Advertisment

ଏହି ୮ଟି ଉପାୟ ଆପଣଙ୍କ ଏକାଗ୍ରତା ବଢ଼ାଇବ

ଆପଣ ଯଦି ବଡ଼ ହୋଇସାରିଛନ୍ତି କି? ଆଉ ଏକାଗ୍ର ହେବାକୁ ଚାହୁଁଛନ୍ତି, କିନ୍ତୁ ପାଉ ନାହାଁନ୍ତି ବାଟ। ତେବେ ନିମ୍ନରେ ଦିଆଯାଇଥିବା କେତୋଟି ସହଜ ଉପାୟକୁ ଆପଣେଇ ନିଅନ୍ତୁ, ହେଇଯିବ ସବୁ ସମାଧାନ।

ଅଦ୍ୟତନ ହୋଇଛି
8 Tips to increse concentration

8 Tips to increse concentration

Advertisment

ସୁମନ ହାଇଦ୍ରାବାଦରେ ଚାକିରି କରେ। ଘଡ଼ିଏ ବି ଗୋଟିଏ ଜାଗାରେ ବସିରହିବା ତା’ ପାଇଁ ବଡ଼ କଷ୍ଟକର। ତା’ ଜୀବନରେ କେବେ ବି ଥରେ ସେ ଗୋଟିଏ କାମକୁ ଏକା ଥରକରେ ସାରିନି। ଅଫିସ୍‌ରେ ବାଧ୍ୟବାଧକତାରେ ସିନା ଗୋଟିଏ ଜାଗାରେ ବସି ରହିବାକୁ ହେଉଥିଲା, ଏବେ କିନ୍ତୁ ଘରୁ କାମକରିବା ପରେ ସବୁ କିଛି ବିଗିଡ଼ି ଯାଇଛି। ସେ ଏବେ ନିଜର ଏକାଗ୍ରତା ବଢ଼ାଇବାକୁ ଚାହୁଁଛି। ତେଣୁ ଗତ ଛୁଟିରେ ଘରକୁ ଓଡ଼ିଶା ଆସିଥିବା ବେଳେ ସେ ମୋ ପାଖକୁ କାଉନ୍‌ସିଲିଂ ପାଇଁ ଆସିଥିଲ। ମୁଁ ତାକୁ ଏକାଗ୍ର ହେବାର ବାଟ ବତେଇବା ଆଗରୁ ତା’ ପିଲାଦିନ ବିଷୟରେ ଓ ଆମେ ବଡ଼ମାନେ ଏକାଗ୍ର କାହିଁକି ହୋଇପାରନ୍ତିନି ସେ ବିଷୟରେ କଥା ହେଇଥିଲି।

Advertisment

ଏକାଗ୍ରତା ନ ରହିବା ପଛରେ ପ୍ରକୃତରେ ଆମ ପିଲାଦିନର ଅନେକ ପରିସ୍ଥିତି ଦାୟୀ। ଏଇ ଯେମିତି ବିଦ୍ୟାଳୟରେ ୪୫ ମିନିଟିଆ ଶ୍ରେଣୀ ଶିକ୍ଷା ବ୍ୟବସ୍ଥା। କ୍ଲାସ୍ ଆରମ୍ଭ ହୋଇ ଉପସ୍ଥାନ ପଡ଼ିସାରିଲା ବେଳକୁ ପାଞ୍ଚ ସାତ ମିନିଟ୍ ଯାଇ ସାରିଥାଏ। ତାପର ୧୫ ମିନିଟ୍ ଘରକୁ ଦିଆଯାଇଥିବା ପାଠର ଖାତା ଦେଖନ୍ତି ଶିକ୍ଷକ। କାହାର କ’ଣ ଅଭିଯୋଗ ଥିଲେ ସେ କଥା ବି ଶୁଣନ୍ତି। ପାଠ ଯିଏ ନ କରିଛି ତାକୁ ମାରିବା, ଗାଳିଦେବା ଆଦି କାମ ପାଇଁ ମଧ୍ୟ ସମୟ ଦରକାର ହୁଏ।

