Astrospeak
  • Live TV
  • Read In English

Nutrients: ପରମ୍ପରାରେ ପାନ; ଆସ୍‌ଥମା ଓ ହୃଦ୍‌ରୋଗ ପାଇଁ ରାମବାଣ

ଆପଣଙ୍କ ଭିତରେ ଯଦି କେହି ପାନ ଖାଉଥିବା ଲୋକ ଅଛନ୍ତି ତେବେ ଏହି ବିଷୟଟି ଆପଣଙ୍କ ପାଇଁ। ଏହି ଲେଖାରେ ଆସନ୍ତୁ ପାନ ସହ ଜଡିତ କିଛି ପରମ୍ପରା ଓ ବିଜ୍ଞାନ ବିଷୟରେ ଜାଣିବା।

Betle  in tradition; Remedy for asthma and heart disease
ପରମ୍ପରାରେ ପାନ; ଆସ୍‌ଥମା ଓ ହୃଦ୍‌ରୋଗ ପାଇଁ ରାମବାଣ

ପାନ ନାଁ ଶୁଣିଲେ ଆଖି ଆଗରେ ଆସିଯାଏ ବାସ୍ନାଭରା ମସଲା ଦିଆଯାଇ ଭଙ୍ଗାଯାଇଥିବା ପତ୍ରଟିଏ। ଏହାକୁ ଉପଭୋଗ କରୁଥିବା ଲୋକଙ୍କ ପାଇଁ ଏହା ଅତିବ ସ୍ୱାଦିଷ୍ଟ ହୋଇଥାଏ। ଭାରତୀୟ ରାସ୍ତା କଡ଼ରେ ଆଉ କିଛି ଦୋକାନ ଥାଉ କି ନ ଥାଉ, ପାନ ଦୋକାନଟେ ଥିବା ନିଶ୍ଚିତ।

ଆପଣଙ୍କ ଭିତରେ ଯଦି କେହି ପାନ ଖାଉଥିବା ଲୋକ ଅଛନ୍ତି ତେବେ ଏହି ବିଷୟଟି ଆପଣଙ୍କ ପାଇଁ। ଏହି ଲେଖାରେ ଆସନ୍ତୁ ପାନ ସହ ଜଡିତ କିଛି ପରମ୍ପରା ଓ ବିଜ୍ଞାନ ବିଷୟରେ ଜାଣିବା।

ଆପଣ ଜାଣନ୍ତି, ଏହି ମୁଖବାସ ବା ପାନକୁ ଏକ ସଉକ ରୂପେ ଖାଉ ଖାଉ କେତେବେଳେ ଏହା ଆମ ଜୀବନଘାତକ କ୍ୟାନସରର କାରଣ ମଧ୍ୟ ହୋଇଥାଏ। ତେବେ କ’ଣ ପାନ ଏକ ଖରାପ ଖାଦ୍ୟ? ବିଲକୁଲ ନୁହେଁ। ଆମ ଆରାଧ୍ୟ ଦେବତା ଜଗନ୍ନାଥ ମଧ୍ୟ ପାନ ଖାଆନ୍ତି। ଏହାକୁ ପ୍ରତି ଓଡ଼ିଆ ବିଡ଼ିଆ ପାନ ଭାବରେ ଜାଣନ୍ତି। ଏଥିରେ ଅତ୍ୟନ୍ତ ମୂଲ୍ୟବାନ ତଥା ମୁଖବାସ ଦ୍ରବ୍ୟସବୁ ପଡିଥାଏ। ତେବେ ପାନ କିପରି ଆମ ପାଇଁ ଉପକାରୀ, କିପରି ଖାଇଲେ ଏହା ଅପକାରୀ ହୋଇଯାଏ, ଆସନ୍ତୁ ସେ ବିଷୟରେ ଜାଣିବା।

ଅଧିକ ପଢ଼ନ୍ତୁ: Nutrients: ଖରାଦିନେ ସୁସ୍ଥ ରହିବା ପାଇଁ କିପରି ସହଯୋଗ କରେ ଆମ୍ବ

ଆମ ଭାରତୀୟ ସଭ୍ୟତାରେ ପାନର ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ବୈଜ୍ଞାନିକ ନାମ ହେଲା – Piper betle (ପାଇପର ବିଟଲ)। ଆୟୁର୍ବେଦ ଶାସ୍ତ୍ର ଅନୁସାରେ, ପାନର ବ୍ୟବହାର ପ୍ରାୟ ଖ୍ରୀ.ଅ ୭୫ରୁ ଭୋଜନ ପରର ଖାଦ୍ୟ ଭାବେ ଚାଲିଆସିଛି। ୟୁରୋପୀୟ ପରିବ୍ରାଜକ ମାର୍କୋ ପୋଲୋ ଏହାକୁ ସେତେବେଳେ ରାଜାମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଲେଖିଛନ୍ତି।

