ଭୂକମ୍ପ ପୂର୍ବରୁ ଏମାନଙ୍କୁ ଆଗୁଆ ମିଳେ ଆଭାସ, ହେଲେ କାହିଁକି ?

ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

Earthquake

ଭୂକମ୍ପରେ ଥରିଲା ୩ ଦେଶ। ଭାରତ, ଚୀନ ଓ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ଏହି ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିବାବେଳେ ଭାରତରେ ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରର ଅନେକ ସହରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

ଭୂକମ୍ପ ଯୋଗୁ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଠାରେ ଘର ଭୁଶୁଡ଼ି ପଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ନେପାଳରେ ଭୂକମ୍ପର ଡବଲ ଝଟ୍‌କା ଅନୁଭୂତ ହୋଇଥିଲା। ରାତି ପ୍ରାୟ ୨ଟା ସମୟରେ ଭୂକମ୍ପର ପ୍ରଥମ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ଥିଲା। ଭୂକମ୍ପର ଝଟ୍‌କାରେ ଦୋତି ଜିଲ୍ଲାରେ ଘର ଭୁଶୁଡ଼ି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭାରତରେ କୌଣସି କ୍ଷୟକ୍ଷତି ହୋଇନାହିଁ କି କାହାର ଜୀବନ ମଧ୍ୟ ଯାଇନାହିଁ ।

ପୂର୍ବରୁ ଅନେକଥର ସୋସିଆଲ୍‌ ମିଡିଆରେ ଭୂକମ୍ପକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଭୂକମ୍ପ ହେବା ପୂର୍ବରୁ ପଶୁପକ୍ଷୀ ମାନଙ୍କୁ ଏନେଇ ଆଭାସ ମିଳେ । ଭୂକମ୍ପ ହେବା ପୂର୍ବରୁ ସେମାନେ ଅସ୍ୱାଭାବିକ ଆଚରଣ କରନ୍ତି । ତେବେ ଏବିଷୟରେ ଜଣେ ପଶୁ ବିଶେଷଜ୍ଞକୁ ପଚରାଯିବାରୁ ସେ କହିଥିଲେ ଯେ, ପଶୁମାନଙ୍କର ଶୁଣିବାର କ୍ଷମତା ମନୁଷ୍ୟର ତୁଳନାରେ ବହୁତ ଅଧିକ । ଭୂକମ୍ପ ଆସିବା ପୂର୍ବରୁ ସେମାନେ କମ୍ପନ ବିଷୟରେ ଜାଣିପାରିବେ ।

ପଶୁମାନେ ସାଧାରଣତଃ ଚଟାଣରେ ଶୁଅନ୍ତି । ତେଣୁ ଚଟାଣ ସହ ତାଙ୍କର ସିଧାସଳଖ ସମ୍ପର୍କ ଥାଏ । ସ୍ଥଳଭାଗରେ ଘଟୁଥିବା ଯେକୌଣସି ଗତିବିଧିକୁ ସେ ମଣିଷଠାରୁ ଶୀଘ୍ର ଜାଣିପାରନ୍ତି । ତେଣୁ କୁହାଯାଏ କି ମଣିଷ ଅପେକ୍ଷା ପଶୁପକ୍ଷୀମାନଙ୍କୁ ଭୂକମ୍ପ ହେବ ବୋଲି କିଛିସମୟ ପୂର୍ବରୁ ଜଣାଥାଏ ।