ଚର୍ଚ୍ଚାରେ ମିଟୁ ଓ ଲକ୍ଷ୍ମୀଙ୍କ ଯୋଡ଼ି, ଦୃଷ୍ଟିବାଧିତଙ୍କୁ ଜୀବନ ସାଥି କଲେ ଯୁବତୀ

ବର ଜନ୍ମରୁ ଦୃଷ୍ଟି ବାଧିତ ଥିବା ଜାଣି ମଧ୍ୟ ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବତୀ ଜଣକ । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମରେ ।

ଦୃଷ୍ଟିବାଧିତଙ୍କୁ ଜୀବନ ସାଥି କଲେ ଯୁବତୀ

ପରିବାର ଲୋକଙ୍କ ସହମତିରେ ବୈଦିକ ରୀତିନୀତିରେ ହେଲା ବାହାଘର । ରୋଷଣୀ ବାଜା ବଜାଇ ବର ଯାତ୍ରୀଙ୍କୁ ଧରି ଆସିଲେ ବର । ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ପଡିଲା ହାତ ଗଣ୍ଠି । ସାତ ଜନ୍ମର ସାଥି ହେଲେ ବର କନ୍ୟା । ବର ଜନ୍ମରୁ ଦୃଷ୍ଟି ବାଧିତ ଥିବା ଜାଣି ମଧ୍ୟ ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବତୀ ଜଣକ । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମରେ ।

ବେଦୀ ଉପରେ ବର-କନ୍ୟାଙ୍କ ବାହାଘର ହେଲା । ଜଣେ ବାହାଘର ଦେଖି ଉପଭୋଗ କଲେ ତ ଆଉ ଜଣେ କିଛି ଦେଖି ନପାରି ଅନୁଭବ କଲେ । କାରଣ ବର ଜଣକ ହେଉଛନ୍ତି ଦିବ୍ୟାଙ୍ଗ। ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଛନ୍ତି।

ଦୋମୁହାଣୀ ଗ୍ରାମର ମିଟୁ ଗୌଡ଼ଙ୍କ ସହ  ରାଇଗୋଛା ଗ୍ରାମର ଲକ୍ଷ୍ମୀ ଗୌଡ଼ଙ୍କ ବିବାହ ହୋଇଛି । ମିଟୁ ଦିବ୍ୟାଙ୍ଗ ହୋଇଥିବା ବେଳେ ଲକ୍ଷ୍ମୀ ହେଉଛନ୍ତି ଜଣେ ଦିନ ମଜୁରିଆ । ମିଟୁ ବାପା ମା’ ଙ୍କୁ ହରାଇ ବଡ଼ଭାଇ ଓ ଭାଉଜଙ୍କ ପାଖରେ ରହୁଛନ୍ତି । ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜକୁ ଦୁର୍ବଳ ଭାବି ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ପାଇଁ ଘର ଆଗରେ ଛୋଟିଆ ଦୋକାନ ଟିଏ କରିଛନ୍ତି । ସେହିଭଳି ଲକ୍ଷ୍ମୀ ମଧ୍ୟ ମା’କୁ  ହରାଇ ବହୁ ଦୁଃଖ କଷ୍ଟରେ ବଡ଼ ହୋଇଛନ୍ତି ।ଦିନ ମଜୁରିଆ ଭାବେ କାମ କଲେ ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରୁଥିଲେ । ଏଭଳି ସ୍ଥିତିରେ ମିଟୁ ଲକ୍ଷ୍ମୀଙ୍କ ପାଖକୁ ବିବାହ ପ୍ରସ୍ତାବ ନେଇ ଆସିଥିଲେ । ମିଟୁ ଦୁନିଆକୁ ଦେଖି ପାରୁନାହାନ୍ତି ସତ କିନ୍ତୁ ତାଙ୍କର ବିଶାଳ ହୃଦୟ ଥିବା ଜାଣି ଲକ୍ଷ୍ମୀ ମିଟୁଙ୍କ ସହ ବିବାହ କରିବାକୁ ରାଜି ହେଲେ । କାରଣ ସେ ଦୁଃଖକୁ ଅତି ନିକଟରୁ ଦେଖି ଆସିଛନ୍ତି ମିଟୁଙ୍କ ଜୀବନରେ ନୂଆ ଆଶା ଭରିଦେବା ସହ ନିଜ ଆଖିରେ ମିଟୁଙ୍କୁ ଦୁନିଆ ଦେଖାଇବେ ବୋଲି କହିଛନ୍ତି ଲକ୍ଷ୍ମୀ ।

ଏନେଇ ପରେ ମିଟୁ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ଉଭୟ ପରିବାରର ସହମତିରେ ବୈଦିକ ରୀତିନୀତିରେ ଉଭୟଙ୍କ ବାହାଘର ହୋଇଛି । ମିଟୁ ଦୁନିଆକୁ ଦେଖି ପାରନ୍ତିନି ସିନା ଭଲ ଗୀତ ଗାଇ ପାରନ୍ତି । ଗୁରୁ ରବି ନାରାୟଣ ଦାସଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତଗାଈ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ଦୋକାନରେ ପେଟ୍ରୋଲ ବିକ୍ରି ଓ ମୋବାଇଲ ରିଚାର୍ଜ କରି ରୋଜଗାର କରିଥାନ୍ତି । ଲକ୍ଷ୍ମୀଙ୍କୁ ଵିଵାହ କରିଥିବାରୁ ବହୁତ ଖୁସି ଥିବା କହିଛନ୍ତି ମିଟୁ । ଏଥିପାଇଁ ଗାଁ ଲୋକେ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ମିଟୁ ଆଉ ଲଷ୍ମୀ ବାହାଘରରେ ସାହି ପଡିଶାଠୁ ଆରମ୍ଭ କରି ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିବା ସହିତ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି । ଜଣେ ଦୃଷ୍ଟିହୀନଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବାରୁ ଲକ୍ଷ୍ମୀଙ୍କୁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି ।