ରେଶମ ସହର ବ୍ରହ୍ମପୁର ଦିନେ ଥିଲା ଇଣ୍ଡଷ୍ଟ୍ରୀ ହବ୍। ୬୦ ବର୍ଷ ତଳେ ଗଢି ଉଠିଥିବା ଶିଳ୍ପାଂଚଳ ବେଶ୍ ନାଁ କରିଥିଲା। ୫୦ରୁ ଅଧିକ କମ୍ପାନୀ, କାରଖାନା ଏବଂ ଫ୍ୟାକ୍ଟ୍ରିରେ ଶହ ଶହ କର୍ମଚାରୀ ଚାକିରି କରି ପରିବାର ପୋଷୁଥିଲେ। ହେଲେ ଏବେ ସେ ଶିଳ୍ପାଞ୍ଚଳ ଶ୍ରୀହୀନ। ବଞ୍ଚିଥିବା ମାତ୍ର ୪ରୁ ୫ଟି ଛୋଟ ଫ୍ୟାକ୍ଟ୍ରି ସେମାନଙ୍କ ଅସ୍ଥିତ୍ବ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ଅଂଚଳବାସୀଙ୍କ କ୍ଷୋଭ, ତୁରନ୍ତ ସରକାର ଏ ଦିଗରେ କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିଲେ, ଦାଦନ ବହୁଳ ଜିଲ୍ଲା ଶିଳ୍ପ ଶୂନ୍ୟ ଜିଲ୍ଲାରେ ବି ଗଣାହେବ।
ବ୍ରହ୍ମପୁରର ଶିଳ୍ପାଞ୍ଚଳ। ୫୦ରୁ ଅଧିକ ଛୋଟ ବଡ ଇଣ୍ଡଷ୍ଟ୍ରୀ ଏଇଠି ଗଢି ଉଠିଥିଲା। ଯାହା ମଧ୍ୟରେ ଘଂଟା ଓ ରେଡିଓଠୁ ଧରି ଗାଡି ଯନ୍ତ୍ରପାତି, ହ୍ୟାଣ୍ଡଲୁମ୍ସ, ସୂତାରେ ରଙ୍ଗଦିଆ ଶିଳ୍ପ, ଦାନା ଫ୍ୟାକ୍ଟ୍ରି, ତେଲ, ଔଷଧ ଓ ବରଫ କଳ ଭଳି କେତେ କଣ ଶିଳ୍ପ। ହାଉଜାଉ ହେଉଥିଲେ ମାଲିକ, କର୍ମଚାରୀ ଓ ଗ୍ରାହକ। ହେଲେ ଏବେ ସମ୍ପୂର୍ଣ୍ଣ ଶ୍ରୀହୀନ।
ଇଡକୋ ଜମିରେ ଗଢ଼ି ଗଢିଉଠିଥିବା ଶିଳ୍ପାଞ୍ଚଳ ଏବେ ବଣବୁଦାରେ ନିଜ ପରିଚୟ ହରାଇଛି। ମାଲିକମାନେ ନିଜ ନିଜର ମେସିନ୍ ଓ ଯନ୍ତ୍ରପାତି ନେଇ ଚାଲି ଗଲେଣି। ଇଣ୍ଡଷ୍ଟ୍ରିରେ ତାଲା ପଡିଛି ଆଉ ବାହାରେ ଝୁଲୁଛି ଖଣ୍ଡେ ଟିଣ ସାଇନ୍ ବୋର୍ଡ। କାନ୍ଥରେ ସେମିତି ଲେଖା ରହିଯାଇଛି ଇଣ୍ଡଷ୍ଟ୍ରୀର ନାଁ। କିଛି କିଛି ଘର ବେଆଇନ୍ ଭାବେ ଅକ୍ତିଆର ବି ହେଲାଣି।
ବିନା ଶିଳ୍ପରେ କେମିତି ଚାଲିଛି ଶିଳ୍ପାଂଚଳ। ସବୁ ବଡ ବଡ ଶିଳ୍ପାନୁଷ୍ଠାନ ବନ୍ଦ ହୋଇ ସାରିଲାଣି। ହାତଗଣତି ୪-୫ଟି ଛୋଟ ଇଣ୍ଡଷ୍ଟ୍ରୀ ନିଜ ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛନ୍ତି। ପୂର୍ବଭାରତ ପାଇଁ MSME ପକ୍ଷରୁ ଏକ ବିଜ୍ଞାନ ପ୍ରଶିକ୍ଷଣ ଶିବିର ରହିଛି। ଯେଉଁଠି କିଆ ଫୁଲ ଓ ଲେମନ ଗ୍ରାସର ମାନ ନିରୂପଣ କରାଯାଉଛି। ଗ୍ରାମାଞ୍ଚଳ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ବି ଦିଆଯାଉଛି। ଆଉ ଗୋଟିଏ ଛୋଟିଆ ଚାଉମିନ୍ ଫ୍ୟାକ୍ଟ୍ରିଟିଏ ଏବେ ୬୦ ବର୍ଷ ତଳେ ଗଢି ଉଠିଥିବା ଶିଳ୍ପାଂଚଳର ନାଁ ଓ ସତ୍ତା ବଂଚାଇ ରଖିବାକୁ ଯାହା ଚେଷ୍ଟା
କରୁଛି।
ଦାଦନ ପ୍ରବଣ ଜିଲ୍ଲା ଗଞ୍ଜାମରୁ ଶିକ୍ଷିତ ବେକାର ଯୁବକ ଯୁବତୀ ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଥିବା କଥା କାହାକୁ ଅଛପା ନାହିଁ। ଆଉ ଏଭଳି ସ୍ଥିତିରେ ଜିଲ୍ଲାରେ ଗଢି ଉଠିଥିବା ଏକ ବୃହତ୍ ଶିଳ୍ପାଂଚଳ ଶୂନ୍ୟାଂଚଳରେ ପରିଣତ ହେବା ଯେମିତି ଶିଳ୍ପ ସମୃଦ୍ଧ ନାରାକୁ ଉପହାସ କଲା ଭଳି ମନେ ହେଉଛି।