ସ୍ତ୍ରୀକୁ ଭଲ କରିବା ଲାଗି...ଜନ୍ମକଲା ଛୁଆକୁ ଯେବେ ବିକ୍ରି ପାଇଁ ନିଷ୍ପତ୍ତି ନିଏ ବାପା...

ପ୍ରଥମ ସ୍ତ୍ରୀ ପଳେଇଲା । ଦ୍ୱିତୀୟ ମରିଗଲା...ଏବେ ପୁଣି ତୃତୀୟ ସ୍ତ୍ରୀର ଦେହ ଖରାପ । ଡାକ୍ତର ଲେଖିଥିବା ଔଷଧ ଆଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । ଔଷଧ ଆଣିବା ଲାଗି ଛୁଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଲା ବାପା । ଦ୍ୱାରଦ୍ୱାର ବୁଲି ପଚାରିଲା ଛୁଆ କିଏ ନେବ?

Keonjhar Mother

ରୋଗରେ ପଡିଛି ସ୍ତ୍ରୀ..ଚାଲିଛି ଚିକିତ୍ସା....ଡାକ୍ତର ଲେଖିଛନ୍ତି ଔଷଧ । ହେଲେ ମେଡିସିନ୍‌ କିଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । କେମିତି ସ୍ତ୍ରୀକୁ ଭଲ କରିବ ? ସେହି କଥା ଚିନ୍ତା କରି ୪ ମାସର କଅଁଳା ଶିଶୁକୁ ବିକ୍ରି କରିବା ଲାଗି ନିଷ୍ପତ୍ତି ନେଲା ବାପା । ଖାଲି ନିଷ୍ପତ୍ତି ନେଲା ତାହା ନୁହେଁ ବରଂ ଦ୍ୱାରଦ୍ୱାର ବୁଲି ପିଲାକୁ ବିକ୍ରି କରିବାକୁ ଚେଷ୍ଟା କଲା । ବାସ୍‌ ଏମିତି ହୃଦୟବିଦାରକ ଖବର ଜଣାପଡିବା ପରେ ପ୍ରଶାସନ ହସ୍ତକ୍ଷେପ କଲା, ପିଲା ବିକ୍ରିକୁ ବନ୍ଦ କଲା ।

ଔଷଧ ଖର୍ଚ୍ଚ ଲାଗି କୁନି ପିଲାକୁ ବିକ୍ରି କରିବାକୁ ପଛେଇଲାନି ବାପା । ଏମିତି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଖଣିଖାଦାନ ଜିଲ୍ଲା କେନ୍ଦୁଝରରୁ । ଅଭାବ ଏତେ ବଢିଥିଲା ଯେ ସ୍ତ୍ରୀକୁ ଭଲ କରିବାକୁ ଯାଇ ପିଲାକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲା ବାପା । ବାସ୍‌ ଏ ଖବର ପାଇବା ପରେ ତୁରନ୍ତ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ବାପାକୁ ବହୁ ବୁଝାସୁଝା କରିବା ପରେ ଅଭାବି ବାପା ଶିଶୁକୁ ବିକ୍ରି କରିବା କଥାରୁ ଓହରିଛି ।

କେନ୍ଦୁଝର ଉପକଣ୍ଠ ଶଙ୍କରପୁରରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । ସଦର ବ୍ଳକ ବୋଦାପଳସା ପଞ୍ଚାୟତ ଅନ୍ତର୍ଗତ ଶଙ୍କରପୁର ଗାଁର ମୁନା ମୁଣ୍ଡା ଏବେ ନିଜର ତୃତୀୟ ପତ୍ନୀଙ୍କ ସହିତ ରହୁଛନ୍ତି । ମୁନାଙ୍କ ପ୍ରଥମ ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ପରେ ପିଲାକୁ ଛାଡି ଅନ୍ୟ ପୁରୁଷର ସହ ପଳେଇଲା । ପରେ ଝିଅର ଯତ୍ନ ନେବା ପାଇଁ ମୁନା ଦ୍ୱିତୀୟ ବିବାହ କଲେ । ହେଲେ ସେ ରୋଗରେ ପଡି ପ୍ରାଣ ହରାଇଲେ । ତେଣୁ ପୁଣି ଥରେ ତୃତୀୟ ବିବାହ କଲେ ମୁନା ।

ହେଲେ ତୃତୀୟ ସ୍ତ୍ରୀ ରୋଗରେ ପଡିବାରୁ ତାଙ୍କୁ ଭଲ କରିବାକୁ ଯାଇ ମୁନା ପିଲା ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ । ହେଲେ ଏହି ସ୍ତ୍ରୀ କିନ୍ତୁ ରାଜି ନଥିଲେ । ତେବେ ଉଚିତ୍‌ ସମୟରେ ଶିଶୁ ସୁରକ୍ଷା ୟୁନିଟ୍‌ ପହଞ୍ଚିବାରୁ ପୁଣି ଥରେ ମାଆ କୋଳକୁ ଫେରିପାରିଛି ନିଷ୍ପାପ ଶିଶୁ । ତେବେ ଏହି ଘଟଣାକୁ ନେଇ ପୂରା ଜିଲ୍ଲାରେ ଏବେ ଚାଲିଛି ଚର୍ଚ୍ଚା ।