Advertisment

Health Tips: ପୋଷା ଜୀବଜନ୍ତୁଙ୍କ ଠାରୁ ଆଲର୍ଜିର ଡର

ଶରୀରର ଇମ୍ୟୁନ୍ ସିଷ୍ଟମ ଯେତେବେଳେ କୌଣସି ବାହ୍ୟ ବସ୍ତୁ ଯେମିତିକି ଧୂଳି, ପରାଗ, ପୋଷାଜନ୍ତୁଙ୍କ ଲୋମ ଏବଂ ଚମଡା, କିମ୍ବା ଅନ୍ୟ କୌଣସି ଆନିମଲ୍ ପ୍ରୋଟିନ ସ°ସ୍ପର୍ଶରେ ଆସି ରିଆକ୍ଟ ବା କାର୍ଯ୍ୟକ୍ଷମ ହୁଏ ତାହେଲେ ଆଲର୍ଜିକ୍ ରିଆକସନ୍ ବା ଆଲର୍ଜି ସୃଷ୍ଟି ହୁଏ।

ଅଦ୍ୟତନ ହୋଇଛି
Fear of allergies from pets

Fear of allergies from pets

Advertisment

ଆମ ଶରୀରର ଇମ୍ୟୁନ୍ ସିଷ୍ଟମ ଯେତେବେଳେ କୌଣସି ବାହ୍ୟ ବସ୍ତୁ ଯେମିତିକି ଧୂଳି, ପରାଗ, ପୋଷାଜନ୍ତୁଙ୍କ ଲୋମ ଏବଂ ଚମଡା, କିମ୍ବା ଅନ୍ୟ କୌଣସି ଆନିମଲ୍ ପ୍ରୋଟିନ (ପଶୁଜାତ ପୁଷ୍ଟିସାର) ସ°ସ୍ପର୍ଶରେ ଆସି ରିଆକ୍ଟ ବା କାର୍ଯ୍ୟକ୍ଷମ ହୁଏ ତାହେଲେ ଆଲର୍ଜିକ୍ ରିଆକସନ୍ ବା ଆଲର୍ଜି ସୃଷ୍ଟି ହୁଏ।

Advertisment

ଆମ ଶରୀର କୌଣସି ବାହ୍ୟ ବସ୍ତୁ ବା ପ୍ରୋଟିନ୍ ବା ଜୀବାଣୁ କିମ୍ବା ଭୂତାଣୁ ସ°ସ୍ପର୍ଶରେ ଆସିଲେ ଆମ ଇମ୍ୟୁନ୍ ସିଷ୍ଟମ୍ ଏହିସବୁ ବାହ୍ୟ ବସ୍ତୁଠାରୁ ଶରୀରକୁ ସୁରକ୍ଷା ଦେବା ପାଇଁ ଗୋଟିଏ ପ୍ରକାର ପ୍ରୋଟିନ୍ ତିଆରି କରେ ଯାହାକୁ ଆଣ୍ଟିବଡି କୁହାଯାଏ (ପ୍ରତ୍ୟେକ ବସ୍ତୁ ବା ଅଣୁଜୀବ ପାଇଁ ଏହା ଅଲଗା ବା ସ୍ପେସିଫିକ୍ ହୋଇଥାଏ)। ଏହି ଆଣ୍ଟିବଡିର କାମ ହେଉଛି ଆମ ଶରୀରକୁ ସୁରକ୍ଷା ଦେବା।

ଯେତେବେଳେ ମଣିଷର କୌଣସି ବସ୍ତୁ ବା ପଦାର୍ଥ ପାଇଁ ଆଲର୍ଜି ଥାଏ, ସେତେବେଳେ ଶରୀର ସେହି ଜିନିଷଟିକୁ ଶରୀର ପ୍ରତି କ୍ଷତିକାରକ ମାନି ଆଣ୍ଟିବଡି ବନାଇ ଥାଏ (ଅନେକ ସମୟରେ ସେହି ବସ୍ତୁ ବା ପଦାର୍ଥ ପ୍ରକୃତରେ ଶରୀର ପାଇଁ କ୍ଷତିକାରକ ହୋଇ ମଧ୍ୟ ନଥାନ୍ତି, ଯେମିତିକି ସୂର୍ଯ୍ୟକିରଣ, ଚାଉଳ, ଗହମ) ଏବଂ ଶରୀରରେ ବିଭିନ୍ନ ପ୍ରକାରର ଆଲର୍ଜିକ୍ ରିଆକସନ୍ ଦେଖାଯାଏ। ଏହି ଆଲର୍ଜିକ୍ ରିଆକସନ୍ ଚମଡା ସ°ସ୍ପର୍ଶରେ ଆସିବା, ନାକ ଦ୍ୱାରା ଶ୍ୱାସନଳୀରେ ପ୍ରବେଶ କରିବା ଦ୍ୱାରା, ଖାଇବା ଦ୍ଵାରା ହୋଇପାରେ।

