Advertisment

ବାହାନଗାର ବାର୍ତ୍ତା; ବଦଳିବ କି ବ୍ୟବସ୍ଥା

ବାହାନଗାର ଭୟାବହ ଦୁର୍ଘଟଣା ଘଟିବାର ତୁରନ୍ତ ପରେ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇକୁ ଦିଆଯାଇଛି। ଓଡିଶାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଥିବା ସାମ୍ନାକୁ ଆସିଛି। ତେବେ ରାଜ୍ୟ ଶାସନାଧୀନ ବିଜେଡି କେନ୍ଦ୍ରର ରେଳ ବ୍ୟବସ୍ଥା କିମ୍ବା ବିଜେପି ସରକାର ବିଷୟରେ ପଦୁଟିଏ କହିଲା ନାହିଁ।

ଅଦ୍ୟତନ ହୋଇଛି
bahanaga triple train tragedy who is responsible

bahanaga triple train tragedy who is responsible

Advertisment

‘ଲୌହଦାନବର ରକ୍ତ ଭୋଜି’; ପ୍ରାଥମିକ ପାଠ୍ୟ ପୁସ୍ତକରେ ରାମକୃଷ୍ଣ ନନ୍ଦଙ୍କ ଦ୍ୱାରା ଲିଖିତ ଏହି କାହାଣୀଟି ମଧ୍ୟପ୍ରଦେଶର ଏକ ରେଳ ଦୁର୍ଘଟଣା ଉପରେ ଆଧାରିତ। ‘ଶକୁନ୍ତଳା ଦେବୀ’ ନାଟକ ଦେଖିବାକୁ ରେଳ ଧାରଣାରେ କଳା ଅନ୍ଧାରରେ ଚାଲି ଚାଲି ଯିବାବେଳେ ୭ ଜଣଙ୍କ ଉପରେ ଚଢିଯାଇଥିଲା ଆଲୋକବିହୀନ ଏକ ରେଳ ଇଂଜିନ। ବର୍ତ୍ତିଯାଇଥିଲେ ୩ ଜଣ ଶିଶୁ ଶତ୍ରୁଘ୍ନ, ନିର୍ମଳ ଓ କୁନି ଛୁଆ ବବ୍ଲି। ରକ୍ତ ଜୁଡୁବୁଢୁ ଅବସ୍ଥାରେ କୁନିଛୁଆଟିକୁ କାନ୍ଧରେ ପକାଇ ଆଉ ନିର୍ମଳର ହାତ ଧରି ଶତ୍ରୁଘ୍ନ ପାଖ ଗାଁଆକୁ ଦୌଡିଯାଇ ଲୋକଙ୍କ କବାଟ ପିଟିଥିଲା। ରକ୍ତରେ ଭିଜିଯାଇଥିବା ତିନି ଶିଶୁଙ୍କୁ ଦେଖି ଗାଁଆ ଲୋକେ ଡରି ଛାନିଆ ହୋଇଯାଇଥିଲେ। ଶତ୍ରୁଘ୍ନର ଶରୀର ଭୟରେ ଥରୁଥିଲା; ଖନେଇ ଖନେଇ ସେଇ ଭୟଙ୍କର ଘଟଣା ବିଷୟରେ ଲୋକଙ୍କୁ କହିଲା। ଅଦମ୍ୟ ସାହସ ଦେଖାଇ ଦୁଇଛୁଆଙ୍କ ପ୍ରାଣରକ୍ଷା କରିଥିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଳକ ଶତ୍ରୁଘ୍ନକୁ ପୁରସ୍କୃତ କରିଥିଲେ। ମଧ୍ୟପ୍ରଦେଶର ଏହି ଗୋଟିଏ ପରିବାରର ଘଟଣା ଇତିହାସ, ଉପନ୍ୟାସ ଓ କବିତାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯାଇଛି। ହେଲେ ବାହାନଗାର ସେଇ ବିଭତ୍ସ ମୃତ୍ୟୁର ବିଭୀଷିକା....!

