• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pabitra Mohan Kar

ପ୍ରତିଥର ଅସୁମାରି ଆଶା, ଉଲ୍ଲାସ ଓ ସମ୍ଭାବନା ଧରି ଧରାବତରଣ କରେ ନୂଆବର୍ଷ। ଜାତି, ଯୋଗ୍ୟତା ଓ ଜାତୀୟତା ନିର୍ବିଶେଷରେ ବିଶ୍ୱବାସୀଗଣ ନବାଗତ ବର୍ଷଟିକୁ ନେଇ ଉତ୍ସାହିତ ହୋଇଥାନ୍ତି। ପାଖାପାଖି ଦୁଇବର୍ଷ କାଳ କରୋନା କବଳିତ ହୋଇ ମଧ୍ୟ ପୃଥିବୀର ପ୍ରତ୍ୟେକ ଦେଶର ସରକାର, ନାଗରିକ ଓ ବୁଦ୍ଧିଜୀବୀମାନେ ଚଳିତ ଜାନୁଆରି ପହିଲା ଦିନ ପ୍ରଗତି ଓ ସଫଳତାର ସ୍ୱପ୍ନ ଦେଖିଛନ୍ତି ଓ ଦେଖେଇଛନ୍ତି ମଧ୍ୟ।

ଏହି ସମୟରେ ସାରା ପୃଥିବୀର ଶିକ୍ଷା, ଶିଳ୍ପ, ନିୟୋଜନ ଓ ଉତ୍ପାଦନ ଏକ ରକମ ଅଟକି ଯାଇଥିବା ବେଳେ ଗଣମାଧ୍ୟମରେ ଶିରୋନାମା ସାଜିଥିବା ସରକାରୀ ବାହାସ୍ଫୋଟମାନ, ଅକ୍ଷୟ ମହାନ୍ତିଙ୍କ ଗୀତ ପରି ପବନରେ ମିଳେଇ ଯାଇଛି। ଅଠର ଦିନର ମହାଭାରତ ପରି ଏକୋଇଶ ଦିନର କରୋନା ଯୁଦ୍ଧ, ତାଳି ଓ ଥାଳିମାଡ, ଡାକ୍ତର ଓ ଡାକ୍ତରଖାନା ଉପରେ ପୁଷ୍ପବୃଷ୍ଟି ପରି ଲୋକଦେଖାଣିଆ ଓ ବିଜ୍ଞାପନଧର୍ମୀ ପଦକ୍ଷେପ ଦ୍ଵାରା ସରକାର ଏକ ଜାତୀୟ ସଂକଟକୁ ଆଳକରି ପତିଆରା ପ୍ରଦର୍ଶନ କରିବାର ନିର୍ଲଜ ପ୍ରତିଯୋଗିତାରେ ମାତିଲେ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ କରୋନା ସଂକ୍ରମଣକୁ ହେୟଜ୍ଞାନ କଲାବେଳେ ଭାରତର ପ୍ରଧାନମନ୍ତ୍ରୀ ବିଶାଳ ନିର୍ବାଚନ ସଭାରେ ଭାଷଣ ଦେଇ ଆନନ୍ଦିତ ହୋଇଥିଲେ।

ଇତିମଧ୍ୟରେ ସମଗ୍ର ବିଶ୍ଵ କରୋନା ସହ ଦୀର୍ଘ ସହାବସ୍ଥାନ ନିମନ୍ତେ ସାଲିସ୍ କରିସାରିଲାଣି । ଭାରତ ଟିକାଦାନରେ ରେକର୍ଡ କରି ବୁଷ୍ଟର୍‌ ଡୋଜ୍‌ ପ୍ରଦାନ ନିମନ୍ତେ ଆୟୋଜନ କରୁଛ। ଅଠର ବର୍ଷରୁ କମ ବୟସର ପିଲାମାନଙ୍କ ଟିକାକରଣର ଶୁଭାରମ୍ଭ ହେଇ ସାରିଲାଣି। ଏ ସବୁ ପ୍ରତିରକ୍ଷା ବ୍ୟବସ୍ଥା ସହ ତାଳଦେଇ କରୋନା ବି ନିଜ ସ୍ୱରୂପ ବଦଳେଇ ଚାଲିଛି ।

