କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଖୁସି ଦେଲା ଭଳି ଖବର । ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ବନକଲାଗି ନୀତି । ଦତ୍ତ ମହାପାତ୍ର ସେବକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ କାରଣରୁ ଦୀର୍ଘ ୪୦ ଦିନ ଧରି ଏହି ନୀତି ବନ୍ଦ ଥିଲା । ଆସନ୍ତାକାଲି ବନକ ଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଦର୍ଶନ ବନ୍ଦ ରହିବ । ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଦତ୍ତମହାପାତ୍ର ସେବକ ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ବି ସବୁ ସାମଗ୍ରୀ ଯୋଗାଇ ଦେଇଛି ।
ବିବାଦ ସମାପ୍ତ, ଭକ୍ତଙ୍କୁ ଆଶ୍ୱସ୍ତ । ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଶ୍ରୀମନ୍ଦିର ପ୍ରଶାସନ ଏହି ସୂଚନା ଦେଇଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନୀତି ପାଇଁ ଅତି ଦରକାରୀ କଜ୍ଜ୍ୱଳ, ହିଙ୍ଗୁଳ, କେଶର ଓ ହରିତାଳ ଭଳି ଆବଶ୍ୟକୀୟ ପ୍ରସାଧନ ସାମଗ୍ରୀ ଯୋଗାଇ ଦିଆଯାଇଛି ।
ଦତ୍ତମହାପାତ୍ର ସେବକ ରତ୍ନ ସିଂହାସନ ଉପରେ ଚଢ଼ି ଶ୍ରୀ ବିଗ୍ରହମାନଙ୍କ ମୁଖ ସିଂହାର କରିବେ । ଏହି ସମୟରେ ମୁଖ୍ୟ ମନ୍ଦିରର ସମସ୍ତ କବାଟ ବନ୍ଦ ରହିବ। ଯେହେତୁ ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା ସେଥି ପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ।
ଦତ୍ତମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବାରକୁ ନେଇ ବିବାଦ କାରଣରୁ ଦୀର୍ଘ ୪୦ ଦିନ ହେଲା ଠାକୁରଙ୍କ ଶ୍ରୀମୁଖ ଶିଙ୍ଗାର ହୋଇ ନାହିଁ । ଦତ୍ତ ମହାପାତ୍ର ନିଯୋଗ ଗୁରୁବାର ଶ୍ରୀମୁଖ ଶିଙ୍ଗାର ପାଇଁ ଜିଦ୍ ଧରିଥିଲାବେଳେ ଶ୍ରୀମନ୍ଦିର ପ୍ରଶାସନ ବୁଧବାରରେ କରିବାକୁ ଅଡ଼ି ବସିଥିଲା। ବିବାଦ ବଢ଼ିବାରୁ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସକୁ ବି ଅନୁଧ୍ୟାନ ସହ ବିକଳ୍ପ ଖୋଜା ପର୍ଯ୍ୟନ୍ତ କଥା ଯାଇଥିଲା ।
Also Read
ତେବେ ଗତ ୪ ତାରିଖ ମ୍ୟାନେଜିଂ କମିଟିରେ ଏହି ନୀତି ମାସକରେ ଦୁଇ ଥର କିମ୍ବା ଅତିକମ୍ ରେ ଥରେ ବୁଧବାର କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଯଦି ଏହି ବାରରେ ଯାନିଯାତ୍ରା ଓ ଭିଡ଼ ରହେ, ତାହାଲେ ମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଏହା ଗୁରୁବାର କରାଯାଇ ପାରିବ। ଶେଷ ଥର ପାଇଁ ଠାକୁରମାନେ ଗତ ରଥଯାତ୍ରା ସମୟରେ ବନକଲାଗି ହୋଇଥିଲେ । ହେରା ପଞ୍ଚମୀ ନୀତି ପୂର୍ବରୁ ଗୁଣ୍ଡିଚା ଘରେ ଶ୍ରୀମୁଖ ଶିଙ୍ଗାର ହୋଇଥିଲା ।
ନିଳାଦ୍ରୀ ବିଜେ ସରିବାର ଏହାରି ଭିତରେ ୪୦ ଦିନ ବିତି ଯାଇଥିଲେ ବି ବିବାଦ କାରଣରୁ ନୀତି ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହାକୁ ନେଇ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମଳିନ ମୁଖକୁ ଦର୍ଶନ କରି ଭକ୍ତ କ୍ଷୁବ୍ଧ ହେଉଛନ୍ତି। ତେବେ ଆସନ୍ତାକାଲି ଠାକୁରଙ୍କ ବନକଲାଗି ହେବ ଓ ଶ୍ରୀଜୀଉମାନଙ୍କ ମୁଖ ପୁଣି ମନମୋହିବା କଥା ଶୁଣି ଭକ୍ତ ଖୁସି ହୋଇଛନ୍ତି । ତେଣେ ଅନ୍ୟ ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବି କାଲି ବନକଲାଗି ଘୋଷଣାକୁ ସ୍ୱାଗତ କରିଛନ୍ତି । ଏବେ ଅପେକ୍ଷା କାଲିର ସନ୍ଧ୍ୟାକୁ । ବନକଲାଗି ୬ଟାରୁ ଆରମ୍ଭ ହୋଇ ରାତି ୧୧ଟାରେ ସରିବ । ଏହା ପରେ ଶ୍ରୀଜିଉଙ୍କ ସୁନ୍ଦର ମୁଖ ଦର୍ଶନର ସୁଯୋଗ ପାଇବେ ଭକ୍ତ ।