Advertisment

ଟେନିସ୍‌କୁ ମିଳିବନି ଆଉ ଜଣେ ରୋଜର୍ ଫେଡ଼ରର୍

ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍‌ରେ ରୋଜର୍ ଫେଡ଼ରର୍ ଯୁଗର ଅବସାନ ଘଟିଛି। ୨୪ ବର୍ଷର ଦୀର୍ଘ କ୍ୟାରିଅର, ୨୦ ଗ୍ରାଣ୍ଡସ୍ଲାମ୍ ବିଜୟ, ୩୧୦ ସପ୍ତାହ ଧରି ଶୀର୍ଷ ମାନ୍ୟତାରେ ରାଜୁତି କରିବାର ବିରଳ ଉପଲବ୍ଧି, ୪୦ ଦେଶରେ ଖେଳିବାର ଅପୂର୍ବ ସୁଯୋଗ - ଏହା ଠାରୁ ଆଉ କ’ଣ ଅଧିକ ଆଶା କରିଥିବେ ୪୧ ବର୍ଷ ବୟସରେ ପହଞ୍ଚିଥିବା ଏହି ମହାନ ଖେଳାଳି ଅଥବା ତାଙ୍କର ଅଜସ୍ର ପ୍ରଶଂସକ।

ଅଦ୍ୟତନ ହୋଇଛି
End of the age of Roger Federer

End of the age of Roger Federer

Advertisment

ସେପ୍ଟେମ୍ବର ୧୫ରେ ଟେନିସ୍ ଜଗତକୁ ସ୍ତବ୍ଧ କଲା ଭଳି ଏକ ବଡ଼ ଖବର ଆସିଥିଲା। ପ୍ରାୟ ଦୁଇ ଦଶନ୍ଧି ଧରି ଟେନିସ୍ କୋର୍ଟରେ ଆଧିପତ୍ୟ ବିସ୍ତାର କରିଥିବା ସ୍ୱିଜରଲାଣ୍ଡର ରୋଜର୍ ଫେଡ଼ରର୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍‌ରୁ ଅବସର ଘୋଷଣା କରିଥିଲେ।

Advertisment

ଲେଭର କପ୍ ତାଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ଥିଲା। ୨୩ରେ ସେ କ୍ୟାରିଅରର ଶେଷ ମ୍ୟାଚ୍ ଖେଳିଥିଲେ; ତେବେ ଏଥିରେ ଆଦ୍ୟ ପରାଜୟ ସହ ତାଙ୍କ ପେସାଦାର କ୍ୟାରିଅରରେ ଯବନିକା ପଡ଼ିଛି। ଏହା ସହିତ ଟେନିସ୍‌ରେ ଫେଡ଼ରର୍ ଯୁଗର ଅବସାନ ଘଟିଛି।

ନିକଟରେ ମହିଳା ଟେନିସ୍‌ଏ ସେରେନା ଓ୍ୱିଲିଅମ୍ସଙ୍କ ପରେ ଆଉ ଜଣେ ବଡ଼ ଖେଳାଳି ଏହି ଲୋକପ୍ରିୟ ଖେଳରୁ ସନ୍ନ୍ୟାସ ନେଇଛନ୍ତି। ପୁରୁଷ ଟେନିସ୍‌ରେ ବିଗ୍-ଥ୍ରୀ’ଙ୍କ ମଧ୍ୟରୁ ଅନ୍ୟ ଦୁଇ ଜଣ - ସ୍ପେନୀୟ ରାଫେଲ୍ ନାଡ଼ାଲ୍ (୩୬) ଓ ସର୍ବୀୟ ନୋଭାକ୍ ଜୋକୋଭିଚ୍ (୩୫)ଙ୍କୁ ଫେଡ଼ରରଙ୍କ ଅବସର ନିଷ୍ପତ୍ତି ଶୁଣିବା ପରେ କିଛି ଫୋଡ଼ି ହେଲା ଭଳି ଅନୁଭୂତ ହୋଇଥିଲା। ସେଥିରେ ଅସ୍ୱାଭାବିକତା ନ ଥିଲା।

