Advertisment

ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ୱବିଜୟୀ ହୋଇପାରିବ କି ଭାରତ

ଆଉ ମାସେ ପରେ ଆଇସିସି ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍ ମ୍ୟାଚ୍। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍‌ରେ ସ୍ଥାନ ପାଇଛି। ଭାରତୀୟ ଟିମ୍ ଆଗରେ ରହିଛି ଅଷ୍ଟ୍ରେଲିଆ। ବଡ଼ ପ୍ରଶ୍ନ ହେଉଛି, ଏଥର ଟିମ୍ ଇଣ୍ଡିଆର ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ୱବିଜୟୀ ହେବାର ସ୍ୱପ୍ନ ସାକାର ହେବ ତ? ଅଷ୍ଟ୍ରେଲିଆକୁ ହରାଇ ଡବ୍ଲ୍ୟୁଟିସି ଫାଇନାଲ୍ ଜିତିପାରିବ ତ ରୋହିତ ସେନା?

ଅଦ୍ୟତନ ହୋଇଛି
World Test Championship

Can India become world champions in Test cricket?

Advertisment

ଆଇପିଏଲ୍‌ର ଧମାକା ମଧ୍ୟରେ ନିକଟରେ ଆଇସିସି ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନସିପ୍‌ର ଫାଇନାଲ୍ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୫ଜଣିଆ ଟିମ୍ ଘୋଷଣା କରିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଜୁନ୍ ୭ରୁ ୧୧ ଯାଏଁ ଲଣ୍ଡନର ଦ ଓଭାଲ୍ ଗ୍ରାଉଣ୍ଡ୍‌ରେ ଖେଳାଯିବ।

Advertisment

ଏହି ଟିମ୍‌ରେ ଥିବା ଅନେକ ଖେଳାଳି ଏବେ ଆଇପିଏଲ୍ ଖେଳୁଛନ୍ତି। ଲିଗ୍ ଶେଷ ହେବା ପରେ ସେମାନଙ୍କୁ ଫଟାଫଟ୍ ଫର୍ମାଟ୍ରୁ ମୁକୁଳି ପାରମ୍ପରିକ ଫର୍ମାଟ୍‌ରେ ଉପଯୋଜିତ ହେବାକୁ ପଡ଼ିବ। ଖେଳାଳିଙ୍କ ପାଇଁ, ବିଶେଷକରି ବ୍ୟାଟର୍‌ଙ୍କ ଲାଗି ଏହା ଏକ ଚାଲେଞ୍ଜ୍ ହେବ।

ଭାରତ ପାଇଁ ଫାଇନାଲ୍ ମ୍ୟାଚ୍ ଯଥେଷ୍ଟ ଗୁରୁତ୍ୱ ରଖେ। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ମୁକୁଟ ପର୍ଯ୍ୟାୟରେ ସ୍ଥାନ ପାଇଛି। ପୂର୍ବ ଥର ଟିମ୍ ଜିତିବ ବୋଲି ଆଶା ଥିଲା, ହେଲେ ନ୍ୟୁଜିଲାଣ୍ଡ୍‌ ଚାଲେଞ୍ଜକୁ ପ୍ରତିହତ କରିପାରି ନ ଥିଲା କୋହଲି ସେନା।

Advertisment

ଏଥର ଭାରତୀୟ ଟିମ୍ ଆଗରେ ରହିଛି ଅଷ୍ଟ୍ରେଲିଆ। ବଡ଼ ପ୍ରଶ୍ନ ହେଉଛି, ଅଷ୍ଟ୍ରେଲିଆକୁ ହରାଇ ଡବ୍ଲ୍ୟୁଟିସି ଫାଇନାଲ୍ ଜିତିପାରିବ ତ ଭାରତ? ଭାରତ ପାଖରେ ଅନେକ ଦକ୍ଷ ଖେଳାଳି ଥିଲେ ବି କଙ୍ଗାରୁ ଟିମ୍‌କୁ ହରାଇବା ସହଜ ହେବ ନାହିଁ। ଏ କଥା ସମସ୍ତେ ଜାଣନ୍ତି, ତେଣୁ ମୁକାବିଲାର ଗୁରୁତ୍ୱ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ସାମର୍ଥ୍ୟ - ଉଭୟକୁ ଦୃଷ୍ଟିରେ ରଖି ଟିମ୍ ଚୟନ କରାଯାଇଛି।

ଏହି ଟିମ୍‌ରେ ଅଜିଙ୍କ୍ୟ ରାହାଣେଙ୍କୁ ରଖାଯିବା ଏକମାତ୍ର ବିସ୍ମୟକର ଚୟନ। ରାହାଣେ ୧୫ ମାସ ପରେ ଟେଷ୍ଟ୍‌ ଟିମ୍‌କୁ ଫେରିଛନ୍ତି। ସେ ଦୀର୍ଘ ଦିନ ହେଲା ସୀମିତ ଓଭର୍ ଟିମ୍‌ରେ ନାହାନ୍ତି। ଦିନିକିଆ ଓ ଟି-୨୦ ଟିମ୍‌କୁ ତାଙ୍କର କେବେ ପ୍ରତ୍ୟାବର୍ତ୍ତନ ହେବ, ତାହାକୁ ନେଇ କୌଣସି ନିଶ୍ଚିତତା ନାହିଁ। ଏସବୁ ମଧ୍ୟରେ ଚଳିତ ଆଇପିଏଲ୍ ସିଜନ୍‌ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Advertisment

ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ତାଙ୍କୁ ମନୋନୀତ କରାଯାଇଛି। ଅବଶ୍ୟ ଏହା ଚୟନର ପ୍ରକୃଷ୍ଟ ମାନଦଣ୍ଡ ନୁହେଁ, କିନ୍ତୁ ଜଣେ ଖେଳାଳିଙ୍କ ଫର୍ମକୁ ପ୍ରତ୍ୟାବର୍ତ୍ତନ ଅଧିକ ଗୁରୁତ୍ୱ ରଖେ। ତା’ଛଡ଼ା ଟେଷ୍ଟ୍‌ କ୍ରିକେଟ୍‌ରେ ସେ ଅତୀତରେ ଅନେକ ଭଲ ଇନିଂସ୍ ଖେଳିଛନ୍ତି, ସେ ଟିମ୍‌ର ଉପ-ଅଧିନାୟକ ବି ଥିଲେ।

ଅନ୍ୟପଟେ, ଶ୍ରେୟାସ ଆୟର ଅନ୍‌ଫିଟ୍ ଅଛନ୍ତି। ଏହିସବୁ କାରଣରୁ ଚୟନକାରୀମାନେ ରାହାଣେଙ୍କ ଉପରେ ଭରସା ବ୍ୟକ୍ତ କରିଥାଇପାରନ୍ତି।

ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଶାର୍ଦ୍ଦୂଳ ଠାକୁରଙ୍କ ସହ ପଞ୍ଚମ ପେସର୍ ଭାବେ ଜୟଦେବ ଉନାଦକଟଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ସ୍ପିନ୍ ବିଭାଗରେ ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ୍ ରହିଛନ୍ତି।

ବ୍ୟାଟିଂ ବିଭାଗରେ ଅଧିନାୟକ ରୋହିତ ଶର୍ମା, ଶୁଭମନ ଗିଲ୍ ଇନିଂସ୍ ଓପନ୍ କରିବା ନିଶ୍ଚିତ। ତିନି ନମ୍ବରରେ ଚେତେଶ୍ୱର ପୂଜାରା, ଚାରି ନମ୍ବରରେ ବିରାଟ କୋହଲି, ପାଞ୍ଚ ନମ୍ବରରେ ରାହାଣେ ବ୍ୟାଟିଂ କରିବାକୁ ଆସିପାରନ୍ତି।

ଷଷ୍ଠ ସ୍ଥାନରେ ୱିକେଟ୍‌କିପର୍-ବ୍ୟାଟର୍ ଖେଳିବେ। ବ୍ୟାଟିଂ ଲାଇନ୍ଅପ୍‌କୁ ମଜଭୁତ କରିବା ପାଇଁ ଲୋକେଶ ରାହୁଲ ଏହି ସ୍ଥାନରେ ଖେଳିପାରନ୍ତି ବୋଲି ଆଶା କରାଯାଉଥିଲା। କିନ୍ତୁ ରାହାଣେଙ୍କ ଆଘାତ ଚିନ୍ତା ବଢ଼ାଇ ଦେଇଛି। ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା। ସେ ନିଜେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଓ ଡବ୍ଲ୍ୟୁଟିସି ଫାଇନାଲ୍‌ରୁ ଓହରି ଯାଇଛନ୍ତି। ମେଡିକାଲ୍ ଟିମ୍‌ର ପରାମର୍ଶକ୍ରମେ ତାଙ୍କ ଜଙ୍ଘର ସର୍ଜରୀ ହେବ।

ରାହୁଲଙ୍କ ଅନୁପସ୍ଥିତି ଯୋଗୁଁ ୧୫ଜଣିଆ ଟିମ୍‌ରେ ରହିଥିବା ୱିକେଟ୍‌କିପର୍-ବ୍ୟାଟର୍ ଶ୍ରୀକର ଭରତଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦିଆଯାଇପାରେ। ଭରତ ଏଯାବତ ଟିମ୍‌ରେ କିଛି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି।