Advertisment

ସେହିପରି ଅନେକ ସମୟରେ ଗୃହପାଳିତ ପଶୁପକ୍ଷୀଙ୍କ ଠାରୁ ମଧ୍ୟ ମଣିଷର ଆଲର୍ଜି ଦେଖାଯାଏ। ସାଧାରଣତଃ ସେମାନଙ୍କ ପର, ଲୋମ, ଝଡିପଡିଥିବା ମୃତ ଚର୍ମକୋଷ ବା ଚମଡା ଗୁଣ୍ଡ, ଲାଳ, ପରିଶ୍ରା ଏହିସବୁ ପଦାର୍ଥରୁ ମଣିଷର ଆଲର୍ଜି ହୋଇଥାଏ। ପର, ଲୋମ ଥିବା ଗୃହପାଳିତ ଜୀବଙ୍କ ଠାରୁ ଆଲର୍ଜି ହେବାର ସମ୍ଭାବନା ଅଧିକ ଥାଏ, ଏବଂ ଅଧ୍ୟୟନ ଅନୁସାରେ କୁକୁର ତଥା ବିଲେଇଙ୍କ ଠାରୁ ଆଲର୍ଜି ହେବାର ସମ୍ଭାବନା ସର୍ବାଧିକ ଥାଏ।

କୁକୁର ଏବଂ ବିଲେଇମାନଙ୍କର ଲୋମ, ଲାଳ, ଝାଳ, ପରିଶ୍ରା ଏବଂ ଝଡିପଡିଥିବା ମୃତ ଚର୍ମକୋଷରୁ ଆଲର୍ଜି ହୋଇଥାଏ। ଏସବୁ ମଧ୍ୟରୁ ମୃତ ଚର୍ମକୋଷ (dander) ସବୁଠାରୁ ଅଧିକ କ୍ଷତିକାରକ। ଝଡୁଥିବା ଲୋମ ଆଖିକୁ ଦେଖାଯାଉଥିବା କାରଣରୁ ଅନେକ ସମୟରେ ସଫା କରିହୁଏ କିନ୍ତୁ ଝଡିପଡିଥିବା ମୃତ ଚର୍ମକୋଷ ସୂକ୍ଷ୍ମ ହୋଇଥିବାରୁ ଏହାକୁ ସଫାକରିବା ସାଧାରଣତଃ ଅସମ୍ଭବ (almost impossible)।

Advertisment

ଏହା ବର୍ଷବର୍ଷ ଧରି (ଅନୁଧ୍ୟାନ ଅନୁସାରେ ୨୦ ବର୍ଷରୁ ଅଧିକ ମଧ୍ୟ) ଲୁଗାପଟା, ଘରକୋଣ ଧୂଳି, କାର୍ପେଟ୍ ତଥା ଅନ୍ୟାନ୍ୟ ଆସବାବପତ୍ରରେ ଲାଖିକରି ରହିଯାଏ ଏବଂ ସାମାନ୍ୟ ପବନ ବହିବା ଦ୍ଵାରା ଘରର ବାୟୁମଣ୍ଡଳରେ ମିଶି ଶ୍ୱାସନଳୀରେ ପ୍ରବେଶ କରେ ଏବଂ ଶରୀରକୁ କ୍ଷତି ପହଞ୍ଚାଏ।

ସେହିପରି ଏହି ଜୀବମାନଙ୍କର ଲାଳ ମଧ୍ୟ ଅନେକ ସମୟରେ ଶୁଖିଯାଇ, ସୂକ୍ଷ୍ମ ଗୁଣ୍ଡ ଆକାରରେ ପବନରେ ମିଶି ଶ୍ୱାସନଳୀରେ ପ୍ରବେଶ କରେ। ଯଦିଓ କମ୍ ଲୋମ ଝଡୁଥିବା ହାଇପୋଆଲେର୍ଜେନିକ୍ ପ୍ରଜାତିର କିଛି କୁକୁର ଏବଂ ବିଲେଇ ଏବେ ବଜାରରେ ଉପଲବ୍ଧ ହେଲେଣି, କିନ୍ତୁ ବାସ୍ତବରେ କିମ୍ବା ପ୍ରକୃତ ଅର୍ଥରେ ହାଇପୋଆଲେର୍ଜେନିକ୍ ପ୍ରଜାତି କିଛି ନଥାଏ।

