/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740031517.jpg)
ଚିଲିକା ଉପରେ ଚଡ଼କ !
ଏସିଆର ସର୍ବବୃହତ୍ତ ହ୍ରଦ ଚିଲିକା କଣ ବିପଦରେ? ହ୍ରଦଦେଇ ନିର୍ମାଣ ହେବାକୁ ଥିବା ଜାତୀୟ ରାଜପଥ ଚିଲିକା ପ୍ରତି ବିପଦ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତମାନେ ଯେଉଁ ଆଶଙ୍କା କରିଛନ୍ତି ତାହା ଚିନ୍ତାଜନକ କି? ଏଥିପାଇଁ ଆଲୋଚନା, ବିତର୍କର ଆବଶ୍ୟକତା ଅଛି ନା “ବିକାଶ ବିରୋଧୀ” କହି ପ୍ରଶ୍ନକୁ ଏଡାଇଦେବା ? ପରିବେଶ ଅବକ୍ଷୟ, ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲୱାମିଂ ଭଳି ବୈଶ୍ୱିକ ଆହ୍ୱାନ ଭିତରେ ଚିଲିକାକୁ ନେଇ ଏଭଳି ଆଶଙ୍କା କରାଯାଇଛି l ସେପଟେ ଦୟା ଦେଇ ସହରୀ ଦୂଷିତ ଜଳ ଚିଲିକାକୁ ପ୍ରବେଶ ଆଉ ଏକ ସମସ୍ୟା ସୃଷ୍ଟି କରିଛି। ସେହିଭଳି ମହାନଦୀରୁ ଚିଲିକାକୁ ମଧୂର ଜଳ ପ୍ରବାହ ପ୍ରାୟ ୩୦ ପ୍ରତିଶତରୁ ଅଧିକ ହ୍ରାସ କାରଣରୁ ଖର ହ୍ରଦ ଲୁଣି ହେବାର ଆଶଙ୍କା କରାଯାଉଛି । ଏସବୁ ବିଷୟକୁ ଦେଖିଲେ ଚିଲିକା ଉପରେ ଚଡ଼କ ପଡିଲା ଭଳି ମନେହୁଏ l
ଓଡ଼ିଆ ଅସ୍ମିତାର ପ୍ରତିକ
“ଉତ୍କଳ କମଳା ବିମଳା ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ଉତ୍କଳର ତୁହି ଚାରୁ ଅଳଙ୍କାର ଉତ୍କଳ ଭୁବନେ ଶୋଭାର ଭଣ୍ଡାର ।” ଓଡିଶାର ଗର୍ବ, ଗୌରବ ତଥା ଓଡିଆ ଅସ୍ମିତାର ପ୍ରତିକ ଭାବରେ ପ୍ରତିୟମାନ ଚିଲିକା ସନ୍ଦର୍ଭରେ ଆଧୁନିକ ଓଡିଆ ସାହିତ୍ୟର ସ୍ରଷ୍ଟା କବିବର ରାଧାନାଥ ରାୟ ୧୮୯୨ରେ ନିଜ କାବ୍ୟ (ଚିଲିକା)ରେ ଯେଉଁ ବର୍ଣ୍ଣନା କରିଛନ୍ତି ଏସିଆର ସେହି ସର୍ବବୃହତ୍ତ ହ୍ରଦର ସ୍ଥିତି ଏବେ କଣ? ପୁରାଣ ପୋଥିରୁ ପାଠ୍ୟ ପୁସ୍ତକ ଯାଏଁ ଆମେ ପଢିଆସିଥିବା ପ୍ରକୃତିର ସେହି ଅବିଶ୍ୱସନୀୟ ବିସ୍ମୟ କାରୁକାର୍ଯ୍ୟ ଆଜି କେତେ ସୁରକ୍ଷିତ ଓ ସତେଜ? ଚିଲିକାର ସେହି ଅପାରସୌନ୍ଦର୍ଯ୍ୟତାର ବିଭବ ଅକ୍ଷୟ, ଅକ୍ଷତ, ଅକ୍ଷୁଣ୍ଣ ଅମାନତ ଭାବରେ ଉତ୍ତରପିଢି ପାଖରେ ସାଇତା ହେଇ ପାରିବ? ଯୁଗ ଯୁଗ ଧରି ଜୈବ ବିବିଧତା, ଜୀବୀକା ଓ ଜୀବଜଗତର ସୁରକ୍ଷାକୁ ସୁନିଶ୍ଚିତ କରି ଆସୁଥିବା ଚିଲିକା ପ୍ରତି ଏଭଳି ବିପଦଜନକ ପ୍ରଶ୍ନ କାହିଁକି?
