Advertisment

କଏନ୍ ନେବାକୁ କେହି କହି ପାରିବେନି ନା; ୫୦ ପଇସାଠୁ ୨୦ ଟଙ୍କିଆ ଯାଏଁ ସବୁ ଚଳିବ

ରାଜ୍ୟର ଅନେକ ସ୍ଥାନରେ ଏବେ ଆଉ କଏନ୍ ଚଳୁନି। ଟଙ୍କିକିଆ, ଦୁଇ ଟଙ୍କିଆ କଥା ଛାଡ଼ନ୍ତୁ, ବ୍ରହ୍ମପୁର ସହର ଭଳି ବ୍ୟାବସାୟିକ ପେଣ୍ଠରେ ୧୦ ଟଙ୍କିଆ କଏନ୍ ବି ଏକ ପ୍ରକାର ଅଚଳ ହୋଇପଡ଼ିଛି। ଯାହାକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକ ମଧ୍ୟରେ ବଢ଼ୁଛି ଅସନ୍ତୋଷ।

Coin Exchange

Coin Exchange

Advertisment

ନା RBIର ନିର୍ଦ୍ଦେଶ ଅଛି, ନା କୌଣସି ବିଜ୍ଞପ୍ତି ବାହାରିଛି, ତଥାପି ଆପେ ଆପେ ଅଚଳ ହୋଇଯାଉଛି କଏନ୍ । ଟଙ୍କିକିଆ କି ଦୁଇ ଟଙ୍କିଆ କଏନ୍କୁ ନା ଦୋକାନୀ ନେଉଛନ୍ତି, ନା ଗ୍ରାହକ ଧରୁଛନ୍ତି । ଛୋଟ କଏନ୍‌କୁ ନେଇ ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ଏମିତି ବିଚିତ୍ର ସ୍ଥିତି ।

Advertisment

ବାଲେଶ୍ୱର ଜିଲ୍ଲା କମର୍ଦା ଛକରେ ଥିବା ଏକ ଷ୍ଟେସନାରି ଦୋକାନରେ ଗ୍ରାହକ ଛୋଟ କଏନ୍ ନେଉନଥିବାରୁ ଦୋକାନୀ ଜଣକ ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନ୍‌କୁ ପଲିଥିନରେ ବାନ୍ଧି ରଖିଛନ୍ତି । ସୁବିଧା ହେଲେ ବ୍ୟାଙ୍କ ଯାଇ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ଏମିତିକି କେତେକ ବ୍ୟାଙ୍କ ବି ଛୋଟ କଏନ୍ ନେଉ ନଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ ।

ଅନେକ ଦୋକାନୀ କହୁଛନ୍ତି, ଗ୍ରାହକମାନେ ଛୋଟ କଏନ୍ ନେଉ ନଥିବାରୁ ସେମାନେ ବି ଗ୍ରାହକଙ୍କଠୁ ଆଉ କଏନ୍ ନେଉନାହାନ୍ତି । ଫଳରେ ବ୍ୟବସାୟ ପ୍ରଭାବିତ ହେଉଛି । ବାଲେଶ୍ୱର ସୋର ଅଞ୍ଚଳରେ ବି କଏନ୍‌କୁ ନେଇ ସେଇ ସମାନ ସ୍ଥିତି ।

Advertisment

ଏ ତ’ ଗଲା ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନର ସ୍ଥିତି । ଆଶ୍ଚର୍ଯ୍ୟର କଥା, ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ପେଣ୍ଠ ବ୍ରହ୍ମପୁର ସହରରେ ୧୦ ଟଙ୍କିଆ କଏନ୍ ବି ଅଚଳ । ଲୋକଙ୍କ ଅଭିଯୋଗ ଜିଲ୍ଲାର ଆସ୍କା, ଭଞ୍ଜନଗରରେ ୧୦ ଟଙ୍କିଆ କଏନ୍ ଚଳୁଥିବା ବେଳେ ବ୍ରହ୍ମପୁର ସହରର ଦୋକାନୀ ୧୦ ଟଙ୍କିଆ କଏନ୍ ରଖୁନାହାନ୍ତି । ହେଲେ ଦୋକାନୀଙ୍କ ପାଲଟା ଅଭିଯୋଗ, ୧୦ ଟଙ୍କିଆ ଅଚଳ ହୋଇଯାଇଛି ବୋଲି ଲୋକଙ୍କ ମାନସିକତା ହୋଇଗଲାଣି । ତେଣୁ ଗ୍ରାହକମାନେ ନେଉନାହାନ୍ତି । ଫଳରେ ସେମାନଙ୍କ ପାଖରେ ୧୦ ଟଙ୍କିଆ କଏନ୍ ଗଦା ହୋଇରହୁଛି ।

ରାଜ୍ୟର କଏନ୍‌କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ବଜାରରେ ଥିବା ୫୦ ପଇସାଠୁ ଆରମ୍ଭ କରି ୨୦ ଟଙ୍କିଆ କଏନ୍ ଯାଏଁ ସବୁ ଲିଗାଲ ଟେଣ୍ଡର । ଅର୍ଥାତ୍ ଏସବୁ ମୁଦ୍ରା ବଜାରରେ ଚଳୁଛି । ଏଣୁ କଏନ୍ ଚଳୁନଥିବା ନେଇ ହେଉଥିବା ଗୁଜବକୁ କେହି ବିଶ୍ୱାସ କରନ୍ତୁ ନାହିଁ । ଏପରିକି ବ୍ୟାଙ୍କ ବି କଏନ୍ ଗ୍ରହଣ କରିବାକୁ ବାଧ୍ୟ । ଯଦି କୌଣସି ବ୍ୟାଙ୍କ କଏନ୍ ଗ୍ରହଣ କରୁନଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ପାଇଁ ଆସନ୍ତା ଡିସେମ୍ବର ମାସରୁ ୩ ମାସ ବ୍ୟାପି ରାଜ୍ୟର ସମସ୍ତ ବ୍ଲକରେ ଆୟୋଜନ କରାଯିବା କଏନ୍ ଓ ନୋଟ୍ ବଦଳ କାର୍ଯ୍ୟକ୍ରମ ।

Advertisment

ଆରବିଆଇର ସ୍ପଷ୍ଟୀକରଣ ପରେ କଏନ୍‌କୁ ନେଇ ଲୋକଙ୍କ ମାନସିକତା କେତେ ପରିବର୍ତ୍ତନ ଆସୁଛି, ତାହା ଏବେ ଦେଖିବାକୁ ବାକି ରହିଲା ।

RBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