ସେହିପରି ଠେକୁଆ, ମୂଷା, ଗିନିପିଗ୍, ନେଉଳ ଆଦିଙ୍କ ଲୋମ, ଝଡିପଡିଥିବା ମୃତ ଚର୍ମକୋଷ, ଲାଳ ଆଲର୍ଜିର କାରଣ ହୋଇଥାଏ। ଘରେ ରଖାଯାଉଥିବା ଚଢେଇମାନଙ୍କ ପର ଏବଂ ଝଡିପଡିଥିବା ମୃତ ଚର୍ମକୋଷ ଆଲର୍ଜି କରାଇଥାଏ। ରିପୋର୍ଟ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପାଖାପାଖି ୧୦-୧୫% ଲୋକଙ୍କ ମଧ୍ୟରେ ଗୃହପାଳିତ ପକ୍ଷୀଜନିତ ଆଲର୍ଜି ଦେଖାଯାଏ। ପର କିମ୍ବା ଲୋମ ନଥିବା ଗୃହପାଳିତ ଜୀବ ଯେମିତିକି ମାଛ କିମ୍ବା କିଛି ସରୀସୃପଙ୍କ ଠାରୁ ଆଲର୍ଜିର ଆଶଙ୍କା କମ୍ ଥାଏ।

ଲକ୍ଷଣ:

  • ଚର୍ମ କୁଣ୍ଡାଇ ହେବା, ଲାଲ୍‌ପଡି ଫୁଲି ଚେକାଚେକା (hives) ଫଳିଯିବା, ଏକ୍‌ଜିମା ବା ଆଲର୍ଜିକ୍ ଡର୍ମାଟାଇଟିସ୍।
  • ନାଶାଗ୍ର ଲାଲ୍ ପଡି କୁଣ୍ଡାଇ ହେବା; ନାକ ଭିତର କୁଣ୍ଡାଇ ବା ସଲସଲ ହେବା; ବାରମ୍ବାର ନାକରୁ ପାଣିଗଡି ଛିଙ୍କ ହେବା; ନାକ ବନ୍ଦ ହେବା।
  • ଆଖି କୁଣ୍ଡାଇ ହେବା, ଲାଲ୍ ପଡିବା ଏବଂ ପାଣି ଗଡିବା; ଆଖିର ଧଳା ପଟଳ ଲଗାତାର ଫୁଲା ରହିବା; ଆଖିତଳ ଫୁଲିବା, କଳା କିମ୍ବା ଗାଢ ନୀଳ ରଙ୍ଗ ଦେଖାଯିବା।
  • ମୁହଁ ଭାରି ତଥା congested ଲାଗି ବ୍ୟଥା ହେବା।
  • ପାଟି ଭିତରେ ଏବଂ ତାଳୁ କୁଣ୍ଡାଇ ହେବା; ତଣ୍ଟି ସଲସଲ ଲାଗି ଶୁଖିଲା କାଶ ହେବା; ଗଳାର ପଶ୍ଚାତ ଭାଗରେ ସବୁବେଳେ କଫ ଜମାହୋଇ ରହିଲା ପରି ଅନୁଭୂତ ହେବା।
  • ଅନେକଙ୍କ ଠାରେ ଶ୍ୱାସ ବେମାରୀ ବା bronchial asthma ଦେଖାଯାଏ : ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ବା ଧଇଁସଇଁ ଲାଗିବା; ନିଶ୍ୱାସ ପ୍ରଶ୍ୱାସ ସମୟରେ ଘଡଘଡ ବା ହ୍ୱିସିଲ୍ ବାଜିବା ବା wheezing ଶବ୍ଦ ସୃଷ୍ଟି ହୁଏ; ଛାତି ଭାରି ବା ଟାଇଟ୍ ଲାଗି ପିଡା ହେବା; ଧଇଁସଇଁଲାଗି କାଶ ଏବଂ କଫ ହୋଇ ଚିତ୍ ହୋଇ ଶୋଇ ନ ପାରିବା। ଏପରି ସ୍ଥଳରେ ତୁରନ୍ତ ହସ୍ପିଟାଲ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ।
  • ବାରମ୍ବାର ଆଲର୍ଜି ହେବାଦ୍ୱାରା ନାକ ଏବଂ ଗଳାରେ ଉତ୍ପନ୍ନ ଫୁଲା ବା inflammation ଦ୍ଵାରା ସାଇନସ ଗୁଡିକ ବାରମ୍ବାର ଫୁଲା ଏବଂ କଞ୍ଜେଷ୍ଟେଡ୍ ରହିବା ଦ୍ୱାରା ଜୀବାଣୁ ଦ୍ୱାରା ମଧ୍ୟ ଆକ୍ରାନ୍ତ ହୋଇ କ୍ରନିକ ସାଇନସାଇଟିସ୍ (chronic sinusitis) ସୃଷ୍ଟିକରେ।
  • ବାରମ୍ବାର ଶ୍ୱାସନଳୀ ଆକ୍ରାନ୍ତ ହେବା, ଶ୍ୱାସରୋଗ ବଢିବା ଏବଂ ଆଲର୍ଜେନ୍ ଫୁସଫୁସରେ ପହଞ୍ଚିବା ଦ୍ଵାରା alvieolitis ବା ଫୁସଫୁସର କ୍ଷୁଦ୍ର ପବନମୁଣି ଗୁଡିକରେ ଇନଫ୍ଲାମେଟୋରୀ ରିଆକସନ୍ କରେ, ଏହା ଦ୍ୱାରା ଜୀବାଣୁ ଦ୍ଵାରା ଆକ୍ରାନ୍ତ ହେବାର ସମ୍ଭାବନା ବଢିଯାଏ। ଆଲଭିଓଲାଇଟିସରେ ବାରମ୍ବାର ଜ୍ୱର ଆସିବା, କାଶ- କଫ ଲାଗି ରହିବା, ଅଣନିଶ୍ୱାସୀ ଲାଗିବା, ଦିନକୁ ଦିନ ଅଧିକ ଧଇଁସଇଁ ଲାଗିବା, ଓଜନ ହ୍ରାସହେବା ପରି ଲକ୍ଷଣ ଦେଖାଯାଏ। ଏହାକୁ ନିରୂପଣ କରିବା ପାଇଁ ଛାତିର ଏକ୍ସରେ, ସିଟି ସ୍କାନ୍ ତଥା ଅନ୍ୟାନ୍ୟ ରକ୍ତ ପରୀକ୍ଷା କରିବାକୁ ପଡିଥାଏ।

