ଅମୂଲ୍ୟ ଏ ବନ୍ଧୁତା ସତେ : ଜେସିକାକୁ ନିତିଦିନ ପିଠିରେ ବୋହି ସ୍କୁଲ ଯାଏ ମାଙ୍ଗ୍ରି

ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ । ଭାଷାରେ ପ୍ରକାଶ କରିହେବ ନାହିଁ ଏ ବନ୍ଧୁତା ।

True Friendship

କୁନିକୁନି ଝିଅ ଦୁଇଟି । ସେମାନେ ଜାଣନ୍ତି ନାହିଁ ବନ୍ଧୁତା କ’ଣ। ହେଲେ ଦୁହେଁ ପାଲଟିଛନ୍ତି ବନ୍ଧୁତ୍ୱର ଶ୍ରେଷ୍ଠ ଉଦାହରଣ । ଜଣେ ଚାଲି ପାରୁନଥିବାରୁ, ଆଉଜଣେ ତାକୁ ପିଠିରେ ବୋହି ନେଇଯାଏ ସ୍କୁଲ । ହ୍ୱିଲ ଚେୟାରରେ ବସାଇ ଠେଲି ଠେଲି ନିଏ ଗୋଟିଏ କିଲୋମିଟର। ଝାଡ଼ା ପରିସ୍ରା କିମ୍ବା ଖାଇବାକୁ ଗଲେ ବି ସାଙ୍ଗ ପିଠିରେ ଯାଏ ସାଙ୍ଗ । ଏ ଭିଡିଓ ଦେଖିଲେ ଆପଣଙ୍କ ଆଖି ବି ଛଳଛଳ ହେଇଯିବ।

ସୁନ୍ଦରଗଡ ଜିଲ୍ଲା କୋଇଡା ନିକଟ କୁସୁମୁଣ୍ଡି ଗାଁର ଦୁଇ ଝିଅ ଜେସିକା ଓ ମାଙ୍ଗ୍ରି । ଉଭୟେ ପଢ଼ନ୍ତି ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଜେସିକା ପଢ଼େ ପ୍ରଥମ ଶ୍ରେଣୀରେ, ଆଉ ମାଙ୍ଗ୍ରିର ପଞ୍ଚମ ଶ୍ରେଣୀ । ଚାଲି ପାରୁନଥିବା ଜେସିକାକୁ ସବୁଦିନ ଘରୁ ଏମିତି ଟ୍ରାଇ ସାଇକେଲରେ ସ୍କୁଲ ଆଣେ ମାଙ୍ଗ୍ରି । ସ୍କୁଲରେ ପହଞ୍ଚିବା ପରେ ଟ୍ରାଇ ସାଇକେଲରୁ ଉଠାଇ ପିଠିରେ ବୋହି ବୋହି ନିଏ କ୍ଲାସ୍ ଭିତରକୁ । ବାହାରକୁ ଯିବାକୁ ହେଲେ କିମ୍ବା ଖାଇବା ବେଳେ ମଧ୍ୟ ମାଙ୍ଗ୍ରି ପିଠିରେ ହିଁ ଜେସିକା ଯାଏ ।…

ଜନ୍ମରୁ ଜେସିକାର ଗୋଡ଼ ଦୁଇଟି କାମ କରୁନଥିବାରୁ, ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଥିଲା । କଥା ଉଠିଲା ସ୍କୁଲ ଯିବ କେମିତି । ସାନଭଉଣୀ ପରି ସାଙ୍ଗ ପାଇଁ ବାହାରିଲା ସାଙ୍ଗ ମାଙ୍ଗ୍ରି । ସେ ଜେସିକାକୁ ପିଠିରେ ବୋହି ବୋହି ସବୁଦିନ ସ୍କୁଲ ନେଉଥିଲା । ତେବେ ଟ୍ରାଇସାଇକେଲ ଆସିବା ପରେ ପ୍ରତିଦିନ ଏକ କିଲୋମିଟରରୁ ଅଧିକ ବାଟ ତାକୁ ଏମିତି ଠେଲି ଠେଲି ଆଣେ ସ୍କୁଲ । ଆଉ ଏଥିରେ ତାର କଷ୍ଟ କି ଦୁଃଖ ନାହିଁ, ବରଂ ତାକୁ ମିଳେ ଅପାର ଆନନ୍ଦ । ଏ କଅଁଳ ବୟସରେ ଏ ଦୁହିଁଙ୍କ ବନ୍ଧୁତ୍ୱ ଦେଖି ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀଙ୍କ ଆଖି ବି ଛଳଛଳ ହୋଇଯାଏ।

ତେବେ ନିଃସ୍ୱାର୍ଥପରତାର ଅନ୍ୟ ନାମ ହେଲା ବନ୍ଧୁତା । ବନ୍ଧୁତ୍ୱର ଏସବୁ ଗୁଢ଼ ତତ୍ୱ ହୁଏତ ଏ ଦୁଇ କୁନିଝିଅ ବୁଝି ନାହାଁନ୍ତି, କିନ୍ତୁ ଏ ସଂସାରକୁ ଦେଇପାରିଛନ୍ତି, ବାସ୍ତବ ବନ୍ଧୁତ୍ୱର ପ୍ରକୃତ ଉଦାହରଣ ।