Advertisment

ମିଶନ୍ ଟି-୨୦ ବିଶ୍ୱକପ୍ ପଥରେ ବୋଲିଂ ଟେନ୍‌ସନ୍‌

ନା ଆମ ପାଖରେ ଅଷ୍ଟ୍ରେଲୀୟ ପିଚ୍‌ରେ ଖେଳିବାରେ ଅଭିଜ୍ଞ ରେଡିମେଡ୍ ପେସର୍ ଅଛନ୍ତି ନା (ଅନଭିଜ୍ଞ) ଯୁବ ବୋଲରଙ୍କ ଠାରୁ ସେଠାରେ କୌଣସି କମାଲ୍ ଆଶା କରାଯାଉଛି। ତା’ହେଲେ ରୋହିତ ସେନା ଟି-୨୦ ବିଶ୍ୱକପ୍ ଜିତିବ କେମିତି?

author-image
Pramod Behera
Bowling tension on the way to Mission T20 World Cup

Bowling tension on the way to Mission T20 World Cup

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଟିମ୍ ଇଣ୍ଡିଆ ଦୁଇ ବଡ଼ ଟିମ୍ - ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ (ଟି-୨୦) ଶୃଙ୍ଖଳା ଜିତିବା ନିଶ୍ଚିତ ରୂପେ ବଡ଼ କଥା। ବିଶେଷକରି, ଏସିଆ କପ୍ ବିଫଳତା ପରେ ଏହି ବିଜୟ ଯଥେଷ୍ଟ ଗୁରୁତ୍ୱ ରଖେ।

Advertisment

ଏହାସତ୍ତ୍ୱେ ଏହି ସଫଳତା ବିଶ୍ୱକପ୍‌ରେ ଆମର ବିଜୟ-ଗ୍ୟାରେଣ୍ଟି ନୁହେଁ। ରୋହିତ ସେନାର ମିଶନ୍ ବିଶ୍ୱକପ୍ ପଥ ଏବେ ବି ଦୁର୍ଗମ ରହିଛି। ଟିମ୍ ଇଣ୍ଡିଆ ନିଜ ବ୍ୟାଟିଂ ସମସ୍ୟାକୁ ଅନେକାଂଶରେ ସଜାଡ଼ି ଦେଇଛି; ହେଲେ ବୋଲିଂ ପ୍ରଦର୍ଶନ ‘ଯଥା ପୂର୍ବଂ ତଥା ପରଂ’। ଅର୍ଥାତ୍ କେତେକ ନିର୍ଦ୍ଦିଷ୍ଟ ମ୍ୟାଚ୍‌କୁ ଛାଡ଼ିଦେଲେ ଏସିଆ କପ୍ ସମୟରୁ ହିଁ ଏହି ସମସ୍ୟା ବଳବତ୍ତର ରହିଛି।

ବୋଲିଂ ସମସ୍ୟାକୁ ସଜାଡ଼ିବା ଲାଗି ଆଉ ବେଶୀ ସମୟ ନାହିଁ। ମୁଣ୍ଡ ଉପରେ ବିଶ୍ୱକପ୍; ଟିମ୍ ବି ଆଉ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବ ନାହିଁ। ଅବଶ୍ୟ ବିଶ୍ୱକପ୍ ପୂର୍ବରୁ ଦୁଇଟି ଲେଖାଏଁ ଅଫିସିଆଲ୍ ଓ୍ୱାର୍ମଅପ୍ ଓ ବିସିସିଆଇ ପକ୍ଷରୁ ଆୟୋଜିତ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏହା ଭାରତୀୟ ବୋଲରଙ୍କ ପାଇଁ ପ୍ରଦର୍ଶନ ସୁଧାରିବା ଲାଗି ଶେଷ ସୁଯୋଗ।

Advertisment

ମୁଖ୍ୟତଃ ଅଭିଜ୍ଞ ପେସର୍ ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରୁ ହିଁ ଏହି ସମସ୍ୟାର ସୃଷ୍ଟି ନା ଆମ ପାଖରେ ଅଷ୍ଟ୍ରେଲୀୟ ପିଚ୍‌ରେ ଖେଳିବାରେ ଅଭିଜ୍ଞ ରେଡିମେଡ୍ ପେସର୍ ଅଛନ୍ତି ନା (ଅନଭିଜ୍ଞ) ଯୁବ ପେସରଙ୍କ ଠାରୁ ସେଠାରେ କୌଣସି କମାଲ୍ ଆଶା କରାଯାଉଛି।

ତା’ହେଲେ ଆମେ ବିଶ୍ୱକପ୍ ଜିତିବା କେମିତି? ମାଇକେଲ୍ ବେଭାନଙ୍କ ଭଳି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍ ଭାରତକୁ ଫେଭରିଟ୍ ତାଲିକାରେ ସାମିଲ୍ କରିପାରନ୍ତି; କିନ୍ତୁ ଟିମ୍ ନିଜ ପ୍ରଦର୍ଶନକୁ ନେଇ କେତେଦୂର ଆଶ୍ୱସ୍ତ? ଟିମ୍‌ର ଦାବିଦାରୀରେ ଦୃଢ଼ତା କେତେ?

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ୍ ୨୩୭ ରନର ବିଶାଳ ସ୍କୋର୍ ଛିଡ଼ା କଲା, ମ୍ୟାଚ୍ ବି ଜିତିଲା; ହେଲେ ବିଜୟ ବ୍ୟବଧାନ ଥିଲା ମାତ୍ର ୧୬ ରନ୍। ଯଦି ଆମେ ଆଉ ୧୭-୧୮ ରନ୍ କମ୍ କରିଥା’ନ୍ତୁ, ହୁଏତ ମ୍ୟାଚ୍ ଆମ ହାତରୁ ଚାଲିଯାଇଥା’ନ୍ତା। ପ୍ରଥମ ମ୍ୟାଚ୍ ଜିତିବାରେ ଭାରତୀୟ ବୋଲରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା ମାତ୍ର ୧୦୬ ରନ୍ କରିବାକୁ ସମର୍ଥ ହୋଇଥିଲା; କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ବୋଲର୍ ଭ୍ରମଣକାରୀ ଟିମ୍‌କୁ ୨୦୦ ସ୍କୋର୍ ମଧ୍ୟରେ ବି ଅଟକାଇ ପାରି ନ ଥିଲେ।

ତୃତୀୟ ମ୍ୟାଚ୍‌ରେ ବି ସେହି ବୋଲରମାନଙ୍କ ଯୋଗୁଁ ଦକ୍ଷିଣ ଆଫ୍ରିକୀୟ ଟିମ୍ ୨୨୮ ରନ୍‌ର ଆହ୍ୱାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ଦେଲା। ଏହା ପରେ ବ୍ୟାଟିଂ ବିଫଳତା ଯୋଗୁଁ ଆୟୋଜକ ଟିମ୍ ୪୯ ରନ୍‌ରେ ପରାଜିତ ହେଲା।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ଦୀପକ ଚାହର, ଅର୍ଶଦୀପ ସିଂହ (ତୃତୀୟ ମ୍ୟାଚ୍ ଖେଳି ନ ଥିଲେ) ଓ ହର୍ଷଲ ପଟେଲ୍ ଆମର ପ୍ରମୁଖ ପେସର୍ ଥିଲେ କିନ୍ତୁ ପ୍ରଥମ ମ୍ୟାଚରେ ଅର୍ଶଦୀପ ଓ ଦୀପକ ଯେଭଳି ପ୍ରଦର୍ଶନ କରିଥିଲେ, ପରବର୍ତ୍ତୀ ମ୍ୟାଚ୍‌ରେ ତାହା ବଜାୟ ରଖିପାରି ନ ଥିଲେ।

ଅର୍ଶଦୀପଙ୍କ ବଲ୍‌ରେ ନିର୍ଘାତ ପ୍ରହାର ହୋଇଥିଲା। ଦୀପକଙ୍କ ଇକୋନୋମୀ ରେଟ୍ ଭଲ ଥିଲେ ହେଁ ସେ ଓ୍ୱିକେଟ୍ ପାଇ ନ ଥିଲେ। ତୃତୀୟ ମ୍ୟାଚ୍‌ରେ ଦୀପକଙ୍କ ସମେତ ସବୁ ପେସର୍ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଠାରୁ ସୁଯୋଗ ପାଇଆସୁଥିବା ହର୍ଷଲଙ୍କ ପ୍ରଦର୍ଶନ ବି ଆଶାଜନକ ନ ଥିଲା। ଡେଥ୍ ଓଭର୍ ସମସ୍ୟା ବଳବତ୍ତର ରହିଥିଲା।

