Why Dogs Chase Vehicles: କାର୍, ବାଇକ୍ ପଛରେ କାହିଁକି ଦୌଡ଼ନ୍ତି କୁକୁର ? କ’ଣ ରହିଛି ଏହା ପଛର କାରଣ ?

କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।

ଗାଡ଼ିକୁ ଦେଖିଲେ କାହିଁକି ଗୋଡ଼ାନ୍ତି କୁକୁର

ଗାଁ ହେଉ କି ସହର, ବାଇକରେ ଯାଉଥିବାବେଳେ କୁକୁର ଗୋଡ଼ାଇବା ପରି ସ୍ଥିତିକୁ ପ୍ରାୟ ସମସ୍ତେ ସାମ୍ନା କରିଥିବେ । ବିଶେଷ କରି ବିଳମ୍ବିତ ରାତିରେ ଫେରୁଥିବା ବେଳେ ଶୂନଶାନ ରାସ୍ତାରେ କୁକୁରଙ୍କର ଏପରି ଦୌରାତ୍ମ୍ୟ ଚାଳକଙ୍କ ଚିନ୍ତା ବଢାଇ ଦେଇଥାଏ । ବାଇକ ବା କାରଟିଏ ଦେଖିଦେଲେ ଦଳବଳ ସହ ଏମାନେ ଶତସିଂହର ବଳ ନେଇ ମାଡ଼ି ଆସନ୍ତି । ଏମିତି ଘଟଣା ନୂଆ କଥା ନୁହେଁ । ବେଳେବେଳେ ତ କୁକୁରମାନେ ଅନେକ କିଲୋମିଟର ଧରି ଦୌଡନ୍ତି । ଏହାକୁ ନେଇ କାର ଓ ବାଇକ ଚାଳକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ମଧ୍ୟ ହୋଇଥାଏ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଲାଗେ, ପାଦରେ ଚାଲି ଚାଲି ଯାଉଥିବା ବ୍ୟକ୍ତିଙ୍କ ପ୍ରତି କୁକୁରଙ୍କର କିଛି ପ୍ରତିକ୍ରିୟା ନ ଥାଏ । ଏମିତି ସ୍ଥିତିକୁ ଦେଖିଲେ ମନରେ ପ୍ରଶ୍ନ ଉଠେ, କୁକୁରମାନେ ଏମିତି ହୁଅନ୍ତି କାହିଁକି ? କୁକୁରମାନଙ୍କର ଏପରି ବ୍ୟବହାର ପଛରେ ସତରେ କ’ଣ କିଛି କାରଣ ରହିଛି ?

ଗାଡ଼ି ଟାୟାର ପାଇଁ ଗୋଡାଏ କୁକୁର

କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।

ଟାୟାରରୁ କାହିଁକି ଆସେ କୁକୁରର ଗନ୍ଧ

କୁକୁରମାନଙ୍କର ଆଉ ଏକ ବିରକ୍ତିକର ଅଭ୍ୟାସ ଅଛି । କାର ବା ବାଇକଟିଏ ଛିଡା ହେବା ଦେଖିଲାମାତ୍ରେ ସେମାନେ ଧାଇଁ ଆସି ଏହାର ଟାୟାର ଉପରେ ପରିସ୍ରା କରିଥାନ୍ତି । ଏହି ଟାୟାର ଦ୍ୱାରା ହିଁ ଗୋଟିଏ କୁକୁରର ଗନ୍ଧ ଅନ୍ୟ କୁକୁର ପାଖରେ ପହଞ୍ଚି ଥାଏ । ଧରନ୍ତୁ, ଆପଣଙ୍କର କାର ବା ବାଇକରେ କୌଣସି କୁକୁର ପରିସ୍ରା କରିଦେଲା । ଏହା ପରେ ଏହି ଗାଡି ଅନ୍ୟ ଇଲାକାକୁ ଗଲା । ସେହି ଜାଗାର କୁକୁର ଟାୟାରରୁ ଅନ୍ୟ କୁକୁରଙ୍କ ଗନ୍ଧ ଆଘ୍ରାଣ କରିପାରନ୍ତି । ପଶୁ ମନୋବିଜ୍ଞାନ କହେ, କୁକୁରମାନେ ନିଜ ଇଲାକାରେ ଅନ୍ୟ କୁକୁରମାନଙ୍କ ପ୍ରବେଶକୁ ବରଦାସ୍ତ କରିପାରନ୍ତି ନାହିଁ । ତେଣୁ ଏହି ଗନ୍ଧରୁ ସେମାନେ ଭାବି ନିଅନ୍ତି ଯେ, ତାଙ୍କ ଗଳିକୁ କେହିଁ ଅନ୍ୟ କୁକୁର ଆସିଗଲା । ସେଥିପାଇଁ ସେମାନେ ବାଇକ ବା କାର ପଛରେ ଦୌଡ଼ିବାକୁ ଆରମ୍ଭ କରନ୍ତି ।

