କିଏ ତାଙ୍କୁ କହେ ବିଶ୍ୱ କବି ତ ଆଉ କିଏ କହେ ଜୀବନବାଦୀ କାବ୍ୟଧାରାର ଅନ୍ୟତମ ବିନ୍ଧାଣି । ଇଂରାଜୀ ଓ ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ କବି ଜୟନ୍ତ ମହାପାତ୍ରଙ୍କୁ କିଏ କେମିତି ଜାଣେ, ତାର କଳନା ହିଁ ନାହିଁ। ଏବେ କିନ୍ତୁ ଅତୀତ, ଦିବଙ୍ଗତ ସେହି ଚିର ସବୁଜ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। ଆଜି ପଞ୍ଚଭୂତରେ ବିଲୀନ ହୋଇଯାଇଛି ତାଙ୍କର ରକ୍ତ, ମାଂସର ନିଶ୍ଚଳ ଶରୀର।
କଟକସ୍ଥିତ ଖାନନଗର ମଶାଣିରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯାଇଥିଲା ଅନ୍ତିମ ସତ୍କାର । କାରଣ ତାଙ୍କର ଇଚ୍ଛା ଥିଲା ଏହି ମଶାଣିରେ ହିଁ ଶେଷ ସତ୍କାର ହେବ। ହେଲେ ବିଦ୍ୟୁତ ଚୁଲା ଏବେ ଅଚଳ ଥିବାରୁ କାଠରେ ଜୁଇ ସଜଡ଼ା ଯାଇଥିଲା। ମୁଖାଗ୍ନି ଦେଇଥିଲେ ତାଙ୍କ ପୁତୁରା ଦେବ କୁମାର ଦାସ। ଅନ୍ତିମ ସତ୍କାର ପରେ ଆଜି ତାଙ୍କୁ ଝୁରୁଛି କଟକ ମାଟିର ଆକାଶ, ପାଣି ଆଉ ପବନ। ଏବେ ଶୂନଶାନ ହୋଇଯାଇଛି ବିଶ୍ୱ ସାହିତ୍ୟ ସାଧନାର ଘର ଚନ୍ଦ୍ରଭାଗା। ନୀରବି ଯାଇଛି ସାରା ସହର ।
Also Read
ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। ଇଂରାଜୀ ଭାଷାରେ କବିତା ପାଇଁ ପ୍ରଥମ ଭାରତୀୟ କବି ଭାବେ ପାଇଥିଲେ ସାହିତ୍ୟ ଏକାଡେମୀ ପୁରସ୍କାର। ତାଙ୍କ କୃତୀ ମଧ୍ୟରେ ରହିଛି ଇଣ୍ଡିଆନ୍ ସମର୍, ହଙ୍ଗର ଓ ରିଲେସନସିପ୍ ଭଳି ବହୁ କାବ୍ୟ ଓ କବିତା। ୨୦ରୁ ଅଧିକ ଇଂରାଜୀ କବିତା ସଂକଳନ ଓ ୭ରୁ ଅଧିକ ଓଡ଼ିଆ କବିତା ସଂକଳନ ଉତୁରିଛି ତାଙ୍କ ଲେଖନୀରୁ। ପତ୍ନୀ ଜ୍ୟୋତ୍ସ୍ନା ଦାସଙ୍କ ପରଲୋକ ପରେ ଏକୁଟିଆ ଅନୁଭବ କରୁଥିବା ଜୟନ୍ତ ୨୦୦୮ରେ ଲେଖିଥିଲେ ଏକ ଭାବପୂର୍ଣ୍ଣ ଚିଠି। ଯେଉଁଥିରେ ରହିଥିଲା ତାଙ୍କର ଶେଷ ଇଚ୍ଛା।
ଜୟନ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀ ଥିଲେ ବି ତାଙ୍କର ଶେଷ ଇଚ୍ଛା ଅନୁଯାୟୀ, କବର ଦିଆନଯାଇ ତାଙ୍କ ମରଶରୀରକୁ ଦାହ କରାଯାଇଥିଲା। ସେହିପରି ଜୟନ୍ତଙ୍କ ଘରୋଇ ସହାୟିକା ସ୍ୱର୍ଗତ ଜେ.ସରୋଜିନୀଙ୍କ ପାଇଁ ଘର ତିଆରି କରାଯାଇଛି। ଯେଉଁଠି ଏବେ ତାଙ୍କ ପୁଅ ରହୁଛନ୍ତି।
ଜୟନ୍ତଙ୍କ ପଡ଼ୋଶୀ ଶେଖ୍ ନଜାକତ୍। ବୟସର ଅପରାହ୍ନରେ ଆଜି ଜୟନ୍ତଙ୍କୁ ଝୁରୁଛନ୍ତି ସେ। କାରଣ ତାଙ୍କର ସାଇକେଲ ଦୋକାନକୁ ନେଇ ଏକଦା ଜୟନ୍ତ ଲେଖିଥିଲେ କବିତା । ଆଜି ସାଇକେଲ ଦୋକାନ ନାହିଁ, କି ସେହି କବିତାର ସ୍ରଷ୍ଟା ବି ନାହାଁନ୍ତି। ହେଲେ ସ୍ମୃତିସବୁ ଭାସିଉଠୁଛି ତାଙ୍କ ମନରେ।
ଦୀର୍ଘଦିନ ଧରି ନିମୋନିଆ ସହ ଛାତିରେ ସଂକ୍ରମଣ ଯୋଗୁ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ୯୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଜୟନ୍ତ ମହାପାତ୍ର। ତାସହ ଜୟନ୍ତ ଯୁଗର ଅବସାନ ଘଟିଛି ।