ଦୀପକ ଏବେ ଆହତ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାର ଶେଷ ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ସେ ପିଠି ଯନ୍ତ୍ରଣା ଭୋଗୁଛନ୍ତି। ଦୀପକ ଟି-୨୦ ବିଶ୍ୱକପ୍ ଟିମ୍‌ରେ ଷ୍ଟାଣ୍ଡବାଇ ଭାବେ ଅଛନ୍ତି।

ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଉମେଶ ଯାଦବ (ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଗୋଟିଏ ମ୍ୟାଚ୍ ଖେଳିଥିଲେ) ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାର ଶେଷ ମ୍ୟାଚ୍‌ରେ ମହମ୍ମଦ ସିରାଜଙ୍କୁ ନେଇ ପରୀକ୍ଷା କରାଗଲା; କିନ୍ତୁ ସୁଫଳ ମିଳିଲାନି।

ବୁମ୍‌ରା ପିଠି ଯନ୍ତ୍ରଣା ଯୋଗୁଁ ବିଶ୍ୱକପରୁ ବାଦ୍ ପଡ଼ିବା ନେଇ ବିସିସିଆଇ ବିଧିବଦ୍ଧ ଭାବେ ଘୋଷଣା କରିସାରିଲାଣି। ଏବେ ବୋର୍ଡ ଆଗରେ ସବୁଠାରୁ ବଡ଼ ଚିନ୍ତା - କିଏ ହେବେ ବୁମ୍‌ରାଙ୍କ ବିକଳ୍ପ। ଦୀପକ ଆହତ; ଉମେଶ ଓ ସିରାଜ ଦୌଡ଼ରେ ନାହାନ୍ତି। ଆଉ ଯିଏ ରହିଲେ, ସେ ହେଲେ ନିକଟରେ କରୋନାରୁ ସୁସ୍ଥ ହୋଇଥିବା ମହମ୍ମଦ ଶାମୀ। ଅଷ୍ଟ୍ରେଲୀୟ ପିଚ୍‌ରେ ଖେଳିବାରେ ତାଙ୍କ ଅଭିଜ୍ଞତା ଅଧିକ। ସେଠାକାର ବାଉନ୍ସିଂ ପିଚ୍‌ରେ ତାଙ୍କୁ ଅଧିକ ଫାଇଦା ମିଳିପାରେ।

ଶାମୀ ଟି-୨୦ ବିଶ୍ୱକପ୍ ପାଇଁ ପୂର୍ବରୁ ଘୋଷିତ ଟିମ୍‌ରେ ଷ୍ଟାଣ୍ଡବାଇ ଭାବେ ସାମିଲ୍ ହୋଇଥିଲେ। ତାଙ୍କୁ ଏସିଆ କପ୍‌ରେ ଅଣଦେଖା କରି ଖେଳା କରାଯାଇ ନ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ପୂର୍ବରୁ ତାଙ୍କୁ କରୋନା ହୋଇଥିଲା। ସେ ସୁସ୍ଥ ହେବା ବେଳକୁ ଟିମ୍ ପାଖରେ ଆଉ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ନାହିଁ। ଅତଏବ, ସେ ବିନା ମ୍ୟାଚ୍ ପ୍ରାକ୍ଟିସ୍‌ରେ ଅଷ୍ଟ୍ରେଲିଆ ଯିବେ। ସେଠାରେ ହେବାକୁ ଥିବା ଓ୍ୱାର୍ମଅପ୍ ଜରିଆରେ ହିଁ ସେ ଅଭ୍ୟାସ କରିପାରିବେ।

ଶାମୀଙ୍କୁ ନେବା ନେଇ କୋଚ୍ ରାହୁଲ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମା ସଙ୍କେତ ଦେଲେଣି। ସମ୍ଭବତଃ ସେ ହିଁ ବୁମ୍‌ରାଙ୍କ ବିକଳ୍ପ ଭାବେ ସ୍ଥାନ ପାଇପାରନ୍ତି। ମୁଖ୍ୟ ଟିମ୍‌ରେ ଅର୍ଶଦୀପ ଅଛନ୍ତି, ଆଘାତରୁ ସୁସ୍ଥ ହୋଇ ଫେରିବା ପରେ ଏଯାବତ୍ ଫର୍ମକୁ ଫେରି ନ ଥିବା ହର୍ଷଲ ବି ରହିବେ। ଟିମ୍‌ରେ ବିଶେଷଜ୍ଞ ପେସର୍ ଭାବେ ଏହି ତିନି ଜଣ ରହିପାରନ୍ତି। ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ବି ପେସ୍ ବାହିନୀର ସଦସ୍ୟ।