ତେବେ ସେତେବେଳେ ପାନରେ ଅନେକ ଉପାଦେୟ ଦ୍ରବ୍ୟ ଯେପରି ଗୁଆ, କର୍ପୂର, ନଡ଼ିଆଖଣ୍ଡ, ପାନମଧୁରୀ, ଗୋଲାପ ପାଖୁଡ଼ା ଇତ୍ୟାଦି ପଡ଼ି ପ୍ରସ୍ତୁତ ହେଉଥିଲା। ଏସବୁ ପାନର ଫ୍ଲେବର ବା ବାସ୍ନା ବଢ଼େଇବା ସହ କୌଣସି ଖରାପ ପ୍ରଭାବ ପକାଉ ନ ଥିଲା ଏବଂ ପାନପତ୍ରର ସ୍ୱାସ୍ଥ୍ୟକର ଗୁଣ ବଜାୟ ରହୁଥିଲା। ଆପଣ ଭାବୁଥିବେ, ପାନପତ୍ରର ସ୍ୱାସ୍ଥ୍ୟକର ଗୁଣ କ’ଣ ଥାଇପାରେ?

ପୂରାତନ ସମୟରେ ଚିନ୍‌ରେ ଏହା ଏକ ଔଷଧ ରୂପେ ବ୍ୟବହାର କରାଯାଉଥିଲା। କ୍ୟାନସର ନିରୋଧୀ, ପ୍ରଦାହ ବା ଇନଫ୍ଲେମେସନ୍ ନିରୋଧୀ ତଥା ହୃଦ୍‌ରୋଗର ଔଷଧରେ ପାନର ରସ ବ୍ୟବହୃତ ହେଉଥିଲା। ପ୍ରାଚୀନ ସମୟରେ କିନ୍ତୁ ପାନ ଖାଇ କ୍ୟାନ୍‌ସର୍‌ ହେବାର କୌଣସି ପ୍ରମାଣ ମିଳେ ନାହିଁ। ସମୟ କ୍ରମେ ପାନ ସହ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ସୁଗନ୍ଧିତ ଦ୍ରବ୍ୟ, ରଙ୍ଗ, ଜର୍ଦ୍ଦା, ଧୂଆଁପତ୍ର ଆଦି ପକାଇବାରୁ ଏହା ମାରାତ୍ମକ ହୋଇଯାଉଛି। ପାନପତ୍ର ଆମର ପାଟିରେ ଥିବା ସାଲାଇଭା ବା ହଜମକାରୀ ଲାଳର କାର୍ଯ୍ୟକାରିତା ବଢ଼ାଏ। ଏଣୁ ଏହା ଖାଦ୍ୟ ପାଚନ ପାଇଁ ଖୁବ ଉପକାରୀ ହୋଇଥାଏ।

ପାନପତ୍ରରେ ଅନେକ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯେପରିକି ଥାୟାମିନ୍, କ୍ୟାରୋଟିନ୍, ରାଇବୋଫ୍ଲୋବିନ୍ ଆଦି ରହିଛି। ଏହା ଆମ ପାକସ୍ଥଳୀ ପିଏଚ୍ ସ୍ତରକୁ ନିୟନ୍ତ୍ରଣରେ ରଖେ। ଏହାର ଆଣ୍ଟିସେପ୍ଟିକ୍ ବା କ୍ଷତ ଶୁଖାଇବା ଗୁଣ ମଧ୍ୟ ରହିଛି। ଏହା ଆମ ମାଢ଼ିକୁ ସୁସ୍ଥ ରଖିବା ସହ ଆମ ମୁଖ ବ୍ୟାକ୍ଟେରିଆକୁ ପ୍ରତିରୋଧ କରେ।

ଅଧିକ ପଢ଼ନ୍ତୁ: Nutrients: ବ୍ଲଡ୍ ପ୍ରେସର୍‌ ଓ ଡାଏବେଟିସକୁ ରୋକିବ ମଖନା; ଜାଣନ୍ତୁ କେମିତି ଖାଇବେ