ଆଉ ଦୁଇ ଜଣ ଭଲ ୱିକେଟ୍‌କିପର୍-ବ୍ୟାଟର୍ ଅଛନ୍ତି, ସେମାନେ ହେଲେ ଈଶାନ କିଶନ ଓ ସଞ୍ଜୁ ସାମ୍ସନ୍; କିନ୍ତୁ ସେହି ଦୁଇଜଣଙ୍କୁ ଟେଷ୍ଟ୍‌ ପାଇଁ ଉପଯୁକ୍ତ ବିବେଚନା କରାଯାଉ ନାହିଁ। ରାହୁଲ ବାଦ୍ ପଡ଼ିବା ଯୋଗୁଁ ତାଙ୍କ ବିକଳ୍ପ ଭାବେ ଟିମ୍‌ରେ ଅନ୍ୟ ଜଣେ ବ୍ୟାଟର୍‌ଙ୍କୁ ନିଆଯିବ। ଈଶାନ ଓ ସଞ୍ଜୁଙ୍କ ମଧ୍ୟରୁ ଜଣଙ୍କୁ ୱିକେଟ୍‌ କିପିଂ ଦକ୍ଷତା ଯୋଗୁଁ ଟିମ୍‌ରେ ସାମିଲ କରାଯାଇପାରେ।

ଇଂଲଣ୍ଡର ପିଚ୍ ଓ ପରିବେଶ ଅନୁଯାୟୀ ଅଧିକାଂଶ ଟିମ୍ ସେଠାରେ ସ୍ପିନରଙ୍କ ଅପେକ୍ଷା ପେସରଙ୍କ ଉପରେ ଅଧିକ ଭରସା କରନ୍ତି। ତେଣୁ ଟିମ୍‌ରେ ‘ଚାରି ପେସର୍ ଓ ଜଣେ ସ୍ପିନର୍’ ରଣକୌଶଳ ପ୍ରୟୋଗ କରାଯାଇପାରେ।

ଶାମୀ, ସିରାଜ ଓ ଉମେଶ ତିନି ବିଶେଷଜ୍ଞ ପେସର୍ ଏବଂ ଶାର୍ଦ୍ଦୂଳ ଠାକୁର ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ ଭାବେ ସ୍ଥାନ ପାଇବା ନିଶ୍ଚିତ। ଭାରତର ପ୍ରମୁଖ ପେସର୍ ଯଶପ୍ରୀତ ବୁମ୍‌ରା ଫିଟ୍ ନାହାନ୍ତି। ତାଙ୍କ ଅନୁପସ୍ଥିତିରେ ଶାମୀ ପେସ୍ ବାହିନୀର ନେତୃତ୍ୱ ନେବେ।

ଜୟଦେବଙ୍କ ସ୍ଥାନରେ ଉମେଶଙ୍କୁ ଅଗ୍ରାଧିକାର ମିଳିପାରେ। ତେବେ ଜୟଦେବ ଏବେ ଆହତଜନିତ ସମସ୍ୟା ଭୋଗୁଛନ୍ତି। ସେ ଆଇପିଏଲ୍‌ରେ ନେଟ୍ ପ୍ରାକ୍ଟିସ୍ କରିବା ସମୟରେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଯଦି ସେ ଫିଟ୍ ନ ହୁଅନ୍ତି, ୧୫ ଜଣିଆ ଟିମ୍‌ରେ ଅନ୍ୟ କୌଣସି ବୋଲରଙ୍କୁ ନିଆଯିବ। ଜଣେ ସ୍ପିନରଙ୍କୁ ନିଆଯିବା ରଣକୌଶଳ ପ୍ରୟୋଗ କରାଗଲେ, ଜାଡେଜା ପ୍ରଥମ ପସନ୍ଦ ହେବେ। ସେ ରନ୍ ବି କରିପାରିବେ। ଏହି ଦୌଡ଼ରେ ଅଶ୍ୱିନ ଓ ଅକ୍ଷର ପଛରେ ରହିଯିବେ।

ଏହାଛଡ଼ା ବ୍ୟାଟିଂ ଲାଇନ୍ଅପ୍‌ରେ ସପ୍ତମ ଓ ଅଷ୍ଟମ ସ୍ଥାନରେ ଯଥାକ୍ରମେ ଜାଡେଜା ଓ ଶାର୍ଦ୍ଦୂଳ ରହିଲେ, ଅଧିକ ସ୍କୋର୍ ଆଶା କରାଯାଇପାରିବ।

