‘ବାବୁ... ୧୫ ବର୍ଷ ହେଲା ମାଗୁଛି, ହେଲେବି ଦେଉନୁ’

୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ

Awas Yojna

କିଏ ଚାଳଘରେ ରହୁଛି ତ ଆଉ କିଏ ରହୁଛି ଟାଇଲ୍‌ ଘରେ । କେହି କେହି ପୁରୁଣା ଛାତ ଘରେ ରହୁଛନ୍ତି , ହେଲେ ସେଥିରେ ରଡ୍‌ ଫାଟି ଆଁ କରିଛି । ଏମିତି ପରିସ୍ଥିତିରେ ସେମାନେ ବି ଚାହିଁ ରହିଥିଲେ କେବେ ଆବାସ ଯୋଜନାରେ ଘର ମିଳିବ ? କେବେ ଟିକେ ଭଲରେ ରହିବେ ? ହେଲେ ସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ହିଁ ରହିଗଲା । କାରଣ ଆବାସ ତାଲିକାରେ ଏମାନଙ୍କ ନାଁ ନାହିଁ । ତେଣୁ ଘର ପାଇବା ଏମାନଙ୍କ ଲାଗି ସାତ ସପନ ହୋଇ ରହିଛି ।

ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ପଂଚାୟତ ଗଡ଼ିଶାପଲ୍ଲୀ ଗାଁ । ଦରଭଙ୍ଗା କୁଡ଼ିଆ ଘରେ ରହୁଛନ୍ତି ଦିବ୍ୟାଙ୍ଗ ଧୋବା ବିଷୋୟୀ ଓ ତାଙ୍କ ପରିବାର । ଘରେ ରହୁଛନ୍ତି ୭ ସଦସ୍ୟ । ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ଘର ସହ ବାଡି ପଟକୁ ରହିଛି ଏକ ପୁରୁଣା ଟିଣ ଘର । ଖରାଦିନେ ଅସହ୍ୟ ଗରମ ଓ ବର୍ଷା ଦିନେ ଘରେ ପାଣି ଗଳୁଛି । ଏହାରି ଭିତରେ ଭାରି କଷ୍ଟରେ ଜୀବନ କାଟୁଛନ୍ତି ସେମାନେ । ଭାଇ-ଭଉଣୀ ଦୁଇଜଣ ଯାକ ଦିବ୍ୟାଙ୍ଗ, ବାପା ପୁଣି ଚାଷ କଲେ ଘରେ ଚୁଲିଜଳୁଛି । ଆଉ ଏମିତି ପରିସ୍ଥିତିରେ ବି ତାଙ୍କୁ ଘର ଖଣ୍ଡିଏ ମିଳୁନି । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୧୫ ବର୍ଷ ହେଲା ଘର ଖଣ୍ଡିଏ ଲାଗି ଚେଷ୍ଟା କରୁଛନ୍ତି କିନ୍ତୁ ପାଉନାହାନ୍ତି ।

ଖାଲି ଏହି ଗୋଟିଏ ପରିବାରର ଏ ଅବସ୍ଥା ତାହା ନୁହେଁ ବରଂ ଗାଁରେ ଅନେକ ଏମିତି ପରିବାର ରହିଛନ୍ତି , ଯେଉଁ ମାନଙ୍କ ଭଲ ଘରଟିଏ ନାହିଁ । ଘର ଲାଗି ସେମାନେ ଆବେଦନ କରିନାହାନ୍ତି ତାହା ନୁହେଁ ବରଂ ପ୍ରଶାସନକୁ ବାରମ୍ବାର ଗୁହାରି କରିବା ପରେ ବି ତାଙ୍କ ଦୁଃଖ କେହି ଶୁଣିନାହାନ୍ତି । ତେଣୁ ବାଧ୍ୟ ହୋଇ ଏମିତି ଭଙ୍ଗାଦଦରା ଘରେ ରହୁଛନ୍ତି ପୂରା ପରିବାର । ଏମିତିକି ଅଭିଯୋଗ ହୋଇଛି କି ଥିଲାବାଲାଙ୍କୁ ଘର ମିଳୁଛି ହେଲେ ନଥିଲା ବାଲାଙ୍କୁ କିଛି ମିଳୁନି । ତେବେ ଲୋକଙ୍କ ଅଭିଯୋଗ ସମ୍ପର୍କରେ ବିଡିଓ କହିଛନ୍ତି, ଏବେ ପୋର୍ଟାଲ ବନ୍ଦ ଅଛି । ଯେଉଁମାନେ ଯୋଗ୍ୟ ସେମାନ ଆବେଦନ କରନ୍ତୁ, ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ନିଶ୍ଚିୟ ନିଆଯିବ ପଦକ୍ଷେପ ।