• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଆ ଓ ସାନ ଭାଇ ସହ ମିଶି କ୍ଷେତରେ ହଳଦୀ ଖୋଳୁଛନ୍ତି । କେବଳ ଯେ ହଳଦୀ ଖୋଳୁଛନ୍ତି ତା ନୁହେଁ ମାଆଙ୍କ ସହିତ ବସି ହଳଦୀ ବଛାବଛି କରୁଛନ୍ତି । ଜମିରେ ହଳ କରୁଛନ୍ତି । ଏମିତି କି ସାନ ଭାଇ ସହିତ ଗାଇଗୋରୁ ଚରାଇବା ପାଇଁ ଜଙ୍ଗଲକୁ ଯାଉଛନ୍ତି । ଆଉ ସମୟ ମିଳିଲେ ଘର ବାରଣ୍ଡାରେ ବସି ପଢାପଢି କରୁଛନ୍ତି । ଘରକୁ ଛୁଟିରେ ଆସିଥିବା ଡାକ୍ତରୀ ଛାତ୍ର ହେବଲଙ୍କ ସମୟ ଏବେ ଏମିତି ବିତୁଛି ।

ଗତ ୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ସେ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଥିଲେ ମଧ୍ୟ ହେବଲଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଅର୍ଥାଭାବ । ହଷ୍ଟେଲରେ ରହିବା ଆଉ ମେସ୍ ଫି ଭରିବା ମଧ୍ୟ କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ସହଯୋଗ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ହେବଲ ।

ହେବଲ ଦାରିଙ୍ଗବାଡି ସରକାରୀ ହାଇସ୍କୁଲରେ ମାଟ୍ରିକ ଫାଷ୍ଟ ଡିଭିଜନରେ ପାସ କରିବା ପରେ ସେ କଟକ ରେଭେନ୍ସା କଲେଜରେ ପ୍ଲସ ଟୁ ସାଇନ୍ସରେ ନାମ ଲେଖାଇଥିଲେ । ସେଠାରୁ ମଧ୍ୟ ସେ ଫାଷ୍ଟ ଡିଭିଜନରେ ପାସ କରିବା ପରେ ଭୁବନେଶ୍ୱର ସ୍ଥିତ ଓୟୁଏଟିରେ ଭେଟନାରୀରେ ନାମ ଲେଖାଇଥିଲେ । ହେଲେ ଟଙ୍କା ପଇସା ଅଭାବ ହେତୁ ଗୋଟିଏ ବର୍ଷ ଭିତରେ ପାଠପଢାରେ ଡୋରି ବନ୍ଧା ହେଲା ।

ଅଭାବ ସତ୍ତ୍ୱେ ସେ ପୁଣି ଥରେ ଡାକ୍ତରୀ ପାଠ ପଢିବା ଲାଗି ମନ ବଳାଇଲେ । ଆଉ ଟଙ୍କା ରୋଜଗାର କରିବା ଲାଗି ଭୁବନେଶ୍ୱରରେ ପିଲାଙ୍କୁ ଟ୍ୟୁସନ କରିବା ସହ ହାଇଦ୍ରାବାଦ ଯାଇ ଫ୍ଲିପ୍ କାର୍ଡ ଅଫିସ ବୟ ଭାବେ କାମ କଲେ । ସେଥିରୁ ଯାହା ରୋଜଗାର କଲେ ସେଥିରେ ସେ ନିଟ୍ ପରୀକ୍ଷା ଦେଇ ପାସ୍ କଲେ । ଏବେ ସେ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଛନ୍ତି ।

ହେବଲଙ୍କ ବାପା ତ୍ରିନାଥ ପ୍ରଧାନ ଜଣେ ଶିକ୍ଷକ ଭାବେ ମାତ୍ର ୫ ମାସ ହେଲା ଚାକିରୀ ଆରମ୍ଭ କରିଛନ୍ତି । ସ୍ୱଳ୍ପ ଦରମାରେ ୩ଜଣ ପିଲାଙ୍କୁ ପାଠ ପଢାଇବା ଯଥେଷ୍ଟ ହେଉନାହିଁ । ଏଥିପାଇଁ ସେ ଘରୋଇ ଫାଇନାନ୍ସ ସଂସ୍ଥାରୁ ପାଖାପାଖି ୮୫ ହଜାର ଟଙ୍କା ଲୋନ କରି ଡାକ୍ତରୀ ପୁଅର ନାମ ଲେଖାଇଛନ୍ତି, ସେହି ଲୋନ ଟଙ୍କା ସୁଝିବା ମଧ୍ୟ ଏବେ ତାଙ୍କୁ ବହୁତ କଷ୍ଟ ହେଉଛି । ସେପଟେ ସରକାର ହେବଲକୁ ସାହାଯ୍ୟ କରିବାକୁ ଗାଁ ଲୋକେ ଅନୁରୋଧ କରିଛନ୍ତି ।