ମଞ୍ଚ ଉପରେ ଚାଲିଥିଲା ରଙ୍ଗିଲା ଡ୍ୟାନ୍ସ, ଲୋକେ ଫିଙ୍ଗିଲେ ଚେୟାର

ବାଜୁଥିଲା ମାମୁନି ଥେଇ ଥେଇ...ଦୁଲୁକୁଥିଲା ମଂଚ । ହଠାତ୍‌ ମାଡ ହେଲା ଚେୟାର...ପରେ ମାଲିକ-ଗାଁ ଲୋକ...

Athagada Jatra

ଆଖିରେ ମୋର ହାଏ ଭୋଡ୍‌କାର ନିଶା... ଓଠରେ ରସାଲି ସତେ ହ୍ୱିସ୍କ୍‌ ମିଶା... ପ୍ରେମରେ ମୋର ପଡ଼ିଯା ଡାଲିଂ... ନାଚିବ ତୋ ପାଇଁ ମାମୁନି ଥେଇ ଥେଇ ଥେଇ...। ବାସ୍‌ ଏହି ହିଟ୍‌ ଗୀତରେ ଚାଲିଥିଲା ଜମାଣିଆ ନାଚ । ଷ୍ଟେଜ୍‌ ଉପରେ ନାଚୁଥିଲେ ଡ୍ୟାନ୍ସର । ତଳେ ବି ଲୋକାଲ ପିଲା ନାଚି ଧୂଳି ଉଡେଇ ଦେଉଥିଲେ । କିନ୍ତୁ କିଛି ଦର୍ଶକ ସର୍ବସାଧାରଣ ସ୍ଥାନରେ ଅଶ୍ଲୀଳ ନାଚକୁ ପ୍ରତିବାଦ କରିଥିଲେ । ଖାଲି ପ୍ରତିବାଦ କରିଥିଲେ ତାହା ନୁହେଁ ବରଂ ଡ୍ୟାନ୍ସରଙ୍କ ଉପରକୁ ଚେୟାର ଫୋପାଡି ଥିଲେ । ଯାହାକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା ।

ପବିତ୍ର ଚନ୍ଦନ ଯାତ୍ରା ଅବସରରେ କଟକ ତିଗିରିଆ ଥାନା ନୂଆପାଟଣା ଗାଁରେ ଶନିବାର ରାତିରେ ଆୟୋଜିତ ହୋଇଥିଲା ଡ୍ରାମା । ନିର୍ଦ୍ଧାରିତ ସମୟରେ ଆରମ୍ଭ ବି ହୋଇଥିଲା ଡ୍ରାମା । ତା’ପୂର୍ବରୁ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ରଙ୍ଗ ଏତେ ବଢିଯାଇଥିଲା ଯେ ଲୋକମାନେ ଫିଙ୍ଗିଥିଲେ ଚେୟାର । ଏମିତିକି ଷ୍ଟେଜ୍‌ ପାଖରେ ବସିଥିବା କିଛି ଦର୍ଶକ ଡ୍ୟାନ୍ସରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ବାରମ୍ୱାର ଦୁର୍ବ୍ୟବହାର କରାଯିବାରୁ ଯାତ୍ରା ଆୟୋଜକ ବିରୋଧ କରିଥିଲେ। ତା’ପରେ ମୁହାଁମୁହିଁ ହୋଇଥିଲେ ଯାତ୍ରା ଆୟୋଜକ କମିଟି ସଦସ୍ୟ ଓ ଦର୍ଶକ।

ପରେ ଦର୍ଶକମାନେ ନାଚ ଚାଲିଥିବା ବେଳେ ଷ୍ଟେଜ୍‌ ଉପରକୁ ପ୍ଲାଷ୍ଟିକ୍‌ ଚେୟାର ଫିଙ୍ଗି ଥିଲେ ।  ସ୍ଥିତି ଏମିତି ହୋଇଥିଲା ଯେ କିଛି ସମୟ ପାଇଁ ଷ୍ଟେଜ ପାଲଟିଥିଲା ରଣକ୍ଷେତ୍ର ଆଉ ବନ୍ଦ ହୋଇଥିଲା ଡ୍ୟାନ୍ସ । ଗଣ୍ଡଗୋଳକୁ ନେଇ ଗାଁରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା ହେଲେ ସମାଧାନ ହୋଇପାରିନଥିଲା ତେଣୁ ଥାନାରେ ଏନେଇ ଲିଖିତ ଅଭିଯୋଗ ବି ହୋଇଥିଲା । ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରାଜ୍ୟରେ ଇଏ ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ବି ଭଦ୍ରକରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ଷ୍ଟେଜରେ ଏମିତି ଅଶ୍ଲୀଳ ନୃତ୍ୟକୁ ନେଇ ସ୍ଥାନୀୟ ଲୋକେ ଓ ଯାତ୍ରା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ବାରମ୍ବାର ଏମିତି ନୃତ୍ୟକୁ ନେଇ ଗଣ୍ଡଗୋଳ ହେଉଥିବା ପରେ ବି କାହିଁକି କମିଟି କର୍ତ୍ତୃପକ୍ଷ ଏମିତି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ପୂରା ଘଟଣାକୁ ନେଇ ଗ୍ରାମବାସୀ କି ଯାତ୍ରା କମିଟିର ପ୍ରତିକ୍ରିୟା ମିଳିପାରିନାହିଁ ।