ସଦ୍ୟତମ ପ୍ରକରଣ ଓମିକ୍ରନ୍‌ ଏବେ ବିଶ୍ଵ ପାଇଁ ଚିନ୍ତାର କାର। ଏଥି ସହିତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ଭୟ ଓ ପ୍ରଭାବ ଜନସାଧାରଣଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ। ଏଭଳି ପରିସ୍ଥିତିରେ ଯେ କୌଣସି ଦେଶର ସରକାରଙ୍କ ଭୂମିକା ଓ ତତ୍ପରତା ସର୍ବାଗ୍ରେ ଓ ସର୍ବାଦୌ ଗୁରୁତ୍ଵପୂର୍ଣ୍ଣ।

ନୂଆବର୍ଷରେ ବୟସ ଓ ବୃତ୍ତି ନିର୍ବିଶେଷରେ ଅନେକ ବ୍ୟକ୍ତି ତମାଖୁ ସେବନ ବର୍ଜନ, ସମୟ ଓ ଅର୍ଥର ସୁବିନିଯୋଗ ଭଳି ଅନେକ ସଂକଳ୍ପ କରିଥାନ୍ତି। ସେହିଭଳି ବ୍ୟକ୍ତିଗତ ସଂକଳ୍ପଗୁଡିକର ଆୟୁଷ ଆକଳନ ଭିନ୍ନ ପ୍ରସଙ୍ଗ। ଏବେ ନୂଆବର୍ଷ ଅବସରରେ ସରକାରଙ୍କ ସଂକଳ୍ପ ସମ୍ବନ୍ଧରେ ଆଲୋକପାତ କରାଯାଉ। ନିର୍ବାଚନ ସମୟରେ ଭୋଟର୍‌ମାନଙ୍କର ଏକାନ୍ତ ଆପଣାର ଭଳି ଅଭିନୟ କଲା ପରି ଗୋଟେ ଦେଶର ସ୍ୱାତନ୍ତ୍ର୍ୟ, ଐତିହ୍ୟ ଓ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସହ ସଂକଟ ସମୟରେ ଜନସାଧାରଣଙ୍କର ସହାୟତା କରିବା ମଧ୍ୟ ସରକାରର କର୍ତ୍ତବ୍ୟ ଓ ଦାୟିତ୍ଵ ବୋଲି କ୍ଷମତାସୀନ ଦଳ ମନେରଖିବା ଦରକାର। ଦୈନନ୍ଦିନ କାର୍ଯ୍ୟାବଳି ପାଇଁ ଶ୍ରେୟ ବା କ୍ରେଡିଟ୍‌ ଦାବି କରିବା କେବଳ ଅଶୋଭନୀୟ ନୁହେଁ, ହାସ୍ୟାସ୍ପଦ ମଧ୍ୟ।

ସାଧାରଣ ଜନତାଙ୍କ ପାଇଁ ଯେଉଁସବୁ ସରକାରୀ ବିଫଳତା କାରଣରୁ ତତ୍କାଳିନ ୟୂପିଏ ସରକାରର ଆପାରଗତାକୁ ପ୍ରଚାର କରି ଏନ୍‌ଡିଏ ନିର୍ବାଚନ ଜିତିଥିଲା, ସେଥିରେ ବିଦେଶରେ ଥିବା କଳାଟଙ୍କା ଫେରେଇ ଆଣିବା, ପେଟ୍ରୋଲ୍‌ ଡିଜେଲ୍‌ର ଦର ହ୍ରାସ କରିବା, ବର୍ଷକୁ ଦୁଇ କୋଟି ନିଯୁକ୍ତି ସୃଷ୍ଟି କରିବା, କୃଷକମାନଙ୍କ ଆୟ ଦୁଇଗୁଣା ହେବା, ଆୟକର ହ୍ରାସ କରିବା ଭଳି ଶ୍ରୁତିମଧୁର ଓ ଲୋଭନୀୟ ପ୍ରସ୍ତାବମାନ ଥିଲା। 'ଅଚ୍ଛେ ଦିନ୍‌' ସ୍ଲୋଗାନ୍‌ର ଅର୍ଥ ଜଣେ ସାଧାରଣ ଶ୍ରମଜୀବୀ ନାଗରିକ ପାଇଁ ଏହିସବୁ ଘୋଷଣାରେ ସମାହିତ ଥିଲ।

