ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍ରେ ମନ ବୁଝେଇବାକୁ ପଡୁଛି । କିନ୍ତୁ ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ୧.୮ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ । ଆଉ ତାହା ପୁଣି ମାତ୍ର ଗୋଟିଏ ମାସରେ ।
ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ, ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି । ତେବେ ପ୍ରତିକୂଳ ପାଣିପାଗ ଓ କମ୍ ଉତ୍ପାଦନ ଯୋଗୁଁ ଟମାଟୋ ଯୋଗାଣ ବ୍ୟାପକ ପ୍ରଭାବିତ ହୋଇଛି । ଏହାରି ଭିତରେ ହାଇଦ୍ରାବାଦ୍ର ଜଣେ ଟମାଟୋ ଚାଷୀ ମାଲେମାଲ ହୋଇଛନ୍ତି । ଏହି ଚାଷୀ ଜଣକ ହେଉଛନ୍ତି ବି ମହିପାଲ ରେଡ୍ଠି ।
Also Read
ପିଲା ଦିନେ ମହିପାଲ ସ୍କୁଲ ଯାଉଥିଲେ । ହେଲେ ପାଠ ତାଙ୍କ ଦ୍ୱାରା ହେଲା ନାହିଁ । ଦଶମରେ ଫେଲ୍ ହେଲେ । ତାପରେ ଚାଷ କାମ ଆରମ୍ଭ କଲେ । ଚାଷରେ ବି ଫେଲ୍ ମାରିଲେ । ମାନେ ନିୟମିତ ଭାବେ ଯେଉଁ ଧାନ ଚାଷ ହୁଏ ସେଥିରେ ସେ ଫେଲ୍ ମାରିଲେ । କାରଣ ସେଥିରେ ଅଧିକ ମନ ଦେଲେନାହିଁ । ଆଉ ମନ ନଦେବାର କାରଣ ହେଲା, ଧାନ ଚାଷରେ ଭଲ ଲାଭ ନାହିଁ । ଯାହା କିଛି ରୋଜଗାର ହେବ ସେତିକି ଆବଶ୍ୟକତା ପୁରଣ କରିବା ତାଙ୍କ ପାଇଁ କଷ୍ଟ ହେଲା । ତେଣୁ ସେ ପରିବା ଚାଷ ଆଡ଼ିକୁ ମୁହାଇଁଲେ । ଆଉ ସେହି ପରିବାର ଚାଷ ଭିତରକୁ ଟମାଟୋ ଚାଷ ଆଜି ତାଙ୍କୁ ମାଲେମାଲ କରିଦେଇଛି ।
ସେ ଜୁନ୍ ୧୫ ତାରିଖରୁ ଏବେ ସୁଦ୍ଧା ଟମାଟୋ ବିକି ୧.୮ କୋଟି ଟଙ୍କା ପାଇଛନ୍ତି । ମହିପାଲଙ୍କ ବୟସ ଏବେ ୪୦ ଛୁଇଁଲାଣି । ତଥାପି ଖୁବ୍ ପରିଶ୍ରମୀ । ବଜାର ଉପରେ ତାଙ୍କର ଢ଼େର ଅଭିଜ୍ଞତା । ଆଉ ସେହି ଅଭିଜ୍ଞତା ହିଁ ତାଙ୍କୁ ଆଜି ମାଲେମାଲ ବା କୋଟିପତି କରିଦେଇଛି । ବଜାରରେ ସେ ଏବେ ଜଣେ ବଡ଼ ଚାଷୀ ଭାବେ ଜଣାଶୁଣା । ତାଙ୍କ ଘର ହାଇଦ୍ରାବାଦ୍ର ମେଡାକ୍ ଗାଁରେ ।
ତେବେ ମହିପାଲ ଏଭଳି ଏକ ବଡ଼ ଲାଭ ପାଇବାର ସବୁଠାରୁ ବଡ଼ କାରଣ ହେଲା, ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ଟମାଟୋର ପରିମାଣ କମିବା । ଯାହାଫଳରେ ଟମାଟୋର ଅଭାବ ପରିଲିକ୍ଷିତ ହେଲା । ଆଉ ସେହି ଅଭାବ ପୁରଣ କଲେ ମହିପାଲ । ସେ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି କଲେ ଟମାଟୋ ।
ମହିପାଲ କହିଛନ୍ତି ଯେ ‘ମୁଁ ଏପ୍ରିଲ୍ ୧୫ରୁ ୮ ଏକର ଜମିରେ ଟମାଟୋ ଲଗାଇଲି । ଜୁନ୍ ୧୫ ବେଳକୁ ସେଥିରୁ ଆଦାୟ ଆରମ୍ଭ କଲି । ମୁଁ ଯେଉଁ ଟମାଟୋ ଯୋଗାଣ କରୁଛି ତାହା ଅତି ଉତ୍ତମ କ୍ୱାଲିଟିର । ପାଣିପାଗ ଅନୁସାରେ ମୋର ଚାଷ ପଦ୍ଧତି ମଧ୍ୟ ବଦଳିଥାଏ ।’ ତେବେ ଏହାରି ଭିତରେ ଲଗାଣ ବର୍ଷା ଯୋଗୁଁ ମଧ୍ୟ ତାଙ୍କର ଅନେକ ଫସଲ କ୍ଷତି ହୋଇଛି । ଯଦି ତାହା କ୍ଷତି ହୋଇନଥାନ୍ତା ତେବେ ତାଙ୍କର ରୋଜଗାର ୨ କୋଟି ପାର୍ ହୋଇଥାନ୍ତା । ଏବେ ତାଙ୍କ ପାଖରେ ଆହୁରି ୪୦ ପ୍ରତିଶତ ଫସଲ ଗଚ୍ଛିତ ଅଛି ।
ମହିପାଲଙ୍କ ପାଖରେ ୧୦୦ ଏକର ଜମି ରହିଛି । ସେଥିରୁ ୪୦ ପ୍ରତିଶତ ଜମିରେ ସେ ବିଭିନ୍ନ ପନିପରିବା ସହ ଟମାଟୋ ଫସଲ କରିଥାନ୍ତି । ଆଉ ବଳକା ସବୁ ଜମିରେ ଧାନ ଚାଷ କରାଯାଇଥାଏ । ମହିପାଲ ଆହୁରି ସୂଚନା ଦେଇଛନ୍ତି ଯେ ସେ ଏଥର ୭୦୦୦ ପେଟି ଟମାଟୋ ବିକ୍ରି କରିଛନ୍ତି । ପ୍ରତ୍ୟେକ ପେଟିର ଓଜନ ୨୫ କେଜି । ଏବେ ସେ ନିଜ ଫସଲରେ ଫର୍ଟିଲାଇଜର ପକାଇବା ପାଇଁ ଡ୍ରୋନ୍ର ବ୍ୟବହାର କରୁଛନ୍ତି ।