Advertisment

ମଉଳି ଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ୍ ପ୍ଲାଣ୍ଟ ସ୍ବପ୍ନ ?

ଧୂଳିସାତ୍ ହୋଇଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ ସ୍ବପ୍ନ ? ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ଲାଣ୍ଟ ବସାଇବ ତ’ JSW ?

ଅଦ୍ୟତନ ହୋଇଛି
undefined

Automobile Plant

Advertisment

ମଉଳୁଛି କି ରାଜ୍ୟର ଅଟୋମୋବାଇଲ୍ ପ୍ଲାଣ୍ଟ ଆଶା । ୭ ମାସ ତଳେ ଓଡ଼ିଶାରେ EV ପ୍ଲାଣ୍ଟ ବସାଇବାକୁ MOU କରିଥିବା JSW ଏବେ ମହାରାଷ୍ଟ୍ର ମୁହାଁ ଚର୍ଚ୍ଚା ଆରମ୍ଭ ହୋଇଥିବାରୁ ବଢ଼ିଛି ଏମିତି ଆଶଙ୍କା । ଶିଳ୍ପସଂଘ କହିଛି, ଜମି ଅଧିଗ୍ରହଣରେ ସମସ୍ୟା ତଥା ଅଟୋମୋବାଇଲ ପ୍ରକଳ୍ପ ପାଇଁ ରାଜ୍ୟରେ ଆବଶ୍ୟକ ଇକୋସିଷ୍ଟମ ନଥିବାରୁ ମୁହଁ ମୋଡ଼ିଛି JSW । ତେବେ ପ୍ରେସ୍ରିଲିଜ୍ ଜାରି କରି ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି JSW । କମ୍ପାନିର ଏକ୍ଜିକ୍ୟୁଟିଭ୍  ଭାଇସ୍  ପ୍ରେସିଡେଣ୍ଟ ରଂଜନ ନାୟକ ଓଡ଼ିଶାରେ ପ୍ରସ୍ତାବିତ ୪୦ ହଜାର କୋଟିର ଇଭି ପ୍ରକଳ୍ପରୁ JSW ଓହରିନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ଧୂଳିସାତ୍ ହୋଇଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ ସ୍ବପ୍ନ ? ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ଲାଣ୍ଟ ବସାଇବ ତ’ JSW ? ନା ମୁହଁ ମୋଡ଼ି ମହାରାଷ୍ଟ୍ରକୁ ପଳେଇ ଯିବ ? ନିକଟରେ JSW 50 ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ଇଭି ପ୍ଲାଣ୍ଟ ବସାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିବା ପରେ ଉଠିଛି ଏମିତି ପ୍ରଶ୍ନ। 

ଗତ ଫେବ୍ରୁଆରୀ ୧୦ରେ ଓଡ଼ିଶାରେ ଏକ ମେଗା ସମନ୍ବିତ ଇଲେକ୍ଟ୍ରିକ୍ ଭେଇକିଲ୍ ଓ ଇଭି ବ୍ୟାଟେରୀ ପ୍ଲାଣ୍ଟ ସ୍ଥାପନ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ସହ ବୁଝାମଣା ସ୍ବାକ୍ଷର କରିଥିଲା JSW । ଏମ୍ଓୟୁ ଅନୁସାରେ, ରାଜ୍ୟ ସରକାର କଟକ ନରାଜରେ ଇଭି ମାନୁଫାକ୍ଚରିଂ ପ୍ଲାଣ୍ଟ ପାଇଁ 900 ଏକର ଓ ପାରାଦୀପରେ ବ୍ୟାଟେରୀ ପ୍ଲାଣ୍ଟ ପାଇଁ 400 ଏକର ଜମି ଯୋଗାଇ ଦେଇଥାନ୍ତେ। ପ୍ରସ୍ତାବିତ ପ୍ଲାଣ୍ଟରେ 40 ହଜାର କୋଟି ଟଙ୍କା ନିବେଶର ପ୍ରସ୍ତାବ ଥିଲା। ପ୍ଳାଣ୍ଟ ପ୍ରତିଷ୍ଠା ହୋଇଥିଲେ ୧୧ ହଜାର ଲୋକଙ୍କୁ ମିଳିଥାନ୍ତା କର୍ମନିଯୁକ୍ତି। ହେଲେ ମହାରାଷ୍ଟ୍ର ସହ MOU ପରେ ଏବେ ଆଶଙ୍କା ଭିତରେ JSWର ଓଡ଼ିଶା ଇଭି ପ୍ରକଳ୍ପ।

