ନୂଆବର୍ଷରୁ ନନ୍ଦନକାନନରେ ଚିତା ଦେଖିବେ ଦର୍ଶକ

ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି ।

Cheetah

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଚିତା ବାଘ । ଆସନ୍ତା ଜାନୁଆରୀ ମାସରେ ଚିତା ବାଘ ଆସିବ ଦୁବାଇରୁ । ଦୁବାଇ ଚିଡ଼ିଆଖାନା ସହ ପ୍ରାଣୀ ବଦଳ ପ୍ରକ୍ରିୟାରେ ଚିତା ବାଘ ଆଣିବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

ସୁଶାନ୍ତ କହିଛନ୍ତି, ଚିତା ବାଘ ସହ ଧଳା ସିଂହ ଶାବକ ବି ଆସିବ ଦୁବାଇରୁ । ସେହିପରି ଆଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ଆଣିବାକୁ ଯୋଜନା ରହିଥିବା ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ।

ବଡ଼ଦିନ ଓ ନୂଆବର୍ଷ ଛୁଟି ଅବସରରେ ନନ୍ଦନକାନନ ରେ ପ୍ରବଳ ଗହଳି । ପ୍ରତ୍ୟେକ ଦିନ ଦର୍ଶକଙ୍କ ସଂଖ୍ୟା ୩୦ ହଜାର ଟପୁଛି । ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତିରିକ୍ତ ଟିକଟ କାଉଣ୍ଟର ବ୍ୟବସ୍ଥା ସହ ଅନଲାଇନ ଓ ହ୍ଵାଟ୍ସଆପ ମାଧ୍ୟମରେ ଟିକଟ ବୁକିଂ ହେଉଛି ।

ନନ୍ଦନକାନନ ଖୋଲିବା ସମୟରୁ ବନ୍ଦ ହେବା ଯାଏଁ ଭିଡ଼ ଲାଗିରହୁଛି । ସେହିପରି ନନ୍ଦନକାନନ ମୁଖ୍ୟ ରାସ୍ତା ମଧ୍ୟ ପ୍ରବଳ ଭିଡ ହେଉଛି । ଯାନବାହନରେ ଦୀର୍ଘ ସମୟ ଧରି ଲୋକମାନେ ଅପେକ୍ଷା କରିବାକୁ ପଡୁଛି ।