ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବାକୁ ରାତାରାତି ୨୫ କି.ମି ଚାଲିଚାଲି ଆସିଲେ ୧୪ ଛାତ୍ର

ରାୟଗଡା ଜିଲ୍ଲା ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟ ଛାତ୍ରମାନେ ଅନେକ ବାଟ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଆସିଥିଲେ ।

Student Protest

ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ୨୫ କିମି ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଲେ ୧୪ ଛାତ୍ର । ଆଉ ଆଜି ସେକେଣ୍ଡ ସଟର ଡେ ଥିବାରୁ ପିଲାମାନେ ସର୍କିଟ ହାଉସରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ନିଜର ଅଭିଯୋଗ ବଖାଣିଛନ୍ତି । ଖୋଦ ମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାୟଗଡା ଜିଲ୍ଲା ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟ ଛାତ୍ରମାନେ ଅନେକ ବାଟ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଆସିଥିଲେ । ସ୍କୁଲ ପ୍ରଧାନ ଶିକ୍ଷକ ଦୀର୍ଘଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା ସହ ଗାଳି ଗୁଲଜ କରୁଥିବା ନେଇ ଅଭିଯୋଗ ହୋଇଛି । ହଷ୍ଟେଲରେ ୧୦୦ ଜଣ ବାଳକ ଏବଂ ୧୪୦ ଜଣ ବାଳିକା ରହି ପାଠ ପଢ଼ୁଥିବା ନେଇ କହିଛନ୍ତି ହଷ୍ଟେଲ ଛାତ୍ର । ଜଣେ ଛାତ୍ର ଅଭିଯୋଗ କରିଛନ୍ତି ଯେ, ରାତ୍ରି ଖାଦ୍ୟରେ ଚିକେନ୍‌ ଦେବାର ଥିଲା କିନ୍ତୁ ଅଣ୍ତା ଦେଲେ । ଚିକେନ୍‌ କାହିଁକି ଦେଲେନି ପଚାରିବାରୁ ଗାଳିଗୁଲଜ କଲେ ।

କାଲି ରାତି ସାଢ଼େ ୩ ଟାରୁ ଦୀର୍ଘ ୨୫ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ଦେବା ନିମନ୍ତେ ଏମାନେ ଆସିଥିଲେ । ହେଲେ ଛୁଟି ଥିବାରୁ ଜିଲ୍ଲାପାଳଙ୍କ ଦେଖା ପାଇନଥିଲେ । ଏପଟେ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଅଭିଯୋଗର ତଦନ୍ତ ହେବ କହିଛନ୍ତି ଅତିରିକ୍ତ ଜନମଙ୍ଗଳ ଅଧିକାରୀ ।