Special Story: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ମହିଳା, ହାତରେ ଠେଙ୍ଗା ଧରି ଦେଉଛନ୍ତି ସୁରକ୍ଷା

ଦିନଥିଲା ଏଠାରେ ପଥୁରିଆ ଜମି ରହିଥିଲା । ହେଲେ ଏହି ଗାଁର ମହିଳାମାନେ ସେଠାରେ ବୃକ୍ଷ ରୋପଣ କରିଛନ୍ତି । ଆଉ ପାଳି କରି ଜଙ୍ଗଲର ଦାୟିତ୍ୱ ଓ ଯତ୍ନ ନେଇ ଆସୁଛନ୍ତି ।

ନିଆଁ ଲଗାଇଲେ ଠେଙ୍ଗା ପାହାର

ହାତରେ ଠେଙ୍ଗା, ମୁହଁରେ ମାସ୍କ ପିନ୍ଧି ଘଞ୍ଜ ଜଙ୍ଗଲ ଭିତରେ ଘୁରି ବୁଲୁଛନ୍ତି । ଦିନ ତମାମ ଠେଙ୍ଗା ଧରି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ତା ସହ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧୀନ କଣ୍ଟେଇପଲ୍ଲୀ ଗାଁର ଏ ଦୃଶ୍ୟ । ବର୍ତ୍ତମାନ ଗାଁର ପାଞ୍ଚଟି ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ନେଇ ବନ ସୁରକ୍ଷା ସମିତି ଗଠନ ହୋଇଛି। ଯେଉଁମାନେ ଗାଁର ଚର୍ତୁଦିଗରେ ରହିଥିବା ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ନିଜ କାନ୍ଧକୁ ଉଠାଇଛନ୍ତି ।

ଅଧିକ ପଢ଼ନ୍ତୁ: ବିଧାନସଭାରେ ମାହାଙ୍ଗା ତାତି, ମୁହାଁମୁହିଁ ଅରୁଣ-ସାରଦା

ଦିନଥିଲା ଏଠାରେ ପଥୁରିଆ ଜମି ରହିଥିଲା । ହେଲେ ଏହି ଗାଁର ମହିଳାମାନେ ସେଠାରେ ବୃକ୍ଷ ରୋପଣ କରିଛନ୍ତି । ଆଉ ପାଳି କରି ଜଙ୍ଗଲର ଦାୟିତ୍ୱ ଓ ଯତ୍ନ ନେଇ ଆସୁଛନ୍ତି । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମରୁ ପାଖାପାଖି ୧୦ ହେକ୍ଟରରୁ ଅଧିକ ପଥୁରିଆ ଜମି ଜଙ୍ଗଲରେ ପରିଣତ ହୋଇଛି ।

ବିନା ପାରିଶ୍ରମିକରେ ନିରନ୍ତର ଭାବେ ଜଙ୍ଗଲ ଜଗି ଆସୁଛନ୍ତି ଗାଁ ଲୋକେ। ସକାଳୁ ସକାଳୁ ଗାଁର ୫ ମହିଳା ଓ ୫ ପୁରୁଷ ଠେଙ୍ଗା ଧରି ଜଙ୍ଗଲକୁ ବାହାରିପଡ଼ନ୍ତି । ବିଶେଷ କରି ଖରାଦିନେ ଜଙ୍ଗଲ ନିଆଁ ବ୍ୟାପିବାର ଆଶଙ୍କା ରହିଥାଏ । ତେଣୁ କିଭଳି ଏହାକୁ ରୋକି ହେବ ସେନେଇ ଦିନସାରା ଜଙ୍ଗଲରୁ ଫାୟର୍ ଲାଇନ କାଟନ୍ତି । ତା ସହ ସେଠାକୁ ବଣ ଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସଚେତନ କରାଇଥାନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ସେମାନଙ୍କ ଏହି ପଦକ୍ଷେପ ପାଇଁ ଦୀର୍ଘ ୬ ବର୍ଷ ହେଲା ଏହି ଜଙ୍ଗଲରେ ନିଆଁ ଲାଗି ନାହିଁ ।

ଅନ୍ୟପଟେ ମହିଳାଙ୍କ ଜୀବନ ଜୀବିକା ପାଇଁ ବନ ବିଭାଗ ପକ୍ଷରୁ କୃଷି ଉପକରଣ ସାମଗ୍ରୀ ଯୋଗାଇ ଦିଆଯାଇଛି । ଆଉ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆହୁରି ଅଧିକ ସହଯୋଗ କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ । ଜଙ୍ଗଲକୁ ସୁରକ୍ଷା ଦେବାରେ ବନ ବିଭାଗ ଅନେକ କ୍ଷେତ୍ରରେ ଫେଲ୍‌ ମାରୁଥିବା ବେଳେ ଏହି ଗ୍ରାମବାସୀ ଏବେ ଅନ୍ୟ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଅଧିକ ପଢ଼ନ୍ତୁ: ଚତୁର୍ଥୀ ଦିନ ସ୍ତ୍ରୀ କହୁଛି ମୁଁ ପ୍ରେମିକ ପାଖକୁ ଯିବି