ଏହି ପତ୍ରକୁ ଖାଲି ଚୋବାଇ ଖାଇବା ଦ୍ୱାରା ଏହା ଆସ୍‌ଥମା ଓ ଶ୍ୱାସନଳଜନିତ ସମସ୍ୟା ପାଇଁ ଫଳପ୍ରଦ ହୋଇଥାଏ। ଏଥିରେ ଥିବା ବାୟୋଆକ୍ଟିଭ୍ କମ୍ପାଉଣ୍ଡ୍ ବା ଜୈବ-ସକ୍ରିୟ ପଦାର୍ଥ ଔଷଧ ଶିଳ୍ପ ପାଇଁ ଅତ୍ୟନ୍ତ ଦରକାରୀ। ଏହାର ପତ୍ରରେ କ୍ୟାଟାଲେଜ୍ ଓ ଡାଇଆଷ୍ଟେଜ୍ ପରି ଉପାଦେୟୀ ଏନ୍‌ଜାଇମ୍ ରହିଛି ଯାହା ଆମ ଗ୍ୟାଷ୍ଟ୍ରିକ୍ ବ୍ୟବସ୍ଥାକୁ ଠିକ ରଖେ। ଏଥିରେ ଲାଇସିନ୍, ହିଷ୍ଟିଡିନ୍ ପରି ଅନେକ ଦରକାରୀ ଆମିନୋ ଏସିଡ୍ ମଧ୍ୟ ରହିଛି।

କେତେକ ଗ୍ରାମ୍ ନେଗେଟିଭ ବ୍ୟାକ୍ଟେରିଆ ଓ ଗ୍ରାମ୍ ପଜିଟିଭ୍ ବ୍ୟାକ୍ଟେରିଆ ପ୍ରତିରୋଧ କରିବାରେ ଏହା କାମ କରେ। ଅନେକ ପ୍ରକାର ଦରକାରୀ ତେଲ ମଧ୍ୟ ଏହାର ପତ୍ରରୁ ଉତ୍ପାଦନ ହୁଏ। ଏଥିରେ ଫ୍ଲାବନଏଡ୍ ପରି ଫାଇଟୋକେମିକାଲ୍‌ ଥିବା ହେତୁ ଏଥିରୁ ସୁଗନ୍ଧିତ ତେଲ ନିଷ୍କାଷିତ ହୁଏ।

ଏଥିସହିତ ଏହାର ପତ୍ରରେ ଆଣ୍ଟି ଫଙ୍ଗାଲ ବା ଫଙ୍ଗସ୍‌ଜନିତ ଇନ୍‌ଫେକସନ୍‌କୁ ରୋକିବାର ଗୁଣ ରହିଛି। ଆସ୍‌ପେରିଜିଲସ୍, କ୍ୟାଣ୍ଡିଡା, ଟ୍ରାଇକୋଫାଇଟନ୍ ପରି ଫଙ୍ଗସ୍ ବୃଦ୍ଧି ରୋକିବାରେ ଏହା କାମ ଦିଏ। ଏଣୁ ଏହା ବିଭିନ୍ନ ଚର୍ମ ଔଷଧରେ ମଧ୍ୟ ବ୍ୟବହୃତ ହୋଇଥାଏ।

ପାନର ଅନେକ ଉପାଦେୟତା ସତ୍ତ୍ୱେ ଏଥିରେ କୃତ୍ରିମ ରଙ୍ଗ ଆଦି ମିଶାଇ ଏହାର ଉପକାରୀ ଗୁଣକୁ ନଷ୍ଟ କରିଦିଆଯାଉଛି। ପାନକୁ ଉପଯୁକ୍ତ ପ୍ରକ୍ରିୟାରେ ସଂରକ୍ଷିତ ରଖିବା ମଧ୍ୟ ଆବଶ୍ୟକ।

