Advertisment

୨୦୨୩ ବିଶ୍ୱକପ୍‌ରେ ଖେଳିପାରିବେ ତ ଯଶପ୍ରୀତ ବୁମ୍‌ରା

ଟିମ୍ ଇଣ୍ଡିଆର ‘ବ୍ରହ୍ମାସ୍ତ୍ର’, ପେସର୍ ଯଶପ୍ରୀତ ବୁମ୍‌ରା ଅନେକ ଦିନ ହେଲା ପିଠି ଯନ୍ତ୍ରଣାଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏବେ ସର୍ଜରୀ କରାଯିବା ସ୍ଥଳେ ସେ ପାଞ୍ଚ-ଛଅ ମାସ କ୍ରିକେଟ୍‌ରୁ ଦୂରରେ ରହିବେ। ଆଇପିଏଲ୍ ୨୦୨୩ରୁ ସେ ବାଦ୍ ପଡ଼ିସାରିଲେଣି। ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଖେଳିପାରିବେ ତ ବୁମ୍‌ରା?

ଅଦ୍ୟତନ ହୋଇଛି
Can Yashpreet Bumrah play in 2023 World Cup

Can Yashpreet Bumrah play in 2023 World Cup

Advertisment

ଭାରତୀୟ କ୍ରିକେଟ୍ ଟିମ୍‌ର ପ୍ରମୁଖ ପେସର୍ ଯଶପ୍ରୀତ ବୁମ୍‌ରାଙ୍କୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା। ତେବେ ଏ ଆଲୋଚନା ତାଙ୍କ ପ୍ରଦର୍ଶନକୁ ନେଇ ନୁହେଁ, ତାଙ୍କ ଆଘାତଜନିତ ଅନୁପସ୍ଥିତିକୁ ନେଇ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ - ୨୦୨୩ ବିଶ୍ୱକପ୍ରେ ଖେଳିପାରିବେ ତ ବୁମ୍‌ରା?

Advertisment

ଦିନିକିଆ ବିଶ୍ୱକପ୍ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବ। କିନ୍ତୁ ଏବେ ଠାରୁ ବୁମ୍‌ରାଙ୍କ ଖେଳିବା ନେଇ ଆଶଙ୍କା ପ୍ରକଟ କରିବା ଅମୂଳକ ନୁହେଁ। ଏବେ କେହି ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ ଯେ ସେ ବିଶ୍ୱକପ୍‌ରେ ନିଶ୍ଚୟ ଖେଳିବେ।

ବୁମ୍‌ରା ଅନେକ ଦିନ ହେଲା ଆଘାତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ସେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ଓ ଜୁନ୍‌ରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରୁ ବାଦ୍ ପଡ଼ିଛନ୍ତି। ଭାରତ ଅବଶ୍ୟ ଏ ଯାବତ ଟେଷ୍ଟ ଚାମ୍ପିଅନ୍‌ସିପ୍ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରି ନାହିଁ । ଭାରତୀୟ ଟିମ୍ ମ୍ୟାନେଜ୍‌ମେଣ୍ଟ ଆଶା କରୁଛି ଯେ ଦିନିକିଆ ବିଶ୍ୱକପ୍ ବେଳକୁ ବୁମ୍‌ରା ଫିଟ୍‌ନେସ୍ ହାସଲ କରିସାରିଥିବେ।

