ପୂର୍ଣ୍ଣଗର୍ଭା ମହାନଦୀ, ୨ ଗୋଡ଼ରେ ଲୁହା ଶିକୁଳି; ୫୦ କିଲୋମିଟର ଭାସିବା ପରେ ବି ଜୀବିତ

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହି ଉକ୍ତିଟି ବାସ୍ତବରେ ପରିଣତ ହୋଇଛି, ଛତିଶଗଡ଼ର ଜଣେ ମାନସିକ ଅନଗ୍ରସର ମହିଳାଙ୍କ କ୍ଷେତ୍ରରେ ।

Woman

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହି ଉକ୍ତିଟି ବାସ୍ତବରେ ପରିଣତ ହୋଇଛି, ଛତିଶଗଡ଼ର ଜଣେ ମାନସିକ ଅନଗ୍ରସର ମହିଳାଙ୍କ କ୍ଷେତ୍ରରେ । ଯିଏ ମହାନଦୀର ଅକାତ କାତ ପାଣିରେ ୫୦ କିଲୋମିଟର ଦୂରରୁ ଭାସି ଆସି ଝାରସୁଗୁଡ଼ା ଲଖନପୁର ଅଞ୍ଚଳରୁ ଉଦ୍ଧାର ହୋଇଛନ୍ତି । ତା’ପୁଣି ୨ ଗୋଡ଼ରେ ଲୁହା ଶିକୁଳି ବନ୍ଧା ଅବସ୍ଥାରେ ।

ରଖେ ହରି ତ ମାରେ କିଏ ... ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ ହୋଇଛି ଜଣେ ମହିଳାଙ୍କ କ୍ଷେତ୍ରରେ । ମହିଳା ଜଣକ କୌଣସି ସାଧାରଣ ମହିଳା ନୁହନ୍ତି । ସେ ଜଳକନ୍ୟା, ମୃତ୍ୟୁଞ୍ଜୟୀ ମଧ୍ୟ । କାରଣ ପୂର୍ଣ୍ଣଗର୍ଭା ମହାନଦୀ ଭିତରେ ଛତିଶଗଡ଼ରୁ ଭାସି ଭାସି ଆସି ଉଦ୍ଧାର ପାଇଛନ୍ତି ଓଡ଼ିଶାରେ । ଦିନ ବିତିଛି, ରାତି କଟିଛି । ମାଇଲ ମାଇଲ୍ ଦୂରରୁ ଭାସିବା ଭିତରେ ନଦୀର ଭଉଁରୀ ସହ ଲଢ଼େଇ କରିବାକୁ ପଡ଼ିଛି ।

କୁହାଯାଉଛି, ୫୦ କିଲୋମିଟର ଦୂରରୁ ସେ ଭାସିଆସିଛନ୍ତି । ତଥାପି ଆଜି ସେ ସୁସ୍ଥ ଏବଂ ସୁରକ୍ଷିତ । ଛତିଶଗଡ଼ ରାୟଗଡ଼ା ଜିଲ୍ଲା ପୁସୋ ଥାନା ଅର୍ନ୍ତଗତ ପୁରଥ୍ ଗାଁର ବିବାହତା ମହିଳା । ଯାହାଙ୍କୁ ସୁରକ୍ଷିତ ଅବସ୍ଥାରେ ଝାରସଗୁଡ଼ା ତିଲ୍ଲା ଲଖନପୁର ଅଞ୍ଚଳର ପଲସଦା ଗାଁ ନିକଟ ମହାନଦୀରୁ ଉଦ୍ଧାର କରିଥିବା କହିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ।

ସଂପୃକ୍ତ ମହିଳାଙ୍କ ବୟସ ମାତ୍ର ୩୭ ବର୍ଷ । ଦୁଇ ଦୁଇଟି ଗୋଡ଼ରେ ପଡ଼ିଛି ଲୁହାର ଶିକୁଳି । ଆଉ ଏହି ଶିକୁଳି ବନ୍ଧା ଅବସ୍ଥାରେ କେତେ ଯେ ଅକାତ କାତ ପାଣି ଭିତରେ ସଂଘର୍ଷ କରି ଏତେଦୂରକୁ ଆସିବାକୁ ପଡ଼ିଛି, ତାଙ୍କ ଛଡ଼ା ଆଉ କେହି କହିପାରିବେ ନାହିଁ । କିନ୍ତୁ, ଦୁର୍ଭାଗ୍ୟ । ସଂପୃକ୍ତ ମହିଳା କୁଆଡ଼େ ମାନସିକ ଅନଗ୍ରସର ।

ବ୍ରଜରାଜନଗର SDPO ଦେଇଥିବା ସୂଚନା ଅନୁଯାୟୀ, ୫ ବର୍ଷ ପୂର୍ବେ ଛତିଶଗଡ଼ ସରିଆ ଅଞ୍ଚଳରେ ବିବାହ କରିଥିଲେ । ବିବାହର ୩ ମାସ ପରେ ସଂପୃକ୍ତ ମହିଳା କୁଆଡ଼େ ମାନସିକ ରୋଗରେ ପଡ଼ିଥିଲେ । ତେଣୁ ବାପ ଘର ଲୋକେ ନିଜ ଘରକୁ ଆଣି ରଖିଥିଲେ । ଏପରିକି ଗ୍ରାମସଭାର ନିଷ୍ପତ୍ତିକ୍ରମେ ଗୋଡ଼ରେ ଶିକୁଳି ବାନ୍ଧି ଘରେ ରଖିଥିଲେ ।

ଆଉ ଏସବୁ ଭିତରେ ଗତ ରାତିରେ ସେ ଘରୁ ବାହାରି ନଦୀ ପାଖକୁ ଆସିଥିବା ବେଳେ ଭାସିଯାଇଥିଲେ । ଶେଷରେ ସ୍ଥାନୀୟ ମତ୍ସ୍ୟଜୀବୀ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ । ୨୦୨୦ର ଘଟଣାକୁ ମନେପକାଇଲେ ଏଭଳି ଭାବେ ଛତିଶଗଡ଼ରୁ ମହାନଦୀରେ ପ୍ରାୟ ୬୦ କିଲୋମିଟର ଯାଏଁ ଭାସି ଆସିବା ପରେ ସୀମାନ୍ତ କୁସୁମେଲ ଗାଁରୁ ଉଦ୍ଧାର ହୋଇଥିଲେ ସୋନି ଯାଦବ ।

ଆଉ ଏବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ମହିଳା ଉଦ୍ଧାର ପରେ ଲଖନପୁର ଅଞ୍ଚଳକୁ ଆସି ସଂପର୍କୀୟମାନେ ତାଙ୍କୁ ଧରି ଛତିଶଗଡ଼ ଫେରିଯାଇଛନ୍ତି । ତେବେ ବାସ୍ତବରେ ତାଙ୍କ ସହ କ’ଣ ଘଟିଥିଲା ? କାହିଁକି ତାଙ୍କ ୨ ଗୋଡ଼ରେ ଲୁହାର ଶିକୁଳି ବନ୍ଧାଯାଇଛି ? କେଉଁ ଅବସ୍ଥାରେ ନଦୀରେ ପଡ଼ି ଭାସିଆସିଲେ ? ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।