ୍ ଫ୍ରି ଡ୍ରିଙ୍କ୍ ଏବଂ ମାନସିକ ଶାନ୍ତି ପାଇଁ ବ୍ୟବହାର କରାଯାଇଛି। ଏହା ପ୍ରାକୃତିକ ଉପାୟରେ କ୍ୟାଫେନ୍ ଫ୍ରି ହୋଇଥିବାରୁ ମନକୁ ଶାନ୍ତ ରଖେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟସ୍ ଶରୀରକୁ ଫ୍ରି-ରାଡିକଲ୍ସରୁ ରକ୍ଷା କରେ ଏବଂ ଆଣ୍ଟିଇନଫ୍ଲାମେଟୋରୀ ପଦାର୍ଥ ଭାବରେ କାମ କରେ।

ସେହିପରି ଏଥିରେ ଥିବା ପଲିଫେନୋଲ୍‌ କିଛି ପ୍ରକାର କ୍ୟାନ୍‌ସର୍‌, ହୃଦ୍‌ରୋଗ, ମଧୁମେହ ଏବଂ ମସ୍ତିଷ୍କର ଡିଜେନେରେସନ୍‌ରୁ ରକ୍ଷା କରେ। ଏଥିରେ ଥିବା ଗ୍ୟାଲିକ୍ ଏସିଡ୍, କିମ୍ଫେରୋଲ୍ ଏବଂ କ୍ୟୁର୍ସେଟିନ୍ ପରି ପଦାର୍ଥ କ୍ୟାନ୍‌ସର୍‌ ବିରୋଧୀ, ଆଣ୍ଟିଇନ୍‌ଫ୍ଲାମେଟୋରୀ, ବ୍ୟଥା କମ କରିବା ବା ଆନାଲ୍‌ଜେସିକ୍, ପ୍ରି-ମ୍ୟାଚୋର୍ଡ ଏଜି°ରୁ ରକ୍ଷା କରେ ଏବଂ ସ୍ମରଣଶକ୍ତି ବଢାଏ। ଏଥିରେ ଥିବା ଆନ୍ଥୋସିଆନିନ୍ସ ଆଖି ଏବଂ ମୂତ୍ରନଳୀକୁ ସୁସ୍ଥ ରଖେ।

ଉପରେ ବର୍ଣ୍ଣନା କରାଯାଇଥିବା ପାଞ୍ଚଟି ଯାକ ଫୁଲ ସହଜରେ ମିଳିଯାଏ। ଗୋଟିଏ କପ୍ ଚା' ପାଇଁ ୪ ଗ୍ରାମର ଶୁଖିଲା ପାଖୁଡା ଦରକାର ହୁଏ। ଫୁଲ ଚା' ବନାଇଲା ବେଳେ ଗରମ ପାଣିରେ ଫୁଟାଇବା ଅନୁଚିତ। ପାଣିକୁ ଫୁଟାଇ ସାରି ସେଥିରେ ୧୦-୧୫ ମିନିଟ ଯାଏଁ ଇଚ୍ଛା ମୁତାବକ ଫୁଲ ପକାଇ ରଖି, ଛାଣି ନେବା ଦରକାର। ଏହି ସମସ୍ତ ଫୁଲର ଚା' କୁ ଉଷୁମ ଥିବା ଅବସ୍ଥାରେ କିମ୍ବା ଆଇସ୍‌-ଟି ହିସାବରେ ମଧ୍ୟ ନିଆଯାଇ ପାରିବ। ସ୍ୱାଦ ପାଇଁ ଲେମ୍ବୁ ରସ, ମହୁ ଓ ପୋଦିନା ପତ୍ର ବ୍ୟବହାର କରାଯାଇ ପାରେ।

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)