ବିଡମ୍ବନା ହେଉଛି ଏଭଳି ଦମ୍ଭୋକ୍ତି କରିଥିବା ଦଳର ଏବେ ଦ୍ଵିତୀୟ ପାଳି। ଅଥଚ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ ଶହେ ଉପର। ଖାଇବା ତେଲ ରେଟ୍‌ ଆକାଶଛୁଆ। ସ୍ୱିସ୍‌ ବ୍ୟାଙ୍କ୍‌ରେ ଭାରତୀୟମାନଙ୍କ ଜମା ଅର୍ଥରେ ଗଲା ୨୦୨୦ ମସିହାରେ ବିଗତ ୧୩ ବର୍ଷର ରେକର୍ଡ ବୃଦ୍ଧି ଘଟିଛି। ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସରକାରୀ ତଥ୍ୟ ଅନୁସାରେ ବେକାରୀ ହାର ୪୫ ବର୍ଷର ରେକର୍ଡ଼ ଭାଙ୍ଗିଛି। ଯଦିଓ ପକୁଡି ବିକ୍ରିକୁ ସରକାର ସ୍ୱୀକୃତ ରୋଜଗାର ପନ୍ଥା ବୋଲି ଯୁକ୍ତି କରାଯାଇଥିଲା। କୃଷି ଓ କୃଷକମାନଙ୍କ କଥା କାହାକୁ ବା ଅଜଣା।

ବର୍ଷେ କାଳ ଖରା, ବର୍ଷା, ଶୀତ, କାକରରେ ବସି ହଜାର ହଜାର ସଂଖ୍ୟାରେ କୃଷକମାନେ ଅକଳ୍ପନୀୟ ସଂଯମତା ଓ ଶାନ୍ତି ବଜାୟ ରଖି ଯେଉଁ ଅହିଂସ ଆନ୍ଦୋଳନ କଲେ ସେଥିରେ ସାରା ବିଶ୍ଵ ଚକିତ ହୋଇଗଲା। ଅଥଚ ଆମ ନିଜ ସରକାର ସେମାନଙ୍କ ପ୍ରତି ଅକଥନୀୟ ଆଚରଣ ପ୍ରଦର୍ଶନ କଲେ। ଅନ୍ନଦାତାମାନଙ୍କୁ ଆତଙ୍କବାଦୀ, ଆନ୍ଦୋଳନଜୀବୀ ବୋଲି ଆଖ୍ୟାୟିତ କଲେ। ଏଭଳି ଆଭିମୁଖ୍ୟ ଓ ଆଚରଣ କଦାପି ଏକ ନିର୍ବାଚିତ ସରକାରର ସଂକଳ୍ପ ହୋଇ ନ ପାରେ। ଅବଶ୍ୟ ପ୍ରଧାନମନ୍ତ୍ରୀ ସ୍ଵୟଂ ବିବାଦିତ କୃଷି ଆଇନକୁ ପ୍ରତ୍ୟାହାର କରିବେ ବୋଲି ଘୋଷଣା କଲେ।

Article by Pabitra Mohan Karଆନ୍ଦୋଳନ ଅବସରରେ କୃଷକ

କରୋନାର ମୁକାବିଲା ପାଇଁ ଭାରତୀୟଙ୍କ ଟିକାକରଣ କାର୍ଯ୍ୟ ଏକ ବିଶାଳ ଆହ୍ୱାନ। ଏହିଭଳି ଜାତୀୟ ବିପତ୍ତିର ମୁକାବିଲା ସରକାରଙ୍କ ଦୟା ନୁହେଁ, ଦାୟିତ୍ଵ। ରେଡିଓ, ଟିଭି, ଖବରକାଗଜ ସହିତ ମୋବାଇଲ ରିଂ ଟୋନ୍‌ ଓ ପେଟ୍ରୋଲ୍‌ ପମ୍ପ୍‌ଗୁଡିକରେ ସରକାରୀ ଅର୍ଥରେ ବିଜ୍ଞାପନ ଦ୍ଵାରା "ମାଗଣା ଟିକା" ପାଇଁ ସରକାର ନିଜେ ନିଜକୁ ଧନ୍ୟବାଦ ଦେଲେ। ଭାରତରେ ପୂର୍ବରୁ ଯେଉଁ ବସନ୍ତ, ମିଳିମିଳା, ଯକ୍ଷ୍ମା, ପୋଲିଓ ପ୍ରତିଷେଧକ ଦିଆଯାଇଥିଲା ସେସବୁ ପାଇଁ ଜନତା କ’ଣ ପଇସା ଦେଉଥିଲେ? ଏଭଳି ପ୍ରଚାର ସର୍ବସ୍ଵ ମାନସିକତା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିପାରେ।