Advertisment

ବୁମ୍‌ରାଙ୍କ ଅନୁପସ୍ଥିତି ଦ୍ୱାରା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ କ୍ଷତିଗ୍ରସ୍ତ ହେବ। ପିଠି ଯନ୍ତ୍ରଣା ଭୋଗୁଥିବା ଏହି ଦ୍ରୁତ ବୋଲରଙ୍କ ସର୍ଜରୀ ନ୍ୟୁଜିଲାଣ୍ଡରେ ହେବ ବୋଲି ସୂଚନା ମିଳିଛି। ଏବେ ସର୍ଜରୀ ହେବା ସ୍ଥଳେ ତାଙ୍କୁ ଅତି କମ୍‌ରେ ପାଞ୍ଚ-ଛଅ ମାସ କ୍ରିକେଟ୍‌ରୁ ଦୂରେଇ ରହିବାକୁ ହେବ। ଏହି ସମୟ ଅଧିକ ବି ହୋଇପାରେ। ସେ ଜଣେ ଦ୍ରୁତ ବୋଲର୍ ହୋଇଥିବାରୁ କ୍ରିକେଟ୍‌କୁ ଫେରିବାସ୍ଥଳେ ପୂର୍ବଭଳି ବୋଲିଂ କରିବା ଓ ଫର୍ମ ହାସଲ ପାଇଁ ତାଙ୍କୁ ସମୟ ଲାଗିପାରେ।

ବୁମ୍‌ରା ଗତ ବର୍ଷ ଅଗଷ୍ଟ ଠାରୁ ଏହି ସମସ୍ୟା ଭୋଗୁଛନ୍ତି, ଯେଉଁଥିପାଇଁ ସେ ଅନେକ ଟି-୨୦ ସିରିଜ୍ ଓ ଏସିଆ କପ୍‌ରେ ଖେଳିପାରିଲେ ନାହିଁ। ସେପ୍ଟେମ୍ବରରେ ସୁସ୍ଥ ହେବା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଟି-୨୦ ମ୍ୟାଚ୍ ଖେଳିଥିଲେ। କିନ୍ତୁ ଏହା ତାଙ୍କ ଯନ୍ତ୍ରଣାକୁ ବଢ଼ାଇ ଦେଇଥିଲା। ଫଳସ୍ୱରୂପ, ସେ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ୍‌ରୁ ବି ବାଦ୍ ପଡ଼ିଥିଲେ। ସେବେ ଠାରୁ ସେ ଆଉ କ୍ରିକେଟ୍‌କୁ ଫେରି ନାହାନ୍ତି।

Advertisment

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଜାନୁଆରୀରେ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ବୁମ୍‌ରାଙ୍କୁ ଟିମ୍‌ରେ ସାମିଲ୍ କରିଥିଲା। କିନ୍ତୁ ପରେ ତାଙ୍କ ନାମ ପ୍ରତ୍ୟାହାର କରି ନିଆଯାଇଥିଲା ଏବଂ କୁହାଯାଇଥିଲା ଯେ (ଫିଟ୍‌ନେସ୍ ପାଇଁ) ତାଙ୍କୁ ଅଧିକ ସମୟ ଦରକାର।

ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ ଆଶା କରୁଥିଲା ଯେ ସେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଟେଷ୍ଟ୍‌ ପାଇଁ ଫିଟ୍ ହୋଇଯିବେ। କିନ୍ତୁ ପିଠି ଯନ୍ତ୍ରଣା ବୁମ୍‌ରାଙ୍କ ପିଛା ଛାଡ଼ିଲାନି।

ପିଠି ଯନ୍ତ୍ରଣା ଭାରତର ଏହି ଅଗ୍ରଣୀ ବୋଲରଙ୍କ ପାଇଁ ନୂଆ ନୁହେଁ। ୨୦୧୯-୨୦ରେ ବି ସେ ପିଠିର ନିମ୍ନ ଅଂଶରେ ଷ୍ଟ୍ରେସ୍ ଫ୍ୟାକ୍ଚର୍ ଯୋଗୁଁ ତିନି ମାସ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। କିନ୍ତୁ ଏଥର ଏହି ଅବଧି ପୂର୍ବାପେକ୍ଷା ବଢ଼ିଗଲା।

ଯଦି ବୁମ୍‌ରା ବିଶ୍ୱକପ୍ ନ ଖେଳନ୍ତି...