ତା’ପରେ ପୁଣି ପୂର୍ବ ପାଠର ଆଲୋଚନା ଚାଲେ ଚାରି ପାଞ୍ଚ ମିନିଟ୍। ଏମିତି ଏମିତି ସରିଯାଏ ୨୫-୩୦ ମିନିଟ୍। ସେଦିନର ପାଠପଢ଼ା ଆରମ୍ଭ ହେଲା ବେଳକୁ ସମୟ ସରିଆସୁଥାଏ। ପିଲାଙ୍କ ଭିତରେ ଆଗ୍ରହ ତିଆରି ହେଉ ହେଉ ଟଂ ଟଂ କରି ବାଜିଯାଏ କ୍ଲାସ୍ ସରିବା ଘଣ୍ଟା। ତାପରେ ପୁଣି ଆସିଯା’ନ୍ତି ଗଣିତ ଶିକ୍ଷକ। ବିଜ୍ଞାନ ଭିତରୁ ମନକୁ ବାହାର କରି ଗଣିତ ପାଖରେ ପହଞ୍ଚାଇବାକୁ ହୁଏ ପିଲାକୁ। ସେଠି ବି ସେମିତି ଚାଲେ।

Advertisment

ଗଣିତରୁ ଡେଇଁବାକୁ ହୁଏ ସାହିତ୍ୟକୁ, ସାହିତ୍ୟରୁ ଭୂଗୋଳକୁ, ଭୂଗୋଳରୁ ପୁଣି ଇଂରାଜୀ କିମ୍ବା ଇତିହାସକୁ। ଚଢ଼େଇ ଏ ଡାଳରୁ ସେ ଡାଳକୁ ଡେଇଁବା ପରି ପିଲାଙ୍କୁ ତାଙ୍କ ମସ୍ତିଷ୍କକୁ ଏପଟ ସେପଟ କରିବାକୁ ହୁଏ। ଏପଟେ କିନ୍ତୁ ଶିକ୍ଷାବିତ୍ ଓ ବୈଜ୍ଞାନିକମାନେ ମସ୍ତିଷ୍କର ଉଭୟ ପାର୍ଶ୍ୱର କାମ ଭିନ୍ନ ବୋଲି କହିସାରିଛନ୍ତି। କିନ୍ତୁ ତାଙ୍କ କଥା ଶୁଣେ କିଏ ଯେ! ଶୁଣିଲେ ବି ସେ ସବୁ କେବଳ ନିୟମରେ ନହେଲେ କାଗଜ କଲମରେ। ଏପଟେ କିନ୍ତୁ ଏତେସବୁ ବିପରୀତାଭିମୂଖୀ କାମ ଭିତରେ ଏକାଗ୍ରତା ରହିବାର ଯେଉଁ ଭାବାବେଗ ଥାଏ ପିଲାର, ସେଇଟା ନଷ୍ଟ ହେବା ସ୍ୱାଭାବିକ।

ସ୍କୁଲ୍ ଆସି ପାଠ ପଢ଼ିବା ପୂର୍ବର କଥା ବି ଠିକ ସେମିତି । ପିଲାବେଳେ କେହି ଜଣେ ଗୋଟେ ଖେଳଣା ଧରେଇ ଦେଲେ ପିଲାଟେ ସେଇଥିରେ ଲାଗିଯାଏ। କିନ୍ତୁ କୁଣିଆ-ମଇତ୍ର କି କାମରୁ ଫେରିଥିବା ଘରଲୋକ, ଯିଏ ବି ଘରକୁ ଆସନ୍ତି ସେ କାଖେଇବାକୁ ନ ହେଲେ କୋଳେଇବାକୁ କି ଗେଲ କରିବାକୁ ପିଲାକୁ ସେଠାରୁ ଉଠେଇ ନିଅନ୍ତି। ଭେଁ କରି ପିଲାଟି କାନ୍ଦି ଉଠିଲେ ତାକୁ ଆଉ କ’ଣ କହି କି ଆଉ କିଛି ଗୋଟେ ଜିନିଷ ଧରେଇ ଦେଇ ତାକୁ ତା’ ପୁରୁଣା କଥା ଭୁଲେଇ ଦେବାର ଚେଷ୍ଟା କରନ୍ତି। କିନ୍ତୁ ପିଲାଟି ଯେ ତା’ ଆଗ୍ରହର କାମରୁ ତାକୁ ଉଠେଇ ଅଣାଗଲା ବୋଲି କାନ୍ଦୁଛି, ସେକଥା କେହି ବୁଝିପାରନ୍ତିନି।

