ପ୍ରଥମେ ଫିଲ୍ମ ହିରୋଇନ୍‌ ଆଉ ଏବେ ନିର୍ବାଚନ ମଇଦାନରେ ଏଣ୍ଟ୍ରି ମାରିବେ ସୀମା !

ନିର୍ବାଚନ ମଇଦାନରେ ଏଣ୍ଟ୍ରି ମାରିବେ ସୀମା ! ପ୍ରଥମେ ଫିଲ୍ମ ସାଇନ୍‌ କରିବା ପରେ ଏବେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଫର୍‌ ମଧ୍ୟ ମିଳିଛି ।

Seema Haider

ରାଜନୀତି ମଇଦାନକୁ ଓହ୍ଲାଇବେ ସୀମା ହାଇଦର ! ପ୍ରେମ ପାଇଁ ପାକିସ୍ତାନ ସୀମା ପାର୍‌ କରି ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ପ୍ରଥମେ ଫିଲ୍ମ ସାଇନ୍‌ କରିବା ପରେ ଏବେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଫର୍‌ ମିଳିଛି । କଥାଟା ଅଡୁଆ ଲାଗୁଥାଇପାରେ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ସତ । ଭାରତର ଏକ ରାଜନୈତିକ ଦଳ ସୀମାଙ୍କୁ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ଅଫର୍‌ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱେଲଙ୍କ ଦଳ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ତିଆ (RPI) ପକ୍ଷରୁ ସୀମାଙ୍କୁ ନିର୍ବାଚନ ଲଢ଼ିବା ନେଇ ଅଫର୍‌ ଦିଆଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ଅଫର୍‌କୁ ସେ ମଧ୍ୟ ସ୍ୱୀକାର ମଧ୍ୟ କରିଛନ୍ତି । ସୀମାଙ୍କୁ ପାର୍ଟିର ମହିଳା ୱିଙ୍ଗ୍‌ର ଅଧ୍ୟକ୍ଷ କରିବା ନେଇ ପାର୍ଟିର ସଦସ୍ୟମାନେ ଦାବି କରିଛନ୍ତି । ସୀମାଙ୍କ ଆଚରଣକୁ ଦେଖିଲେ ତାଙ୍କୁ ପାର୍ଟିର ମୁଖପାତ୍ର କରାଯିବା ନେଇ ଆଲୋଚନା ହେଉଛି । ଏମିତିକି ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ତିଆର ଚିହ୍ନରେ ସୀମା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ତେବେ ପାର୍ଟିର ସୁରକ୍ଷା ଏଜେନ୍ସିର ଯାଞ୍ଚ ପରେ ସୀମାଙ୍କୁ କ୍ଲିନ୍‌ ଚିଟ୍‌ ମିଳିବାର ଅପେକ୍ଷା ରହିଛି ।

ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ତିଆ(RPI) ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମାସୁମ କିଶୋର କହିଛନ୍ତି ଯେ ‘ସୀମା ପାକିସ୍ତାନର ନାଗରିକ ଓ ସେ ଭାରତ ଚାଲି ଆସିଛନ୍ତି । ଯଦି ଆମର ସୁରକ୍ଷା ଏଜେନ୍ସି ସୀମାଙ୍କୁ କ୍ଲିନ୍‌ ଚିଟ୍‌ ଦିଏ ତେବେ ତାଙ୍କୁ ଭାରତର ନାଗରିକତା ମିଳିବ । ଆଉ ତାହା ପରେ ତାଙ୍କୁ ପାର୍ଟି ପକ୍ଷରୁ ସ୍ୱାଗତ କରାଯିବ’ ।

ଖାଲି ଏତିକି ନୁହେଁ ବରଂ ରାଜନୀତି ପୂର୍ବରୁ ସୀମାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିପାରେ । ଫିଲ୍ମରେ ଅଭିନୟ କରିପାରନ୍ତି ସୀମା । ସୀମା ଗୁପ୍ତଚର ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ତାହା ପୁଣି ଭାରତର ଗୁପ୍ତଚର । ଅର୍ଥାତ୍ ଫିଲ୍ମରେ ସୀମାଙ୍କ ଭୂମିକା ରହିବ ର’ ଏଜେଣ୍ଟ । ଅନ୍ୟପଟେ ସୀମାଙ୍କ କାହାଣୀ ବି କୌଣସି ଫିଲ୍ମ ଠାରୁ କମ ନୁହେଁ।

ତେବେ କହିବାକୁ ଗଲେ ସୀମା ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି । ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି । ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି । ସୀମା ହାଇଦର ଆର୍ଥିକ ସଂକଟ ଦେଇ ଗତିକରୁଥିବା ଖବର ଭାଇରାଲ ହେବା ପରେ ଫିଲ୍ମ ନିର୍ମାତା ଅମିତ ଜାନୀ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ସେ ସୀମାଙ୍କୁ ଫିଲ୍ମରେ ହିରୋଇନ୍ ହେବାର ଅଫର୍ ଦେଇଥିଲେ ।