କାହା ପାଇଁ ଦୀପାବଳି, କାହା ପାଇଁ ଅନ୍ଧାର ରାତି; କିଏ ହସୁଛି ତ ଆଉ କିଏ ଆଖିର ଲୁହକୁ ଓଠରୁ ପିଉଛି

୬ ବର୍ଷ ତଳର ସେହି ଛାତିଥରା ବାଣ ବିସ୍ଫୋରଣ ଘଟଣା ଆଜି ବି ମନେପଡ଼ିଲେ ମୁଣ୍ଡରୁ ପାଦ ଯାଏ କୋଲ ମାରିଯାଏ ବାଲେଶ୍ୱର ବାହାବଳପୁରର ଗୋଲକ ପ୍ରଧାନ ଓ ପତ୍ନୀଙ୍କର ।

Special Story

ବାଲେଶ୍ୱର ଜିଲ୍ଲା ବାହାବଳପୁର । ଖୁସି ମଉଜର ପର୍ବ ଦୀପାବଳି ଆସିଲେ ଏହି ଗାଁର ଗୋଲକ ପ୍ରଧାନଙ୍କ ପରିବାରର ସର୍ବାଙ୍ଗ ଥରିଉଠେ । ଆପାଦ ମସ୍ତକ ସତେ ଯେମିତି କୋଲ ମାରିଯାଏ । କାରଣ ତାଙ୍କର ୩ ପୁଅ ଓ ୨ ନାତିନାତୁଣୀଙ୍କୁ ଆଖି ସାମ୍ନାରେ ଭିଡ଼ି ମାରିଦେଇଥିଲା ସେଦିନର ଭୟଙ୍କର ବାଣ ବିସ୍ଫୋରଣ । ଆଜି ଆଲୋକର ପର୍ବ ଆସିଥିଲେ ବି ଏହି ପରିବାରରେ ଛାଇଯାଇଛି ଅମା ଅନ୍ଧକାର । କେବଳ ବାହାବଳପୁର କାହିଁକି, ବାହାନଗା ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରରେ ବି ଆଜି ଅନ୍ଧାରର ରାଜୁତି । ଆପଣାର ମଣିଷଙ୍କୁ ହରାଇବା ଦୁଃଖ ଭିତରେ ତୁଚ୍ଛ ହୋଇଯାଇଛି ଦୀପାବଳି ।

ନିସ୍ତବ୍ଧ..ନିଶ୍ଚଳ..ନୀରବ..ସେଦିନର ସେହି କାଳର କରାଳ ଯେତେବେଳେ ମନ ଭିତରେ ଭାସି ଆସେ, ଥପ୍ ଥପ୍ ହୋଇ ଝରିଯାଏ ଲୁହ । ବୋଲ ମାନେନି କୋହ । ଛାତିରେ ରୁନ୍ଧି ହୋଇଯାଏ ସବୁକିଛି । ଠିକ୍ ଏହି କାଳୀପୂଜା ଆଉ ଦୀପାବଳି ଆସିଲେ ଆପଣାର ମଣିଷ ମାନଙ୍କ କଥା ମନେପଡ଼ିଲେ, ଧୈର୍ଯ୍ୟର ବନ୍ଧ ଡେଇଁ ଲୁହ ସବୁ ନିଗିଡ଼ିଯାଏ ।

୬ ବର୍ଷ ତଳର ସେହି ଛାତିଥରା ବାଣ ବିସ୍ଫୋରଣ ଘଟଣା ଆଜି ବି ମନେପଡ଼ିଲେ ମୁଣ୍ଡରୁ ପାଦ ଯାଏ କୋଲ ମାରିଯାଏ ବାଲେଶ୍ୱର ବାହାବଳପୁରର ଗୋଲକ ପ୍ରଧାନ ଓ ପତ୍ନୀଙ୍କର । ଆଉ ପ୍ରତିବର୍ଷ ଦୀପାବଳି ଆସିଲେ କେବଳ ଗୁମୁରି କାନ୍ଦିବା ଛଡ଼ା ଆଉ ବିକଳ୍ପ ବି ନାହିଁ ଏହି ଦୁଃଖୀ ଦମ୍ପତ୍ତିଙ୍କର ।