Advertisment

ଶୁକ୍ରବାର ସକାଳୁ ଶାଲିମାର୍‌ରୁ ଯାତ୍ରା ଅନୁକୂଳ କରିଥିବା କରମଣ୍ଡଳ ଏକ୍ସପ୍ରେସ୍‌ ହଜାର ହଜାର ଯାତ୍ରୀଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ନେଇ ଲକ୍ଷ୍ୟ ଅଭିମୁଖେ ଛୁଟିଥିଲା । ସଂଧ୍ୟାରେ ଓଡିଶା ପ୍ରଦେଶକୁ ପ୍ରବେଶ କରି ବାଲେଶ୍ୱରର ବାହାନଗା ଷ୍ଟେସନ୍‌ ଆଡକୁ ମାଡି ଯାଇଥିଲା । ହେଲେ କିଏ ବା ଜାଣିଥିଲା କାଳ ତା’ର କରାଳ ରୂପଧାରଣ କରି କରମଣ୍ଡଳକୁ ସେଇଠାରେ ଜଗିଛି ବୋଲି?

ନିଜର ଚିରାଚରିତ ଦ୍ରୁତ ବେଗରେ ଯାଇ ସିଧା ଲୁହାପଥର ବୁହା ମାଲବାହୀ ଟ୍ରେନ୍‌ ପଛରେ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳର ବଗି ସହିତ ପିଟି ହେଲା ଯାତ୍ରୀବାହୀ ଯସବନ୍ତପୁର-ହାୱଡା। ହଜାର ହଜାର ଯାତ୍ରୀଙ୍କ ହା… ହା… କାର, ସ୍ଥାନୀୟ ଲୋକଙ୍କ ହୋହଲ୍ଲାରେ ପ୍ରକମ୍ପିତ ସମଗ୍ର ଅଂଚଳ ସାରା ଦୁନିଆକୁ ସ୍ତବ୍ଧ କରିଦେଲା ।

Advertisment

ଦୁଇଟି ଯାତ୍ରୀବାହୀ ଓ ଗୋଟିଏ ମାଲବାହୀ, ଏକାବେଳକେ ୩ଟି ଟ୍ରେନ୍‌ ପିଲାଙ୍କ ଖେଳଣା ଗାଡି ଭଳି ଖଣ୍ଡ ବିଖଣ୍ଡ ହୋଇ ଏଣେ ତେଣେ ବିଛେଇ ହୋଇଗଲା । ରାଜ୍ୟ ସରକାରଙ୍କ ମୁତାବକ ଘଟଣାରେ ୨୯୦ ଜଣ ପ୍ରାଣ ହରାଇଲେ (ଘଟଣାର ୨ ସପ୍ତାହ ମଧ୍ୟରେ)। ଶତାଧିକ ନିରୁଦ୍ଦିଷ୍ଟ ଥିବାବେଳେ ଶହସ୍ରାଧିକ ଯାତ୍ରୀ ଗୁରୁତର ଭାବରେ ଆହତ ହେଲେ।

ଜୁନ ୨ ତାରିଖ ଶୁକ୍ରବାରର ସେହି କଳା ସନ୍ଧ୍ୟା କାଳ କାଳ ପାଇଁ ଇତିହାସରେ ରହିଗଲା:

ଏକ କଳା ଅଧ୍ୟାୟ; ‘ଲୌହଦାନବର ରକ୍ତ ଭୋଜି’ ଠାରୁ ବଳି ବିଭତ୍ସ, ଭୟାନକ ଓ ନିର୍ବାକ ଘଟଣା। କେହି ମାଆ-ବାପା, ପୁଅ-ଝିଅ, ପତି-ପତ୍ନୀ ଠାରୁ ଷ୍ଟେସନ ଛାଡିବାବେଳେ ହାତ ହଲାଇ ବିଦାୟ ନେଇ ଯାତ୍ରା ଆରମ୍ଭ କରିଥିବେ; ହାତଯୋଡି ଶୁଭ ଯାତ୍ରା ପାଇଁ ଠାକୁରଙ୍କୁ କେହି ମଙ୍ଗଳ କାମନା କରିଥିବେ।

