/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666108782.jpg)
Physically Handicaped Couple
ପ୍ରତିଦିନ ସୋସିଆଲ୍ ମିଡିଆରେ ଅନେକ ପ୍ରେରଣାଦାୟୀ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ବିଭିନ୍ନ ବିଷୟବସ୍ତୁକୁ ନେଇ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କୁ ପ୍ରେରଣା ଓ ଶିକ୍ଷା ମଧ୍ୟ ଦେଇଥାଏ । ‘କଷ୍ଟ କଲେ କୃଷ୍ଣ ମିଳେ’ । ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ । ସେହି ସମସ୍ୟାକୁ ଅତିକ୍ରମ କରି ଜୀବନରେ ଆଗକୁ ବଢ଼ିଲେ ସଫଳତା ମିଳିଥାଏ । ଠିକ୍ ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଦିବ୍ୟାଙ୍ଗ ଦମ୍ପତି ଗୁପ୍ଚୁପ୍ ବିକ୍ରି କରୁଥିବାର ଦେଖିବାକୁ ମିଳିଛି ।
ଦମ୍ପତିଙ୍କ ଗୁପ୍ଚୁପ୍ ଦେକାନଟି ନାସିକ୍ର ଅଦ୍ଗାଓନ୍ରେ ରହିଛି । ଭିଡିଓରେ ଦମ୍ପତି ଜଣକ ନିଜ ଭାଷାରେ ଅର୍ଥାତ ଠାର ଠାରରେ ଗୁପ୍ଚୁପ୍ ପ୍ରସ୍ତୁତି ପ୍ରଣାଳୀ ବୁଝାଉଛନ୍ତି । ଦମ୍ପତ୍ତି ଠାରରେ ଗ୍ରାହକଙ୍କ ସହିତ କିପରି ଯୋଗାଯୋଗ କରିବା ସହ କିପରି ମିଳିମିଶି କାର୍ଯ୍ୟ କରୁଛନ୍ତି, ତାହା କହୁଛନ୍ତି । ଭିଡିଓରେ ମହିଳା ଜଣକ ଗ୍ରାହକଙ୍କୁ ପଚାରୁଛନ୍ତି ଯେ, ଗୁପ୍ଚୁପ୍ରେ କେତେ କଣ ମସଲା ଦିଆଯିବ । ଏହାପରେ ସେ ସେତିକି ମାତ୍ରାରେ ମସଲା ମିଶାଇ ଏକ ସୁସ୍ୱାଦୁ ଗୁପ୍ଚୁପ୍ ପ୍ଲେଟ୍ଟିଏ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓକୁ ଏକ ଫୁଡ୍ ବ୍ଲଗର୍ ‘ସ୍ଟ୍ରିଟ୍ ଫୁଡ୍ ରେସିପି’ ଇନ୍ଷ୍ଟାଗ୍ରାମ୍ ପେଜ୍ରୁ ସେୟାର କରାଯାଇଛି । ଏହି ପୋଷ୍ଟରେ ଲେଖାଯାଇଛି ଯେ, ‘ଏହି ଭିଡିଓ ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ ଏବଂ ମୁହଁରେ ହସ ଫୁଟିବ । ଜଣେ ଦିବ୍ୟାଙ୍ଗ ଦମ୍ପତି ନିଜର ଅକ୍ଷମତାକୁ ଅସ୍ୱୀକାର କରି କିପରି ନମ୍ର ଭାବରେ ଏକ ଗୁପ୍ଚୁପ୍ ଷ୍ଟଲ ଚଳାଉଛନ୍ତି । ସେ ଦେଉଥିବା ସମସ୍ତ ଖାଦ୍ୟ ଘରତିଆରି । ମୋତେ ବହୁତ ଭଲ ଲାଗିଲା କି ବେଶ ପରିଚ୍ଛନତାର ସହ ଖାଦ୍ୟ ବାଢ଼ୁଛନ୍ତି । ଏହି ଦମ୍ପତି ଜଣକ ସମାଜ ପାଇଁ ଉଦାହରଣ ପାଲଟିବେ’ ।
ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ୩.୭ ମିଲିୟନ ଲୋକ ଦେଖିସାରିଲେଣି । ଅନେକ ଲୋକ ଏହି ଭିଡିଓକୁ ସେୟାର କରିବା ସହ ଦମ୍ପତିଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । କେତେକ କମେଣ୍ଟରେ ଲେଖିଛନ୍ତି ଯେ, ‘ଆପଣମାନେ ଏଠାକୁ ଆସି ଏହି ସୁସ୍ୱାଦୁ ଗୁପ୍ଚୁପ୍ ଖାଆନ୍ତୁ ଏବଂ ସେମାନଙ୍କ ମନୋବଳକୁ ଦୃଢ଼ କରନ୍ତୁ ’। ତେବେ ନିଶ୍ଟୟ ଏହି ଭିଡିଓଟି ବେଶ୍ ପ୍ରେରଣାଦାୟକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)