ଅନ୍ୟପଟେ, ଅନ୍‌ଫିଟ୍ ବାମହାତି ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ ପ୍ରମୋଟ୍ ହୋଇଥିବା ଅକ୍ଷର ପଟେଲ୍ ବୋଲର୍ ଭାବେ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି। ବିଶ୍ୱକପ୍ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ଅକ୍ଷରଙ୍କୁ ଅଗ୍ରାଧିକାର ଦିଆଯିବ କିନ୍ତୁ ମୁଖ୍ୟ ଟିମ୍‌ରେ ରହିଥିବା ଅଭିଜ୍ଞ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ଥାନ ପ୍ରଶ୍ନ ଘେରକୁ ଚାଲିଆସିଛି। ଦୁଇଟିଯାକ ଘରୋଇ ଶୃଙ୍ଖଳାରେ ସେ ବିଫଳ ହେଲେ।

ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଖେଳାଳି ବିଶେଷକରି ବୋଲରଙ୍କ ଆଘାତଜନିତ ସମସ୍ୟା ଟିମ୍ର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି, ଆଉ ଯେଉଁମାନେ ଅଛନ୍ତି ସେମାନେ ଏତେ ଭଲ ଫର୍ମରେ ନାହାନ୍ତି। ବୁମ୍‌ରା, ରବୀନ୍ଦ୍ର ଜାଡ଼େଜା, ଦୀପକ ହୁଡ଼ା ପୂର୍ବରୁ ବାଦ୍ ପଡ଼ିସାରିଛନ୍ତି। ଦୀପକ ବି ଏଥିରେ ଯୋଡ଼ି ହୋଇପାରନ୍ତି। ତେବେ ଦୀପକ ବିଶ୍ୱକପରୁ ବାଦ୍ ପଡ଼ିବା ନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଏଯାଏଁ କିଛି କୁହାଯାଇ ନାହିଁ।

ବିଶ୍ୱକପ୍ ପାଇଁ ଭାରତର ମୁଖ୍ୟ ଟିମ୍ ଏବେ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଲାଣି। ଷ୍ଟାଣ୍ଡବାଇ ଖେଳାଳି ପରେ ଯିବେ। ବ୍ୟାଟରଙ୍କୁ ନେଟ୍ ପ୍ରାକ୍ଟିସ୍ କରାଇବା ପାଇଁ ସାଙ୍ଗରେ ଦୁଇ ନେଟ୍ ବୋଲର୍ ବାମହାତି ମିଡିଅମ୍ ପେସର୍ ମୁକେଶ ଚୌଧରୀ ଓ ଚେତନ ସାକାରିଆ ଯାଇଛନ୍ତି। ଉଭୟଙ୍କ ପାଖରେ ସଦ୍ୟ ଫିଟ୍ ଘୋଷିତ ହୋଇଥିବା ପାକିସ୍ତାନର ଶାହୀନ ଆଫ୍ରିଦୀଙ୍କ ଭଳି ବେଗ ନ ଥାଇପାରେ, ହେଲେ ସ୍ୱିଙ୍ଗ୍ ଅଛି। ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଭଳି ଶୀର୍ଷକ୍ରମ ଖେଳାଳିଙ୍କୁ ଉଭୟ ବୋଲିଂ ପ୍ରାକ୍ଟିସ୍ କରାଇବେ।

କିନ୍ତୁ ଏବେ ବଡ଼ ସମସ୍ୟା ବ୍ୟାଟିଂ ନୁହେଁ, ବୋଲିଂ ଟିମ୍। ମ୍ୟାନେଜ୍‌ମେଣ୍ଟକୁ ଯଥାଶୀଘ୍ର ଏହି ସମସ୍ୟାରୁ ମୁକୁଳିବାର ବାଟ ବାହାର କରିବାକୁ ହେବ।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Jasprit Bumrah Rohit Sharma T 20 World Cup
Advertisment
Advertisment