ମାଓ ମୁକାବିଲା ପାଇଁ ଓଡ଼ିଶା ପୋଲିସ କିଣିବ ହାଇଟେକ୍‌ ୱିପେନ୍‌

ଅତ୍ୟାଧୁନିକ କର୍ଣ୍ଣର ସଟ୍ ୱିପେନ୍ ଦ୍ୱାରା ଶତ୍ରୁଙ୍କୁ ସହଜରେ ଦେଖି ଟାର୍ଗେଟ କରାଯାଇପାରିବ ।

Odisha Police

ରାଜ୍ୟରେ ମାଓବାଦୀଙ୍କ ମୁକାବିଲା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବ ଓଡ଼ିଶା ପୋଲିସ । ବିଶେଷ କରି କର୍ଣ୍ଣର ସଟ୍ ୱିପେନ୍ ଓ ଅତ୍ୟାଧୁନିକ ଡ୍ରୋନ୍ ଅକ୍ତିଆର କରିବାକୁ ଯୋଜନା ହୋଇଛି । ଗତକାଲି ଭୁବନେଶ୍ୱରରେ ମାଓ ମୁକାବିଲା ନେଇ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ଅତ୍ୟାଧୁନିକ କର୍ଣ୍ଣର ସଟ୍ ୱିପେନ୍ ଦ୍ୱାରା ଶତ୍ରୁଙ୍କୁ ସହଜରେ ଦେଖି ଟାର୍ଗେଟ କରାଯାଇପାରିବ ।

ଏହି ଅସ୍ତ୍ରରେ ଥିବା ବଙ୍କା ବ୍ୟାରେଲ୍ ଓ ସିଧା ବଟ୍ ଦ୍ୱାରା ଗୋଟିଏ କୋଣରୁ ଡାହାଣ କିମ୍ବା ବାମକୁ ଟାର୍ଗେଟ କରାଯାଇ ଶତ୍ରୁକୁ ନିପାତ କରିହେବ । ଏଥିରେ ଲାଗିଥିବା କ୍ୟାମେରା ୯୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିପାରିବ । ଏହି ୱିପେନ୍ ସିଷ୍ଟମରେ ରାତିରେ ଦେଖି ହେଉଥିବା କ୍ୟାମେରା, ଅଦୃଶ୍ୟ ଲେଜର ସହ ଟାକଟିଟାଲ୍ ଫ୍ଲାସ୍ ଲାଇଟ୍ ଲାଗିଛି ।

ସେହିପରି ଓଡ଼ିଶା ପୋଲିସ ପାଇଁ ଉଚ୍ଚମାନର ୬ଟି ଡ୍ରୋନ୍ ମଧ୍ୟ କିଣିବାକୁ ଗତକାଲିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏବେ ରାଜ୍ୟ ପୋଲିସ ମାଓ ବିରୋଧୀ ଅଭିଯାନ ଲାଗି ଡ୍ରୋନ୍ ବ୍ୟବହାର କରୁଥିଲେ ହେଁ ରାତିରେ ଅଭିଯାନ ଲାଗି ହାଇଟେକ୍ ଡ୍ରୋନ୍ ଅଣାଯିବ । ବିଶେଷ କରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସର୍ଭିଲାନ୍ସ ଦିଗରେ ଏହାର ଉପଯୋଗ କରାଯିବ ।

ଗତକାଲି ବସିଥିବା ବୈଠକରେ ଡିଜିପି ସୁନୀଲ ବଂଶଲ ପୋଲିସ ବାହିନୀର ଅତ୍ୟାଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯଆଉଥିବା ସୂଚନା ଦେଇଥିଲେ । ଏହି ବେଠକରେ ପୋଲିସ୍ ଡିଆଇଜି, ଗୁଇନ୍ଦା ବିଭାଗ, ନକ୍ସଲ ପ୍ରଭାବିତ ଜିଲ୍ଲାର ଏସପି, ବିଏସଏଫ, ସିଆରପିଏଫ ଅଧିକାରୀ ସାମିଲ ହୋଇଥିଲେ ।