Advertisment

ରାଜ୍ୟରେ ‘ମୋଦି ସୁନାମୀ’...ବିଜେପିର ବଡ଼ ବିଜୟ ପଛରେ କ’ଣ ରହିଛି ପ୍ରମୁଖ କାରଣ...

ନିର୍ବାଚନୀ ଫଳାଫଳ ଶାସକ ଦଳ ବିପକ୍ଷରେ ଯାଇଛି। ଓଡ଼ିଶାରେ ‘ମୋଦୀ ସୁନାମୀ’ ଦେଖିବାକୁ ମିଳିଛି। ଫଳରେ ବିଜେଡି ସରକାରର ଅବସାନ ହୋଇଛି। ଏହି ବିଜୟ ପଛରେ ପାଣ୍ଡିଆନଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବୋଲି ବିବେଚନା କରାଯାଇଛି।

ଅଦ୍ୟତନ ହୋଇଛି
BJP's victory, the party should thank VK Pandian

BJP's victory, the party should thank VK Pandian

Advertisment

ଓଡ଼ିଶାରେ ହୋଇଛି ରାଜନୀତିର ରୂପାନ୍ତରୀକରଣ। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ୨୦୨୪ ଜନାଦେଶ ଦୋହୋଲାଇଦେଇଛି ସୁଦୀର୍ଘ ଶାସନ କ୍ଷମତାର ଦୁର୍ଗ! ନିର୍ବାଚନୀ ଫଳାଫଳ ଶାସକ ଦଳ ବିପକ୍ଷରେ ଯାଇଛି। ଓଡ଼ିଶାରେ ‘ମୋଦୀ ସୁନାମୀ’ ଦେଖିବାକୁ ମିଳିଛି। ଫଳରେ ବିଜେଡି ସରକାରର ଅବସାନ ହୋଇଛି।

Advertisment

ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ପରେ ରାଜ୍ୟରେ ଦଳ ବାଜିମାତ୍ ମୁହାଁ ହୋଇଛି। ଦଳୀୟ ଅସନ୍ତୋଷ ବିଜେଡି ପାଇଁ କାଳ ହୋଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବିଜେପି ପ୍ରତି ଅକୁଣ୍ଠ ମତଦାନ ଓ ଅପ୍ରତ୍ୟାଶିତ ବିଜୟ ପଛର ସର୍ବଶ୍ରେଷ୍ଠ କାରଣ ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପ୍ରତି ଅସନ୍ତୋଷ ବୋଲି ରାଜନୈତିକ ସମୀକ୍ଷକମାନେ ଚିତ୍ରଣ କରିଛନ୍ତି।

ଗତ ୨୫ ବର୍ଷ ମଧ୍ୟରେ ବିଜେଡି ତୃଣମୂଳସ୍ତରରେ ଯେଭଳି ସଙ୍ଗଠନକୁ ମଜବୁତ କରି ରଖିଛି ତା’ ତୁଳନାରେ ବିଜେପିର ଓଡ଼ିଶାରେ ସେଭଳି ସ୍ଥିତି ନାହିଁ। ତେବେ ୨୫ ବର୍ଷର ଶାସନ କ୍ଷମତାରେ ରହିବା ସତ୍ତ୍ୱେ ବିଜେଡି ସରକାର ଲୋକଙ୍କୁ ଯେଉଁଭଳି ମୌଳିକ ସୁବିଧା ଯୋଗାଇଦେବା କଥା ସେଥିରେ ବିଫଳ ହୋଇଛି। ଚଳିତ ନିର୍ବାଚନ ହେଉଛି ତା’ର ସଦ୍ୟତମ ପ୍ରମାଣ। ପାଣି, ରାସ୍ତା ଆଦିକୁ ନେଇ ବ୍ୟାପକ ଜନଅସନ୍ତୋଷ ଦେଖାଦେଇଥିଲା।

Advertisment

ପ୍ରଥମତଃ ଲୋକଙ୍କଠାରୁ ଲୋକପ୍ରତିନିଧିମାନଙ୍କୁ ଦୂରେଇବା ଏବଂ ଜଣେ ପ୍ରଶାସନୀକ ଅଧିକାରୀ ଥିବାବେଳେ ଏକାକୀ ରାଜ୍ୟବ୍ୟାପୀ ଉଡାଣଗସ୍ତ କରି ସଭାସମିତିକୁ ସମ୍ବୋଧିତ କରିବା ଘଟଣା ଶ୍ରୀ ପାଣ୍ଡିଆନଙ୍କୁ ବିବାଦ ଭିତରକୁ ଟାଣି ଆଣିଥିଲା। ଜଣେ ଅଫିସରଙ୍କ ସଭା ପାଇଁ ଜନପ୍ରତିନିଧି ଟେଣ୍ଟ୍ ବାନ୍ଧିବା ଦାୟିତ୍ୱ ତୁଲାଉଥିବା ଘଟଣା ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା।