୨୦୧୭ ଅକ୍ଟୋବର ୧୮ । ଠିକ୍ ଦୀପାବଳି ପୂର୍ବଦିନ ବାଣ ତିଆରି ସହ ବିକ୍ରିବେଳେ ଗୋଲକଙ୍କ ଘରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ନିମିଷକ ମଧ୍ୟରେ ଛାରଖାର ହୋଇଗଲା ସବୁକିଛି । ଚାହୁଁ ଚାହୁଁ ଚାଲିଗଲା ୧୧ ଜଣଙ୍କ ଜୀବନ । ୧୧ ଜଣଙ୍କ ମଧ୍ୟରେ ଥିଲେ ଗୋଲକଙ୍କ ୩ ପୁଅଙ୍କ ସମେତ ୨ ନାତିନାତୁଣୀ ଓ ବାଣ କିଣିବାକୁ ଆସିଥିବା ୬ ଗ୍ରାହକ । ହେଲେ ଅଳ୍ପକେ ବର୍ତ୍ତିଯାଇଥିଲେ ଗୋଲକ ଓ ତାଙ୍କ ପତ୍ନୀ । କିନ୍ତୁ ଶରୀରରେ ଆଜି ବି ଦାଉ ଦାଉ ହୋଇ ଦେଖାଯାଉଥିବା କ୍ଷତ ଚିହ୍ନ ଶୁଆଇଦେଉନି ଗୋଲକଙ୍କୁ । ୩ ପୁଅ ଓ ନାତିନାତୁଣୀଙ୍କୁ ହରାଇ ଗୋଲକଙ୍କ ପତ୍ନୀ ବି ଭାଙ୍ଗିଯାଇଛନ୍ତି ସେଦିନଠୁ । ପାଖରେ ୨ ବୋହୂ ବି ରହୁନଥିବାରୁ ସ୍ୱାମୀ ସହ ନିଃସଙ୍ଗ ହୋଇଯାଇଛନ୍ତି ଲକ୍ଷ୍ମୀପ୍ରିୟା ।

ଆଜି ଦିପାବଳୀ ପାଇଁ ସଜେଇ ହୋଇଛି ଗାଁଠୁ ସହର, ଠାକୁରଙ୍କ ଘରଠୁ ଦାଣ୍ଡ ଦୁଆର । ହେଲେ ସେହି ବାଲେଶ୍ୱର ଚଷାଖଣ୍ଡର ଗୋସେଇଁପାଟଣା ଗାଁର ଅର୍ଜୁନ ପାତ୍ରଙ୍କ ଘର କିନ୍ତୁ ଅନ୍ଧାର । ରହିବନି ବା କେମିତି । ଜୁନ୍ ୨ର ବାହାନଗା ଟ୍ରେନ୍ ଟ୍ରାଜେଡିର ବୀଭିଷିକାରେ ଆଜି ବିପତ୍ନୀକ ହୋଇ ସେ ଯେଉଁ ବେଦନା ଭୋଗୁଛନ୍ତି, ସେ କଥା ସେ ହିଁ ଜାଣିଛନ୍ତି । ଧର୍ମପତ୍ନୀ ମଞ୍ଜୁମଣି କଟକ ଯିବାବେଳେ କରମଣ୍ଡଳରେ ଦୁର୍ଘଟଣାରେ ହରାଇଥିଲେ ଜୀବନ । ଆଜିକୁ ୫ ମାସ ବିତିଯାଇଛି ସତ । କିନ୍ତୁ ସ୍ୱାଭାବିକ ହୋଇନି ଜୀବନ ଜୀଇଁବାର ରାସ୍ତା । ଏଭଳି ସ୍ଥିତିରେ ନା ଚୁଲି ଜଳୁଛି ନା ଦୀପ । ପ୍ରତିଟି ମୁହୁର୍ତ୍ତରେ ଝୁରି ହେଉଛନ୍ତି ପତ୍ନୀଙ୍କୁ ।

ବାହାବଳପୁରରୁ ବାହାନଗା ଯାଏଁ ଏମିତି ଅନେକ କାହାଣୀ ଅଛି, ଯେଉଁଠି ଦୁଃଖ ଆଉ ଦରଦ ଭିତରେ ତୁଚ୍ଛ ହୋଇଯାଇଛି ଆଲୋକର ପର୍ବ ଦୀପାବଳି । ସେମାନଙ୍କ ପାଇଁ ଏତିକି କାମନା, ଘୁଞ୍ଚିଯାଉ ଅମା ଅନ୍ଧାର, ଆଲୋକମୟ ହେଉ ବଳକା ଜୀବନ ।