Advertisment

Sports: ମୁକୁଟ ପାଇଁ ୧୨ ବର୍ଷର ପ୍ରତୀକ୍ଷା, ଅନ୍ତ ଘଟାଇପାରିବେ କି ହିଟ୍‌ମ୍ୟାନ୍...

ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଏ ଯାବତ ରୋହିତ କେବଳ ଅଧିନାୟକ ଭାବେ ନୁହନ୍ତି, ଜଣେ ବ୍ୟାଟର୍ ଭାବେ ମଧ୍ୟ ସଫଳ ହୋଇଛନ୍ତି। ତେବେ ପୁରୁଣା ରୂପକୁ ଫେରିଥିବା ହିଟ୍‌ମ୍ୟାନ୍‌ଙ୍କୁ କ’ଣ ଆଗକୁ ଆଶାନୁରୂପ ସଫଳତା ମିଳିପାରିବ? ସେ କ’ଣ ଟିମ୍ ଇଣ୍ଡିଆର ୧୨ ବର୍ଷର ମୁକୁଟ-ପ୍ରତୀକ୍ଷାର ଅନ୍ତ ଘଟାଇପାରିବେ?

ଅଦ୍ୟତନ ହୋଇଛି
Can hitman Rohit Sharma end the 12-year wait for the crown?

Can hitman Rohit Sharma end the 12-year wait for the crown?

Advertisment

୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ବିଜୟ-ଯାତ୍ରା ଅବ୍ୟାହତ ରହିଛି। ବିଶ୍ୱ ରାଙ୍କିଙ୍ଗର ଶୀର୍ଷ ଟିମ୍ ଭାରତ ତିନି ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ହରାଇ ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଆଫଗାନିସ୍ତାନ ଓ ଦୁଇ ନମ୍ବର ଟିମ୍ ପାକିସ୍ତାନକୁ ମଧ୍ୟ ମାତ୍ ଦେଇଛି।

Advertisment

ପାକିସ୍ତାନ ବିପକ୍ଷ ମ୍ୟାଚ୍‌-ବିଜୟ ଟିମ୍ ଇଣ୍ଡିଆ ପାଇଁ ବିଶେଷ ଗୁରୁତ୍ୱ ରଖେ। ଏହା ସର୍ବଜ୍ଞାତ। ପାକ୍ ଟିମ୍ ମାତ୍ର ୧୯୧ ରନ୍‌ରେ ଅଟକିଥିଲା ଏବଂ ଭାରତୀୟ ଟିମ୍ ୭ ୱିକେଟ୍‌ରେ ବିଜୟୀ ହୋଇଥିଲା। ୩୧ ବର୍ଷ ପୂର୍ବେ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ବିଜୟର ଧାରା ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ରୋହିତ ଶର୍ମାଙ୍କ ଟିମ୍ ଏହାକୁ ବଜାୟ ରଖିଛି।

ଏବେ ବିଶ୍ୱକପ୍‌ରେ ରୋହିତଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏ ଯାବତ ସେ କେବଳ ଅଧିନାୟକ ଭାବେ ନୁହନ୍ତି, ଜଣେ ବ୍ୟାଟର୍ ଭାବେ ମଧ୍ୟ ସଫଳ ହୋଇଛନ୍ତି। ଟିମ୍‌ର ପ୍ରଥମ ଦୁଇ ମ୍ୟାଚ୍ ଭଳି ପାକିସ୍ତାନ ବିପକ୍ଷରେ ମଧ୍ୟ ସେ ଦୃଢ଼ ନେତୃତ୍ୱ ନେଇଥିଲେ। ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ଠାରୁ ନେଇ ଡିଆର୍‌ଏସ୍ ଯାଏଁ - ତାଙ୍କର ସବୁ ନିଷ୍ପତ୍ତି ଠିକ୍ ସାବ୍ୟସ୍ତ ହୋଇଥିଲା।