ତେବେ ୫ ବର୍ଷ ଧରି ନିଜ ଅଂଚଳବାସୀଙ୍କଠାରୁ ସେବାର ସୁଯୋଗ ହରାଇଥିବା ନେତା ନିର୍ବାଚନ ସମୟରେ ଭୋଟ ଭିକ୍ଷା କରିବାକୁ ଯାଇ ଲୋକଙ୍କ ରୋଷର ଶୀକାର ହେବାକୁ ପଡିଥିଲା।

Advertisment

୨୦୧୯ ନିର୍ବାଚନ ପରଠାରୁ ଛାୟା ମୁଖ୍ୟମନ୍ତ୍ରୀ ଭାବେ ଶାସନ ପରିଚାଳନା କରିବା, ବିରୋଧୀଙ୍କ ବ୍ୟାପକ ଆରୋପ ଅଭିଯୋଗ ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଶାସକ ଦଳରେ ଯୋଗଦେବା ଏବଂ ପରବର୍ତ୍ତୀ ସମୟରେ ୨୦୨୪ ନିର୍ବାଚନକୁ ନିୟନ୍ତ୍ରଣ କରିବା ବିଜେଡି ଦଳରେ ବ୍ୟାପକ ଅସନ୍ତୋଷର କାରଣ ସାଜିଥିଲା। ଯେଉଁ କାରଣରୁ ଦଳର ବହୁ ପ୍ରତିଷ୍ଠିତ ପୁରୁଖା ନେତା ବିଜେଡି ଛାଡି ଅନ୍ୟ ଦଳରେ ଯୋଗ ଦେଇଥିଲେ।

ଏ ସମସ୍ତ ଘଟଣାରେ ଦଳୀୟ ନେତା ଓ ଜନତାଙ୍କ ମଧ୍ୟରେ ଥିବା ଚାପା ଅସନ୍ତୋଷକୁ ଭରପୂର ଖୋରାକ ଯୋଗାଇଥିଲା ‘ଓଡ଼ିଆ ଅସ୍ମିତା’ । ଠିକ ୨୦୨୪ ନିର୍ବାଚନ ଚରଣରେ ବିରୋଧୀ ଏହାକୁ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରିଥିଲେ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଘନ ଘନ ନିର୍ବାଚନୀ ପ୍ରଚାରରେ ଆସି ଓଡ଼ିଆ ଅସ୍ମିତା ସଙ୍କଟରେ ରହିଥିବା ଏବଂ ଜଣେ ଅଣଓଡ଼ିଆଙ୍କ ହାତରେ ରାଜ୍ୟ ଦାୟିତ୍ୱ ଦିଆଯିବାକୁ ପ୍ରମୁଖ ପ୍ରସଙ୍ଗ କରି ପାଣ୍ଡିଆନଙ୍କୁ ଆକ୍ଷେପ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, କ୍ଷମତା ଲୋଭ ପାଇଁ ତାଙ୍କୁ ବ୍ୟବହାର କରାଯାଉଥିବା କଥା ମଧ୍ୟ ବିଜେପି ଉଠାଇଥିଲା।

ଓଡ଼ିଶାରେ ତୃତୀୟ ଚରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେଡି ଯେତେ ଦମ୍ଭ ଓ ଦୃଢୋକ୍ତି ଦେଖାଇଥିଲେ ମଧ୍ୟ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କଲେ ଯେ, ‘ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ ଲୋକେ ସ୍ଥିର କରିବେ।’ ଏଭଳି କି ମୁଖ୍ୟମନ୍ତ୍ରୀ ନିଜ ଅସୁସ୍ଥତାକୁ ‘ରାଜନୈତିକ ଗୁଜବ’ ବୋଲି ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କହିଲେ।

ତେବେ ୪ ତାରିଖ ଓଡ଼ିଶା ନିର୍ବାଚନ ୨୦୨୪ର ଯେଉଁ ଜନାଦେଶ ଆସିଛି, ସେଥିରେ ବିଜେପିକୁ ବିପୁଳ ବ୍ୟାପକ ସଫଳତା ମିଳିଛି। ତେବେ ଏହି ସଫଳତା ପଛରେ ମୋଦି ହାୱା ଠାରୁ ବହୁ ଗୁଣରେ ବିଜେଡି ବିରୋଧୀ ଲହର ଏବଂ ପାଣ୍ଡିଆନଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ କାମ ଦେଇଛି ବୋଲି ବିବେଚନା କରାଯାଇଛି। ତେଣୁ ବିଜେପିର ବିରାଟ ବିଜୟ ପାଇଁ ଦଳ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇବା କଥା ବୋଲି ଲୋକେ କୁହାକୁହି ହେଉଛନ୍ତି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

BJD BJP Odisha Election Odisha Politics General Elections VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