ଅନ୍ୟପଟେ, ଅଷ୍ଟ୍ରେଲୀୟ ଟିମ୍‌ର ବ୍ୟାଟିଂ ଲାଇନ୍ଅପ୍‌ରେ ଷ୍ଟିଭେନ୍ ସ୍ମିଥ୍, ଟ୍ରେଭିସ୍ ହେଡ୍, ଡେଭିଡ୍ ୱାର୍ଣ୍ଣର, ଉସ୍ମାନ ଖୱାଜା, ମାର୍‌ନସ୍‌ ଲାବୁସେନ୍, ମାଥ୍ୟୁ ରେନଶ, ମାର୍କସ ହାରିସ୍, ବ୍ୟାଟିଂ ଅଲ୍‌ରାଉଣ୍ଡର୍ - ମିଚେଲ୍ ମାର୍ଶ, କାମେରନ୍ ଗ୍ରୀନ୍‌ଙ୍କ ଭଳି ଖେଳାଳି ଅଛନ୍ତି। ପେସ୍ ବୋଲିଂ ଲାଇନ୍ଅପ୍‌ରେ ଖୋଦ୍ ଅଧିନାୟକ ପାଟ୍ କମିନ୍ସ ଥିବା ବେଳେ ମିଚେଲ୍ ଷ୍ଟାର୍କ, ଜୋସ୍ ହାଜଲ୍ଉଡ୍ ଓ ସ୍କଟ୍ ବୋଲାଣ୍ଡଙ୍କ ଭଳି ବୋଲର୍ ଅଛନ୍ତି। ସ୍ପିନର୍ ଭାବେ ନାଥନ୍ ଲାୟନ୍ ଓ ଟଡ୍ ମର୍ଫି ଟିମ୍‌ରେ ରହିଛନ୍ତି।

ଚଳିତ ବର୍ଷ ଟିମ୍ ଇଣ୍ଡିଆ ଟେଷ୍ଟ୍‌ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା। ଏହା ଭାରତୀୟ ଖେଳାଳିଙ୍କ ମନୋବଳକୁ ବଢ଼ାଇପାରେ, ହେଲେ ଇଂଲଣ୍ଡରେ ଅଷ୍ଟ୍ରେଲିଆ ଏକ ଭିନ୍ନ ଟିମ୍ ଭଳି ଜଣାପଡ଼େ। ଯେଉଁ ପିଚ୍‌ରେ ଫାଇନାଲ୍ ଖେଳାଯିବ, ତାହା ପାରମ୍ପରିକ ଭାବେ ବ୍ୟାଟିଂ-ଅନୁକୁଳ ପିଚ୍। ତେଣୁ ଯିଏ ଟସ୍ ଜିତିବ, ସେ ବ୍ୟାଟିଂ କରିବାକୁ ଚାହିଁବ।

ଭାରତକୁ ନିଜ ଟିମ୍ ସଂଯୋଜନା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଏ କଥା ମନେରଖିବାକୁ ହେବ ଯେ ଟିମ୍ ଇଣ୍ଡିଆ ୨୦୨୧ରେ ଓଭାଲ୍ ଠାରେ ଖେଳିଥିବା ନିଜ ଶେଷ ମ୍ୟାଚ୍‌ରେ ‘ଚାରି ପେସର୍ ଓ ଜଣେ ସ୍ପିନର୍ (ଜାଡେଜା)’ ରଣକୌଶଳ ଆପଣାଇଥିଲା ଏବଂ ଟିମ୍ ୧୫୭ ରନ୍‌ରେ ମ୍ୟାଚ୍ ଜିତିଥିଲା।

ଇଂଲଣ୍ଡ ସେହି ସିରିଜ୍‌ରେ ସମସ୍ତ ପାଞ୍ଚ ମ୍ୟାଚ୍‌ରେ ଏହି ରଣକୌଶଳ ପ୍ରୟୋଗ କରିଥିଲା। ସିରିଜ୍ ୨-୨ରେ ଅମୀମାଂସିତ ରହିଥିଲା। ଭାରତ ଏହି ରଣକୌଶଳ ସହ ମଇଦାନକୁ ଓହ୍ଲାଇବା ନିଶ୍ଚିତ। ଟିମ୍ ଇଣ୍ଡିଆ ପାଖରେ ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ୱବିଜୟୀ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ଆଶା ଅଛି, ଏଥର ସ୍ୱପ୍ନ ସାକାର ହେବ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Test Cricket ICC Cricket World Cup Indian Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