ଟିମ୍ ଇଣ୍ଡିଆ ଚଳିତ ବର୍ଷ ନିଜ ଆୟୋଜନରେ ଦିନିକିଆ ବିଶ୍ୱକପ୍ ଖେଳିବ। ତେଣୁ କୋଟି କୋଟି ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କର ଆଶା ଅଛି ଯେ ଏଥର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ବିଶ୍ୱକପ୍ ମୁକୁଟ ଜିତିବ। ୧୨ ବର୍ଷ ତଳେ ଭାରତୀୟ ଟିମ୍ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ବିଶ୍ୱକପ୍ ଜିତିଥିଲା। ଏବେ ପୁଣି ଥରେ ଭାରତ ପାଖରେ ଏକ ବଡ଼ ସୁଯୋଗ ରହିଛି।

ଏହି ମହାସମର ପାଇଁ ଭାରତୀୟ ଟିମ୍ କେଉଁ ଖେଳାଳିମାନଙ୍କୁ ନେଇ ଗଢ଼ାଯିବ, ତାହାର ଏକ ସଂକ୍ଷିପ୍ତ ତାଲିକା ବିସିସିଆଇ ପ୍ରସ୍ତୁତ କରିସାରିଛି। ଅବଶ୍ୟ ନାମଗୁଡ଼ିକ ପ୍ରଘଟ କରାଯାଇ ନାହିଁ। ଏହି ତାଲିକାରେ ବୁମ୍‌ରା ଆଗଧାଡ଼ିରେ ରହିବା ସ୍ୱାଭାବିକ, କାରଣ ସେ ପେସ୍ ଆକ୍ରମଣର ନେତୃତ୍ୱ ନେବେ।

କିନ୍ତୁ ଯଦି ବୁମ୍‌ରା ନ ଖେଳନ୍ତି, ଯଦି ବୁମ୍‌ରା ସେତେବେଳକୁ ମ୍ୟାଚ୍-ଫିଟ୍ ହୋଇ ନ ଥିବେ, ଟିମ୍ ଉପରେ ତାହାର କିଭଳି ପ୍ରଭାବ ପଡ଼ିବ?

ସର୍ଜରୀ ହେବା ସ୍ଥଳେ ସେ ସୁସ୍ଥ ହୋଇ ସେପ୍ଟେମ୍ବର ଶେଷ ସୁଦ୍ଧା କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ସେତେବେଳକୁ ଫିଟ୍‌ନେସ୍ ପରଖିବା ଓ ମ୍ୟାଚ୍-ଫିଟ୍ ହେବା ପାଇଁ ତାଙ୍କୁ କିଛି ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାକୁ ହେବ।

ସ୍ୱଳ୍ପ ସମୟ ମଧ୍ୟରେ ସେ ଫର୍ମ ହାସଲ କରି ନ ପାରିଲେ ବି ପ୍ରମୁଖ ପେସର୍ ହୋଇଥିବା ଦୃଷ୍ଟିରୁ ତାଙ୍କୁ ବିଶ୍ୱକପ୍ ଟିମ୍‌ରେ ରଖାଯାଇପାରେ। କିନ୍ତୁ ସମ୍ପୂର୍ଣ୍ଣ ଫିଟ୍‌ନେସ୍ ଦରକାର। ସର୍ଜରୀ ପରେ ସେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇପାରନ୍ତି। ତେବେ ଏଥିପାଇଁ ତାଙ୍କୁ ତରବର କରିହେବ ନାହିଁ। ରିସ୍କ ନେଇ ହେବ ନାହିଁ।

ବୁମ୍‌ରା ଶତପ୍ରତିଶତ ଫିଟ୍ ନ ଥିଲେ ତାଙ୍କୁ ଟିମ୍‌ରେ ରଖାଯାଇପାରିବ ନାହିଁ। ସେ ଜଣେ ବିଶେଷଜ୍ଞ ପେସର୍। ଠିକ୍‌ରେ ଖେଳି ନ ପାରିଲେ, ତାଙ୍କ ଉପସ୍ଥିତିର କୌଣସି ମୂଲ୍ୟ ରହିବ ନାହିଁ। ଅତୀତର ପ୍ରଦର୍ଶନ, ‘ବ୍ରହ୍ମାସ୍ତ୍ର’ ଆଖ୍ୟା ସେଠାରେ ଅର୍ଥହୀନ ହୋଇଯିବ।