Advertisment

ଆଉ କେହି ପରିବାରର ପେଟ ପୋଷିବାକୁ, ପିଲାଙ୍କ ଭବିଷ୍ୟତର ସୁନେଲି ସ୍ୱପ୍ନ ସଜାଡିବାକୁ ବିଦେଶରେ ମଜୁରି ଲାଗିବାକୁ ରେଳରେ ଚଢିଥିବେ। ହେଲେ କିଏ ଜାଣିଥିଲା ଏହି ଯାତ୍ରା ତାଙ୍କ ଅଧାରାସ୍ତାରେ ହିଁ ଜୀବନର ଶେଷ ଯାତ୍ରା ହେବ? କିଏ ଜାଣିଥିଲା ସେଦିନ ‘କରମଣ୍ଡଳ’ ରକ୍ତପୀପାଶୁ ଲୌହଦାନବର ରୂପଧାରଣ କରିଛି ବୋଲି? ମାତ୍ର ଗୋଟିଏ କ୍ଷଣ! କେହି ଜାଣିବା, ଶୁଣିବା, ବୁଝିବା ପୂର୍ବରୁ ସୁନାମି ଭଳି ସବୁ ଛିନ୍‌ଛତ୍ର ହୋଇଯାଇଥିଲା! ରକ୍ତ ମାଂସ ଶରୀରର ମଣିଷମାନେ ଲୌହଦାନବର ପ୍ରହାରରେ ସବୁ ଖିନ୍‌ଭିନ୍ ହୋଇଗଲା ।

ଉତ୍ତରଦାୟୀ କିଏ:

ବାହାନଗାର ଭୟାବହ ଦୁର୍ଘଟଣା ଘଟିବାର ତୁରନ୍ତ ପରେ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇକୁ ଦିଆଯାଇଛି। ଘଟଣା ପଛରେ ଅନ୍ତର୍ଘାତୀ କାର୍ଯ୍ୟକଳାପର ଆଶଙ୍କା ରଖି ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜଣାଇଥିଲେ ଯେ, ପ୍ରକୃତ ଦୋଷୀ ଚିହ୍ନଟ ହୋଇଛି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋଷୀକୁ ଅତି କଠୋର ଦଣ୍ଡ ଦିଆଯିବ ବୋଲି କହିଥିଲେ । ବିରୋଧୀ କିନ୍ତୁ ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଲଗାତର ଟାର୍ଗେଟ୍‌ କରିବା ସହିତ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ସିବିଆଇ ତଦନ୍ତକୁ ନେଇ କଂଗ୍ରେସ ପ୍ରଯତ୍ନ କରିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ୭ଟି ପ୍ରଶ୍ନ କରିଛନ୍ତି ଯେ ୨୦୧୮-୧୯ ରେ ୯୬୦୭ କୋଟି ହୋଇଥିବା ନୂଆ ଟ୍ରାକ୍‌ର ମରାମତି ଏବଂ ସ୍ଥାପନ ପାଇଁ ବଜେଟ୍‌ କାହିଁକି ୨୦୧୯-୨୦ରେ ୭୪୧୭ କୋଟିକୁ ହ୍ରାସ ପାଇଛି? ସିବିଆଇ ଏହାର ତଦନ୍ତ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ପ୍ରଶ୍ନ କରିଛନ୍ତି, ସିବିଆଇ ଜଣାଇବ କି, ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ୨୦୧୭ ରୁ ୨୧ ମଧ୍ୟରେ ଟ୍ରେନ୍‌ ଚଳାଚଳ ଯୋଗୁଁ ୧୦ଟି ଦୁର୍ଘଟଣା ମଧ୍ୟରୁ ପ୍ରାୟ ୭ଟି ଟ୍ରେନ୍‌ ଲାଇନ୍‌ଚ୍ୟୁତ ଦୁର୍ଘଟଣା ଘଟିଛି। ଏହା ପରେ ମଧ୍ୟ, ପୂର୍ବତଟ ରେଳବାଇରେ ସୁରକ୍ଷା ପାଇଁ ଟ୍ରାକ୍‌ ରକ୍ଷଣାବେକ୍ଷଣର ଯାଞ୍ଚ କାହିଁକି କରାଯାଇ ନାହିଁ?