Advertisment

ରୋହିତ ତିନି ଥର ଅମ୍ପାୟାର୍‌ଙ୍କ ନିଷ୍ପତ୍ତିକୁ ସମୀକ୍ଷା ପାଇଁ ପଠାଇ ୱିକେଟ୍ ହାସଲ କରିଥିଲେ। ସେ ବୋଲିଂ ପରିବର୍ତ୍ତନରେ ବି ସଫଳ ହୋଇଥିଲେ । ସେ ପିଚ୍‌କୁ ଦେଖି ଶାର୍ଦ୍ଦୂଳ ଠାକୁରଙ୍କ ଦ୍ୱାରା କେବଳ ଦୁଇ ଓଭର୍ ବୋଲିଂ କରାଇଥିଲେ। କିନ୍ତୁ ରବୀନ୍ଦ୍ର ଜାଡ଼େଜା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିକ ଓଭର୍ ବୋଲିଂ କରିବାକୁ ଦେଇଥିଲେ। ଗୋଟିଏପଟେ ରନ୍‌ଗତିକୁ ରୋକି ରୋହିତ ପାକିସ୍ତାନ ଉପରେ ଚାପ ପକାଉଥିଲେ ଆଉ ଅନ୍ୟପଟେ ୱିକେଟ୍ ନେବାକୁ ଚେଷ୍ଟା କରୁଥିଲେ। ଏହାପରେ ସେ ବ୍ୟାଟିଂରେ ଉଲ୍ଲେଖନୀୟ ଇନିଂସ୍ ଖେଳିଥିଲେ, ଯେଉଁଥିରେ ଛଅ ଚୌକା ଓ ଛଅ ଛକା ରହିଥିଲା।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ପୁରୁଣା ରୂପକୁ ଫେରିଥିବା ହିଟ୍‌ମ୍ୟାନ୍‌ଙ୍କୁ କ’ଣ ଆଗକୁ ଆଶାନୁରୂପ ସଫଳତା ମିଳିପାରିବ? ସେ କ’ଣ ଟିମ୍ ଇଣ୍ଡିଆର ୧୨ ବର୍ଷର ମୁକୁଟ-ପ୍ରତୀକ୍ଷାର ଅନ୍ତ ଘଟାଇପାରିବେ?

Advertisment

ରୋହିତଙ୍କ ନାମରେ ସର୍ବାଧିକ ସାତ ବିଶ୍ୱକପ୍ ଶତକ:

ରୋହିତ ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ସାତ ଶତକ ହାସଲ କରିଛନ୍ତି। ସେ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ଛଅ ଶତକ ରେକର୍ଡକୁ ଭାଙ୍ଗିଛନ୍ତି। ବିଶ୍ୱକପ୍‌ରେ ରୋହିତ ନିଜ ୧୯ତମ ଇନିଂସ୍‌ରେ ସପ୍ତମ ଶତକ ଲଗାଇଥିଲେ ଯେତେବେଳେକି ସଚିନ ତେନ୍ଦୁଲକର ତାଙ୍କ ଷଷ୍ଠ ବିଶ୍ୱକପ୍ ଶତକ ୪୧ତମ ଇନିଂସ୍‌ରେ ହାସଲ କରିଥିଲେ।

ନିଜ ଉପଲବ୍‌ଧିକୁ ନେଇ ରୋହିତ କହିଛନ୍ତି, “ମୁଁ ଏସବୁ ବିଷୟରେ ଚିନ୍ତା କରୁ ନାହିଁ, ଏବେ ବିଶ୍ୱକପ୍‌ରେ ଅନେକ ମ୍ୟାଚ୍ ଖେଳାଯିବାର ଅଛି। ମୁଁ ନିଜ ଫୋକସ୍ ବଳବତ୍ତର ରଖିବାକୁ ଚାହେଁ। ଟିମ୍ ମୋ ଠାରୁ କ’ଣ ଚାହୁଁଛି, ମୁଁ ତା’ ଉପରେ ଧ୍ୟାନ ଦିଏ।”

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ୨୦୦ ରନ୍ ବି କରିପାରି ନ ଥିଲା ଏବଂ ରୋହିତ ସେନା ସହଜରେ ବିଜୟୀ ହୋଇଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଟିମ୍‌କୁ ସଫଳତା ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତ ୧୩୧ ରନ୍‌ର ଇନିଂସ୍ ଖେଳିଥିବା ବେଳେ ପାକିସ୍ତାନ ବିପକ୍ଷରେ ୮୬ ରନ୍ ସଂଗ୍ରହ କରିଥିଲେ। ଉଭୟ ମ୍ୟାଚ୍‌ରେ ଟିମ୍‌ର ବିଜୟରେ ତାଙ୍କର ପ୍ରମୁଖ ଭୂମିକା ଥିଲା ଏବଂ ସେ ଟପ୍ ସ୍କୋରର୍ ଥିଲେ। ଅବଶ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ସେ ବ୍ୟାଟିଂରେ ନିରାଶ କରିଥିଲେ।

ରୋହିତଙ୍କ ଏହି ପ୍ରଦର୍ଶନ ୨୦୧୯ ବିଶ୍ୱକପ୍‌କୁ ମନେ ପକାଇ ଦେଇଥିଲା। ସେହି ଟୁର୍ଣ୍ଣାମେଣ୍ଟରେ ସେ ପାଞ୍ଚ ଶତକ ସହ ଟିମ୍ ପକ୍ଷରୁ ସର୍ବାଧିକ ୬୪୮ ରନ୍ ସଂଗ୍ରହ କରିଥିଲେ। ସେବେଠାରୁ ଦିନିକିଆ ଆନ୍ତର୍ଜାତିକରେ ସେ କେବଳ ତିନି ଶତକ ହାସଲ କରିପାରିଛନ୍ତି।

