Advertisment

ରାଜ୍ୟବ୍ୟାପୀ ଆଳୁ ହଲଚଲ୍, କୃତ୍ରିମ ଅଭାବ ଯୋଗୁଁ ଖାଉଟି କଲବଲ

ବିତିଗଲାଣି ଚାରି ଦିନ। ତଥାପି ଖସୁନି ଆଳୁ ରେଟ୍। ପଶ୍ଚିମବଙ୍ଗରୁ ଆଳୁ ଆସିଥିଲେ ବି କେଉଁଠି ଗଳାବାଟ ଦେଇ ତ ଆଉ କେଉଁଠି ହାତଗୁଞ୍ଜା ଦେଇ ଆଳୁ ଆଣୁଛନ୍ତି ବ୍ୟବସାୟୀ।

ଅଦ୍ୟତନ ହୋଇଛି
undefined

Potato Crisis

Advertisment

ରାଜବ୍ୟାପୀ ଆଳୁ ହଲଚଲ୍। ଦର ଶୁଣି ହଲକ ଶୁଖିଯାଉଛି। କୁତ୍ରିମ ଅଭାବ ଯୋଗୁ ଖାଉଟି କଲବଲ ହେଉଛି । ପ୍ରାୟ ୪ ଦିନ ହୋଇଗଲାଣି, ସ୍ବାଭାବିକ ସ୍ଥିତିକୁ ଫେରିପାରୁନି ଆଳୁର ଦାମ୍ । କେଉଁଠି ବିକ୍ରି ହେଉଛି ୪୦ ଉପରେ ତ ଆଉ କେଉଁଠି ୫୦। ଭୁବନେଶ୍ୱର, ବାଲେଶ୍ବର ଏବଂ ବ୍ରହ୍ମପୁରରେ ୪୫ ଏବଂ କଟକ ଛତ୍ର ବଜାରରେ ସର୍ବାଧିକ ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ। 

Advertisment

ଗ୍ରାହକଙ୍କ ମୁହଁରୁ ଶୁଣିଲେ ସ୍ପଷ୍ଟ ହେଉଛି, ଯୋଗାଣ ମନ୍ତ୍ରୀଙ୍କ ତାଗିଦ ସତ୍ତ୍ବେ କେଉଁଠି ବି ଆଳୁ ୩୨ ଟଙ୍କାରେ ମିଳୁନି। ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ଯେହେତୁ ସେମାନେ ପୂର୍ବରୁ ଚଢ଼ା ଦରରେ ଆଳୁ କିଣିସାରିଛନ୍ତି, ସେହି କ୍ଷତିର ଭରଣା ଦେବ କିଏ ? କେବଳ ଏତିକି ନୁହେଁ, ପଶ୍ଚିବଙ୍ଗରୁ ଓଡ଼ିଶାକୁ ଆଳୁ ପରିବହନ ଏଯାଏଁ ପୁରାପୁରି ସ୍ବାଭାବିକ ହୋଇନି। ଫଳରେ ବ୍ୟବସାୟୀମାନେ ଚାନ୍ଦା ଦେଇ ଏବଂ ବିଭିନ୍ନ ଗଳାବାଟ ଦେଇ ଆଳୁ ଆଣୁଛନ୍ତି। ଜଳେଶ୍ବର ହଳଦୀହତା ଗାଁରେ ଏକ ସରୁ ରାସ୍ତାରେ ଟ୍ରକରେ ଆଳୁ ପରିବହନ କରାଯାଉଛି । ଏହି ରାସ୍ତା ଦେଇ ସାଇକେଲ, ବାଇକ, ଆଉ ଟ୍ରକରେ ଆଳୁ ଅଣାଯାଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଭୁବନେଶ୍ବର ଆଇଗିଣିଆ ଆଳୁଗଦିକୁ ପଶ୍ଚିମବଙ୍ଗରୁ ଆସିଛି ୨୩ଟି ଆଳୁ ଗାଡ଼ି । କୁହାଯାଉଛି, ଏହି ଆଳୁ ଆସନ୍ତା ୩ ଦିନ ଯାଏଁ ଭୁବନେଶ୍ବରବାସୀଙ୍କ ଆବଶ୍ୟକତା ପୂରଣ କରିବ। ସେହିପରି କଟକ ଛତ୍ରବଜାରରେ ମଧ୍ୟ ପଡ଼ୋଶୀ ରାଜ୍ୟରୁ ଆଳୁ ପହଞ୍ଚିଛି । ତେଣୁ ଆଜିକାଲି ଭିତରେ ଦର ଆହୁରି ଖସିବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି। ସେପଟେ ମନ୍ତବ୍ୟକୁ ଦୋହରାଇ ୩୨ ଟଙ୍କାରେ ଆଳୁ ବିକ୍ରି କରୁନଥିବା ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

Advertisment

ରାଜ୍ୟରେ ଆଳୁ ସ୍ଥିତିକୁ ନେଇ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏପରିକି ଉଭୟ ରାଜ୍ୟର ପ୍ରଶାସନିକ ସ୍ତରରେ ମଧ୍ୟ କଥାବାର୍ତ୍ତା ଚାଲିଛି। ଏପରିକି ଗାଡ଼ିଗୁଡ଼ିକ ମଧ୍ୟ ପହଞ୍ଚୁଥିବା ବେଳେ ଆଳୁର କୃତ୍ରିମ ଅଭାବ ସ୍ଥିତି କେବେ ଦୂର ହେଉଛି, ତାକୁ ଅପେକ୍ଷା ।

Potato Price Hike Potato Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