ଖଣ୍ଡପଡ଼ା ରୋଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ବସ୍ତ୍ରାଳୟ

କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ଅଭିଯୋଗ....ଦୀର୍ଘ ୪ ଘଣ୍ଟା ପରେ ନିଆଁ ଆୟତ୍ତ...ସର୍ଟସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ....

Fire breaks out in garment shop in Nayagarh; crores of assets burned into ashes

ନୟାଗଡ ଖଣ୍ଡପଡ଼ା ରୋଡରେ ଥିବା ଏକ ବସ୍ତ୍ରାଳୟରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତରେ ନିଆଁ  ଲାଗିଥିବା ଅନୁମାନ । ଏଥିରେ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।  ନିଆଁ  ଲିଭାଇବାରେ ୪ଟି ଦମକଳ ବାହିନୀ ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲା l ଦୀର୍ଘ ସମୟର କସରତ ପରେ ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ , ନୂଆଗାଁ , ଖଣ୍ଡପଡାରୁ ୪ଟି ଦମକଳ ଗାଡି ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁଲିଭାରେ ନିୟୋଜିତ ହୋଇଥିଲେ ।

ସୋରୁମର ଆକାର ବଡ ହୋଇଥିବା ବେଳେ ଭିତରୁ ଧୂଆଁ ଜୋରରେ ବାହାରୁଥିବାରୁ ନିଆଁ ଆୟତ କରିବାକୁ ୪ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ସ୍ଥିତି ଏପରି ହୋଇଥିଲା ନିଆଁ ଲିଭାଇବା ପାଇଁ ଜେସିବି ଲଗାଇ ଦୋକାନ ଘର ବି ଭାଙ୍ଗିବାକୁ ପଡିଥିଲା । ଏବେ ସୁନ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।  ନିଆଁ କିପରି ଲାଗିଲା ସେ ସମ୍ପର୍କରେ ପରେ ଜଣାପଡିବ ବୋଲି ଫାୟାର ଅଫିସର୍ ସୂଚନା ଦେଇଛନ୍ତି । ଅନ୍ୟପଟେ  ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।