ମୁଖ୍ୟତଃ ଏସିଆରେ ଏହାର ବ୍ୟବହାର ଅଧିକ। ଇଣ୍ଡୋନେସିଆ ଓ ଥାଇଲାଣ୍ଡରେ ଏହାକୁ ପାଣିରେ ପକାଇ ଖାଇବା ପରେ ମୁଖଶୋଧନ ପାଇଁ ଦିଆଯାଏ। ମାଲେସିଆରେ ଦାନ୍ତ ସମ୍ବନ୍ଧୀୟ ସମସ୍ୟା ତଥା ଆଣ୍ଠୁଗଣ୍ଠି ଦରଜ ଉପଶମ ପାଇଁ ଏହାର ପତ୍ରକୁ ବ୍ୟବହାର କରାଯାଏ। ଶ୍ରୀଲଙ୍କାରେ ଏହା ଚର୍ମ ସମ୍ବନ୍ଧୀୟ ରୋଗ ପାଇଁ ବ୍ୟବହୃତ ହୁଏ ବୋଲି ଗବେଷଣାରୁ ଜଣାପଡ଼ିଛି।

ତେବେ ଅନେକ ଉପାଦେୟତା ଥିବା ଏହି ପାନପତ୍ର ଚାଷ ଅନେକ ଯତ୍ନ ଦରକାର କରେ। ଅତ୍ୟଧିକ ତାପମାତ୍ରା ସହ୍ୟ କରିପାରୁ ନ ଥିବା ପାନ ଲତା ସାଧାରଣତଃ ବଢ଼ିବାକୁ ୪-୬ ମାସ ନେଇଥାଏ। ଆଜିକାଲି ପାନରେ ଅନେକ ପ୍ରକାର ରାସାୟନିକ ଦ୍ରବ୍ୟର ବହୁଳ ବ୍ୟବହାର ପ୍ରତି ସଚେତନ ନ ରହିଲେ ଏହା କ୍ୟାନ୍‌ସର୍‌ ପରି ମାରାତ୍ମକ ରୋଗ ସୃଷ୍ଟି କରିବ।

ମୁଖ ଗହ୍ୱର କର୍କଟ ବା ଓରାଲ କ୍ୟାଭିଟି କ୍ୟାନ୍‌ସର୍‌ ପରି ମାରାତ୍ମକ ରୋଗରୁ ବଞ୍ଚିବାକୁ ଆମକୁ ପାନକୁ ସୁସ୍ଥ ରୂପେ ଖାଇବା ଆବଶ୍ୟକ। ଏକ ପୁଷ୍ଟିକର ଖାଦ୍ୟକୁ ଆମେ ସ୍ୱାଦିଷ୍ଟ କରିବା ଉଦ୍ଦେଶ୍ୟରେ ଅସ୍ୱାସ୍ଥ୍ୟକର କରିଦେଉଛେ। ଏଥିପ୍ରତି ନଜର ଦେବାକୁ ହେବ।

ଆମ ଦେଶରେ ଟବାକୋ ବା ଧୂଆଁପତ୍ର ପାନରେ ବହୁଳ ବ୍ୟବହାର ହେଉଛି ଯାହାକୁ ଧୂଳିଗୁଣ୍ଡି ପାନ କୁହାଯାଏ। ଏହା ଏକ ଅସ୍ୱାସ୍ଥ୍ୟକର ପଦାର୍ଥ। ତେଣୁ ଏପରି ବିଷାକ୍ତ ଦ୍ରବ୍ୟ ପାନରେ ନ ଦେଇ ସାମୟିକ ଭାବେ ଖାଇବା ପରେ ଆମେ ପାରମ୍ପରିକ ଦ୍ରବ୍ୟ ଦେଇ ପାନ ଖାଇପାରିବା।

ସାଦା ପାନ ବୋଲି କହି ଦୋକାନରେ ମିଳୁଥିବା ପାନ ମଧ୍ୟ ସବୁବେଳେ ଖାଇବା ଉଚିତ ନୁହେଁ। କାରଣ ଏଥିରେ ଗୁଆର ପରିମାଣ ଅଧିକ ଥାଏ। ଅନ୍ୟ କୃତ୍ରିମ ରଙ୍ଗ ଆଦି ପଡ଼ିଥାଏ। ଏଣୁ ଏହି ସବୁ ଦିଗ ପ୍ରତି ସଚେତନ ରହିଲେ ଆମେ ପାନ ଖାଇବାର କୁପ୍ରଭାବରୁ ବର୍ତ୍ତିପାରିବା।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: Nutrients: ଆପଣ କ୍ଷୀର ପିଇବାକୁ ନାପସନ୍ଦ କରନ୍ତି କି… ଏହି ୬ ଖାଦ୍ୟରୁ ପାଆନ୍ତୁ କ୍ୟାଲସିୟମ୍