ଆନ୍ତର୍ଜାତୀୟ ଭାରତୀୟ ଆର୍ଦ୍ରଭୂମି
ଓଡିଶାର ପୂର୍ବ ଉପକୂଳରେ ଅବସ୍ଥିତ ଏସିଆର ସର୍ବବୃହତ ହ୍ରଦ ଚିଲିକାର ଜଳପ୍ରବାହ କ୍ଷେତ୍ରଫଳ ୧୧୬୫ ରୁ ୯୦୦ ବର୍ଗ କିଲୋମିଟର । ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଏକ ଚମକ୍ରାର ଜଳାଶୟ, ଜୈବ ବିବିଧତା ପାଇଁ ଏକ ଆକର୍ଷଣୀୟ ସ୍ଥାନ । ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଜୀବିକାର ଗୁରୁତ୍ୱପୂର୍ଣ୍ଣ ସମ୍ପଦ ଏବଂ ପକ୍ଷୀଙ୍କ ସ୍ୱର୍ଗ, ଇରାୱାଡି ଡଲଫିନ ଏବଂ ଅନେକ ବିଲୁପ୍ତପ୍ରାୟ ପ୍ରଜାତିକୁ ଆଶ୍ରୟ ଦେବାରେ ଚିଲିକାକୁ ଏକ ଅନନ୍ୟ ସୁରକ୍ଷିତ ସ୍ଥାନ ଭାବରେ ବିବେଚନା କରାଯାଏ । ସମୁଦ୍ରର ଲୁଣିଆ ଜଳ ଓ ମହାନଦୀର ମଧୁରଜଳ ସମିଶ୍ରଣ ଦ୍ୱାରା ମଧ୍ୟଭାଗରେ ଅବସ୍ଥିତ ଚିଲିକାର ଖାରିପାଣି ହିଁ ଏହାର ବିଶେଷତ୍ୱ । ଏହାର ସମୃଦ୍ଧ ଜୈବ ବିବିଧତା ୧୯୮୧ ମସିହାରେ ରାମସାର ସମ୍ମିଳନୀ ଅନୁଯାୟୀ ଚିଲିକା ହ୍ରଦକୁ ପ୍ରଥମ ଆନ୍ତର୍ଜାତୀୟ ଭାରତୀୟ ଆର୍ଦ୍ରଭୂମି ଭାବରେ ନାମିତ କରାଯାଇଥିଲା ।
୧୧ଲକ୍ଷ ପକ୍ଷୀଙ୍କ ସମାଗମ
ଚିଲିକା ବିଦେଶ ପକ୍ଷୀଙ୍କ ପାଇଁ ଭୂ-ସ୍ୱର୍ଗ । ଅକ୍ଟୋବରରୁ ମାର୍ଚ୍ଚ, ଛଅ ମାସ ପ୍ରାୟ ଏଗାର ଲକ୍ଷ ବିଦେଶାଗତ ପକ୍ଷୀ ଅବସ୍ଥାନ ବିଶ୍ୱ ପର୍ଯ୍ୟଟନର ବିଭବ ଭାବେ ଗ୍ରହଣ କରାଯାଇପାରେ । ୨୦୨୪ ବାର୍ଷିକ ପକ୍ଷୀଗଣନାରେ ପ୍ରାୟ ୧୧ ଲକ୍ଷ ୩୮ ହଜାର ପକ୍ଷୀଙ୍କୁ ଠାବ କରାଯାଇଥିଲା । ଏଥିରେ ସ୍ଥାନୀୟ ବାସିନ୍ଦା ପକ୍ଷୀଙ୍କ ସଂଖ୍ୟା ୭୯ ପ୍ରଜାତିର ପ୍ରାୟ ୩୯ ହଜାର ଥିବା ସ୍ଥଳେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୧୦୮ ପ୍ରଜାତିର ପ୍ରାୟ ଏଗାର ଲକ୍ଷ ଦର୍ଶାଯାଇଥିଲା । ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ୫ ହଜାର ୮୦୦ ବଢ଼ିଥିବା ଜଣାଯାଇଛି ।
ଆକ୍ରାନ୍ତ ଚିଲିକା !
