ଚିଡିଆଖାନାରେ ବୁଲୁଥିବାବେଳେ ହଠାତ୍ ଶୁଭିଲା ଶିଶୁର କାନ୍ଦ। ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଚାହିଁଲେ। ହେଲେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଶିଶୁ ନୁହେଁ, ଚଢେଇଟିଏ ଏପରି ସ୍ୱର ବାହାର କରୁଥିଲା । ପକ୍ଷୀମାନଙ୍କ ମଧ୍ୟରେ ସାଧାରଣତଃ ଶୁଆ ସାରୀ କଥା ହୋଇଥାନ୍ତି । କିନ୍ତୁ ଏଠାରେ ଅବିକଳ ମଣିଷ ଛୁଆ ପରି କାନ୍ଦୁଛି ପକ୍ଷୀ । ଅଷ୍ଟ୍ରେଲିଆର ସିଡନିରେ ଦେଖିବାକୁ ମିଳିଛି ଏପରି ପକ୍ଷୀ। ବୈଜ୍ଞାନିକମାନେ ଏହାକୁ ନକଲଚି ପକ୍ଷୀ ବୋଲି କହିଥାନ୍ତି । କାରଣ ପକ୍ଷୀଟି ମଣିଷଙ୍କ ସ୍ୱରକୁ ନକଲ କରିଥାଏ ।
ସିଡନିର ତାରୋଙ୍ଗା ଚିଡିଆଖାନାରେ ଥିବା ଏହି ପକ୍ଷୀଟିର ନାଁ ହେଉଛି ଇକୋ । ଲାୟରବର୍ଡ ବୋଲି ମଧ୍ୟ ଏହାକୁ କୁହାଯାଇଥାଏ । ପକ୍ଷୀର ବୈଜ୍ଞାନିକ ନାଁ ହେଉଛି ମେନୁରା ନୋଭାଇହୋଲାଣ୍ଡେ (Menura novaehollandiae) । ମାଟିଆ ରଙ୍ଗର ଲମ୍ୱା ପୁଚ୍ଛ ଥିବା ଏହି ପକ୍ଷୀର ବିଶେଷତ୍ୱ ହେଉଛି ଏହା ଅବିକଳ ମଣିଷ ଛୁଆଙ୍କ ସ୍ୱରର ନକଲ କରିପାରେ । ପୋଷା ଶୁଆ-ଶାରୀ ମାନେ ଯେପରି କଥାବାର୍ତ୍ତା କରିଥାନ୍ତି, ଠିକ୍ ସେହିପରି ସ୍ୱରର ନକଲ କରିଥାଏ ଏହି ପକ୍ଷୀ।
ଗତ କିଛି ଦିନ ପୂର୍ବରୁ ତାରୋଙ୍ଗା ଚିଡିଆ ଘର ପକ୍ଷରୁ ସୋସିଆଲ ମିଡିଆରେ ଏହି ପକ୍ଷୀର ଭିଡିଓକୁ ପୋଷ୍ଟ କରାଯାଇଛି । ଯେଉଁଥିରେ ଏହି ପକ୍ଷୀଟି ଅବିକଳ ମଣିଷ ଛୁଆର ସ୍ୱରରେ କାନ୍ଦୁଛି । ଏହି ଶବ୍ଦ ଶୁଣିଲେ ମନେହେବ ଯେମିତି ଶିଶୁଟିଏ ଚିତ୍କାର କରି କାନ୍ଦୁଛି। ଏହାର ଲାଞ୍ଜ ଏକ ପୁରାତନ ବାଦ୍ୟଯନ୍ତ୍ର ପରି ଦେଖାଯାଇଥାଏ । ୟୁ ଆକୃତିର ଏହି ବାଦ୍ୟ ଯନ୍ତ୍ରଟିକୁ ପ୍ରାଚୀନ କାଳରେ ଗ୍ରୀସ୍ରେ ବ୍ୟବହାର କରାଯାଉଥିଲା । ତେଣୁ ଏହି ପକ୍ଷୀଟିର ନାଁ ଲାୟରବାର୍ଡ ରଖାଯାଇଛି ।
ଅଷ୍ଟ୍ରେଲିଆର ମିୟୁଜିୟମ ଅନୁସାରେ ଲାୟରବାର୍ଡ ମିମିକ୍ରି ତଥା ସ୍ୱରର ନକଲ କରିବାରେ ଏକ୍ସପର୍ଟ ଅଟେ । ନିଜ ପାଖଆଖରୁ ଆସୁଥିବା ଯେ କୌଣିସି ସ୍ୱରର ନକଲ ଏମାନେ କରିପାରି ଥାନ୍ତି । ଏମିତିକି କାଠକାଟିବା ମେସିନ, କାରର ଇଞ୍ଜିନ, ବିଭିନ୍ନ ପ୍ରାଣୀମାନଙ୍କର ଶଦ୍ଦ,କୁକୁର ଓ ଅନ୍ୟ ପକ୍ଷୀଙ୍କ ସ୍ୱରକୁ ମଧ୍ୟ ନକଲ କରି ପାରନ୍ତି ।
Also Read
ତାରୋଙ୍ଗା ଚିଡିଆଘରର ୟୁନିଟ ସୁପରଭାଇଜର କହିଛନ୍ତି, ଇକୋ ସାତ ବର୍ଷର । ଏହା ପ୍ରାଣୀ ଉଦ୍ୟାନରେ ପାୱାର ଡ୍ରିଲ, ଫାୟାର ଆଲାର୍ମ ଏବଂ ଜରୁରୀକାଳୀନ ବହିଷ୍କାର ଘୋଷଣାର ଶଦ୍ଦକୁ ମଧ୍ୟ ନକଲ କରିଥାଏ । ଲୋକମାନଙ୍କୁ ଦେଖିକି ଅନେକ ଥର ଏଭାକୁଏଟ ନାଓ ଅର୍ଥାତ ତୁରନ୍ତ ବାହାରକୁ ପଳାଅ କହିଥିବା ନମୁନା ରହିଛି। । ପ୍ରାଣୀ ଉଦ୍ୟାନରେ ଏହାର ରକ୍ଷଣାବେକ୍ଷଣ କରୁଥିବା କର୍ମଚାରୀ କହିଛନ୍ତି, ଲକଡାଉନ୍ ସମୟରେ ଇକୋ ଏହି ସବୁ ଧ୍ୱନି କପି କରିବା ଆରମ୍ଭ କରିଛି । ପକ୍ଷୀଟି ଏପରି ଶଦ୍ଦ କାହିଁକି କରେ ତାହା ସେମାନେ ଜାଣିନାହାଁନ୍ତି । ହେଲେ ବେଳେବେଳେ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ଏହାର ଶବ୍ଦ ଦ୍ୱାରା ଭୟଭୀତ ହୋଇଯାନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେତେବେଳେ ପୁରୁଷ ଲାଇରବର୍ଡ ସାଥୀ ସହ ସମ୍ପର୍କ ରଖିବାକୁ ଚାହେଁ, ସେତେବେଳେ ସେ ଉଚ୍ଚ ସ୍ୱରରେ ବିଭିନ୍ନ ପ୍ରକାରର ଶବ୍ଦ ଆରମ୍ଭ କରେ । ପ୍ରଜନନ ସମୟରେ ଅର୍ଥାତ୍ ଜୁନ୍ରୁ ଅଗଷ୍ଟ ମଧ୍ୟରେ ଲାଇରେବର୍ଡ ଦିନକୁ ପ୍ରାୟ ଚାରି ଘଣ୍ଟା ଗୀତ ଗାଇଥାଏ ।
ଲାଇରେବର୍ଡଙ୍କର ନିଜସ୍ୱ ଶବ୍ଦ ନାହିଁ । ସେମାନେ ସବୁବେଳେ ନକଲ ସ୍ୱର ସହିତ ମାଧି ପକ୍ଷୀଙ୍କୁ ନିଜ ଆଡକୁ ଡାକିଥାନ୍ତି | କିନ୍ତୁ ବେଳେବେଳେ ଏହା ଏପରି ଶବ୍ଦ କରେ, ଯାହା ଦ୍ୱାରା ଏହାର ଆଖପାଖର ଲୋକମାନେ ଭୟଭୀତ ହୋଇଥାନ୍ତି । ଜଣାଶୁଣା ପ୍ରାକୃତି ବିଜ୍ଞାନି ଡେଭିଡ ଏଟନବରୋ ୧୯୯୮ରେ ଲାୟବାର୍ଡ ଉପରେ ଫିଲ୍ମ କରିଥିଲେ, ଯେଉଁଥିରେ ସେ କ୍ୟାମେରା କ୍ଲିକ୍ ହେବାର ସାଉଣ୍ଡ ବାହାର କରିବା ସହିତ କାରର ଆଲାରାମ୍ ଓ ମେସିନର ଶଦ୍ଦ ସୃଷ୍ଟି କରିଥିଲା।
ଶବ୍ଦର ନକଲ କରିବା ଗୁଣ ଲାୟରବର୍ଡକୁ ଅନ୍ୟ ପକ୍ଷୀମାନଙ୍କଠାରୁ ପୃଥକ କରିଥାଏ । ନିକଟରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ମତରେ, ଯଦି ଏହି ପକ୍ଷୀ କୌଣସି ପ୍ରକାର ବିପଦରେ ଥାଏ, ତେବେ ଏହା ଦଳରେ ବାସ କରୁଥିବା ପକ୍ଷୀମାନଙ୍କର ସ୍ୱର ବାହାର କରି ଦର୍ଶାଇଥାଏ ଯେ, ତା ପାଖ ଆଖରେ କେତେ ପକ୍ଷୀ ଅଛନ୍ତି ।