Advertisment

ତିନି ଜଣ ଯାକ ଦୀର୍ଘ ବର୍ଷ ଧରି ବିଶ୍ୱ ଟେନିସ୍‌ରେ ରାଜତ୍ୱ କରିଆସୁଥିଲେ। ଜଣେ ଗଲେ, ଅନ୍ୟର ପାଳି ବି ପଡ଼ିବ। ବିଶେଷକରି ଲାଲ୍ ମାଟିର ବାଦଶାହ ନାଡ଼ାଲ୍‌ଙ୍କୁ ଫିଟ୍‌ନେସ୍‌ଜନିତ ସମସ୍ୟା ମଝିରେ ମଝିରେ ହଇରାଣ କରୁଛି। ତାଙ୍କ କ୍ୟାରିଅର ଆଉ କେତେ ବାଟ ଯିବ, କେହି କହିପାରିବେନି। ତେବେ ତିନି ଜଣଙ୍କ ମଧ୍ୟରେ କନିଷ୍ଠ ଜୋକୋଭିଚ୍ ଅପେକ୍ଷାକୃତ ଅଧିକ ଫିଟ୍। ତାଙ୍କ କ୍ୟାରିଅର ଆଉ କିଛି ବର୍ଷ ଲମ୍ବିପାରେ।

ଫେଡ଼ରରଙ୍କ ନିଷ୍ପତ୍ତିରେ ନା କୌଣସି ହୋ-ହଲ୍ଲା ଥିଲା ନା କୌଣସି ତରବରିଆ ଭାବ। ନିଷ୍ପତ୍ତି ବଡ଼ ଥିଲା ସତ; ହେଲେ ସେତେ ଅପ୍ରତ୍ୟାଶିତ ନ ଥିଲା। ୨୪ ବର୍ଷର ଦୀର୍ଘ କ୍ୟାରିଅର, ୨୦ ଗ୍ରାଣ୍ଡସ୍ଲାମ୍ ବିଜୟ, ୩୧୦ ସପ୍ତାହ ଧରି ଶୀର୍ଷ ମାନ୍ୟତାରେ ରାଜୁତି କରିବାର ବିରଳ ଉପଲବ୍ଧି, ୪୦ ଦେଶରେ ଖେଳିବାର ଅପୂର୍ବ ସୁଯୋଗ - ଏହା ଠାରୁ ଆଉ କ’ଣ ଅଧିକ ଆଶା କରିଥିବେ। ୪୧ ବର୍ଷ ବୟସରେ ପହଞ୍ଚିଥିବା ଏହି ମହାନ ଖେଳାଳି ଅଥବା ତାଙ୍କର ଅଜସ୍ର ପ୍ରଶଂସକ।

Advertisment

୨୦ ଗ୍ରାଣ୍ଡସ୍ଲାମ୍ ଜିତିବାରେ ଫେଡ଼ରର୍ ବିଶ୍ୱର ପ୍ରଥମ ପୁରୁଷ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ; କିନ୍ତୁ ସେ ଖେଳୁଥିବା ସମୟରେ ହିଁ ତାଙ୍କର ଏହି ରେକର୍ଡକୁ ଅତିକ୍ରମ କରିଥିଲେ। ବିଗ୍-ଥ୍ରୀ’ର ଅନ୍ୟ ଦୁଇ ସଦସ୍ୟ ଅବସର ପର୍ଯ୍ୟନ୍ତ ସେ ଏହି କୀର୍ତ୍ତୀମାନକୁ ବଜାୟ ରଖିପାରି ନ ଥିଲେ। ଏ ଅବସୋସ ହୁଏତ ତାଙ୍କ ଭିତରେ ଥାଇପାରେ।

ତେବେ ଫେଡ଼ରରଙ୍କ ପ୍ରଦର୍ଶନ, ଶୀର୍ଷ ମାନ୍ୟତାରେ ଆଧିପତ୍ୟର ଇତିହାସ, ଶୃଙ୍ଖଳିତ ବ୍ୟକ୍ତିତ୍ୱ ଏବଂ ଦୀର୍ଘ କ୍ୟାରିଅରକୁ ସାମଗ୍ରିକ ଭାବେ ବିଚାରକୁ ନେଲେ, ସେ ବିଗ୍-ଥ୍ରୀ’ରେ ସର୍ବୋଚ୍ଚ ଆସନରେ ବସିବାକୁ ଯୋଗ୍ୟ।

ଆଘାତ ହୋଇଥିଲା ଅନ୍ତରାୟ:

ରୋଜର୍‌ ହୁଏତ ଆଉ କିଛି ମେଜର୍ ମୁକୁଟ କରାୟ କରିପାରିଥା’ନ୍ତେ; କିନ୍ତୁ ଶରୀର ତାଙ୍କୁ ଏଥିପାଇଁ ଅନୁମତି ଦେଇ ନ ଥିଲା। ଆଣ୍ଠୁ ଯନ୍ତ୍ରଣା ତାଙ୍କ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପକାଇଥିଲା। ଗତ ତିନି ବର୍ଷ ହେଲା ସେ କୋର୍ଟକୁ ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଆସୁଥିଲେ। ୨୦୨୦ ଫେବ୍ରୁଆରୀ ଓ ମେ’ ଏବଂ ୨୦୨୧ ଅଗଷ୍ଟରେ ସେ ଆଣ୍ଠୁରେ ଅସ୍ତ୍ରୋପଚାର କରାଇଥିଲେ; କିନ୍ତୁ ସମ୍ପୂର୍ଣ୍ଣ ଫିଟ୍‌ନେସ୍ ହାସଲ କରିପାରି ନ ଥିଲେ।

୨୦୧୮ ଜାନୁଆରୀରେ ସେ ନିଜ କ୍ୟାରିଅରର ଶେଷ (୨୦ତମ) ଗ୍ରାଣ୍ଡସ୍ଲାମ୍ ମୁକୁଟ ଜିତିଥିଲେ। ୨୦୨୧ ଜୁନ୍‌ରେ ଖେଳାଯାଇଥିବା ଫ୍ରେଞ୍ଚ୍ ଓପନର୍ ଚତୁର୍ଥ ରାଉଣ୍ଡରେ ପହଞ୍ଚିବା ସତ୍ତ୍ୱେ ଫେଡ଼ରର୍ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ। ସେ ଓ୍ୱିମ୍ବଲଡନ୍ ପାଇଁ ନିଜକୁ ଫିଟ୍ ରଖିବା ଲାଗି ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ ଏହି ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍-ଫାଇନାଲ୍‌ରେ ସେ ସିଧାସଳଖ ସେଟ୍‌ରେ ହାରି ଯାଇଥିଲେ। ଏହା ପର ଠାରୁ ଲେଭର୍ କପ୍ ଯାଏଁ ସେ ପ୍ରତିଯୋଗିତାରୁ ଓହ୍ଲାଇ ନ ଥିଲେ।

ଗ୍ରାସ୍‌କୋର୍ଟରେ ସର୍ବକାଳୀନ ସର୍ବଶ୍ରେଷ୍ଠ:

ଗ୍ରାସ୍‌କୋର୍ଟର ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି ଫେଡ଼ରର୍। ସେ ସର୍ବାଧିକ ଆଠ ଥର ଓ୍ୱିମ୍ବଲଡନ୍ ପୁରୁଷ ଏକକ ମୁକୁଟ ଜିତିଛନ୍ତି। ତାଙ୍କ ନାମରେ ଛଅ ଅଷ୍ଟ୍ରେଲିଆନ୍ ଓପନ୍, ପାଞ୍ଚ ୟୁଏସ୍ ଓପନ୍ ଓ ଗୋଟିଏ ଫ୍ରେଞ୍ଚ୍ ଓପନ୍ ମୁକୁଟ ରହିଛି। ଏହାଛଡ଼ା ସେ ୧୦୩ ଏଟିପି ମୁକୁଟ ବି ହାସଲ କରିଛନ୍ତି।

ଫେଡ଼ରର୍ ପୁରୁଷ ଏକକରେ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଜିତିବା ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ନାଡ଼ାଲ୍ ସର୍ବାଗ୍ରେ ରହିଛନ୍ତି, ଯିଏକି ଏ ଯାବତ ୨୨ ମେଜର୍ ମୁକୁଟ ଜିତିଛନ୍ତି। ଜୋକୋଭିଚ୍‌ଙ୍କ ନାମରେ ୨୧ ମେଜର୍ ମୁକୁଟ ରହିଛି।

ଫେଡ଼ରର୍ ୧୯୯୮ରେ ପେସାଦାର ଟେନିସ୍ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୮ରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ହେବାରେ ସର୍ବବରିଷ୍ଠ ଥିଲେ। ଜୋକୋଭିଚ୍‌ଙ୍କ ପୂର୍ବରୁ ତାଙ୍କ ନାମରେ ସର୍ବାଧିକ ସମୟ ଶୀର୍ଷ ମାନ୍ୟତାରେ ରହିବାର ରେକର୍ଡ ଥିଲା।

ଖୁସି ମିଳିଛି, ଯନ୍ତ୍ରଣା ବି:

ଫେଡ଼ରର୍ ଟ୍ୱିଟରରେ ଆବେଗାତ୍ମକ ପୋଷ୍ଟ୍‌ ଶେୟାର୍ କରି ଅବସର ଘୋଷଣା କରିଥିଲେ। ସେ ଲେଖିଥିଲେ, ମତେ ୪୧ ବର୍ଷ ବୟସ ହେଲାଣି। ମୁଁ ୨୪ ବର୍ଷ ମଧ୍ୟରେ ୧୫୦୦ରୁ ଅଧିକ ମ୍ୟାଚ୍ ଖେଳିଛି। ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭେର କପ୍ ମୋର ଶେଷ ଏଟିପି ଇଭେଣ୍ଟ ହେବ। ମୁଁ ନିଶ୍ଚିତରୂପେ ଭବିଷ୍ୟତରେ ଆହୁରି ଅଧିକ ଟେନିସ୍ ଖେଳିବି, ହେଲେ ତାହା କୌଣସି ଗ୍ରାଣ୍ଡସ୍ଲାମ୍ ଅଥବା କୌଣସି ଟୁର୍ ମ୍ୟାଚ୍ ହେବ ନାହିଁ।

ଫେଡ଼ରର୍ ଆହୁରି ମଧ୍ୟ ଲେଖିଥିଲେ, ଗତ ୨୪ ବର୍ଷ ମୋ ପାଇଁ ଚମକପ୍ରଦ ଥିଲା। କେବେ କେବେ ମନେହୁଏ, ଏହି ୨୪ ବର୍ଷ ମାତ୍ର ୨୪ ଘଣ୍ଟାରେ ହିଁ ଆସିଛି। ଏହା ଏଭଳି ଏକ ଅନୁଭବ, ଯେଉଁଥିରେ ମୁଁ ପୂରା ଜୀବନ ଜିଇଁନେଇଛି। ମୋର ସୌଭାଗ୍ୟ ହେଉଛି, ମତେ ଆପଣଙ୍କ ଭଳି ଦର୍ଶକଙ୍କ ଆଗରେ ଓ ୪୦ ଭିନ୍ନ ଭିନ୍ନ ଦେଶରେ ଖେଳିବାର ସୁଯୋଗ ମିଳିଛି। ଏହି ସମୟରେ ମୁଁ ହସିଛି ଓ କାନ୍ଦିଛି ବି, ଖୁସି ମିଳିଛି ଓ ଯନ୍ତ୍ରଣା ବି; କିନ୍ତୁ ମୁଁ ନିଜ ପାଇଁ ଭଲ ଅନୁଭବ କରିଛି।

ଲେଭର୍ କପ୍‌ରେ ଶେଷ ମ୍ୟାଚ୍:

ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଥିଲା ଲେଭର୍ କପ୍। ଏହା ଥିଲା ଫେଡ଼ରରଙ୍କ କ୍ୟାରିଅରର ଶେଷ ଟୁର୍ଣ୍ଣାମେଣ୍ଟ। ସେହି ଦିନ ହିଁ ସେ ତାଙ୍କ କ୍ୟାରିଅରର ଶେଷ ମ୍ୟାଚ୍ ଖେଳିଥିଲେ।

ସେ ତାଙ୍କର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନାଡ଼ାଲଙ୍କ ସହ ଯୋଡ଼ି କରି ଖେଳିଥିଲେ କିନ୍ତୁ ଏହି ଦୁଇ ପୁରୁଖା ଖେଳାଳିଙ୍କ ଯୋଡ଼ି ପ୍ରଥମରୁ ହିଁ ହାରି ଯାଇଥିଲା। ଏହା ସହିତ ଫେଡ଼େରର୍ ଛଳ ଛଳ ଆଖିରେ ପେସାଦାର ଟେନିସକୁ ଅଲ୍‌ବିଦା କହିଥିଲେ। ଏହି ସମୟରେ ନାଡ଼ାଲ୍ ଓ ସେଠାରେ ଉପସ୍ଥିତ ଥିବା ଜୋକୋଭିକ୍ ମଧ୍ୟ ନିଜ ଲୁହକୁ ରୋକିପାରି ନ ଥିଲେ।

ଏକ ଭାବବିହ୍ୱଳ ବାତାବରଣ ପରେ ଜୋକୋଭିଚ୍‌ଙ୍କ ସମେତ ଅନେକ ଖେଳାଳି ତାଙ୍କୁ କାନ୍ଧରେ ଧରି ବୁଲାଇଥିଲେ। କହିବା ବାହୁଲ୍ୟ ମାତ୍ର, ଫେଡ଼ରର୍ ଟେନିସ୍‌ର ଅନେକ ବଡ଼ ଖେଳାଳିଙ୍କ ପାଇଁ ମଧ୍ୟ ପ୍ରେରଣା ରହିଆସିଛନ୍ତି ସେ। ମ୍ୟାଚ୍ ପରେ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ।

ନିଜ କ୍ଲାସିକ୍ ସଟ୍ ଜରିଆରେ ପ୍ରତିଦ୍ୱନ୍ଦ୍ୱୀଙ୍କ ହାଲ୍ ବେହାଲ୍ କରିବାରେ ପାରଙ୍ଗମ ଫେଡ଼ରରଙ୍କ ପ୍ରଶଂସକ ଅନ୍ୟ ଦେଶରେ ବି ଅଛନ୍ତି, ଯେଉଁଠି ଟେନିସ୍ ବେଶୀ ଲୋକପ୍ରିୟ ନୁହେଁ। ସେ ଯେତେବେଳେ ଗୋଟିଏ ହାତରେ ଦମଦାର ବ୍ୟାକ୍‌ହ୍ୟାଣ୍ଡ୍ ଖେଳନ୍ତି, ଷ୍ଟାଡିୟମ୍‌ରେ ଥିବା ହଜାର ହଜାର ଦର୍ଶକ ଓ ଟିଭି ସାମ୍ନାରେ ବସିଥିବା ଟେନିସ୍‌ପ୍ରେମୀ ବିମୋହିତ ହୋଇଯା’ନ୍ତି। ଆଜି ବି ତାଙ୍କର ପୁରୁଣା ମ୍ୟାଚ୍‌ଗୁଡ଼ିକୁ ଦେଖିବାକୁ ଭଲ ଲାଗେ।

ସତରେ ଟେନିସ୍‌କୁ ଆଉ ଜଣେ ରୋଜର୍ ଫେଡ଼ରର୍‌ ମିଳିବା ସହଜ କଥା ନୁହେଁ। କେହି ତାଙ୍କ ଠାରୁ ଅଧିକ ମୁକୁଟ ଜିତିଯାଇପାରେ; ହେଲେ ମହାନ ହେବା ପାଇଁ ସାଧନା ଲୋଡ଼ା। ସେମିତି ଜଣେ ସାଧକ ଥିଲେ ଫେଡ଼ରର୍‌।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Tennis Player Roger Federer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