Advertisment

ଏହା ଜଣାପଡ଼ିବା ପରେ ତେଜିଛି ରାଜନୀତି। ବିଜେଡି କହିଛି, ନୂଆ ସରକାର ଆସିବା ପରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଖରାପ ସମୟ ଆସିଛି। ଆଗକୁ ଆହୁରି ଅନେକ ଶିଳ୍ପ ଓଡ଼ିଶାରୁ ଓହରିଯିବେ। ଏପଟେ ଶିଳ୍ପମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ହିଁ JSW ଇଭି ପ୍ରକଳ୍ପକୁ ବିଳମ୍ବ କରାଇଛନ୍ତି। ଆମ ସରକାର JSW ସହ ଆଲୋଚନା କରୁଛନ୍ତି। ପ୍ରକଳ୍ପ ସ୍ଥାନାନ୍ତର ଚୂଡ଼ାନ୍ତ ହୋଇନି। 

ଏହାପୂର୍ବରୁ 2017ରେ ବିଜେଡି ସରକାର ସମୟରେ ଏକଦା ଦେଶର ସର୍ବବୃହତ ଏଫ୍‌ଡ଼ିଆଇ ନେଇ ଆସିଥିବା ପୋସ୍କୋକୁ ଜମି ଅଧିଗ୍ରହଣ ସମସ୍ୟା ଲାଗି ଓଡ଼ିଶାରେ ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପକୁ ଛାଡ଼ିବାକୁ ପଡ଼ିଥିଲା। ଏମିତିକି ଜମି ଅଧିଗ୍ରହଣ ଓ ଲୁହାପଥର ଖଣି ମିଳିବାରେ ବିଳମ୍ବ କାରଣରୁ କେନ୍ଦୁଝରରେ ପ୍ରସ୍ତାବିତ 12 ନିୟୁତ ଟନ୍ କ୍ଷମତାବିଶିଷ୍ଟ ଇସ୍ପାତ ପ୍ରକଳ୍ପରୁ ୨୦୧୩ରେ ଓହରିଥିଲା ଆର୍ସେଲର ମିତ୍ତଲ। 

Advertisment

ଏବେ ପୁଣି JSW ପ୍ଲାଣ୍ଟକୁ ନେଇ ଉପୁଜୁଛି ଶଙ୍କା। ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛି ଶିଳ୍ପସଂଘ ୟୁସିସିଆଇ। ଅନ୍ୟପକ୍ଷରେ ଓଡ଼ିଶା ଇଭି ପ୍ରକଳ୍ପ ସ୍ଥାନାନ୍ତର ଚର୍ଚ୍ଚାକୁ ଖଣ୍ଡନ କରିଛି JSW। ଜେଏସ୍ଡବ୍ଲୁ ଗ୍ରୁପ୍ କାର୍ଯ୍ୟନିର୍ବାହୀ ଉପସଭାପତି ରଞ୍ଜନ ନାୟକ କହିଛନ୍ତି, ଏହା ଏକ କପୋଳକଳ୍ପିତ ଖବର। ଏଯାଏଁ ପ୍ରସ୍ତାବିତ ଇଭି ପ୍ରକଳ୍ପ ଲାଗି ଆମକୁ ଜମି ମିଳିନି। ସରକାର ଜମି ଅଧିଗ୍ରହଣ କରି ଯୋଗାଇଦେଲେ, ପ୍ଲାଣ୍ଟ ବସାଇବୁ। 

Electric Vehicle JSW
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