ସଂଯୋଗବଶତଃ ଚଳିତବର୍ଷ ଭାରତୀୟ ସ୍ଵାଧୀନତା ପ୍ରାପ୍ତିର ପ୍ଲାଟିନମ୍‌ ଜୁବିଲି ପାଳନ ହେଉଛି। ସରକାର "ଆଜାଦି କା ଅମୃତ ମହୋତ୍ସବ" ଶୀର୍ଷକରେ ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଏଥିପାଇଁ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଛବି ସମ୍ବଳିତ ଏକ ସ୍ମାରକୀ ପୋଷ୍ଟର୍‌ ମଧ୍ୟ ପ୍ରକାଶ କରିଛନ୍ତ। ବିଡମ୍ବନା ହେଲା, ସେଥିରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଛବି ନାହିଁ। ସ୍ଵାଧୀନତା ସଂଗ୍ରାମ ସମୟରେ ନେହେରୁ ପାଖାପାଖି ଦଶ ବର୍ଷ କାଳ ଜେଲ୍‌ର ଥିଲେ।

ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବିଜ୍ଞାନ ଓ କୃଷିକ୍ଷେତ୍ରରେ ଦୀର୍ଘସୂତ୍ରୀ ବିକାଶ ପାଇଁ ବୈପ୍ଳବିକ ପଦକ୍ଷେପମାନ ନେଇଥିଲେ ନେହେରୁ। 'ଶିଳ୍ପକୁ ଆଧୁନିକ ଭାରତର ମନ୍ଦିର' ବୋଲି କହୁଥିଲେ। ‘ଆଜାଦି କା ଅମୃତ ମହୋତ୍ସବ’ ପୋଷ୍ଟର୍‌ରେ ତାଙ୍କ ଛବି ନ ରହିବା ଦୁର୍ଭାଗ୍ୟଜନକ ନୁହେଁ କି? ଏଭଳି କୃତଜ୍ଞତା କାର୍ପଣ୍ୟ କ’ଣ ବିଶ୍ଵର ବୃହତ୍ତମ ଗାଣତାନ୍ତ୍ରିକ ସରକାରର ସଂକଳ୍ପ ହେଇପାରେ?

୧୯୭୧ ମସିହା ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ସ୍ଵାଧୀନ ବାଂଲାଦେଶ ଗଠନରେ ଭାରତର ଭୂମିକା, ସାମର୍ଥ୍ୟ ଓ କୁଟନୀତି ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିଥିଲା। ଏପରିକି ଆମେରିକାର ଅହଂକାରୀ ଆଭିମୁଖ୍ୟର କଡା ମୁକାବିଲା କରି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବିଶ୍ଵଶାନ୍ତି ଓ ମାନବାଧିକାରର ସୁରକ୍ଷା ନିମନ୍ତେ ଭାରତର ବେସାଲିସ ସଂକଳ୍ପକୁ ସ୍ପଷ୍ଟ କରିଥିଲେ।

ନିକଟରେ ୧୯୭୧ ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆମ ସରକାର ଅନେକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଯେଉଁ ଇନ୍ଦିରା ଗାନ୍ଧୀଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ବାଜପାୟୀ 'ଦୁର୍ଗା' ବୋଲି ବର୍ଣ୍ଣନା କରିଥିଲେ, ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ତାଙ୍କ ନାଁ ମଧ୍ୟ ଉଚ୍ଚାରଣ କରାଯାଇ ନ ଥିଲା। ଦେଶର ଉପଲବ୍ଧିକୁ ସ୍ଫଟିକ ପରି ପ୍ରତିପାଦିତ କରିଥିବା ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏହି ଅବସରରେ ସଶ୍ରଦ୍ଧ ସ୍ମରଣ କରିବାରେ କାର୍ପଣ୍ୟତା କ’ଣ ଦୁର୍ଭାଗ୍ୟଜନକ ନୁହେଁ ?

ଆନ୍ତର୍ଜାତିକ ବଜାରରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଅତୀତରେ ଅର୍ଥନୀତିଜ୍ଞ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତୀବ୍ର ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ଅଥଚ ଏବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଉଦ୍‌ବେଗଜନ। ପ୍ରଧାନମନ୍ତ୍ରୀ ନିଜେ ନିଜକୁ ଚୌକିଦାର ବୋଲି ଦାବି କରୁଥିଲା ବେଳେ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକ୍ସି ବଡ଼ ଧରଣର ବ୍ୟାଙ୍କ୍‌ ଠକେଇ କରି ଦେଶରୁ ଲୁଚି ପଳେଇଲେ।

ଚୀନ ସହ ସୀମା ବିବାଦ ଅବଶ୍ୟ ଦୀର୍ଘଦିନର। ଚୀନ୍‌ ରାଷ୍ଟ୍ରପତି ସି ଜୀନ୍ ପିଙ୍ଗ୍‌ଙ୍କ ସହ ଆମର ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସଂପର୍କ ଅତ୍ୟନ୍ତ ଅନ୍ତରଙ୍ଗ ଓ ସଫଳ ଥିବା ବେଳେ ଗଲୱନ ଘଟଣାରେ ଭାରତୀୟ ସୈନ୍ୟମାନେ ମୃତାହତ ହେଲେ। ତଥାପି ସରକାର କହିଲେ ଯେ ଭାରତୀୟ ସୀମାରେ କୌଣସି ଅନୁପ୍ରବେଶ ହୋଇନାହିଁ। ଏବେ ଗଲ୍‌ୱନ୍‌ରେ ଚୀନ ପତାକା ଉଡାଇଛି ବୋଲି ସୂଚନା ମିଳୁଛି। ଅରୁଣାଚଳ ସୀମାରେ ଚୀନର ଅନୁପ୍ରବେଶଜନିତ ଉତ୍ତେଜନା ଏବେ ଚିନ୍ତାର ବିଷୟ।

ଦେଶର ସୀମାରେ ଉତ୍ତେଜନା। ଦେଶ ଭିତରେ ଅସ୍ଥିରତା। ଭାବପ୍ରବଣ ପ୍ରସଙ୍ଗରେ ଦେଶ ଭିତରେ ଉତ୍ତେଜନା ସୃଷ୍ଟିକାରୀ ଗୋଷ୍ଠୀମାନେ ମୁଣ୍ଡ ଟେକୁଛନ୍ତି। ସରକାରରେ ଥିବା ମନ୍ତ୍ରୀ ମଧ୍ୟ 'ଗୋଲି ମାରୋ' ଭଳି ଉତ୍ତେଜକ ଭାଷଣ ଦେଉଛନ୍ତି। ସଂସଦରେ ସଂଖ୍ୟାଗରିଷ୍ଠତାର ଅହଙ୍କାର ସ୍ପଷ୍ଟ ପ୍ରତୀୟମାନ।

ପ୍ରତ୍ୟେକ ସଫଳ ଉପଲବ୍ଧି ନିମନ୍ତେ ସକଳ ଶ୍ରେୟ ନେବାକୁ ସରକାର ବ୍ୟାକୁଳ। ପ୍ରତ୍ୟେକ ଅସଫଳତା ପାଇଁ ଗାନ୍ଧୀ ଓ ନେହେରୁଙ୍କୁ (ସେମାନଙ୍କ ମୃତ୍ୟୁର ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ଵ କାଳ ପରେ ବି) ଦାୟୀ କରିବା ଏକ ସରକାରୀ ବିକୃତି ପରି ମନେହୁଏ। କ୍ରିକେଟ୍‌ ହେଉ କି କର୍ପୋରେଟ୍‌ ହାଉସ୍‌, କେଉଁଠି ବି ପୂର୍ବ ଅଧିନାୟକ କିମ୍ବା ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ କାଠଗଡ଼ାକୁ ଟଣାଯାଏ ନାହିଁ। ଏହା ଏକ ବିଫଳ ନେତୃତ୍ଵର ଲକ୍ଷଣ ବୋଲି ମନେହୁଏ।

ଦେଶ, ରାଜ୍ୟ, ଏପରିକି ପଞ୍ଚାୟତ ନିର୍ବାଚନରେ ବି ଜିତିବା ପାଇଁ ରାତିଦିନ ଏକ କରିଦେଉଥିବା ସରକାର ଏସବୁ ପ୍ରସଙ୍ଗରେ ତୁରନ୍ତ ଜାତୀୟ ସ୍ଵାର୍ଥ ଅନୁକୂଳ ସଂକଳ୍ପ ନେବେ ବୋଲି ବିଶ୍ଵାସ। ଦେଶର ଏକତା ଓ ଅଖଣ୍ଡତା ମଜବୁତ କରିବା ସହ ସମ୍ବିଧାନର ସୁରକ୍ଷା ଦାୟିତ୍ୱ ସରକାରଙ୍କ ପ୍ରାଥମିକ ସଂକଳ୍ପ ହେବା ଉଚିତ।

ଭୁବନେଶ୍ୱର, ଦୂରଭାଷ: ୯୪୩୭୦୬୬୦୯୯