ବିଶ୍ୱକପ୍ ପୂର୍ବରୁ ଖେଳାଯାଇଥିବା ଏସିଆ କପ୍‌ରେ ମଧ୍ୟ ରୋହିତ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ନେତୃତ୍ୱରେ ଟିମ୍ ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଜିତିଥିଲା।

ପାୱାର୍‌-ହିଟିଂ ରୋହିତଙ୍କ ମୁଖ୍ୟ ଅସ୍ତ୍ର, ଯାହାର ଦମ୍‌ରେ ସେ ଟିମ୍‌ର ବିଜୟ ସୁନିଶ୍ଚିତ କରାଉଛନ୍ତି । ମନେ ହୁଏ ସତେ ଯେମିତି ସେ ଜାଣିଥା’ନ୍ତି ଯେ ବଲ୍ କେଉଁଠି ପିଚ୍ କରିବ। ପାକିସ୍ତାନର ପେସ୍ ଆକ୍ରମଣ ଓ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣକୁ ରୋହିତ ଏହି ଅସ୍ତ୍ର ବଳରେ ଧ୍ୱସ୍ତ କରିଥିଲେ।

ବିଶ୍ୱକପ୍ ବିଜୟର ଆଶା ବଢ଼ାଇଲେ ହିଟ୍‌ମ୍ୟାନ୍:

ଟିମ୍ ଇଣ୍ଡିଆ ବିଶ୍ୱକପ୍‌ର ଅନ୍ୟତମ ମଜଭୁତ ଦାବିଦାର। ରୋହିତଙ୍କ ନେତୃତ୍ୱରେ ଏସିଆ କପ୍ ଜିତିବା ଭାରତୀୟ ଟିମ୍ ପାଇଁ ପ୍ଲସ୍ ପଏଣ୍ଟ ଥିଲା। ବିଶ୍ୱକପ୍‌ରେ ମଧ୍ୟ ଟିମ୍ ଏହି କମାଲ୍ କରିବ ବୋଲି ଆଶା କରାଯାଉଛି। ଟିମ୍‌ର ଫର୍ମ ସହ ଘରୋଇ ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ଏଭଳି ସମ୍ଭାବନା ପଛର ପ୍ରମୁଖ କାରଣ।

କିନ୍ତୁ ରୋହିତଙ୍କ ପାଇଁ ଏହା ଏକ ବଡ଼ ଚାଲେଞ୍ଜ୍। ଏସିଆ କପ୍ ବିଜୟ ଓ ବିଶ୍ୱକପ୍ ବିଜୟ ସମାନ କଥା ନୁହେଁ। ଚାରି ବର୍ଷ ପୂର୍ବେ ଖେଳାଯାଇଥିବା ବିଶ୍ୱକପ୍‌ରେ ସେ ଅଧିନାୟକ ନ ଥିଲେ। ଏବେ ସେ ଅଧିନାୟକ। ତାଙ୍କ ଉପରେ ଉଭୟ ବ୍ୟାଟିଂ ଓ ନେତୃତ୍ୱର ଦାୟିତ୍ୱ ରହିଛି। ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯାଉଥିବାରୁ ଅତିରିକ୍ତ ଚାପ ବି ରହିଛି । ଏହାଛଡ଼ା ଟୁର୍ଣ୍ଣାମେଣ୍ଟର ଫଳାଫଳରୁ ରୋହିତଙ୍କ ଅଧିନାୟକତ୍ୱର ଭବିଷ୍ୟତ ନିର୍ଦ୍ଧାରଣ କରାଯାଇପାରେ।

ବିଶ୍ୱକପ୍ ଏବେ ବେଶୀ ବାଟ ଯାଇ ନାହିଁ। ତୃତୀୟ ମୁକୁଟ ଜିତିବାକୁ ହେଲେ ରୋହିତଙ୍କ ସମେତ ପୂରା ଟିମ୍‌କୁ ଅତି-ଉତ୍ସାହରୁ ବର୍ତ୍ତି ଶେଷ ଯାଏଁ ଦୃଢ଼ତାର ସହ ଖେଳିବାକୁ ହେବ। ଏହା ସହିତ ଅଧିନାୟକ ରୋହିତ ଟିମ୍‌କୁ ସଂଗଠିତ କରି ରଖିବା ବି ଜରୁରି।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Team India Rohit Sharma Indian Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