ଆରମ୍ଭ ହୋଇଯାଇଛି ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ୧୬ତମ ସଂସ୍କରଣ। ଏବେ ଦୁଇ ମାସ ଧରି ସମସ୍ତଙ୍କ ନଜର ରହିବ ଏହି ଚର୍ଚ୍ଚିତ ଟୁର୍ଣ୍ଣାମେଣ୍ଟ୍ ଉପରେ, ଯେଉଁଠି ବିଶ୍ୱର ଅନେକ ତାରକା ଓ ପ୍ରତିଭାଶାଳୀ ଖେଳାଳି ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ଉଦ୍ଘାଟନୀ ମୁକାବିଲାରେ ଚେନ୍ନାଇ ସୁପର୍କିଙ୍ଗ୍ସକୁ ୫ ୱିକେଟ୍ରେ ହରାଇ ସକାରାତ୍ମକ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ।
କ୍ରିକେଟ୍ ମହଲରେ ଏବେ ଚର୍ଚ୍ଚା ହେଉଛି ଯେ ଏଥର କିଏ ଜିତିବ ମୁକୁଟ? ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ମୁକୁଟ ବଜାୟ ରଖିପାରିବ କି? ଟୁର୍ଣ୍ଣାମେଣ୍ଟ ଇତିହାସର ସଫଳ ଟିମ୍ - ମୁମ୍ବାଇ ଇଣ୍ଡିଆନ୍ସ (ପାଞ୍ଚ ଥର ଚାମ୍ପିଅନ୍) ଓ ଚେନ୍ନାଇ ସୁପର୍କିଙ୍ଗ୍ସ (ଚାରି ଥର ଚାମ୍ପିଅନ୍) ଆଉ ଏକ ମୁକୁଟ ଜିତିପାରିବ କି? ନା ଟୁର୍ଣ୍ଣାମେଣ୍ଟ୍କୁ ଏଥର ନୂଆ ଚାମ୍ପିଅନ୍ ମିଳିବ?
ଅଧିକ ପଢ଼ନ୍ତୁ: ଆଇପିଏଲ୍ ମଞ୍ଚରେ କ୍ୟାପ୍ଟେନ୍ କୁଲ୍ଙ୍କ ପାଦ ଛୁଇଁଲେ ଅରିଜିତ୍ ସିଂ, ଭାଇରାଲ ହେଲା ଫଟୋ
Also Read
ଆଇପିଏଲ୍ ଚାମ୍ପିଅନ୍କୁ ନେଇ ଭବିଷ୍ୟବାଣୀ କରିବା ଆଦୌ ସହଜ ନୁହେଁ। ପୂର୍ବ ସିଜନ୍ରେ ନବାଗତ ଗୁଜରାଟ ଯେଭଳି ଚାମ୍ପିଅନ୍ ହେଲା, ତାହା ସମସ୍ତଙ୍କୁ ବିସ୍ମିତ କଲା। ଦାବିଦାରୀ କଥା ଛାଡ଼ନ୍ତୁ, କେହି ଏହା କଳ୍ପନା ବି କରି ନ ଥିଲେ। ବିସ୍ମୟର ସବୁଠାରୁ ବଡ଼ କାରଣ ଥିଲା ହାର୍ଦ୍ଦିକଙ୍କ ନେତୃତ୍ୱ।
ଆଘାତଜନିତ ସମସ୍ୟା ଭୋଗୁଥିବା ଏହି ଅଲ୍ରାଉଣ୍ଡର୍ କେବେ ସୁସ୍ଥ ହୋଇ କ୍ରିକେଟ୍କୁ ଫେରିବେ, ତାହାକୁ ନେଇ ଆଲୋଚନା ହେଉଥିଲା। ଫେରିବା ସ୍ଥଳେ ସମ୍ପୂର୍ଣ୍ଣ ଫିଟନେସ୍ ହାସଲ ଓ ଫର୍ମକୁ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବା ନେଇ ଆଶଙ୍କା ଥିଲା। ସର୍ଜରୀର କିଛି ମାସ ପରେ ସେ ଆଇପିଏଲ୍ ଜରିଆରେ କ୍ରିକେଟ୍କୁ ଫେରିଥିଲେ। ଗୁଜରାଟ ଫ୍ରାଞ୍ଚାଇଜୀ ରିସ୍କ୍ ନେଇ ତାଙ୍କୁ କେବଳ ଟିମ୍ରେ ସାମିଲ କରି ନ ଥିଲା, ଅଧିନାୟକ ଦାୟିତ୍ୱ ବି ଦେଇଥିଲା।
କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଏବଂ କେତେକ ସ୍ୱଭାବଗତ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଥିଲେ ଏହି ଭାରତୀୟ ଅଲ୍ରାଉଣ୍ଡର୍। ସେମିତି ଦେଖିବାକୁ ଗଲେ, ତାଙ୍କ ପାଖରେ ହରାଇବାକୁ କିଛି ନ ଥିଲା। ଗୁଜରାଟ ଏକ ନୂଆ ଟିମ୍ ଥିଲା, ପ୍ଲେ-ଅଫ୍ ପର୍ଯ୍ୟନ୍ତ ଯାଇପାରିଲେ ବି ଟିମ୍ ପାଇଁ ବଡ଼ ସଫଳତା ହୋଇଥା’ନ୍ତା। କିନ୍ତୁ ହାର୍ଦ୍ଦିକଙ୍କ ମନ ଭିତରେ ଆଉ କିଛି ଚାଲିଥିଲା। ସେ ଏହି ନେତୃତ୍ୱ-ସୁଯୋଗକୁ ବଡ଼ ସଫଳତାରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖିଥିଲେ।
ସେ ସମ୍ମୁଖରୁ ଟିମ୍ରେ ନେତୃତ୍ୱ ନେଇଥିଲେ। ଟିମ୍ର ଖେଳାଳିମାନଙ୍କର ଆତ୍ମବିଶ୍ୱାସ ବଢ଼ାଇଥିଲେ। ଆବଶ୍ୟକସ୍ଥଳେ ଅଧିନାୟକୀୟ ଇନିଂସ୍ ଖେଳି ଓ ଅଲ୍ରାଉଣ୍ଡ୍ ପ୍ରଦର୍ଶନ କରି ଟିମ୍କୁ ଜିତାଇଥିଲେ। ଶେଷରେ ଏକ ସଂଗଠିତ ପ୍ରଦର୍ଶନର ଫଳସ୍ୱରୂପ, ଗୁଜରାଟ ହେଭିୱେଟ୍ ଟିମ୍ଗୁଡ଼ିକୁ ପରାଜିତ କରି ଚାମ୍ପିଅନ୍ ହେଲା। ଏଥିସହ ନେତୃତ୍ୱ-ଦକ୍ଷତାର ଏକ ଉଦାହରଣ ସୃଷ୍ଟି କଲେ ହାର୍ଦ୍ଦିକ।
ହାର୍ଦ୍ଦିକଙ୍କ ଏହି ଦକ୍ଷତା ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ୍କୁ ପ୍ରଭାବିତ କରିଥିଲା। ଏହି ଅଲ୍ରାଉଣ୍ଡର୍ ଏବେ ଭାରତୀୟ ଟି-୨୦ ଟିମ୍ର ସଫଳ ନେତୃତ୍ୱ ନେଉଛନ୍ତି। ସେ ଦିନିକିଆ ଟିମ୍ର ମଧ୍ୟ ଉପ-ଅଧିନାୟକ ଅଛନ୍ତି।
ଏଥର ଆଇପିଏଲ୍ରେ ହାର୍ଦ୍ଦିକଙ୍କ ଟିମ୍ ପ୍ରଥମରୁ ମୁକୁଟର ଦାବିଦାର ରହିଛି। ପୂର୍ବ ସଂସ୍କରଣରେ ଟିମ୍ ୧୪ରୁ ୧୦ ଲିଗ୍ ମ୍ୟାଚ୍ ଜିତି ଟେବୁଲ୍ରେ ୨୦ ପଏଣ୍ଟ ସହ ଶୀର୍ଷରେ ରହିଥିଲା। ଉଭୟ ହାର୍ଦ୍ଦିକ ଓ ଓପନର୍ ଶୁଭମନ ଗିଲ୍ ବ୍ୟାଟିଂରେ ଦମଦାର୍ ପ୍ରଦର୍ଶନ କରି ଯଥାକ୍ରମେ ୪୮୭ ଓ ୪୮୩ ରନ୍ କରିଥିଲେ। ଡେଭିଡ୍ ମିଲର୍ ମଧ୍ୟ ୪୫୦+ ସ୍କୋର୍ କରିଥିଲେ।
ବୋଲିଂରେ ପେସର୍ ମହମ୍ମଦ ଶାମୀ (୨୦ ୱିକେଟ୍) ଓ ଲେଗ୍ ସ୍ପିନର୍ ରଶିଦ ଖାନ୍ (୧୯ ୱିକେଟ୍) ଟିମ୍ରେ ସବୁଠାରୁ ବଡ଼ ଅସ୍ତ୍ର ଥିଲେ। ପେସର୍ ଲୋକୀ ଫର୍ଗୁସନ୍ ଆଉ ଟିମ୍ରେ ନ ଥିଲେ ବି ତାଙ୍କ ଅନୁପସ୍ଥିତି ବୋଲିଂ ବାହିନୀକୁ ଦୁର୍ବଳ କରିବ ନାହିଁ। କାରଣ ଅଧିନାୟକ ହାର୍ଦ୍ଦିକ, ଶାମୀ ଓ ରଶିଦଙ୍କ ଛଡ଼ା ଆୟର୍ଲାଣ୍ଡର ପେସର୍ ଜୋଶ୍ ଲିଟିଲ୍, ୱେଷ୍ଟଇଣ୍ଡିଜ୍ର ଅଲ୍ଜାରୀ ଜୋସେଫ୍, ଓଡିଅନ୍ ସ୍ମିଥ୍, ଭାରତର ଶିବମ୍ ମାଭୀ, ଯଶ ଦୟାଲଙ୍କ ଭଳି ବୋଲର୍ ଅଛନ୍ତି। ତେୱାଟିଆ ବି ବୋଲିଂରେ ଭଲ ଯୋଗଦାନ ଦେଇପାରିବେ।
ଦେଖନ୍ତୁ ଫଟୋ | ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା IPL ମହାସମର
ଗୁଜରାଟ ଖେଳାଳିମାନଙ୍କ ମଧ୍ୟରେ ଉତ୍ତମ ତାଳମେଳ ସ୍ଥାପନ କରିବାରେ ପୂର୍ବତନ ଭାରତୀୟ ପେସର୍ ଆଶିଷ ନେହରାଙ୍କ ନେତୃତ୍ୱାଧୀନ କୋଚିଂ ଷ୍ଟାଫ୍ଙ୍କୁ ଶ୍ରେୟ ଦିଆଯିବା ଆବଶ୍ୟକ। ପୂର୍ବ ସିଜନ୍ରେ ଟିମ୍ର ସଫଳତାର ବଡ଼ କାରଣ ଥିଲା, ଖେଳାଳି ନିଜ ଭୂମିକା ବିଷୟରେ ଅବଗତ ଥିଲେ ଏବଂ ନିଜ ରଣନୀତି ଅନୁଯାୟୀ ପ୍ରଦର୍ଶନ କରିଥିଲେ।
ଶୀର୍ଷରେ ଶୁଭମନଙ୍କ ବିସ୍ଫୋରକ ବ୍ୟାଟିଂ ଛଡ଼ା ଗୁଜରାଟ ପାଖରେ ହାର୍ଦ୍ଦିକ, ବି. ସାଇ ସୁଦର୍ଶନ, ମାଥୁ୍ୟ ୱେଡ୍, ରିଦ୍ଧିମାନ ସାହା, ଡେଭିଡ୍ ମିଲର୍, ରାହୁଲ ତେୱାଟିଆ, ରଶିଦଙ୍କ ରୂପରେ ଭଲ ବ୍ୟାଟର୍ ଅଛନ୍ତି, ଯେଉଁମାନେ ଦ୍ରୁତ ପ୍ରଦର୍ଶନ କରିପାରନ୍ତି। ଟିମ୍ ସହ ନ୍ୟୁଜିଲାଣ୍ଡର କେନ୍ ୱିଲିଅମ୍ସନ୍ ବି ଯୋଡ଼ି ହୋଇଛନ୍ତି। ସେ କଠିନ ୱିକେଟ୍ରେ ତିନି ନମ୍ବର ବ୍ୟାଟର୍ର ଭୂମିକା ତୁଲାଇପାରିବେ। ତାଙ୍କ ପାଖରେ ନେତୃତ୍ୱ ନେବାର ଅଭିଜ୍ଞତା ବି ରହିଛି।
ଗୁଜରାଟ ଟିମ୍ରେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କର ଭଲ ସନ୍ତୁଳନ ରହିଛି। ଏହା ସହିତ ରହିଛି ପୂର୍ବ ସଂସ୍କରଣର ପ୍ରଦର୍ଶନଜନିତ ରେକର୍ଡ ଓ ସର୍ବୋପରି ହାର୍ଦ୍ଦିକଙ୍କ ନେତୃତ୍ୱ। ତେଣୁ ଟିମ୍କୁ ମୁକୁଟର ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ସାମିଲ କରାଯାଇଛି।
ହାର୍ଦ୍ଦିକଙ୍କୁ ଭାରତୀୟ ଦିନିକିଆ ଟିମ୍ରେ ଭବିଷ୍ୟତର ଅଧିନାୟକ ଦୃଷ୍ଟିରୁ ବିଚାର କରାଯାଉଛି। ତାଙ୍କ ଆଗରେ ଗୁଜରାଟକୁ ଦ୍ୱିତୀୟ ଥର ଚାମ୍ପିଅନ୍ କରାଇ ନିଜ ନେତୃତ୍ୱ-ଦକ୍ଷତାକୁ ପୁଣି ଥରେ ପ୍ରମାଣିତ କରିବାର ଚାଲେଞ୍ଜ୍ ରହିଛି। ଏହାଛଡ଼ା, ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସେ ବ୍ୟାଟିଂ ଓ ବୋଲିଂରେ ମଧ୍ୟ ଉପଯୋଗୀ ପ୍ରଦର୍ଶନ କରିବାର ଜରୁରୀ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)