Advertisment

ବସ୍‌ରେ କାହିଁକି ପ୍ରଥମେ ଚଢନ୍ତିନି ମହିଳା?

କାହିଁକି ? କେବେଠାରୁ? ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍‌ରେ ଚଢାନ୍ତି ନାହିଁ ବସ୍‌ କର୍ମଚାରୀ ? ବରମୁଣ୍ଡାରେ ଏମିତି କଣ ଘଟିଲା ଯେ ମହିଳାଙ୍କୁ ପ୍ରଥମେ ଚଢାଇବାକୁ ନିର୍ଦ୍ଦେଶ ଦେଲେ ମହିଳା କମିଶନ ଅଧ୍ୟକ୍ଷା

Females not allowed to board first on bus!

Females not allowed to board first on bus!

Advertisment

ପ୍ରତିଦିନ ଆମେ ଯାତ୍ରୀବାହୀ ବସ୍‌ ଦେଖନ୍ତି, ଆମ ମାନଙ୍କ ମଧ୍ୟରୁ କେହି କେହି ପ୍ରତିଦିନ ଯାତ୍ରା ବି କରନ୍ତି । ହେଲେ ଏହି ସମୟରେ ଆମେ ସମସ୍ତେ ପ୍ରାୟ ଦେଖନ୍ତି ବସ୍‌ ଯେଉଁଠାରୁ ଯାତ୍ରା ଆରମ୍ଭ କରେ ସେହି ସମୟରେ କୌଣସି ମହିଳାଙ୍କୁ ପ୍ରଥମେ କେତେକ ବସ୍‌ କର୍ମଚାରୀ ଗାଡିରେ ଚଢିବାକୁ ଅନୁମତି ଦିଅନ୍ତି ନାହିଁ । ପ୍ରଥମେ ପୁରୁଷ ଚଢିବା ପରେ ମହିଳାଙ୍କୁ ଗାଡିରେ ଯିବାକୁ ଅନୁମତି ମିଳେ । ଏମିତି ଦୃଶ୍ୟ ଆମେ ଦେଖିବା ପରେ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ କି ଏମିତି ବ୍ୟବସ୍ଥା କଣ ପାଇଁ? କେବେଠାରୁ ଆରମ୍ଭ ହୋଇଛି ଏମିତି କୁତ୍ସିତ ପ୍ରଥା? ହେଲେ ଏବେ ମହିଳା କମିଶନର ଅଧ୍ୟକ୍ଷା ଯେଉଁ ଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ ଏବେ ଜୋର ଧରିଲାଣି ଚର୍ଚ୍ଚା ।

Advertisment

ଏଣିକି ପୁରୁଷଙ୍କ ପରି ପ୍ରଥମେ ବସ୍‌ରେ ଚଢିବେ ମହିଳା । ଏକଥା ଆମେ ନୁହେଁ ବରଂ କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ବସ୍ ଯାତ୍ରା ଆରମ୍ଭ ବେଳେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍ ଭିତରକୁ ପ୍ରବେଶ ଅନୁମତି ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଚିଠିରେ ସ୍ପଷ୍ଟ ଭାବରେ କୁହାଯାଇଛି ଗାଡିରେ ଯେମିତି ପୁରୁଷମାନେ ପ୍ରଥମେ ପ୍ରବେଶ କରିବାର ସୁଯୋଗ ପାଉଛନ୍ତି ମହିଳାମାନେ ମଧ୍ୟ ସମାନ ଢଙ୍ଗରେ ସୁଯୋଗ ପାଇବେ ।

ଇଏ ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି କେତେକ ସ୍ଥାନରେ ଚଳିଆସୁଥିଲା ଏମିତି କୁତ୍ସିତ ପରମ୍ପରା । ହେଲେ ଏହାକୁ ନେଇ ଏକ ଘଟଣା ସାମ୍ନାକୁ ଆସିଥିଲା ବରମୁଣ୍ଡାରୁ । କିଛି ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରୁ ମାଲକାନଗିରି ଯିବାକୁ ଚାହୁଁଥିବା ଜଣେ ମହିଳା ଯାତ୍ରୀ ବସରେ ଚଢ଼ିବାକୁ ଚାହିଁବାରୁ ତାଙ୍କୁ ବାରଣ କରିଥିଲେ କଣ୍ଡକ୍ଟର । ଆଉ ଏମିତି ଘଟଣା ବିରୋଧରେ ମହିଳା କମିଶନଙ୍କ ନିକଟରେ ଫେରାଦ୍ ହୋଇଥିଲେ ଘାସିରାମ ପଣ୍ଡା ନାମକ ଜଣେ ସାମାଜିକ କର୍ମୀ । ତାଙ୍କ ପିଟିସନ ଆଧାରରେ କମିଶନ୍ ଏ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

କମିଶନର ଅଧ୍ୟକ୍ଷା କହିଛନ୍ତି, ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ, ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଗ୍ରହଣ ନକରିବା ଭଳି ମହିଳା ବିରୋଧୀ ପ୍ରଥା ସମ୍ପର୍କରେ ଅନେକ ହୁଏତ ଅବଗତ ନଥିବେ । କିନ୍ତୁ ବସ୍ କର୍ମଚାରୀ ବିଶେଷକରି କଣ୍ଡକ୍ଟରମାନେ କିନ୍ତୁ ଏ ଅନ୍ଧବିଶ୍ୱାସକୁ ଅଲିଖିତ ନିୟମ ଭାବେ ପାଳନ କରିଥାନ୍ତି । ସେଥିପାଇଁ ଅନେକ ସମୟରେ ଏଭଳି ଘଟଣା ନଜରକୁ ଆସୁଥିଲା ।

ରାଜ୍ୟରେ ପ୍ରଚଳିତ ଏ କୁତ୍ସିତ ପ୍ରଥାକୁ ବନ୍ଦ କରିବା ସହ ବସରେ ମହିଳାଙ୍କ ପାଇଁ ସିଟ୍‌ ସଂଖ୍ୟା ୫୦ ପ୍ରତିଶତ ବଢାଇବା ଏବଂ ମହିଳାଙ୍କ ପାଇଁ ଦିଆଯାଉଥିବା ସୁବିଧା ନେଇ କମିଶନର ସଦସ୍ୟା ଆକସ୍ମିକ ଯାଞ୍ଚ କରିବେ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ତେବେ ଏମିତି ନିର୍ଦ୍ଦେଶନାମାକୁ ନେଇ କିନ୍ତୁ ସାରା ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା ।

Advertisment
Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