ଯଦି ଏହି କାରଣରୁ ବୁମ୍‌ରା ଟିମ୍‌ରୁ ବାଦ୍ ପଡ଼ନ୍ତି, ତା’ହେଲେ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ର ଚିନ୍ତା ବଢ଼ିଯିବା ସ୍ୱାଭାବିକ। ତାଙ୍କ ବୋଲିଂ ଶୈଳୀ ଅନ୍ୟମାନଙ୍କ ଠାରୁ ଭିନ୍ନ, ଯେଉଁଥିପାଇଁ ବିଶ୍ୱ କ୍ରିକେଟ୍‌ରେ ତାଙ୍କର ଚର୍ଚ୍ଚା ହୁଏ। ୟର୍କର ପକାଇବାର ପାରଙ୍ଗମତା ଯୋଗୁଁ ସେ ଅନେକ ବଡ଼ ବଡ଼ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇପାରନ୍ତି।

ଏହା ସର୍ବଜ୍ଞାତ ଯେ ଟିମ୍‌ରେ ବୋଲରଙ୍କ ମଧ୍ୟରେ ବୁମ୍‌ରାଙ୍କ ଡିମାଣ୍ଡ ସର୍ବାଧିକ। ତାଙ୍କ ଅନୁପସ୍ଥିତି ଦ୍ୱାରା ଟିମ୍‌ର ବୋଲିଂ ଆକ୍ରମଣ ଦୁର୍ବଳ ହେବ। ମହମ୍ମଦ ଶାମୀ, ମହମ୍ମଦ ସିରାଜଙ୍କ ଭଳି ବୋଲର୍ ଥିଲେ ବି ପେସ୍ ବାହିନୀରେ ପରିପୂର୍ଣ୍ଣତା ଆସିବନି।

ଗତ ବର୍ଷ ହୋଇଥିବା ଏସିଆ କପ୍ ହେଉ ବା ଟି-୨୦ ବିଶ୍ୱକପ୍ - ସବୁଥିରେ ବୁମ୍‌ରାଙ୍କ ଅଭାବ ଅନୁଭୂତ ହୋଇଥିଲା। ଉଭୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ଫାଇନାଲକୁ ଯାଇପାରି ନ ଥିଲା। ଏଥିପାଇଁ ବୋଲିଂ ବାହିନୀ ଉପରେ ବି ଦୋଷ ଲଦାଗଲା।

ଏହା ଠିକ୍ ଯେ ବୁମ୍‌ରାଙ୍କ ବିକଳ୍ପ ମିଳିବା ସହଜ ନୁହେଁ। ସେ ନ ଖେଳିବାସ୍ଥଳେ ପ୍ରତିଭାଶାଳୀ ବାମହାତି ପେସର୍ ଅର୍ଶଦୀପ ସିଂହଙ୍କୁ ଆଗକୁ ଅଣାଯାଇପାରେ। ଆଉ କିଛି ପେସରଙ୍କୁ ନେଇ ବି ପ୍ରୟୋଗ କରାଯାଇପାରେ।

ସମସ୍ତେ ଚାହାନ୍ତି ଯେ ବୁମ୍‌ରା ସୁସ୍ଥ ହୋଇ ଫେରନ୍ତୁ, ଶୀଘ୍ର ଫେରନ୍ତୁ। କିନ୍ତୁ ବିସିସିଆଇ ତାଙ୍କ ବିକଳ୍ପ କଥା ବି ଚିନ୍ତା କରିବା ଦରକାର।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Jasprit Bumrah 2023 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