ବର୍ତ୍ତମାନ ଏହି ହ୍ରଦର ଜୈବବିବିଧତା ଅନେକ ବିପଦର ସମ୍ମୁଖୀନ ହେଉଛି। ବର୍ଦ୍ଧିତ ସିଲ୍ଟେସନ (ଗାଲଖମା), ଜଳ ରାଶିରେ ହ୍ରାସ, ବର୍ଦ୍ଧିତ ପ୍ରଦୂଷଣ, ଅବୈଧ ଚିଙ୍ଗୁଡ଼ି ଘେରି, ମତ୍ସ୍ୟ ସମ୍ପଦର ଅତ୍ୟଧିକ ଶୋଷଣ ଏହାର କାରଣ ବୋଲି କୁହାଯାଉଛି । ଏହି ହ୍ରଦର ପ୍ରାଚୀନ ବୈଶିଷ୍ଟ୍ୟ ଏବଂ ଅରଣ୍ୟ ସଂରକ୍ଷଣର ଆବଶ୍ୟକ କରେ ଯାହା ଏହାର ସମୃଦ୍ଧ ଜୈବ ବିବିଧତା ଏବଂ ସ୍ଥାନୀୟ ସମ୍ପ୍ରଦାୟର ଜୀବିକାକୁ ସୁନିଶ୍ଚିତ କରିବ । ସାଗରମାଳା ପ୍ରକଳ୍ପ ଅଧୀନରେ ଚିଲିକା ପାର ପାଇଁ ଏକ ଜାତୀୟ ରାଜପଥ ନିର୍ମାଣ ପ୍ରସ୍ତାବ ଥିବାରୁ ଏହି ହ୍ରଦର ଇକୋସିଷ୍ଟମ ଉପରେ ସମ୍ଭାବ୍ୟ ପରିବେଶଗତ ଏବଂ ସାମାଜିକ-ଆର୍ଥିକ ପ୍ରଭାବ ଏବେ ବିତର୍କର ବିଷୟ ହୋଇଛି ।
ସାଗରମାଳା ପ୍ରକଳ୍ପ: ପରିବେଶବିତଙ୍କ ଆଶଙ୍କା
ପରିବେଶବିତ ଏବଂ ବୁଦ୍ଧିଜୀବୀଙ୍କ ଅନୁସାରେ ସାଗରମାଳା ପ୍ରକଳ୍ପ ଅଧିନରେ ଚିଲିକା ଉପରେ ନିର୍ମାଣ ହେବ ୩.୪ କିମି ଲମ୍ବର ବ୍ରିଜ । ଏହି ଜାତୀୟ ରାଜପଥ ଦେଇ ବ୍ୟବସାୟୀକ କାର୍ଯ୍ୟ ପାଇଁ ହଜାର ହଜାର ସଂଖ୍ୟାରେ ଯାନବାହନ ଚିଲିକା ଉପରଦେଇ ଚଳାଚଳ କରିବ । ଯାହା ଚିଲିକାର ଜଳରାଶିକୁ ପ୍ରଦୂଷିତ କରିବା ସହିତ ଏହାର ଜୈବବିବିଧତାକୁ ନଷ୍ଟ କରିବ । ବିଦେଶରୁ ଯେଉଁ ଲକ୍ଷ ଲକ୍ଷ ସଂଖ୍ୟାରେ ପକ୍ଷୀମାନେ ଏଠାକୁ ଆସୁଛନ୍ତି ସେମାନଙ୍କ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ ପଡିବ । ଉପକୂଳ ପରିବେଶ ପ୍ରତି ଘାତକ ହେବ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଜୋନ ବୋଲି ସ୍ୱୀକାରୋକ୍ତି ସତ୍ୱେ ବ୍ରିଜ ନିର୍ମାଣ ଅନେକ ସଂଶୟ ସୃଷ୍ଟି କରୁଥିବା କହିଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡାକ୍ତର ଅରବିନ୍ଦ ବେହେରା ।
