ରାଜଧାନୀରେ କୁକୁରଙ୍କ ପାଇଁ ମଶାଣି କରିବ BMC

ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି ।

BMC

ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ ବା ମଶାଣି । କଥାଟା ଟିକେ ନୂଆ ଲାଗୁଛି ନା ? ହଁ ଆଜ୍ଞା ଆପଣମାନେ ଠିକ୍ ଶୁଣିଛନ୍ତି । ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି । ଏନେଇ ଜାଗା ଚିହ୍ନଟ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

କୁକୁରଙ୍କ ମୃତଦେହ ଆଣିବା ପାଇଁ BMCର ୩ଟି ଜୋନ୍‌ରେ ୩ଟି ଗାଡ଼ି ବୁଲିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ କେସ୍ ଥିବା ବେଳେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଲାପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ରାସ୍ତାରେ ଗାଈଗୋରୁ ବୁଲିଲେ ୭ ତାରିଖ ପରେ ବିଏମସି ଉଠାଇନେବ ବୋଲି ସତର୍କ କରିଛି । ଆଜି ବିଏମସି ଅଫିସରେ ବସିଥିବା କର୍ପୋରେସନ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।

ସୂଚନାରୁ ପ୍ରକାଶ, ସ୍ମାର୍ଟ ସିଟିରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର । ହେଲେ ସ୍ୱଚ୍ଛତା ପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି ରାଜଧାନୀବାସୀ । ମଲା କୁକୁରକୁ ରାସ୍ତା ପାର୍ଶ୍ୱକୁ ଫିଙ୍ଗି ଦେଉଛନ୍ତି । ଆଉ କିଛି ଲୋକ ଗୋରୁ ଓ ଗାଈଙ୍କୁ ଛାଡ଼ି ଦେଉଛନ୍ତି । ଯାହାଫଳରେ ଗୋରୁମାନେ ରାସ୍ତାରେ ଶୋଉଛନ୍ତି । ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏଥିରେ କେତେବେଳେ ଲୋକଙ୍କ ଜୀବନ ଯାଉଛି ତ ଆଉ କେତେକେଳେ ଗୋରୁ ଗାଈଙ୍କ ମୃତ୍ୟୁ ହେଉଛି । ତେଣୁ ଦୁର୍ଘଟଣା ରୋକିବା ପାଇଁ ବିଏମ୍‌ସି ବୁଲା ଗୋରୁଙ୍କୁ ଉଠାଇ ନେବା ପାଇଁ ସତର୍କ ସୂଚନା ଜାରି କରିଛି ।