କଂଗ୍ରେସ ମୁଖପାତ୍ର ପ୍ରଶ୍ନ କରିଛନ୍ତି, ଜାତୀୟ ରେଳ ସୁରକ୍ଷା ପାଣ୍ଠିର ଅର୍ଥ କାହିଁକି ୭୯% ହ୍ରାସ କରାଯାଇଛି ବୋଲି ସିବିଆଇ ଅବଗତ ଅଛି କି? କେନ୍ଦ୍ରରେ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଜାତୀୟ ରେଳ ସୁରକ୍ଷା ପାଣ୍ଠିକୁ ବାର୍ଷିକ ୨୦,୦୦୦ କୋଟି ଟଙ୍କା କାହିଁକି ବଜେଟ୍‌ ଆବଣ୍ଟନ କରାଯାଇ ନାହିଁ ବୋଲି ସିବିଆଇ ଜାଣିବ କି? ରେଳବାଇରେ ୩ ଲକ୍ଷରୁ ଅଧିକ ପଦବୀ କାହିଁକି ଖାଲି ଅଛି? ସିବିଆଇ ଜାଣିବ କାହିଁକି ଲୋକୋପାଇଲଟ୍‌କୁ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରାଯାଉଛି ବୋଲି କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ପ୍ରଶ୍ନ କରିଛନ୍ତି।

ଦାବିବିହୀନ ବିଜେଡି:

ଓଡିଶାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଥିବା ସାମ୍ନାକୁ ଆସିଛି। ଘଟଣା ପରେ ଦୁଇ ଦୁଇ ଥର ଓଡିଶା ଆସି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଏବଂ ରେଳ ବ୍ୟବସ୍ଥାକୁ ନେଇ ଘେରିଲେ। ସିପିଆଇ, ସିପିଏମ୍, ସିପିଆଇ(ଏମ୍ଏଲ୍) ସମେତ ବାମପନ୍ଥୀ ଦଳଗୁଡିକ ଏକାଠି ହେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଧାରଣା ଦେଲେ।

କଂଗ୍ରେସ ଏବଂ ଆମ୍ ଆଦ୍‌ମୀ ପାର୍ଟି ବାରମ୍ବାର ରେଳ ଦୁର୍ଘଟଣାକୁ ନେଇ ସରକାରୀ ବ୍ୟବସ୍ଥା ଓ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କଲେ । ବନ୍ଦେ ଭାରତ ଏକ୍ସପ୍ରେସ୍‌ ଓ ବୁଲେଟ୍‌ ଟ୍ରେନ୍‌ ବିଷୟରେ ବିରୋଧୀ ତାତ୍ସଲ୍ୟ କଲେ। ତେବେ ଓଡିଶାରେ ଘଟିଥିବା ଏଭଳି ଭୟଙ୍କର ଟ୍ରିପଲ ଟ୍ରେନ୍‌ ଟ୍ରାଜେଡିରେ ରାଜ୍ୟ ଶାସନାଧୀନ ବିଜେଡି କେନ୍ଦ୍ରର ରେଳ ବ୍ୟବସ୍ଥା କିମ୍ବା ବିଜେପି ସରକାର ବିଷୟରେ ପଦୁଟିଏ କହିଲା ନାହିଁ।