ଚିଲିକା ହ୍ରଦ ପ୍ରବାସୀ ପକ୍ଷୀ, ମାଛ ଏବଂ ଇରାୱାଡି ଡଲଫିନ ପରି ବିରଳ ପ୍ରଜାତି ସମେତ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଆବାସସ୍ଥଳ । ଏକ ଜାତୀୟ ରାଜପଥ ଏହି ପ୍ରଜାତିଗୁଡ଼ିକର ବାସସ୍ଥାନକୁ ବିଶେଷ କରି ଖାଦ୍ୟ ଏବଂ ପ୍ରଜନନ ପାଇଁ ହ୍ରଦର ଇକୋସିଷ୍ଟମ ଉପରେ ନିର୍ଭର କରୁଥିବା ପ୍ରବାସୀ ପକ୍ଷୀମାନଙ୍କୁ ବାଧା ଦେଇପାରେ । ରାସ୍ତା ଏବଂ ବର୍ଦ୍ଧିତ ଯାନବାହାନ ଯାତାୟାତ ହ୍ରଦରେ ପ୍ରଦୂଷଣ ବୃଦ୍ଧି କରିପାରେ । ରାସ୍ତାରୁ ଜଳପ୍ରବାହ କିମ୍ବା ଯାନବାହନ ଦ୍ୱାରା ସୃଷ୍ଟି ହୋଇଥିବା ବର୍ଜ୍ୟବସ୍ତୁ ଦ୍ୱାରା ଜଳର ଗୁଣବତ୍ତା ହ୍ରାସ ହୋଇପାରେ । ଜଳଚର ଜୀବନ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଜୀବିକାକୁ ପ୍ରଭାବିତ କରିପାରେ । ପାଣି ମଧ୍ୟରେ ସ୍ତମ୍ଭ ନିର୍ମାଣ ହ୍ରଦର ଇକୋସିଷ୍ଟମକୁ ବିଭାଜିତ କରିପାରେ, ବିଶେଷକରି ପ୍ରବାସୀ ମାଛ ଏବଂ ଅନ୍ୟ ଜୀବମାନଙ୍କର ସାମୁଦ୍ରିକ ଗତିବିଧିରେ ବ୍ୟାଘାତ ସେମାନଙ୍କ ଜୀବନଚକ୍ରରେ ବାଧା ସୃଷ୍ଟି ହୋଇପାରେ ।
ପରିବେଶ ପ୍ରତି ଆହ୍ୱାନ
ବର୍ତ୍ତମାନ ପରିବେଶର ଯେଉଁଭଳି ଅବକ୍ଷୟ ଘଟିଚାଲିଛି, ଜଳବାୟୁ ପରିବର୍ତ୍ତନ ଏକ ବିକଟାଳ ରୁପ ଧାରଣ କରି ଆମ ଆଗରେ ଠିଆହୋଇଛି। ପ୍ରତିବର୍ଷ କ୍ରମାଗତ ଭାବରେ ଭୂ-ତାପ ବୃଦ୍ଧି ହେବା ଏବଂ ୨୦୨୫ ସବୁଠାରୁ ଉତ୍ତପ୍ତ ହେବାର ଆକଳନ କରାଯାଉଛି। ଏଭଳି ପରିସ୍ଥିତିରେ ଜୀବଜଗତ ଓ ମାନବ ସଭ୍ୟତା ପ୍ରତି ଏକ ବଡ ଆହ୍ୱାନ ସୃଷ୍ଟି ହୋଇଛି । ଯେକୌଣସି ବିକାଶମୂଳକ କାର୍ଯ୍ୟ କଲା ବେଳେ ଉପରୋକ୍ତ ଆହ୍ୱାନଗୁଡିକୁ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଯେତେବେଳେ ମାନବସମାଜ ଓ ପୃଥିବୀ ତିଷ୍ଟିରହିବାକୁ ନେଇ ପ୍ରଶ୍ନ ଆସେ ସେତେବେଳେ ବିରାଟ ରାସ୍ତା, ବିଲଡିଂ, ବ୍ରିଜ ଆଦି ବିକାଶ କେତେ ଜରୁରୀ? ଓଡିଶା ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର ବୋଲି କୁହାଯାଏ । ଏହି ସମ୍ପଦ ଓ ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖିବା ବଦଳରେ ବିକାଶର ଦ୍ୱାହି ଦେଇ ଏହାର ବିନାଶ କରିବା ଉଚିତ ହେବ ନାହିଁ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)