କୁକୁର ଗୋଡ଼ାଇବାର ଆଉ ଏକ କାରଣ

କାର ବା ବାଇକ ପଛରେ କୁକୁର ଗୋଡ଼ାଇବାର କାରଣ ତ ନିଶ୍ଚିତ ଭାବେ ଟାୟାର ଗନ୍ଧ । ଏହା ବ୍ୟତୀତ ଆଉ ଏକ କାରଣ ମଧ୍ୟ ରହିଛି । ଯଦି କୌଣସି ଗାଡ଼ି ତାହାର ସାଥୀକୁ ଧକ୍କା ଦେଇଥିବ କିମ୍ବା କୌଣସ ଗାଡ଼ିର ଧକ୍କାରେ ସାଥୀ କୁକୁରର ମୃତ୍ୟୁ ଘଟିଥିବ ତେବେ ବି ତାହାର ଗନ୍ଧ କୁକୁରମାନେ ଆଘ୍ରାଣ କରି ପାରିବେ । ଆଉ ସେହି ଗାଡ଼ିକୁ ଦେଖିବା ମାତ୍ରେ ଭୁକିବା ସହ ଗୋଡ଼ାଇଥାନ୍ତି । ଯଦି କୌଣସି କୁକୁର ଏମିତି ଗୋଡାଇଥାନ୍ତି ତେବେ ବାଇକ ଆରୋହୀ ହୁଅନ୍ତୁ ବା କାରଚାଳକ, ଗାଡ଼ିର ବେଗ ବଢାଇ ଦେଇଥାନ୍ତି । ଯେତେ ଶୀଘ୍ର ସମ୍ଭବ ଏଠାରୁ ପଳାଇବାକୁ ଚେଷ୍ଟା କରନ୍ତି । ଏହା ହିଁ ଅନେକ ସମୟରେ ଦୁର୍ଘଟଣାର କାରଣ ହୋଇଥାଏ ।

କୁକୁର-ମଣିଷଙ୍କର ସମ୍ପର୍କ ଟିକେ ନିଆରା । ଏହା ଭିତରେ ଅନେକ ଭଲ ପାଇବା, ବିଶ୍ୱାସ ରହିଛି । ବିଶେଷକରି କୁକୁରଙ୍କର ମାଲିକଙ୍କ ପ୍ରତି କୃତଜ୍ଞତା ଅନ୍ୟ ପଶୁମାନଙ୍କଠାରୁ ଭିନ୍ନ । ହେଲେ ଏମିତି ଗାଡ଼ି ପଛରେ ଦୌଡୁଥିବା କୁକୁରଙ୍କୁ ଦେଖିଲେ ଲାଗେ, ଯେମିତି ଯୁଦ୍ଧ କ୍ଷେତ୍ରରୁ କୌଣସି ଶତ୍ରୁକୁ ଏମାନେ ଭଗାଇବାର ଚେଷ୍ଟା କରୁଛନ୍ତି । ଏହି ଶତ୍ରୁଙ୍କୁ ଘଉଡାଇବା ପାଇଁ ସେମାନେ ନିଜର ଜୀ-ଜାନ ଖଟାଇ ଦେଇଛନ୍ତି । ଯଦି ଏପରି ସମୟରେ ଆପଣ ଗାଡି ଉପରୁ ନିୟନ୍ତ୍ରଣ ହରାନ୍ତି ଏବଂ ପଡ଼ି ଯାଆନ୍ତି କିମ୍ବା ଆପଣଙ୍କ କପଡ଼ା କୁକୁର ମୁହଁରେ ପଡିଯାଏ ତେବେ ସାଂଘାତିକ ପରିସ୍ଥିତି । ଏମିତି ସ୍ଥିତିରେ ବେଳେବେଳେ ବାଇକ ଆରୋହୀ ନିୟନ୍ତ୍ରଣ ହରାଇ ପଡ଼ିଯାଆନ୍ତି । ନଚେତ କୁକୁର ଗାଡ଼ି ଚକାସାମ୍ନାକୁ ଆସିଯାଏ । ଏଥିଯୋଗୁ କେତେବେଳେ ମଣିଷର ତ କେତେବେଳେ କୁକୁରର ଜୀବନ ଯାଇଥାଏ । ତେଣୁ ଏ ସମୟରେ ତରବର ନହୋଇ ଧୀରସ୍ଥିର ଭାବେ ଗାଡ଼ି ଚଳାଇବା ହିଁ ବୁଦ୍ଧିମତାର ପରିଚାୟକ ହେବ ।