ଏପରି କି ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀଦଳ ହୋଇଥିଲେ ମଧ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ବିରୋଧୀ ମନ୍ତବ୍ୟ ଦେଇ ନଥିଲେ। ତେବେ ରାଜ୍ୟ ସରକାରଙ୍କ ତ୍ୱରିତ ଉଦ୍ଧାର କାର୍ଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ଅବର୍ଣ୍ଣନୀୟ ସହାୟତା ପାଇଁ ଦେଶ ବିଦେଶରେ ପ୍ରଶଂସା ଲାଭ ପାଇଛି।

ବାହାନଗା ପରେ ଯାଜପୁର, ବ୍ୟବସ୍ଥା ଉପରେ ପ୍ରଶ୍ନ:

ବାଲେଶ୍ୱର ବାହାନଗାର ସେହି ଭୟଙ୍କର ଦୁର୍ଘଟଣାର ବିଭୀଷିକାର ସପ୍ତାହକ ମଧ୍ୟରେ ଜୁନ ୭ ତାରିଖ ଅପରାହ୍ନରେ ଯାଜପୁର ଜିଲ୍ଲାରେ ଘଟିଥିଲା ଆଉ ଏକ ଛାତିଥରା ଦୁର୍ଘଟଣା, ଯେଉଁଥିରେ ୬ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଯାଜପୁରରୋଡ୍‌ ଷ୍ଟେସନର ଚୂନଭାଟି ଠାରେ ମାସ ମାସ ଧରି ଠିଆହୋଇଥିବା ଏକ ଅବ୍ୟବହୃତ ମାଲବାହୀ ତଳେ କିଛିକ୍ଷଣ ଆଶ୍ରୟ ନେଇଥିବା ୮ଜଣ ଶ୍ରମିକଙ୍କ ମଧ୍ୟରୁ ୬ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଲେ।

୩୨ଟି ବଗିରୁ ସେଦିନ ହଠାତ କିଛି ବଗି ଅଲଗା ହୋଇ ଗଡିଯାଇଥିଲା। କାଳବୈଶାଖୀରୁ ବର୍ତ୍ତିବା ପାଇଁ ଆଶ୍ରୟ ନେଇଥିବା ଶ୍ରମିକମାନେ ରେଳ ଚକା ତଳେ ପେଶି ହୋଇ ଯାଇଥିଲେ। ଏହାକୁ ନେଇ ମଧ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟିହୋଇଛି।

ମାସ ମାସ ଧରି ଅଦରକାରୀ ବଗିଗୁଡିକ ଧାରଣା ଉପରେ ଅଯଥା ରଖାଯାଇଥିଲା କାହିଁକି? ଯଦି ବାହାନଗା ଘଟଣାରେ ଇଲେକ୍ଟ୍ରୋନିକ୍ସ ଇଂଟରଲକିଂ ସିଷ୍ଟମ୍‌ରେ ଟ୍ୟାମ୍ପରିଂ ହୋଇଥିବା କାରଣରୁ ଏତେବଡ ଦୁର୍ଘଟଣା ଘଟିଗଲା ବୋଲି ମନ୍ତ୍ରୀ କହୁଛନ୍ତି, ତେବେ ଯାଜପୁରରୋଡ;ରେ ନିରୀହ ୬ ଶ୍ରମିକଙ୍କ ଜୀବନ ଚାଲିଯିବା ପାଇଁ କାହାକୁ ଦାୟୀ କରାଯିବ?

ବାହାନଗା ଭଳି ଦେଶ ଦୁନିଆକୁ ଥରହର କରିଦେଇଥିବା ଭୟଙ୍କର ଦୁର୍ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ଏଥିପାଇଁ ସରକାର ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ଉପରେ ଚିନ୍ତାଶୀଳ ହେବେ କି? ଚକାଚକ୍, ସୌଖିନ ବିଳାଶପୂର୍ଣ୍ଣ ଠାରୁ ଅଧିକ ସୁରକ୍ଷିତ ରେଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯିବ କି?

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Train Accident Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