ବନ୍ଧ ଖୋଲିଦେଲ, ଆମେ ଗାଧୋଇବୁ କେମିତି ?

ଶହଶହ ବର୍ଷର ପୁରୁଣା ପୋଖରୀ । ଦଳରେ ଏମିତି ଭର୍ତ୍ତି ହେଲାଣି ପୋଖରୀ କେଉଁଟା, ପଡିଆ କେଉଁଟା ଚିହ୍ନିବା କଷ୍ଟ । ଗାଧୋଇବା ଲାଗି ଏବେ ୨ କିମି ଧାଉଁଛନ୍ତି ଗାଁ ଲୋକେ

renovation of ponds

ନୂଆପଡ଼ା ଜିଲ୍ଲାର ବୃହତ୍ତମ ଗାଁ ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ହେଲେ ଗାଧୋଇବା ଏବେ ଗାଁ ଲୋକଙ୍କ ଲାଗି ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଆଷାଢ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହେଲାନି । ପୂର୍ବରୁ ଗାଁରେ ୨ଟି ପୋଖରୀ ଥିଲା । ଗୋଟିଏର ଅବସ୍ଥା ପୂରା ବେହାଲ ଥିବା ବେଳେ ଅନ୍ୟଟି ଖୋଳାଯାଇଛି । ତେଣୁ ଗାଧୋଇବା ଏଇ ଗାଁ ଲୋକଙ୍କ ଲାଗି ୭ ସପନ ହୋଇଯାଇଛି ।

ପୋଖରୀର ଅବସ୍ଥା ଏବେ ପୂରା ବେହାଲ । ପାଣି ତ ଦେଖାଯାଉନି ବରଂ ପୋଖରୀ ଭିତରେ ଅନାବନା ଗଛଲତା ସାଙ୍ଗକୁ ପଙ୍କ ଭରି ରହିଛି । ପୁଣି ଚତୁଃପାର୍ଶ୍ଵରେ ଗଦାଗଦା ଅଳିଆ ଆବର୍ଜନା ପଡ଼ିରହିଛି । ତେଣୁ ସମୟକ୍ରମେ ଏଇ ପୋଖରୀ ପୋତି ହେବାରେ ଲାଗିଲାଣି । ତେଣୁ ତୁରନ୍ତ ପୋଖରୀର ପୁନରୁଦ୍ଧାର କରିବାକୁ ଦାବି କଲେଣି ଗାଁ ଲୋକେ ।

ଏବେ ତୁକୁଲା ଗାଁର ଜଗନ୍ନାଥ ମନ୍ଦିର ପାଖରେ ଥିବା ଅନ୍ୟ ଏକ ପୋଖରୀ ହେଉଛି ମାନମତି ପୋଖରୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ପ୍ରାଚୀନ ଜଳାଶୟ । ପାଖାପାଖି ୪ ଶହ ବର୍ଷ ପୂର୍ବରୁ ପଶ୍ଚିମ ଓଡିଶାର ଆଦିକବି ଚୈତନ୍ୟ ଦାସଙ୍କ ଗୁରୁ ଚମାର ରାୟ ନିଜ ପତ୍ନୀ ମାନମତିଙ୍କ ନାଁରେ ଏହି ପୋଖରୀ ଖୋଲିଥିଲେ । ଆଉ ସେହିଦିନରୁ ପୂରା ଗାଁ ଲୋକ ଏହା ଉପରେ ନିର୍ଭର କରନ୍ତି । ୨୦୧୮-୧୯ ମସିହାରେ ପୋଖରୀକୁ ଆଦର୍ଶ ପୋଖରୀ କରିବା ନାଁରେ ପାଣି ଶୁଖାଇ ଦିଆଗଲା । ତେଣୁ ଏବେ ଭୟଙ୍କର ଅସୁବିଧା ସାମ୍ନା କରୁଛନ୍ତି ଲୋକେ । ସେପଟେ ପଂଚାୟତରେ ଦେଖାଯାଇଥିବା ପାଣି ସମସ୍ୟା ନେଇ ମୁହଁ ଖୋଲୁନାହାନ୍ତି ସରପଂଚ, ସେପଟେ ବିଡିଓ କହୁଛନ୍ତି ଘଟଣାର ତଦନ୍ତ କରାଯାଇ ଖୁବଶୀଘ୍ର କରାଯିବ ସମାଧାନ ।

ପ୍ରତି ଗାଁରେ ଲୋକଙ୍କୁ ପାଣି ଯୋଗାଇ ଦେବା ସହିତ ବିଭିନ୍ନ ପଂଚାୟତରେ ଆଦର୍ଶ ପୋଖରୀ ନାଁରେ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି । ହେଲେ ଏହା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

(ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ)