Advertisment

ହଠାତ ମାଡ଼ିଆସିଲା ବନ୍ୟାଜଳ: ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଉଛନ୍ତି ବନ୍ୟା ଦୁର୍ଗତ

ସକାଳେ ହଠାତ ବନ୍ୟାଜଳ ମାଡ଼ି ଆସିବାରୁ ଘର ଦ୍ୱାର ଛାଡ଼ି ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ବନ୍ୟା ଦୁର୍ଗତ। ତେରମାଣପୁର ଗାଁର ମୁଖ୍ୟ ରାସ୍ତାରେ ଏବେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଛାତିଏ ପାଣି।

Floodwater enters village

Floodwater enters village

Advertisment

ଗତବର୍ଷ ସେଇଠି ଘାଇ ହୋଇଥିଲା, ଦେଢ଼ମାସ ତଳେ ମରାମତିରେ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଲା । ଆଜି ପୁଣି ସେଠି ୨୦ ଫୁଟ୍ ରୁ ଅଧିକ ଚଉଡ଼ା ଘାଇ ମେଲି ଗାଁଗଣ୍ଡାରେ ବଢ଼ି ପାଣି ପଶିଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତେରମାଣପୁରରେ ଗାଁ ନିକଟରେ ମହାନଦୀରେ ପୁଣି ବିରାଟ ଘାଇ ଏ ସ୍ଥିତି ସୃଷ୍ଟି କରିଛି । ସେହିଭଳି ତେନ୍ତୁଳିଆ ଖମାରରେ ଆଉ ଦୁଇଟି ଘାଇ ପରେ ଏଠିବି ଦୁଇ ହଜାରରୁ ଅଧିକ ଲୋକ ଜଳବନ୍ଦୀ।

Advertisment

ସମୟ ସକାଳ ପ୍ରାୟ ୪ଟା ୫୦। ସ୍ଥାନ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ତେରମାଣପୁର ଗାଁ। ଏଇ ଗାଁ ନିକଟ ଦେଇ ଯାଇଥିବା ମହାନଦୀରେ ହଠାତ ସୃଷ୍ଟି ହୋଇଥିଲା ପ୍ରାୟ ୧୦ଫୁଟର ଘାଇ। ଏଣେ ସମୟ ବଢ଼ିବା ସାଙ୍ଗକୁ ବଢ଼ି ଚାଲିଥିଲା ଘାଇର ମୁହଁ। ଦିନ ପ୍ରାୟ ୧୦ଟା ବେଳକୁ ୨୦ଫୁଟର ଅଧିକ ଚଉଡ଼ା ହେବା ବେଳକୁ ଏପଟେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇସାରିଥିଲା ତେରମାଣପୁର ଓ କୋଟସାହି ଗାଁ। ଏ ଗାଁର ପ୍ରାୟ ୨ ହଜାରରୁ ଅଧିକ ଲୋକ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ। ମହନଦୀ ତଳମୁଣ୍ଡରେ ଥାଇ ବି ଏତେଶୀଘ୍ର ବନ୍ୟାର ଆକଳନ କରି ନଥିଲେ ଏଠାକାର ଲୋକେ।

ହେଲେ ସକାଳେ ହଠାତ ବନ୍ୟାଜଳ ମାଡ଼ି ଆସିବାରୁ ଘର ଦ୍ବାର ଛାଡ଼ି ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ବନ୍ୟା ଦୁର୍ଗତ। ତେରମାଣପୁର ଗାଁର ମୁଖ୍ୟ ରାସ୍ତାରେ ଏବେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଛାତିଏ ପାଣି। ସେହିଭଳି କୋଟସାହି ଗାଁ ଲୋକଙ୍କର ବି ଅନୁରୂପ ଅବସ୍ଥା। ସବୁଛାଡ଼ି ଏବେ ଗୃହପାଳିତ ପଶୁଙ୍କ ସହ ଉଚ୍ଚସ୍ଥାନକୁ ଯାଇ ପଲିଥିନ୍ ତଳେ ଆଶ୍ରୟ ନେଇଛନ୍ତି ଗାଁ ଲୋକେ।

Advertisment

ଗତବର୍ଷ ବନ୍ୟାରେ ତେରମାଣପୁର ଗାଁର ଠିକ୍ ଏଇ ସମାନ ସ୍ଥାନରେ ହିଁ ସୃଷ୍ଟି ହୋଇଥିଲା ୨୦ ଫୁଟରୁ ଅଧିକ ଲମ୍ବର ଘାଇ। ଆଉ ଏଥର ବି ସେହି ସ୍ଥାନରେ ଘାଇ ହୋଇ ପୁଣି ଗାଁ ଲୋକଙ୍କ ଜୀବନ ଜୀବୀକା ଉଜାଡ଼ି ଦେଇଛି। ଗତ ଜୁନ୍ ମାସରେ ଏହି ଘାଇ ମରାମତି ହୋଇଥିବା ବେଳେ ଏଥିପାଇଁ ୩୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା କୁହାଯାଉଛି।

ଗୋଟେପଟେ ମହାନଦୀ ଏତେ ଉଗ୍ର ହୋଇନଥିବା ବେଳେ ଏପଟେ ମରାମତିର ମାତ୍ର ଦେଢ଼ ମାସ ଭିତରେ ଘାଇ କେମିତି ହେଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୟୀ ଲୋକେ। ଘାଇର ମରାମତି ଠିକ୍ ଢଙ୍ଗରେ ହୋଇନଥିବା କିଛି ଲୋକ ଅଭିଯୋଗ କରିଥିବା ବେଳେ ଆଉ କିଛି ଲୋକେ କେଉଁ ପରିସ୍ଥିତିରେ ହେଲା ତାର ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି। ସେପଟେ ନିମ୍ନମାନର ମରାମତି କାମ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ବିଧାୟକ।

Advertisment

ସେପଟେ ମହାନଦୀର ତେନ୍ତୁଳିଆ ଖମାର ଆଡ଼ି ବନ୍ଧରେ ଆଜି ସକାଳୁ ଦୁଇଟି ଘାଇ ଯୋଗୁଁ ତେନ୍ତୁଳିଆ ଖମାର ଓ ବରିହାଡିହା ଗାଁକୁ ପ୍ରବେଶ କରୁଛି ବନ୍ୟାଜଳ। ପାଣି ଧିରେ ଧିରେ ବଢୁଥିବାରୁ ଏ ଦୁଇ ଗାଁ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହେବାକୁ ଯାଉଛି। ଏପଟେ ମହାନଦୀର ଜୟଶଙ୍ଖପୁର ଓ ପାଇକା ନଦୀରେ କାଠକୋଟଠାରେ ଗତବର୍ଷ ଘାଇ ହୋଇଥିବା ସ୍ଥାନରେ ପାଣିଝର ପଡ଼ିବା ସାଙ୍ଗକୁ ଘଳିଆର ଆଶଙ୍କା ପରେ ବଢ଼ିଛି ବନ୍ୟା ଭୟ। ତେଣୁ ସ୍ଥାନୀୟ ଲୋକେ ସଜାଗ ହୋଇ ବାଲିବନ୍ଧ ବାନ୍ଧିଥିବା ବେଳେ ଘଟଣାସ୍ଥଳ ଉପରେ ନଜର ରଖିଛି ସ୍ଥାନୀୟ ପ୍ରଶାସନ।

କୁଜଙ୍ଗ ବ୍ଲକର ତେରମାଣପୁର ହେଉ କି ତେନ୍ତୁଳିଆଖମାର। ମହାନଦୀରେ ବନ୍ୟାଜଳ ପ୍ରବାହ ଆରମ୍ଭରୁ ଘାଇ ସୃଷ୍ଟି ହୋଇଥିବାରୁ ନଦୀରେ ପାଣି କମିବା ଯାଏଁ ଲୋକେ ବନ୍ୟା କଷ୍ଟ ଭୋଗିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

Flood In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