Advertisment

ପରିବାର ଲୋକଙ୍କର କିଛି ଗୋଟେ କାମ ଥିଲେ ସେ ପିଲାକୁ ଭଲ ଲାଗୁଥିବା ଖେଳଣା, ଭିଡିଓ କି ଖାଇବା ଧରେଇ ଦେଇ ଚାଲିଯା’ନ୍ତି। ଆଉ ନିଜ କାମ ସରିଗଲେ, ପିଲା ହାତରୁ ସେଇଟିକୁ ଛଡ଼େଇ ନେଇ ନିଜ ଇଚ୍ଛା ଅନୁସାରେ ବା ସେଇ ସମୟରେ ପିଲାଟି ଯାହା କରୁ ବୋଲି ସେମାନେ ଚାହୁଁଥା’ନ୍ତି, ସେଇ କାମରେ ଲଗେଇ ଦିଅନ୍ତି। କେତେବେଳେ ଖେଳୁ ଖେଳୁ ଟାଣି ଆଣି ଖାଇବାକୁ ବସେଇ ଦିଅନ୍ତି ତ କେତେବେଳେ ଆଉ କ’ଣ କରିବାକୁ।

ନିଜ ସମୟ, ସୁବିଧା ଓ ଇଚ୍ଛା ଅନୁସାରେ ସେମାନେ ପରିଚାଳିତ କରନ୍ତି ପିଲାକୁ। ବଡ଼ମାନଙ୍କର ବାରମ୍ବାର ଏମିତି ହସ୍ତକ୍ଷେପ ଦ୍ୱାରା ପିଲାର ଆଗ୍ରହରେ ଯେଉଁ ଭଟ୍ଟା ପଡ଼େ, ଯେଉଁ ଏକାଗ୍ରତାର ଭାବ ଭାଙ୍ଗିଯାଏ ତାକୁ ପରବର୍ତ୍ତି ବୟସରେ ପୁଣିଥରେ ଗଢ଼ିବା ଖୁବ କଷ୍ଟକର ହୋଇପଡ଼େ।

ଅନେକ ମନୋବୈଜ୍ଞାନିକ ଏ ବିଷୟରେ ଅନେକ ଗବେଷଣା କରି କହିସାରିଲେଣି। ଶ୍ରେଣୀ ପାଠପଢ଼ାରେ ଏତେ କମ୍ ସମୟ ନିର୍ଘଣ୍ଟ ନ ରଖିବା ବିଷୟରେ ତ କହିଲେଣି, କହିଲେଣି ବି ପିଲାଙ୍କ କାମରେ ବଡ଼ମାନଙ୍କୁ ଆଦୌ ହସ୍ତକ୍ଷେପ ନ କରିବାକୁ। ଏମିତିକି ପିଲାଟିର ଖାଇବା ସମୟ ହୋଇଯିବା ପରେ ବି ସେ ଯଦି କେଉଁ ଗୋଟେ କାମରେ ମନଯୋଗ ଦେଇ ଲାଗିରହିଛି, ଖେଳୁଛି କି ଚିତ୍ର ଆଙ୍କୁଛି, ତେବେ ସେଥିରୁ ତାକୁ ବିଲ୍‌କୁଲ୍ ଉଠାନ୍ତୁ ନାହି। ତାକୁ ଭୋକ କଲେ ସେ ଆପେ ଆପେ ଖାଇବାକୁ ମାଗିବ।

ମୁଁ ବିକଳ୍ପ ଶିକ୍ଷା ଉପରେ କାମ କରୁଥିବା ବେଳେ ଏ ଦିଗରେ ଦୀର୍ଘ ୧୦ ବର୍ଷ ଧରି ଗବେଷଣା କରି ଦେଖିଛି। ପିଲାଙ୍କର ଏକାଗ୍ରତା ପ୍ରକୃତରେ ଖୁବ ବେଶୀ ଥାଏ। ଥରେ ଥରେ ତ ଖାଇବା ପିଇବା ଭୁଲି ଏକାଦିକ୍ରମେ ସେମାନେ ଛଅ ସାତ ଘଣ୍ଟା ଧରି ଗୋଟିଏ କାମରେ ଲାଗିଥାଆନ୍ତି। ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ସତରେ। ଆପଣ ବି କେବେ ଥରେ ପିଲାଙ୍କୁ ତାଙ୍କ ଆଗ୍ରହ ଥିବା କାମ କରିବାକୁ ଦେଇ ଦେଖନ୍ତୁ, ତେବେ ସେମାନଙ୍କର ଏକାଗ୍ରତା କେତେ ବେଶୀ ସେକଥା ଠିକ ଜାଣିପାରିବେ। ପିଲାର ଏକାଗ୍ରତା ନାହିଁ ବୋଲି ଆଉ ଅଭିଯୋଗ କରିବେନି।

ଏ ତ ଗଲା ପିଲାଙ୍କ ପାଇଁ କ’ଣ କରିବେ ବା କ’ଣ କରିବେ ନାହିଁ ସେକଥା। କିନ୍ତୁ ଆପଣ ଯଦି ବଡ଼ ହୋଇସାରିଛନ୍ତି ଓ ଏକାଗ୍ର ହେବାକୁ ଚାହୁଁଛନ୍ତି କିନ୍ତୁ ବାଟ ପାଉ ନାହାଁନ୍ତି, ତେବେ ନିମ୍ନରେ ଦିଆଯାଇଥିବା କେତୋଟି ସହଜ ଉପାୟ ଆପଣେଇ ପାରିବେ।

୧. ଆପଣଙ୍କର ଆଗ୍ରହ ଥିବା କାମ ଗୋଟେ ହାତକୁ ନିଅନ୍ତୁ। ସେ କାମରେ ଏକାଥରକେ କେତେ ସମୟ ବସିପାରୁଛନ୍ତି ଲକ୍ଷ୍ୟ କରନ୍ତୁ। ଯଦି ଅଧିକ ସମୟ ବସିପାରୁଛନ୍ତି ତେବେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। ଆପଣ ଅନ୍ୟ କାମରେ ବି ବସିପାରିବେ।

୨. ଟାଇମର୍ ଅନ୍ କରି ନ ହେଲେ ଆଲାରାମ୍ ଦେଇ ଯେକୌଣସି ଗୋଟେ କାମ କରିବା ଆରମ୍ଭ କରନ୍ତୁ। ହେଉପଛେ ୧୦ କି ୧୫ ମିନିଟ୍‌ର ଛୋଟିଆ କାମଟେ। ମନକୁ ମନେଇ ସେଇ ଗୋଟିଏ କାମ ଉପରେ ଧ୍ୟାନ ଦିଅନ୍ତୁ ଓ ଏକାଥରକେ ଟାଇମର୍ ଅନୁସାରେ କାମଟି ସାରିବାକୁ ଚେଷ୍ଟା କରନ୍ତୁ।

୩. ଏକାଗ୍ରତା ବଢାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିବାର ପ୍ରାରମ୍ଭିକ ସମୟରେ କାମ କଲାବେଳେ କମ୍ ଭଲ୍ୟୁମ୍‌ରେ ମ୍ୟୁଜିକ୍ ବଜାନ୍ତୁ। ଭଲ ଲାଗୁଥିବା ବା ଖରାପ ଲାଗୁଥିବା ମ୍ୟୁଜିକ୍ ବା ଗୀତଠୁ ଦୂରେଇ ରୁହନ୍ତୁ। କାହିଁକି ନା ଏହା ଆପଣଙ୍କୁ ଡିସ୍‌ଟ୍ରାକ୍ଟ କରିବ। ଭଲ ଲାଗୁଥିଲେ ଆପଣ ସ୍ୱରରେ ସ୍ୱର ମିଳାଇ ଗୀତ ଗାଉ ଗାଉ କାମ କଥା ଭୁଲିଯିବେ ଓ ଖରାପ ଲାଗୁଥିଲେ ବିରକ୍ତ ହୋଇଯିବେ।

୪. ସବୁଦିନ କିଛି ନା କିଛି ଶାରୀରିକ କସରତ କରନ୍ତୁ। ବ୍ୟାୟାମ ଉଭୟ ଶରୀର ଓ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ। ସବୁଦିନ ଏକ୍ସର୍‌ସାଇଜ୍ କରୁଥିବା ଲୋକଙ୍କର ଅଧିକ ହିପ୍ପୋକ୍ୟାମ୍ପସ୍ ଥାଏ, ଯାହା ମସ୍ତିଷ୍କର ସ୍ମରଣ ଶକ୍ତି ଓ ନୂଆ କଥା ଶିଖିବାରେ ଅଂଶକୁ ସକ୍ରିୟ କରାଇବାରେ ଏକ ମୂଖ୍ୟ ଭୂମିକା ନିଏ।

୫. ଦିନକୁ ପନ୍ଦର ମିନିଟ୍ ସୁଡୋକୁ, ଚେସ୍, କ୍ରସ୍‌ଫ୍ୱାର୍ଡ ପଜଲ୍, ମେମୋରୀ ଗେମ୍, ଡୁଡୁଲ୍, ରଙ୍ଗକରିବା ବା ଏହିପରି କିଛି କାମରେ ବିତାନ୍ତୁ। ଏହାଦ୍ୱାରା ମସ୍ତିଷ୍କ ସକ୍ରିୟ ରହିବ।

୬. ପ୍ରତ୍ୟେକ ରାତିରେ ଭଲରେ ଶୁଅନ୍ତୁ। ବିଛଣାକୁ ଯିବାର ଘଣ୍ଟାଏ ପୂର୍ବରୁ ଟିଭି, ମୋବାଇଲ୍ ଆଦି ଦେଖିବା ବନ୍ଦ କରନ୍ତୁ। କିଛି ଗୋଟିଏ ଲାଇଟ୍ ମ୍ୟୁଜିକ୍ ଶୁଣନ୍ତୁ ବା ବହି ଗୋଟେ ପଢ଼ନ୍ତୁ। ସବୁଦିନେ ସକାଳେ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠନ୍ତୁ।

୭. ପ୍ରକୃତି ସହ ଟିକେ ସମୟ ବିତାନ୍ତୁ; ଘର ବାହାରେ ଆକାଶ, ନଇ, ଗଛପତ୍ରକୁ ଅନେଇ କେଇ ପାଦ ଚଲାବୁଲା କରିବା ହେଉ ପଛେ। ପ୍ରକୃତି ଆମ ଭାବପ୍ରବଣତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହ ସ୍ମୃତିଶକ୍ତିର କାର୍ଯ୍ୟକାରିତା ବଢ଼ାଏ।

୮. ୧୦-୧୫ ମିନିଟ୍ ପାଇଁ ହେଉ ପଛେ ଟିକେ ଧ୍ୟାନ କରନ୍ତୁ। ଏହାଦ୍ୱାରା ଅନେକ ପ୍ରକାରର ଉପକାର ହୁଏ। ସେସବୁ ଭିତରୁ ଏକାଗ୍ରତା ଗୋଟିଏ। ବେଶୀ କିଛି ନ ଭାବି ନୀରବରେ ବସି ନିଜ ଶ୍ୱାସ ପ୍ରଶ୍ୱାସର ଗତିବିଧି ଉପରେ ଲକ୍ଷ୍ୟ କଲେ ହେଲା।

ବ୍ୟକ୍ତି ଅନୁସାରେ ଏକାଗ୍ରତା ନ ରହିବାର କାରଣ, ପରିସ୍ଥିତି ଓ ନିରାକରଣର ଉପାୟ ଭିନ୍ନ। ଆପଣ କିନ୍ତୁ ଏହି ସାଧାରଣ ଉପାୟ କେତୋଟି ପ୍ରୟୋଗ କରି ଦେଖନ୍ତୁ, କିଛି ନା କିଛି ଉପକାର ନିଶ୍ଚୟ ମିଳିବ। ସବୁପରେ ବି ଏତିକି କହିବି, ବେଶୀ ଚିନ୍ତା ନ କରି ଖୁସିରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ।

(ବି.ଦ୍ର: ଏହି ଲେଖାରେ ଦିଆଯାଇଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Article
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