ଅନେକ ସମୟରେ ଚର୍ମ କୁଣ୍ଡାଇ ହେବା କିମ୍ବା ନାକରୁ ପାଣି ଗଡିବା ପରି ସମସ୍ୟାକୁ ମଣିଷ ଏଡାଇ ଯାଇ ରହିଯାଏ। ସେହିପରି ଗୃହପାଳିତ ଜୀବଙ୍କ ଠାରୁ ଆଲର୍ଜି ବହୁଳ ଦେଖାଯାଇଥିଲେ ମଧ୍ୟ ଅନେକ ଏ ବିଷୟରେ ଅବଗତ ନଥାନ୍ତି। କେବଳ ଯେ ନିଜ ଘରେ ପଷୁ-ପକ୍ଷୀ ରଖିଲେ ଆଲର୍ଜି ଭୋଗିବାକୁ ପଡେ ତା' ନୁହେଁ, ପଡିଶା ଘର କିମ୍ବା ସୋସାଇଟି/ କଲୋନୀରେ ଥିବା ଅନ୍ୟମାନଙ୍କ ଗୃହପାଳିତ ଜୀବଠାରୁ ମଧ୍ୟ ଆଲର୍ଜି ହୋଇପାରେ।

ଯଦିଓ ଆମେ ଆଲର୍ଜି ଶବ୍ଦର ବ୍ୟବହାର ସବୁଦିନ କରିଥାଉ କିନ୍ତୁ ଏହା ଫୁସଫୁସରେ ଆଲଭିଓଲାଇଟିସ୍ କିମ୍ବା ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟିକରି ପ୍ରାଣଘାତକ ମଧ୍ୟ ହୋଇପାରେ ବୋଲି ଅନୁମାନ କରିପାରୁନା। ଅନେକ ଲୋକ ନିଜ ଗୃହପାଳିତ ଜୀବ ଯେ ଅନ୍ୟ ପଡୋଶୀଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେ ତାହା ସ୍ୱୀକାର କରି ପାରନ୍ତି ନାହିଁ। ମଣିଷ ମନରେ ପୃଥିବୀର ସବୁ ଜୀବଙ୍କ ପ୍ରତି ସମ୍ମାନ ଏବଂ ଭଲପାଇବା ରହିବା ଉଚିତ, କିନ୍ତୁ ମନେରଖିବା ଦରକାର ଯେ ଆପଣଙ୍କର ଘୃହପାଳିତ ଜୀବ ରଖିବାର ସୌକ ଯେମିତି ଆଉ କାହା ପାଇଁ ପ୍ରାଣଘାତି ନ ହେଉ।

ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Allergic Reactions Health Tips Health Care
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