Advertisment

ଶୁଣିଲାନି ପ୍ରଶାସନ : କୋଦାଳ ଶାବଳ ଧରି ଗାଁକୁ ରାସ୍ତା କଲେ ଗ୍ରାମବାସୀ

ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହରକତ ହେବା ପରେ ନିଜ ଗାଁକୁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ । ତାହା ପୁଣି ନିଜେ ଚାନ୍ଦା ଆଦାୟ କରି...ଏବେ ପ୍ରଶାସନ କହୁଛି ଜମି ନଥିଲା, ଏବେ ରାସ୍ତା ହେବାରୁ...

ଅଦ୍ୟତନ ହୋଇଛି
locals construct road

locals construct road

Advertisment

ଏକାଠି ହୋଇଛନ୍ତି ଗାଁ ଲୋକେ...ମହିଳାଙ୍କଠାରୁ ପୁରୁଷ ସମସ୍ତଙ୍କ ହାତରେ ରହିଛି କୋଦାଳ, ଶାବଳ, ସିରା । ମୁଣ୍ଡ ଝାଳ ତୁଣ୍ଡରେ ମାରି ସମସ୍ତେ କାମରେ ବ୍ୟସ୍ତ । କେମିତି ରାସ୍ତା ହେବ, ଗାଁକୁ ଗାଡି ଗଡ଼ିବ । ବାସ୍‌ ଏଇ ଗୋଟିଏ ଲକ୍ଷ୍ୟ ନେଇ ଚାଲିଛି ରାସ୍ତା ତିଆରି କାମ ।

Advertisment

ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ବୋଧହୁଏ ନିଜ ଗାଁର ରାସ୍ତା ନିଜେ ଗାଁ ଲୋକ ମିଶି କରୁଛନ୍ତି । ବାହାର ଗାଁର ଲୋକ କାହିଁକି ଟଙ୍କା ନେବେ ବରଂ ଆମ ଗାଁ ରାସ୍ତା ଆମେ କରିବା, ଦୁଇ ପଇସା ରୋଜଗାର କରିବା କିଛି ଏମିତି ଚିନ୍ତା ନେଇ କାମ କରୁଛନ୍ତି ଗାଁ ଲୋକେ । ଯଦି ଆପଣ ଏମିତି ଭାବୁଛନ୍ତି ତାହାଲେ ପୂରା ଭୁଲ୍‌ । କାରଣ ଗାଁକୁ ନିତିଦିନିଆ ରାସ୍ତା କରିବାକୁ ସରକାରଙ୍କ ପାଖରେ ଗୁହାରି କରିକରି ଥକିଯିବା ପରେ ବି ତାଙ୍କ ଦାବି କେହି ଶୁଣିଲେନି । ସେଇଥି ଲାଗି ତ ନିଜସ୍ୱ ଉଦ୍ୟମରେ ନିଜ ଗାଁକୁ ନିଜେ ରାସ୍ତା ତିଆରି କରିବାରେ ବ୍ୟସ୍ତ ଅଛନ୍ତି ଗାଁ ଲୋକ ।

କୋରାପୁଟ ନନ୍ଦପୁର ବ୍ଲକ ବାଡେଲ ପଂଚାୟତର ଗୋଡିପୁଟ ଗାଁ । ପିଡବ୍ଲ୍ୟୁଡି ରାସ୍ତାଠୁ ଗାଁର ଦୂରତା ମାତ୍ର ୨ କିଲୋମିଟର । କିନ୍ତୁ ବାଟରେ ଥିବା ନାଳ ଯୋଗୁଁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଗାଁ ଲୋକେ । ସ୍ଥିତି ଏମିତି ହେଉଛି କି, ଗାଁ ଭିତରକୁ ଖଣ୍ଡେ ଗାଡି ବି ଯାଇପାରୁନି । ରୋଗୀଙ୍କ ଲାଗି ଆମ୍ବୁଲାନ୍ସ ୭ ସପନ ସଦୃଶ୍ ରହିଛି । ଶୀତ, ଖରାଦିନରେ ଯାହା ଯେମିତି ଚଳୁଛି ହେଲେ ବର୍ଷାଦିନେ ସ୍ଥିତି ପୂରା ଗମ୍ଭୀର ହୋଇଯାଉଛି ।

Advertisment

ଏତେ ଅସୁବିଧାର ସାମ୍ନା କରୁଥିବାରୁ ଗାଁକୁ ସବୁଦିନିଆ ରାସ୍ତାଟିଏ କରିବା ଲାଗି ବହୁଦିନରୁ ଦାବି କରୁଥିଲେ ଗାଁ ଲୋକେ । କିନ୍ତୁ ସେମାନଙ୍କ ଦାବିକୁ କର୍ଣ୍ଣପାତ କରିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ । ରାଜସ୍ୱ ବିଭାଗ ପକ୍ଷରୁ ଜମି ଚିହ୍ନଟ ହେବା ପରେ ଚାନ୍ଦା ଆଦାୟ କରି ରାସ୍ତା ତିଆରିରେ ଲାଗି ପଡିଛନ୍ତି ସମସ୍ତେ । ସେପଟେ ଲୋକଙ୍କ ଅଭିଯୋଗକୁ ନେଇ ବାଡେଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଗାଁରେ ଜମି ବିବାଦ ଯୋଗୁଁ ରାସ୍ତା କାମ ହୋଇପାରୁ ନାହିଁ । ରାଜସ୍ୱ ବିଭାଗ ରାସ୍ତା ପାଇଁ ଜମି ଚିହ୍ନଟ ପରେ ଗାଁ ଲୋକେ ରାସ୍ତା କାମ କରିଛନ୍ତି । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ସହିତ ଗାଁର ବିକାଶ ହେବ । ଗାଁର ଉନ୍ନତି ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର । ପୂଳାପୂଳା ଟଙ୍କା ବି ଖର୍ଚ୍ଚ ହେଉଛି । ହେଲେ ବାସ୍ତବରେ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଏଇ ଗାଁରୁ ହିଁ ସ୍ପଷ୍ଟ ହୋଇଛି ।

(ଲମତାପୁଟରୁ ଜଗତ ଜୀବନ କାଂଚିମଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