ସବୁ ମୋର ମୋର କହି ଗୋଚର ଜମିକୁ ମାଡ଼ି ବସିଲେ, ଏବେ ବିପଦରେ ଗୋ ସମ୍ପଦ

ଯେଉଁ ଜମିରେ ଦିନେ ଗାଈ ଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହୋଇଛି ପୋଖରୀ,ପାର୍କ,ବଡ଼ ବଡ଼ କୋଠା । ଅନେକ ଗୋଚର ଜମିକୁ ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି । ଏବେ ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମି ଗୁଡିକ କେବଳ ସରକାରୀ କାଗଜ କଲମରେ ରହିଯାଇଛି....

Gochar lands haunts

ଚରିବାକୁ ପଡ଼ିଆ ନାହିଁ । ଖାଇବାକୁ ଘାସ ନାହିଁ । କେମିତି ବଞ୍ଚିବେ ଘୁମୁସରି ପ୍ରଜାତିର ଗାଈ ? ଦିନେ ଗାଁ ଗୋପାଳଙ୍କ ବେଉସା କହିଲେ ଥିଲା ଗୋପାଳନ । କେବଳ ଗାଁ ଗୋପାଳ କାହିଁକି ଗାଁର ଅନ୍ୟ ଲୋକମାନେ ମଧ୍ୟ ଗୋପାଳନ କରି ଦି ପଇସା ପାଉଥିଲେ । ହେଲେ ଏବେ ସମୟ ବଦଳିଛି ଆଉ ବେଉସା ବି ବଦଳି ଯାଇଛି। ଏଥିପାଇଁ ମୁଖ୍ୟ କାରଣ ହେଉଛି ଗୋଚର ଜମିର ଅଭାବ । ଗାଁ ଗହଳିରେ ଥିବା ଗୋଚର ଜମି ଏବେ ଜବର ଦଖଲକୁ ଚାଲିଯିବା ପରେ ଏବେ ଏହି ସମସ୍ୟା ବଢ଼ିଛି । ଠିକ୍ ଏମିତି ସମସ୍ୟାର ସମ୍ମୁଖିନ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୁଲାଡ଼ ଗ୍ରାମର ଗୋପାଳକ ।

ଗୋଚର ଜମିରେ ଏବେ କେଉଁଠି ପାର୍କ ନିର୍ମାଣ ହୋଇଛି ତ କେଉଁଠି ପୋଖରୀ ଆଉ କେଉଁଠି ନିର୍ମାଣ ହୋଇଛି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର । ଭଞ୍ଜନଗର ଉପଖଣ୍ଡରେ ଥିବା 8 ଟି ବ୍ଲକ ଆସ୍କା, ଭଞ୍ଜନଗର, ସୋରଡ଼ା, ଧରାକୋଟ, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ଶେରଗଡ଼, ବୁଗୁଡା ଏସବୁଠି 20 ହଜାର ଏକରରୁ ଅଧିକ ପରିମାଣର ଗୋଚର ଜମି ରହିଛି । ଏତେ ପରିମାଣରେ ଗୋଚର ଜମି ଥାଇ ମଧ୍ୟ ଆଜି ଘୁମିସରୀ ଗୋପାଳକ ମାନେ ନିଜ ଗାଈ ଗୋରୁଙ୍କୁ ପାଇଁ ଖାଦ୍ୟ ଯୋଗାଡ଼ କରିପାରୁନାହାନ୍ତି... ।

ଜବରଦଖଲ ଅଭିଯୋଗ ଆସିବା ପରେ ଉପଖଣ୍ଡର ସମସ୍ତ ତହସିଲଦାରମାନଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ଖୁବଶୀଘ୍ର ଗୋଚର ଜମିକୁ ଚିହ୍ନଟ କରି ଜବରଦଖଲ ମୁକ୍ତ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ.. ।